ଲମ୍ବୁଙ୍କ ଲମ୍ବା ଯାତ୍ରା @ ୧୦୦


୧୦୦ତମ ଟେଷ୍ଟରେ ପଦାର୍ପଣ କରିଥିବା ଈଶାନ୍ତ ଶର୍ମା
ଭାରତୀୟ କ୍ରିକେଟ ଦଳରେ ଲମ୍ବୁ କହିଲେ କ୍ବଚିତ କ୍ରିକେଟପ୍ରେମୀ ଜାଣିଥାନ୍ତି। ମାତ୍ର ଦଳରେ ସବୁଠାରୁ ଡେଙ୍ଗା ଖେଳାଳି ହୋଇଥିବାରୁ ତାଙ୍କୁ ସମସ୍ତେ ଲମ୍ବୁ ନାଁରେ ହିଁ ଡାକିଥାନ୍ତି। ସେ ଆଉ କେହି ନୁହଁନ୍ତି, ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ହେଲା ଦଳ ପାଇଁ ପ୍ରତିନିଧିତ୍ବ କରି ଆସୁଥିବା ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ସାଥୀ ଖେଳାଳିମାନେ ଲମ୍ବୁ ନାଁରେ ଡାକିଥାନ୍ତି। ଲମ୍ବୁ ତାଙ୍କ ଲମ୍ବା ଯାତ୍ରାର ଏକ ମାଇଲଷ୍ଟୋନ ଭାବେ ବୁଧବାର ୧୦୦ତମ ଟେଷ୍ଟ ଖେଳିବାର ସୌଭାଗ୍ୟ ଲାଭ କରିଛନ୍ତି। ଜଣେ ଦ୍ରୁତ ବୋଲର ଭାବେ ୧୦୦ତମ ଟେଷ୍ଟ ପଦାର୍ପଣ ଏତେ ସହଜ ନ ଥିଲେ ବି ତାହାକୁ ସେ ପୂରଣ କରି କ୍ୟାରିଅରରେ ଏକ ବଡ଼ ସଫଳତା ପାଇଛନ୍ତି। ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ୩ୟ ମ୍ୟାଚ ଖେଳି ଈଶାନ୍ତ ଏହି ଗୌରବର ଅଧିକାରୀ ହୋଇଛନ୍ତି। ଏଥିସହ ସେ ୪ର୍ଥ ଭାରତୀୟ ବୋଲର ଓ ଦ୍ବିତୀୟ ଭାରତୀୟ ଦ୍ରୁତ ବୋଲର ଭାବେ ୧୦୦ତମ ଟେଷ୍ଟ ଖେଳିବାର ରେକର୍ଡ ପ୍ରତିଷ୍ଠା କରିଛନ୍ତି। କପିଳ ଦେବ ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବେ ୧୦୦ତମ ଟେଷ୍ଟ ଖେଳିଥିଲା ବେଳେ ଈଶାନ୍ତ ତାଙ୍କ ପରେ ପ୍ରଥମ ବୋଲର ଭାବେ ମାଇଲଷ୍ଟୋନର ଅଧିକାରୀ ହୋଇପାରିଛନ୍ତି। ଏହାବାଦ ଅନୀଲ କୁମ୍ବଲେ ଓ ହରଭଜନ ସିଂହ ମଧ୍ୟ ଅନ ଦୁଇ ଭାରତୀୟ ବୋଲର ଭାବେ ୧୦୦ତମ ଟେଷ୍ଟ ଖେଳିଛନ୍ତି। କୁମ୍ବଲେ ୧୩୨, କପିଳ ୧୩୧, ହରଭଜନ ୧୦୩ଟି ଟେଷ୍ଟ ଖେଳିଛନ୍ତି। ଏଥିସହ ଈଶାନ୍ତ ତାଙ୍କ ୯୯ତମ ଟେଷ୍ଟ ମ୍ୟାଚରେ ୩୦୦ତମ ଟେଷ୍ଟ ୱିକେଟ ନେବାର ମଧ୍ୟ ଗୌରବ ଲାଭ କରି ସାରିଛନ୍ତି।

୬ ଫୁଟ ୪ ଇଞ୍ଚ ଉଚ୍ଚତା ବିଶିଷ୍ଟ ଈଶାନ୍ତ ୩୨ ବର୍ଷରେ ପଦାର୍ପଣ କରି ସାରିଥିଲା ବେଳେ ୨୦୦୭ରୁ ଭାରତୀୟ ଦଳ ପାଇଁ ନିୟମିତ ଭାବେ ଟେଷ୍ଟ ଖେଳି ଆସୁଛନ୍ତି। ସେ ଜାତୀୟ ଦଳ ପାଇଁ ୮୦ଟି ଦିନିକିଆ ଓ ୧୪ଟି ଟି-୨୦ ମ୍ୟାଚ ମଧ୍ୟ ଖେଳିଛନ୍ତି। ମାତ୍ର ୨୦୧୬ ପରଠାରୁ ସେ ଆଉ ଜାତୀୟ ଦଳ ପାଇଁ ଦିନିକିଆରେ ସ୍ଥାନ ପାଉ ନ ଥିଲା ବେଳେ ଟେଷ୍ଟ ସ୍ପେଶାଲିଷ୍ଟ ବୋଲର ଭାବେ ନିୟମିତ ଖେଳି ଆସୁଛନ୍ତି। ବିଦେଶ ଗସ୍ତ ହେଉ ବା ଘରୋଇ ମଇଦାନ ଟେଷ୍ଟ ମ୍ୟାଚ ଆସିଲେ ଦଳ ଈଶାନ୍ତଙ୍କ ଉପରେ ଭରସା କରି ଆସିଛି। ଆଉ ଈଶାନ୍ତ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଜରିଆରେ ଦଳକୁ ଅନେକ ମ୍ୟାଚରେ ବିଜୟୀ କରାଇ ଚୟନକର୍ତ୍ତାଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ ଜଣେ ଫାଷ୍ଟ ମିଡିୟମ ବୋଲର ଭାବେ ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲା ବେଳେ କେବେ ବି ସଫଳତା ପାଇବା ପାଇଁ ବୋଲିଂର ବେଗ ସହ ସାଲିସ କରି ନାହାନ୍ତି। କେତେକ ଅନ୍ତର୍ଜାତୀୟ ବୋଲର ଦିନିକିଆ ଓ ଟି-୨୦ ମୋହରେ ବୋଲିଂର ବେଗକୁ କମାଇ ନିଜର ବୋଲିଂ ଉପରେ ନିୟନ୍ତ୍ରଣ ଆଣି ଇକନୋମିକାଲ ହେବାକୁ ଚେଷ୍ଟା କରିଛନ୍ତି। ମାତ୍ର ଈଶାନ୍ତ ଏପରି ମୋହରେ ନ ପଡ଼ି ସେ ତାଙ୍କର ବୋଲିଂର ବେଗକୁ କାଏମ ରଖି କ୍ରିକେଟର ଶ୍ରେଷ୍ଠ ଫର୍ମାଟ କୁହାଯାଉଥିବା ଟେଷ୍ଟ କ୍ରିକେଟରେ ନିଜକୁ ପ୍ରତିଷ୍ଠିତ କରାଇବାରେ ସଫଳତା ପାଇଛନ୍ତି।

ଭାରତୀୟ ଉପମହାଦେଶର ମନ୍ଥର ପିଚ ସର୍ବଦା ସ୍ପିନରଙ୍କୁ ସୁହାଉଥିବାରୁ ଫାଷ୍ଟ ବୋଲିଂ ଜରିଆରେ ସଫଳତା ପାଇ ଦଳରେ ସ୍ଥାନ ବଜାୟ ରଖିବା ଏତେ ସହଜ କଥା ନୁହେଁ। ଏହାବାଦ ରହିଛି ଫିଟନେସ ସମସ୍ୟା। ମାତ୍ର ଈଶାନ୍ତ ଏସବୁ ପ୍ରତିବନ୍ଧକକୁ ପ୍ରତିହତ କରି ତାଙ୍କ ଟେଷ୍ଟ କ୍ୟାରିଅରକୁ ଆଗେଇ ନେବାରେ ପୂରା ସଫଳତା ପାଇଛନ୍ତି। ୨୦୦୭ରେ ବାଂଲାଦେଶ ଗସ୍ତରେ ତାଙ୍କୁ ମୁନାଫ ପଟେଲଙ୍କ ସ୍ଥାନରେ ଜାତୀୟ ଦଳରେ ସାମିଲ କରାଯାଇ ଟେଷ୍ଟ ଖେଳିବାର ସୁଯୋଗ ଦିଆଯାଇଥିଲା। ସେ ମାତ୍ର ୧୮ ବର୍ଷ ବୟସରେ ଟେଷ୍ଟ କ୍ୟାରିଅର ଆରମ୍ଭ କରିବାର ସୁଯୋଗ ପାଇଥିଲେ। ବିଶେଷ କରି ତାଙ୍କର ଲମ୍ବା ଚେହେରା ଓ ଘଣ୍ଟା ପ୍ରତି ୧୫୦ କିମି ବେଗରେ ବୋଲିଂ କରିବାର ଦକ୍ଷତା ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲା। କ୍ୟାରିଅର ଆରମ୍ଭରୁ ବୋଲିଂ ସଫଳତା ନିହାତି ଜରୁରୀ ହୋଇ ପଡ଼ିଥିଲା ବେଳେ ୨୦୦୮ ଅଷ୍ଟ୍ରେଲିଆ ଗସ୍ତରେ ଈଶାନ୍ତଙ୍କ ବୋଲିଂ ଥିଲା ବେଶ ପ୍ରଭାବଶାଳୀ। ଅଷ୍ଟ୍ରେଲିଆ ଦଳ ଷ୍ଟାର ଖଚିତ ବ୍ୟାଟ୍ସମ୍ୟାନଙ୍କୁ ନେଇ ବିଶ୍ବ କ୍ରିକେଟରେ ରାଜ କରୁଥିଲା ବେଳେ ଈଶାନ୍ତଙ୍କୁ ଏହାର ସାମ୍ନା କରିବାକୁ ପଡ଼ିଥିଲା। ଆଉ ପର୍ଥରେ ଫାଷ୍ଟ ପିଚରେ ସେତେବେଳର ଟିନଏଜର ଈଶାନ୍ତ ଏକ ଲମ୍ବା ସ୍ପେଲରେ ତତକାଳୀନ କଙ୍ଗାରୁ ଦଳର ଅଧିନାୟକ ରିକି ପଣ୍ଟିଂଙ୍କୁ ପାଣି ପିଆଇ ଦେଇଥିଲେ। ଘଣ୍ଟାପ୍ରତି ୧୫୦ରୁ ଊର୍ଦ୍ଧ୍ବ କିମି ବେଗରେ ବୋଲିଂ କରି ପଣ୍ଟିଂଙ୍କୁ ଦୋହଲାଇ ଦେଇଥିଲେ। ଏଥିସହ ପଣ୍ଟିଂ ଈଶାନ୍ତଙ୍କ ଏହି ଶାଣିତ ବୋଲିଂରେ ୱିକେଟ ହରାଇ ଫେରିଥିଲେ। ଆଉ ଏହି ସଫଳତା ଈଶାନ୍ତଙ୍କ କ୍ୟାରିଅରକୁ ଆଗକୁ ନେବାରେ ସବୁଠାରୁ ବେଶି ସହାୟକ ହୋଇଥିଲା।

ଆଜି ୩୨ ବର୍ଷରେ ବି ଈଶାନ୍ତ ତାଙ୍କ ପୂର୍ବ ଚମକ ବଜାୟ ରଖି ପ୍ରଥମ ପସନ୍ଦର ଟେଷ୍ଟ ବୋଲର ଭାବେ ଦଳରେ ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛନ୍ତି। ଏଥିସହ ଈଶାନ୍ତ ଟେଷ୍ଟରେ ଜଣେ ଟେଲଏଣ୍ଡର ଭାବେ କିଛି ସମୟ ପାଇଁ ପିଚରେ ତିଷ୍ଠି ରହି ସହଯୋଗୀଙ୍କୁ ପାର୍ଟନରଶିପ ଯୋଗାଇବାରେ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଏପରିକି ତାଙ୍କ ପାର୍ଟନରଶିପ ପାଇଁ ଭାରତୀୟ ଦଳ ଟେଷ୍ଟ ମ୍ୟାଚ ଜିତିବାର ବି ନଜିର ରହିଛି। ୨୦୧୦ ଅକ୍ଟୋବର ୫ରେ ମୋହାଲି ପିଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଟେଷ୍ଟ ମ୍ୟାଚ ଜିତିବା ପାଇଁ ୨୦୮ ରନ ଆବଶ୍ୟକ କରୁଥିଲା ବେଳେ ଘରୋଇ ଦଳ ୧୨୪ ରନରେ ୮ମ ୱିକେଟ ହରାଇଥିଲା। ଏହିପରି ସଙ୍କଟଜନକ ସ୍ଥିତିରେ ଈଶାନ୍ତ ୩୧ ରନର ଏକ ଉପଯୋଗୀ ଇନିଂସ ଖେଳିବା ସହ ଭିଭିଏସ ଲକ୍ଷ୍ମଣଙ୍କ ସହ ୮୧ ରନର ଏକ ଚମତ୍କାର ଭାଗିଦାରୀ ଜରିଆରେ ଦଳକୁ ବିଜୟୀ କରାଇଥିଲେ।

୧୩ ବର୍ଷର ଲମ୍ବା କ୍ୟାରିଅରରେ ଈଶାନ୍ତ ଏଯାବତ ୧୦୦ ଟେଷ୍ଟ ମ୍ୟାଚ ସହ ୮୦ଟି ଦିକିଆ ଓ ୧୪ ଟି-୨୦ ମ୍ୟାଚ ଖେଳିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ସେ ୧୦୦ଟି ଟେଷ୍ଟରୁ ୩୦୩ଟି ୱିକେଟ ନେଇଥିଲା ବେଳେ ଦିନିକିଆରେ ୧୧୫ ଓ ଟି-୨୦ରେ ୮ଟି ୱିକେଟ ନେଇଛନ୍ତି। ଏହାବାଦ ଆଇପିଏଲରେ ସେ ଡେକାନ ଚାର୍ଜର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଦିଲ୍ଲୀ ଡେୟାରଡେଭିଲ୍ସ, କିଙ୍ଗସ ଏକାଦଶ ପଞ୍ଜାବ, କୋଲକାତା ନାଇଟ ରାଇଡର୍ସ, ରାଇଜିଂ ପୁଣେ ସୁପରଜ୍ୟାଣ୍ଟ, ସନରାଇଜର୍ସ ହାଇଦ୍ରାବାଦ ପାଇଁ ମ୍ୟାଚ ଖେଳିଛନ୍ତି। କାଉଣ୍ଟିରେ ବି ସେ ସସେକ୍ସ ପାଇଁ ମ୍ୟାଚ ଖେଳିବାର ଗୌରବ ଲାଭ କରିଛନ୍ତି। ଆଗକୁ ଦଳ ତାଙ୍କ ଠାରୁ ଆହୁରି ଅନେକ ଆଶା ରଖିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ