ବଜେଟରେ ଅର୍ଥ ବରାଦ ସ୍ବାସ୍ଥ୍ୟସେବା ପ୍ରତି ପ୍ରତିବଦ୍ଧତାର ନିଦର୍ଶନ: ମୋଦୀ


ୱେବିନାରରେ ଭାଗନେବା ଅବସରରେ ମୋଦୀ
ଗତ ଫେବ୍ରୁଆରୀ ୧ ତାରିଖରେ ଲୋକସଭାରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ। ଏହି ବଜେଟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଅର୍ଥ ବରାଦ କରିଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ଏପରି ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭରପୂର ପ୍ରଶଂସା କରିବା ସହ ବଜେଟରେ ହୋଇଥିବା ଅର୍ଥ ବରାଦ ବାସ୍ତବିକ ଅନନ୍ୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ବଜେଟ୍ ବରାଦ ସ୍ବାସ୍ଥ୍ୟ କ୍ଷେତ୍ର ପ୍ରତି କେନ୍ଦ୍ର ସରକାରଙ୍କ ମନୋବୃତ୍ତିକୁ ସ୍ପଷ୍ଟ କରିଦେଉଛି। କୋଭିଡ୍ ଭୂତାଣୁ ସଂକ୍ରମଣ ପରେ ଦେଶରେ ସ୍ବାସ୍ଥ୍ୟସେବା କ୍ଷେତ୍ରର ଅସଲ ସ୍ଥିତି ପଦାକୁ ଆସିଛି ଓ ଏହି ଭୂତାଣୁ ଆମକୁ ଶିକ୍ଷା ଦେଇପାରିଛି। ଆଗାମୀ ଦିନରେ ସମାନ ପରିସ୍ଥିତିର ସଫଳ ମୁକାବିଲା କରିବା ସକାଶେ କେନ୍ଦ୍ର ସରକାର ବର୍ତ୍ତମାନଠାରୁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଅଣ୍ଟା ଭିଡ଼ିଛନ୍ତି ବୋଲି ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବରାଦ ଅର୍ଥର ବିନିଯୋଗ ସଂକ୍ରାନ୍ତ ଏକ ୱେବିନାର୍‌ରେ ଯୋଗଦେବା ଅବସରରେ ମୋଦୀ କହିଛନ୍ତି। ସେହିପରି କୋରୋନା ମହାମାରୀ ପରିପ୍ରେକ୍ଷୀରେ ସମଗ୍ର ବିଶ୍ବ ଭାରତର ଦମ୍ଭ ଦେଖିପାରିଛି। ଅନ୍ୟ ଦେଶ ତୁଳନାରେ ଭାରତ ଯଥେଷ୍ଟ ସଫଳତା ପୂର୍ବକ ଏହି କୋରୋନା ଭୂତାଣୁର ମୁକାବିଲା କରିଥିବା ମୋଦୀ କହିଛନ୍ତି।

ମୋଦୀ କହିଛନ୍ତି ଯେ କୋରୋନା ମହାମାରୀ ପରିପ୍ରେକ୍ଷୀରେ ଭାରତୀୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଖ୍ୟାତି ଓ ବିଶ୍ବାସ ଏକ ନୂଆ ସ୍ତରରେ ପହଞ୍ଚିପାରିଛି। ଡାକ୍ତରୀ ସରଞ୍ଜାମଠାରୁ ଆରମ୍ଭ କରି ଔଷଧପତ୍ର, ଭେଣ୍ଟିଲେଟରଠାରୁ ଆରମ୍ଭ କରି ଭ୍ୟାକସିନ୍ ପର୍ଯ୍ୟନ୍ତ ଏବଂ ବୈଜ୍ଞାନିକ ଗବେଷଣାଠାରୁ ଆରମ୍ଭ କରି ସର୍ଭେଲାନ୍ସ ଭିତ୍ତିଭୂମି ପର୍ଯ୍ୟନ୍ତ ଏବଂ ଡାକ୍ତରଙ୍କଠାରୁ ଆରମ୍ଭ କରି ମହାମାରୀ ବିଶେଷଜ୍ଞଙ୍କ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ର ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଇଛନ୍ତି। ଏବେଠାରୁ ପ୍ରସ୍ତୁତ ରହିଲେ ଆଗାମୀ ଦିନରେ କୋରୋନା ଭୂତାଣୁ ପରି ଅନ୍ୟାନ୍ୟ କୌଣସି ଭୂତାଣୁ ଆମର ବିଶେଷ କିଛି କ୍ଷତି କରିପାରିବେ ନାହିଁ ବୋଲି ମୋଦୀ କହିଛନ୍ତି। ସେହିପରି ଦେଶବାସୀଙ୍କୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଓ ନିରୋଗ ରଖିବା ଦିଗରେ କେନ୍ଦ୍ର ସରକାର ଅହରହ କାର୍ଯ୍ୟ କରୁଛନ୍ତି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ରୋଗର ନିରାକରଣ ଓ ସୁସ୍ଥତାର ପ୍ରଚାର ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଏହି ଦୁଇଟି ଦିଗକୁ ଅଗ୍ରାଧିକାର ଦିଆଯାଉଥିବା ବେଳେ ଦେଶର ଗରିବଗୁରୁବାମାନଙ୍କୁ ଶସ୍ତା ଓ ଫଳପ୍ରସୂ ଚିକିତ୍ସା ଯୋଗାଇଦେବାର ଆବଶ୍ୟକତା ରହିଛି। ଆୟୁଷ୍ମାନ୍ ଭାରତ ଯୋଜନା ଓ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ମାଧ୍ୟମରେ ଏହି ଲକ୍ଷ୍ୟ ସାଧନ ପାଇଁ ଉଦ୍ୟମ ଜାରି ରହିଛି। ସେହିପରି ଦେଶରେ ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ କରାଇବା ସହ ଅଧିକ ସଂଖ୍ୟାରେ ଡାକ୍ତର ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ମୁତୟନ କରିବା କେନ୍ଦ୍ର ସରକାରଙ୍କର ଅନ୍ୟତମ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେହିପରି କେନ୍ଦ୍ର ସରକାର ଆସନ୍ତା ୨୦୨୫ ସୁଦ୍ଧା ଦେଶରୁ ରାଜଯକ୍ଷ୍ମା ଟିବି) ରୋଗର ମୂଳୋତ୍ପାଟନ ପାଇଁ ମଧ୍ୟ ଲକ୍ଷ୍ୟ ରଖିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ