ସ୍ବତନ୍ତ୍ର ପ୍ରସଙ୍ଗ
ମାନବସେବାରେ ତନ୍ମୟ ତନୟ, ପରିବେଶ ପ୍ରତି ବି ସଚେତନ

ତନୟ ଜୈନ ଓ ତାଙ୍କ ଫାଉଣ୍ଡେସନ ଦ୍ବାରା ଉପକୃତ ହୋଇଥିବା ଅନାଥ ପିଲାଏ
କୋଲକାତାର ତନୟ ଜୈନ। ବୟସ ମାତ୍ର ୧୫ ବର୍ଷ। ଦଶମ ଶ୍ରେଣୀର ଛାତ୍ର। ପାଠ ପଢ଼ିବା ସହ ଦୁସ୍ଥ ଓ ଅନାଥ ପିଲାମାନଙ୍କ ସେବା ତାଙ୍କୁ ପିଲାଟି ଦିନରୁ କରିଛି ଅନୁପ୍ରାଣିତ। ସେ ପାଠ ପଢ଼ି ସାରିବା ପରେ ଭବିଷ୍ୟତରେ କ’ଣ କରିବେ, ତାହା ସେ ଏଯାବତ ସ୍ଥିର କରି ପାରି ନାହାନ୍ତି। ମାତ୍ର ତାଙ୍କର ସେବା ମନୋବୃତ୍ତିକୁ ନେଇ ସାରା ସହରରେ ଚର୍ଚ୍ଚା ହେଉଛି। ସେ ତାଙ୍କ ପରିବାର ସହଯୋଗରେ କଟ୍ରନ ଫାଉଣ୍ଡେସନ ନାମକ ଏକ ସଂସ୍ଥା ଆରମ୍ଭ କରିଛନ୍ତି। ଆଉ ଏହି ସଂସ୍ଥା ଜରିଆରେ ଟେକ୍ସାଇଲ ଫ୍ୟାକ୍ଟ୍ରିରୁ ବାହାରୁ ଥିବା ଅବ୍ୟବହୃତ କପଡ଼ାକୁ ସଂଗ୍ରହ କରି ତାକୁ ରିସାଇକ୍ଲିଙ୍ଗ ଜରିଆରେ ଉପଯୋଗୀ କରିବା ପାଇଁ ପ୍ରୟାସ କରି ସଫଳତା ପାଇଛନ୍ତି। ଏଥିପାଇଁ ତାଙ୍କୁ ସବୁରି ମହଲରେ ପ୍ରଶଂସା କରାଯାଉଛି।
ଆଉ ସବୁଠୁ ବଡ଼ କଥା ହେଲା ଟେକ୍ସଟାଇଲ ଶିଳ୍ପ ପାଇଁ କୋଲକାତାରେ ପ୍ରଦୂଷଣ ବଢ଼ୁଥିଲା ବେଳେ ଏହାକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ଚିନ୍ତା ପ୍ରକଟ କରି ଚାଲିଛି। ଏହିପରି ସ୍ଥିତିରେ ୧୫ ବର୍ଷୀୟ ତନୟ ଜୈନଙ୍କ ଏହି ପ୍ରଶଂସନୀୟ କାର୍ଯ୍ୟକୁ ସ୍ଥାନୀୟ ପ୍ରଶାସନ ତାରିଫ କରିଛି। ତାଙ୍କ ଉଦ୍ୟମ ଦ୍ବାରା କେବଳ ସ୍ଥାନୀୟ ଅଞ୍ଚଳର ଅନାଥ ଓ ଦୁସ୍ଥ ପିଲା ଉପକୃତ ହେଉ ନାହାନ୍ତି, ପ୍ରଦୂଷଣ ମଧ୍ୟ ବହୁମାତ୍ରାରେ ରୋକାଯାଇ ପାରୁଛି। ମିଳିଥିବା ତଥ୍ୟ ଅନୁସାରେ ସାରା ବିଶ୍ବରେ ବର୍ଷକୁ ପ୍ରାୟ ୩୯ ନିୟୁତ ଟନର କପଡ଼ା ଅଳିଆ ଗଦାକୁ ଯାଇଥାଏ। ଯାହା ପ୍ରଦୂଷଣ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବାହାରେ ଫିଙ୍ଗି ଦିଆଯାଉଥିବା ଏହି ଅବ୍ୟବହୃତ କପଡ଼ାର ଏକ ପଞ୍ଚମାଂଶକୁ ସଂଗୃହୀତ କରି ରିସାଇକ୍ଲିଙ୍ଗ ଜରିଆରେ ପୁଣି ନୂଆ ବସ୍ତ୍ର ପ୍ରସ୍ତୁତି କରାଯାଉଛି। ଏହିପରି ସ୍ଥିତିରେ ଟେକ୍ସାଟାଇଲ ଶିଳ୍ପ ପାଇଁ କୋଲକାତାର ଖ୍ୟାତି ରହିଥିବାରୁ ଏଠାରେ ବାହାରେ ଫିଙ୍ଗି ଦିଆଯାଉଥିବା ଅବ୍ୟବହୃତ ସାମଗ୍ରୀ ସମସ୍ୟା ସୃଷ୍ଟି କରି ଆସିଛି।
କୋଲକାତାର ସେଣ୍ଟ ଜେମ୍ସ ସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ତନୟ ୨୦୧୮ରେ ତାଙ୍କ ବାପାଙ୍କ ମାଲିକାନାରେ ଥିବା ଟେକ୍ଟଟାଇଲ ଫ୍ୟାକ୍ଟ୍ରିକୁ ବୁଲି ଯାଇଥିଲେ। ଆଉ ସେଠାରେ ଶହ ଶହ ଶ୍ରମିକ କାମ କରୁଥିଲା ବେଳେ ଟନ ଟନ କପଡ଼ା ପଡ଼ି ରହିଥିଲା। ଶ୍ରମିକମାନେ ତା’ ଉପରେ ଚଢ଼ିମଢ଼ି କାମ କରୁଥିବାର ସେ ଦେଖିଲେ। ପଡ଼ି ରହିଥିବା ଟନ ଟନ କପଡ଼ା ନେଇ ସେ ସେଠାକାର କର୍ମଚାରୀଙ୍କ ସହ କଥା ହେଲେ। ଏହାପରେ ସେ ତାଙ୍କ ଭାବନାକୁ ବାପାଙ୍କ ଆଗରେ ପ୍ରକାଶ କରିଥିଲେ। ଆଉ ପୁଅର ଏପରି ମନୋଭାବ ବାପାଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଲା। ତାଙ୍କ ଫ୍ୟାକ୍ଟ୍ରିରେ ଯେଉଁସବୁ କପଡ଼ା ବଷ ବର୍ଷ ଧରି ପଡ଼ି ରହୁଥିଲା, କୌଣସି ବି କାମରେ ଆସୁ ନ ଥିଲା। ତାହାକୁ ସେ ବ୍ୟବହାର ଉପଯୋଗୀ କରିବା ପାଇଁ ପୁଅର ପ୍ରସ୍ତାବକୁ ଗ୍ରହଣ କରିବା ସହ ଏନେଇ ଏକ ଫାଉଣ୍ଡେସନ ଗଠନ କଲେ। ଆଉ ପୁଅ ତନୟକୁ ଏହାର ଦାୟିତ୍ବ ମଧ୍ୟ ହସ୍ତାନ୍ତର କଲେ।
ନିକଟରେ ଏହି ନୂଆ ଫାଉଣ୍ଡେସନ କାର୍ଯ୍ୟ ଆରମ୍ଭ କରିଥିଲା ବେଳେ ତନୟଙ୍କ ସୂଚନାନୁସାରେ ରିସାଇକ୍ଲିଙ୍ଗରୁ ଏଯାବତ ୩ ହଜାର ୫ ଶହ ମିଟର କପଡ଼ା ପ୍ରସ୍ତୁତ ହୋଇଛି। ଆଉ ଏହି କପଡ଼ାରେ ପ୍ରାୟ ୨ ହଜାର ୫ ଶହ ଅନାଥ ପିଲାଙ୍କୁ ପୋଷାକ ତିଆରି କରି ବଣ୍ଟନ କରାଯାଇଛି। ଆଉ ଏଥିପାଇଁ କାହାରିଠାରୁ ଟଙ୍କାଟିଏ ବି ନିଆଯାଉ ନାହିଁ। ତନୟଙ୍କ ଏହି ସେବା ମନୋବୃତ୍ତି ଦ୍ବାରା କେବଳ ଦୁସ୍ଥ ପିଲାମାନେ ଉପକୃତ ହୋଇ ନାହାନ୍ତି, ୬୮ ଜଣ କାରିଗର ମଧ୍ୟ କର୍ମ ସଂସ୍ଥାନ ପାଇ ପାରିଛନ୍ତି। ରିସାଇକ୍ଲିଙ୍ଗରୁ ପ୍ରସ୍ତୁତ କପଡ଼ାକୁ ନିଯୁକ୍ତି ପାଇଥିବା କାରିଗରମାନେ ପାରିଶ୍ରମିକ ନେଇ ତିଆରି କରୁଛନ୍ତି। ଆଉ ଏଥିପାଇଁ ମଧ୍ୟ ଅନୁଦାନ ମିଳିବା ଆରମ୍ଭ ହୋଇଛି ବୋଲି କହିଛନ୍ତି ତନୟ।
ସେହିପରି ସେବା ମନୋବୃତ୍ତି ରଖିଥିବା କେତେକ ଡୋନର ମଧ୍ୟ ତନୟଙ୍କ ଫାଉଣ୍ଡେସନରୁ ଅର୍ଥ ଦେଇ ପ୍ରସ୍ତୁତ ଡ୍ରେସ ସାମଗ୍ରୀ ନେଇ ଦୁସ୍ଥ ଓ ଅନାଥ ପିଲାଙ୍କୁ ବଣ୍ଟନ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଆଉ ଏ ବାବଦରେ ଯେଉଁ ଅର୍ଥ ମିଳିବ, ତାହାକୁ ସିଧାସଳଖ ସେହ ଗରିବ, ଦୁସ୍ଥ ଓ ଅନାଥ ପିଲାମାନଙ୍କୁ ମଧ୍ୟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଅଭିଯାନକୁ ବ୍ୟାପକ କରିବା ପାଇଁ ତନୟ ତାଙ୍କର ଆଉ ୩ ଜଣ ଶ୍ରେଣୀ ସାଥୀଙ୍କ ସହାୟତା ନେବା ଆରମ୍ଭ କରିଛନ୍ତି। ଇନଷ୍ଟାଗ୍ରାମ ଜରିଆରେ କିପରି ଭାବେ ତାଙ୍କ ଦ୍ବାରା ଚାଲିଥିବା ଫାଉଣ୍ଡେସନର ସହାୟତା ଅଧିକ ପିଲାଙ୍କ ପାଖରେ ପହଞ୍ଚିପାରିବ ତାହାକୁ ମଧ୍ୟ ସେ ଗୁରୁତର ସହ ଦେଖିବା ଆରମ୍ଭ କରିଛନ୍ତି।
ସେହିପରି ଦୁଃସ୍ଥ ପିଲାଙ୍କ ଆର୍ଥିକ ସହାୟତା ନେଇ ସେ ୨ ଶହ ଟଙ୍କିଆ ସ୍କିମ କରିଛନ୍ତି। ଏଥିପାଇଁ ସେ ଗୁଗଲରେ ଏକ ୱେବସାଇଟ ପଞ୍ଜୀକୃତ କରାଇଛନ୍ତି। ଯେକେହି ବଦାନ୍ୟ ବ୍ୟକ୍ତି ତାଙ୍କ ୱେବସାଇଟକୁ ଖୋଲି ନିର୍ଦ୍ଦିଷ୍ଟ ଫର୍ମ ଡାଉନଲୋଡ କରି ଏହାକୁ ପୂରଣ କରି କାହାକୁ ଅର୍ଥ ଦେବାକୁ ଚାହାନ୍ତି, ତାହା ଦର୍ଶାଇ ପାରିବେ। ଆଉ ଦାତବ୍ୟ ବ୍ୟକ୍ତି ଦେଉଥିବା ଅର୍ଥ ସମ୍ପୃକ୍ତ ପିଲାମାନଙ୍କ ପାଖରେ ପହଞ୍ଚୁଛି ନା ନାହିଁ, ସେମାନଙ୍କ ସହ ଭିଡିଓ କଲ ଜରିଆରେ କଥା ହୋଇ ମନରୁ ଦ୍ବନ୍ଦ୍ବ ଦୂର କରିପାରିବେ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ରଖିଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ