ସବୁକିଛି ସମ୍ଭବ: ଗ୍ରାମମୁହାଁ ଆମେରିକା ଫେରନ୍ତା ଉଚ୍ଚଶିକ୍ଷିତା


କର୍ଣ୍ଣାଟକର ଦାବଣଗେରେ ଜିଲ୍ଲାର ସୋକ୍‌ ସରପଞ୍ଚ ସ୍ବାତୀ ଥିପ୍ପେସ୍ବାମୀ (ଫାଇଲ୍ ଫଟୋ)
ସଫ୍ଟୱେର୍‌ରୁ ରାଜନୀତି, ଲାବୋରେଟୋରୀରେ ସଫ୍ଟୱେର୍‌ କୋଡିଂରୁ ଗଣତନ୍ତ୍ରର ମୌଳିକ ସ୍ତର, ଆମେରିକାରୁ ଗାଁର ଭିଟାମାଟିକୁ ଫେରିବା ସବୁକିଛି ସମ୍ଭବ। ଉଚ୍ଚଶିକ୍ଷିତା ହେବା ସହ ୫ ବର୍ଷ ଆମେରିକାରେ କାଟିବା ପରେ ନିଜ ପୂର୍ବପୁରୁଷଙ୍କ ଗାଁର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି ଜଣେ ବିରଳ ମହିଳା। ଆଜିକା ଦିନରେ ଆମେରିକା ଉଚ୍ଚଶିକ୍ଷା ସମ୍ପୂର୍ଣ୍ଣ କରିବା ପରେ ସ୍ବଚ୍ଛ, ସ୍ବାଚ୍ଛନ୍ଦ୍ୟରେ ଜୀବନ ବିତାଇବା ଛାଡ଼ି ଭିଟାମାଟିର ବିକାଶ କଥା ଚିନ୍ତା କରିବା ଭିନ୍ନ ଚିନ୍ତାଧାରାର ପରିଚାୟକ। ଏପରି କିଛି କରି ଦେଖାଇଛନ୍ତି କର୍ଣ୍ଣାଟକର ୩୨ ବର୍ଷୀୟା ସଫ୍ଟୱେର୍‌ ଇଞ୍ଜିନିୟର ସ୍ବାତୀ ଥିପ୍ପେସ୍ବାମୀ। ସେ ସବୁକିଛି ଛାଡ଼ି ବେଙ୍ଗାଳୁରୁଠାରୁ ୨୫୦ କିଲୋମିଟର ଦୂର ସ୍ଥିତ ଦାବଣଗେରେ ଜିଲ୍ଲାର ଜଗଲୁର ତାଲୁକ୍‌ରେ ସୋକ୍‌ ଗ୍ରାମପଞ୍ଚାୟତର ଦାୟିତ୍ବ ଗ୍ରହଣ କରିଛନ୍ତି। ସତରେ ଏହାଏକ ନିଆରା ଉଦାହରଣ।

ସଫ୍ଟୱେର୍‌ ଇଞ୍ଜିନିୟରରୁ ସରପଞ୍ଚ
ସ୍ବାତୀ ବେଙ୍ଗାଳୁରୁସ୍ଥିତ ବେସିଟ୍‌ ଇଞ୍ଜିନିୟରିଂ କଲେଜରୁ ଇନ୍‌ଫର୍‌ମେସନ୍‌ ସାଇନ୍ସ ଓ ବିଟେକ୍‌ ପାସ୍‌ କରିବା ପରେ ଉଚ୍ଚଶିକ୍ଷା ପାଇଁ ଆମେରିକା ଯାଇଥିଲେ। କିନ୍ତୁ ଗତ ୨ ବର୍ଷ ହେବ ଦାବଣଗେରେ ଜିଲ୍ଲାରେ ଥିବା ତାଙ୍କ ପୂର୍ବପୁରୁଷଙ୍କ ଗାଁ ସୋକ୍‌କୁ ଲଗାତର ଯିବା ଆସିବା କରିବା ସମୟରେ ସେଠି ବିକାଶ ନିମ୍ନମୁଖୀ ହୋଇଥିବା ଜାଣିବାକୁ ପାଇଥିଲେ। ଏଥିରେ ସୁଧାର ଆଣିବା ପାଇଁ ସେ ମନ ବଳାଇଥିଲେ। ଫଳରେ ଗ୍ରାମପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ସେ ନିଷ୍ପତ୍ତି ନେଲେ। ଆଉ ଶେଷରେ ସେ ସରପଞ୍ଚ ପଦ ଅଳଙ୍କୃତ କଲେ। ପିତାଙ୍କ ପଟୁ ବଂଶାନୁକ୍ରମିକ ଭାବେ ସେ ଚତୁର୍ଥ ପିଢ଼ିର ସରପଞ୍ଚ ହୋଇଛନ୍ତି। ଅଧୁନା ତାଙ୍କ ସ୍ବାମୀ ସୁଜୟ ଏସ୍‌ଏମ୍‌ ଓ ୨ ସନ୍ତାନଙ୍କ ସହ ବେଙ୍ଗାଳୁରୁରେ ରହୁଛନ୍ତି। ତାଙ୍କ ପିତା ଜି ମଦନୈୟା ଥିପ୍ପେସ୍ବାମୀ ବିଧାନସଭାରେ ଜଣେ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବେଳେ ଗତବର୍ଷ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ବ୍ରିଟିଶ ଶାସନ କାଳରେ ତାଙ୍କ ଜେଜେବାପା ୧୯୨୦-୧୯୩୧ ପର୍ଯ୍ୟନ୍ତ ସୋକ୍‌ ଗ୍ରାମର ରାଜସ୍ବ ଅଧିକାରୀ ଥିଲେ। ସେହିପରି ସ୍ବାତୀଙ୍କ ପିତା ୧୯୬୫ରୁ ୧୯୭୦ ପର୍ଯ୍ୟନ୍ତ ସୋକ୍‌ର ସରପଞ୍ଚ ଥିଲେ। ଏହାପୂର୍ବରୁ ତାଙ୍କ ପୁତୁରା ଏଚ୍‌ଏମ୍‌ କୋଟ୍ରୈୟା ଦୁଇବର୍ଷ ଧରି ସେଠିକାର ସରପଞ୍ଚ ଥିଲେ।

ତୃଣମୂଳ ସ୍ତରରେ ବିକାଶ ଲକ୍ଷ୍ୟ
ସ୍ବାତୀ ଅଢ଼େଇ ବର୍ଷ ପାଇଁ ସରପଞ୍ଚ ନିର୍ବାଚିତ ହୋଇଛନ୍ତି। ତାଙ୍କ ଦାୟିତ୍ବରେ ରହିଛି ୪ଟି ଗ୍ରାମ। ଏହି ଗ୍ରାମପଞ୍ଚାୟତର ୧୮ ଜଣ ସରପଞ୍ଚ ରହିଛନ୍ତି। କର୍ଣ୍ଣାଟକର ପଞ୍ଚାୟତିରାଜ ବିଭାଗ ଅଧୀନରେ ଆସୁଥିବା ଏହି ପଞ୍ଚାୟତର ବିକାଶ ପାଇଁ ପାଣ୍ଠି ବିନିଯୋଗ ସମ୍ପର୍କିତ ସମସ୍ତ ନିଷ୍ପତ୍ତି ଏବେ ସ୍ବାତୀ ନେବେ। ତାଙ୍କ ପରିବାର ଲୋକ ଓ ବୟସ୍କଙ୍କ ପ୍ରେରଣାରେ ସେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ସେ ନିର୍ବାଚନ ଜିତିବା ପରେ ସେ ତାଙ୍କ ପାରିବାରିକ ସମ୍ପତ୍ତିର ଏକ ସ୍ଥାନକୁ ଗ୍ରାମବାସୀ ଓ ଅଧିକାରୀଙ୍କ କାର୍ଯ୍ୟାଳୟରେ ପରିବର୍ତ୍ତିତ କରିଛନ୍ତି। ସ୍ବାତୀଙ୍କ କହିବା ଅନୁଯାୟୀ, ପାନୀୟ ଜଳ, ପରିମଳ ବ୍ୟବସ୍ଥା, ଗମନାଗମନ ସୁବିଧା ଏବଂ ସର୍ବଶିକ୍ଷା ଅଭିଯାନ ପ୍ରତି ବିଶେଷ ଧ୍ୟାନ ଦେବେ। ଏବେ ଅଧିକାଂଶ ଗ୍ରାମବାସୀଙ୍କ ପାଇଁ ଶିକ୍ଷା ଅପହଞ୍ଚ ହୋଇଥିବା ବେଳେ ଏହି ବ୍ୟବସ୍ଥାକୁ ସେ ବଦଳାଇବା ପାଇଁ ବଦ୍ଧପରିକର। କିଭଳି ପ୍ରତ୍ୟେକ ଗ୍ରାମବାସୀଙ୍କ ନିକଟରେ ମୌଳିକ ସୁବିଧା, ସୁଯୋଗ ପହଞ୍ଚିପାରିବ ସେଥିପ୍ରତି ସେ ଯଥାମତେ ଉଦ୍ୟମ କରିବେ ବୋଲି କହିଛନ୍ତି। ଏହାଛଡ଼ା ଗ୍ରାମବାସୀଙ୍କୁ ପାଠାଗାର ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସହ ପରିଚିତ କରାଇବା ତାଙ୍କର ଅନ୍ୟତମ ଲକ୍ଷ୍ୟଭାବେ ସେ ଗ୍ରହଣ କରିଛନ୍ତି।

ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିଶ୍ଚିତରୂପେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଉଚ୍ଚଶିକ୍ଷା ଲାଭ କରିବା ପରେ ଜଣେ ରାଜନୀତିର ଉଚ୍ଚ ପଦପଦବୀ ପ୍ରତି ଲାଳସା ନ ରଖି ତୃଣମୂଳ ସ୍ତରରୁ କାର୍ଯ୍ୟାରମ୍ଭ କରିବା ପାଇଁ ଆଗଭର ହେବା ଏକ ସକାରାତ୍ମକ ଚିନ୍ତାଧାରା। ଏହାଦ୍ବାରା ଜନସାଧାରଣ ଉପକୃତ ହେବା ଥୟ। ସ୍ବାତୀ ଯୁବପିଢ଼ିର ରାଜନେତା ଓ ଅନେକଙ୍କ ପାଇଁ ଯେ ପ୍ରେରଣାର ଉତ୍ସ ପାଲଟିଛନ୍ତି, ଏହା ନିଃସନ୍ଦେହରେ କୁହାଯାଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ