ରାହୁଲ୍ ବୈଦ୍ୟଙ୍କୁ ପଛରେ ପକାଇ ରୁବିନା ଦିଲେକ୍ ବିଗ୍ ବସ୍-୧୪ ବିଜେତା


ବିଗ୍ ବସ୍ ଟ୍ରଫି ସହ ରୁବିନା
ମୁମ୍ବାଇ: କଲର୍ସ ଚ୍ୟାନେଲରେ ପ୍ରସାରିତ ହୋଇଆସୁଥିବା ରିଆଲିଟି ଶୋ’ ବିଗ୍ ବସ୍-୧୪ର ବିଜେତା ହୋଇଛନ୍ତି ଟେଲିଭିଜନ୍ ସିରିଏଲ୍ ଅଭିନେତ୍ରୀ ରୁବିନା ଦିଲେକ୍। ପୂର୍ବରୁ ବିଗ୍ ବସର ଏକାଧିକ ସଂସ୍କରଣରେ ଅତିଥି ଭାବେ ଯୋଗ ଦେଇଥିବା ରୁବିନା ସଦ୍ୟ ସଂସ୍କରଣରେ ସ୍ବାମୀ ଅଭିନବ ଶୁକ୍ଳାଙ୍କ ସହ ଯୋଗ ଦେଇଥିଲେ। ଫାଇନାଲରେ ସେ କଣ୍ଠଶିଳ୍ପୀ ରାହୁଲ୍ ବୈଦ୍ୟଙ୍କୁ ପଛରେ ପକାଇ ବିଗ୍ ବସ୍‌ର ଚତୁର୍ଦ୍ଦଶ ସଂସ୍କରଣର ବିଜେତା ହୋଇପାରିଛନ୍ତି। ତାଙ୍କୁ ଶୋ’ର ପରିଚାଳକ ତଥା ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍ ବିଜେତା ଘୋଷଣା କରିବା ସହ ଟ୍ରଫି ପ୍ରଦାନ କରିଥିଲେ। ରବିବାର ଅନୁଷ୍ଠିତ ଫାଇନାଲରେ ବିଜେତା ହେବା ପରେ ରୁବିନାଙ୍କୁ ୩୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ବାବଦରେ ଏକ ଚେକ୍ ପ୍ରଦାନ କରାଯାଇଥିଲା। ରୁବିନା ଓ ରାହୁଲଙ୍କ ବ୍ୟତୀତ ଫାଇନାଲ୍ ପର୍ଯ୍ୟାୟରେ ଅଲି ଗୋନି, ରାକ୍ଷୀ ସାୱନ୍ତ ଓ ନିକ୍କି ତାମ୍ବୋଲି ମଧ୍ୟ ରହିଥିଲେ। ବିଗ୍ ବସ୍ ହାଉସରେ ଅବସ୍ଥାନ ଅବସରରେ ରୁବିନାଙ୍କୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିଲେ। ନିଜର ଦ୍‌ଢ଼ ମତ ଓ ସାହସିକ ପଦକ୍ଷେପ ପାଇଁ ରୁବିନା ପ୍ରଶଂସିତ ହେବା ସହ ଅନ୍ୟାନ୍ୟ ପ୍ରତିଯୋଗୀ ଓ ପରିଚାଳକ ସଲମାନଙ୍କ ଦ୍ବାରା ମଧ୍ୟ ସେ ଏକାଧିକ ବାର ସମାଲୋଚିତ ହୋଇଥିଲେ। କିନ୍ତୁ ଶେଷରେ ରୁବିନା ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ସଲମାନଙ୍କଠାରୁ ଟ୍ରଫି ଗ୍ରହଣ କରିଥିଲେ।

ଏଥିସହ ରୁବିନା ଷଷ୍ଠ ମହିଳା ପ୍ରତିଯୋଗୀ ଭାବେ ବିଗ୍ ବସ୍‌ ବିଜେତା ହୋଇପାରିଛନ୍ତି। ଏହାଛଡ଼ା ସେ ପଞ୍ଚମ ଟିଭି ଅଭିନେତ୍ରୀ ଭାବେ ଏହି ସ୍ଥାନରେ ପହଞ୍ଚିଛନ୍ତି। ପୂର୍ବରୁ ଶ୍ବେତା ତିୱାରୀ, ଉର୍ବଶୀ ଢୋଲକିଆ, ଜୁହି ପରମାର୍, ଗୌହର୍ ଖାନ୍, ଶିଳ୍ପା ଶିନ୍ଦେ ଓ ଦୀପିକା କକ୍କଡ ଭିନ୍ନ ଭିନ୍ନ ସିଜନରେ ବିଗ୍ ବସ୍ ବିଜେତା ହୋଇପାରିଛନ୍ତି। ଏହି ସଂସ୍କରଣରେ ରୁବିନାଙ୍କ ସହ ପତି ଅଭିନବ ମଧ୍ୟ ଯୋଗ ଦେଇଥିଲେ ହେଁ ସେ ଫାଇନାଲ୍‌ର ଦୁଇ ସପ୍ତାହ ପୂର୍ବରୁ ଗୃହରୁ ବିଦାୟ ନେଇଥିଲେ। ଏହି ଶୋ’ରେ ଉଭୟ ସ୍ବାମୀ ସ୍ତ୍ରୀ ଅଧିକାଂଶ ସମୟରେ ପରସ୍ପର ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲେ ହେଁ ସେମାନଙ୍କ ସମ୍ପର୍କକୁ ଏହା ଦୃଢ଼ କରିପାରିଛି ବୋଲି ବିଜେତା ହେବା ପରେ ରୁବିନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ବିଜେତା ହେବା ପରେ ରୁବିନା ଇନଷ୍ଟାଗ୍ରାମ୍ ମାଧ୍ୟମରେ ତାଙ୍କର ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେବା ସହ ଖୁବଶୀଘ୍ର ସେମାନଙ୍କ ସହ ଇନଷ୍ଟାଗ୍ରାମରେ ଲାଇଭ୍ ଆସିବେ ବୋଲି ମଧ୍ୟ କହିଛନ୍ତି। ଏଥିସହ ତାଙ୍କର ପ୍ରଶଂସକମାନେ ତାଙ୍କ ସ୍ବପ୍ନକୁ ସାକାର କରିବାରେ ସହାୟକ ହୋଇଥିବାରୁ ସେ ସେମାନଙ୍କ ପ୍ରଶଂସକ ହୋଇଥିବା ରୁବିନା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ