ବ୍ରାଡିଙ୍କୁ ହରାଇ ଦ୍ବିତୀୟ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ଜିତିଲେ ଓସାକା


ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ସହ ଓସାକା
ମେଲବର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍ସ ବିଭାଗରେ ଚାମ୍ପିଅନ୍ ହୋଇଛନ୍ତି ଜାପାନର ନାଓମି ଓସାକା। ଏହି ୩ୟ ସିଡ୍ ଖେଳାଳି ଜଣକ ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ଆମେରିକାର ୨୨ତମ ସିଡେଡ୍ ଖେଳାଳି ଜେନିଫର୍ ବ୍ରାଡିଙ୍କୁ ଭେଟିଥିବା ବେଳେ ଏଥିରେ ସିଧାସଳଖ ସେଟ୍ ୬-୪, ୬-୩ରେ ବିଜୟୀ ହୋଇଛନ୍ତି। ଏଥିସହ ସେ ଦ୍ବିତୀୟ ଥର ପାଇଁ ଏହି ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇପାରିଛନ୍ତି। ଆହୁରି ଏହା ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୪ର୍ଥ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍। ଫାଇନାଲ୍ ମ୍ୟାଚଟିକୁ ଜିତିବା ସକାଶେ ଓସାକାଙ୍କୁ ମାତ୍ର ୭୭ ମିନିଟ୍ ସମୟ ଲାଗିଥିଲା। ଏଥିରୁ ପ୍ରଥମ ସେଟ ପାଇଁ ସେ ମାତ୍ର ୪୧ ମିନିଟ୍ ସମୟ ନେଇଥିଲେ। ଏହି ମ୍ୟାଚରେ ଓସାକାଙ୍କ ଶଟର କୌଣସି ଜବାବ ବ୍ରାଡିଙ୍କ ନିକଟରେ ନ ଥିଲା। ଏହି କାରଣରୁ ଫାଇନାଲ୍ ମୁକାବିଲାଟି ସମ୍ପୂର୍ଣ୍ଣ ଭାବେ ଏକତରଫା ରହିଥିଲା। ଏଥିସହ ଗ୍ରାଣ୍ଡସ୍ଲାମ୍ ଫାଇନାଲରେ ଓସାକା ତାଙ୍କର ବିଜୟ ଧାରାକୁ ମଧ୍ୟ ଅତୁଟ ରଖିପାରିଛନ୍ତି। ଗତ ୨୦୧୮ ଓ ୨୦୨୦ରେ ଓସାକା ୟୁଏସ୍ ଓପନରେ ଚାମ୍ପିଅନ୍ ହେବା ସହ ଏଠାରେ ଗତ ୨୦୧୯ରେ ଟାଇଟଲ୍ ହାସଲ କରିଥିଲେ। ଆହୁରି ମଧ୍ୟ ୨୩ ବର୍ଷୀୟା ଓସାକା ମୋନିକା ସେଲିସଙ୍କ ପରେ ପ୍ରଥମ ମହିଳା ଭାବେ ୪ଟି ଗ୍ରାଣ୍ଡସ୍ଲାମ୍ ଫାଇନାଲରେ ଅପରାଜେୟ ରହିଛନ୍ତି। ଶନିବାରର ବିଜୟ ପରେ ଓସାକା ଡବ୍ଲ୍ୟୁଟିଏ ରାଙ୍କିଙ୍ଗ୍‌ରେ ଦ୍ବିତୀୟ ସ୍ଥାନରେ ପହଞ୍ଚିବେ।

ଗତବର୍ଷ ୟୁଏସ୍ ଓପନ୍ ସେମିଫାଇନାଲରେ ବ୍ରାଡିଙ୍କ ସହ ଓସାକାଙ୍କର ମୁକାବିଲା ହୋଇଥିବା ବେଳେ ତାହା ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଏଠାରେ ବି ଫାଇନାଲରେ ସମାନ ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଦର୍ଶକମାନେ ଆଶା ରଖିଥିଲେ। କିନ୍ତୁ ଓସାକାଙ୍କ କେତେକ ଜବରଦସ୍ତ ଶଟ୍ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ସମକକ୍ଷ ଥିବାରୁ ଏହାର କୌଣସି ଜବାବ ବ୍ରାଡିଙ୍କ ନିକଟରେ ନ ଥିଲା। ଫଳସ୍ବରୂପ ପ୍ରଥମ ସେଟରେ କ୍ରମାଗତ ୬ଟି ଗେମ୍ ଜିତିବା ସହ ଓସାକା ଦ୍ବିତୀୟ ସେଟରେ ବି ପ୍ରଥମ ୪ଟି ଗେମରେ ବିଜୟୀ ହୋଇଥିଲେ। ଏଥିସହ ଓସାକା ଜାପାନ ପକ୍ଷରୁ ପ୍ରଥମ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିପାରିଥିବା ଓସାକା ତାଙ୍କର ବିଜୟ ଧାରାକୁ ୨୧ରେ ପହଞ୍ଚାଇଛନ୍ତି। ପୂର୍ବରୁ ସେମିଫାଇନାଲ୍‌ରେ ଓସାକା ଆମେରିକାର ପୂର୍ବତନ ଏକ ନମ୍ବର ଖେଳାଳି ତଥା ୨୩ତମ ଥର ପାଇଁ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଆଶାୟୀ ସେରେନା ୱିଲିୟମ୍ସଙ୍କୁ ୬-୩, ୬-୪ ସିଧାସଳଖ ସେଟରେ ହରାଇ ଫାଇନାଲରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ବ୍ରାଡି ତାଙ୍କ ପ୍ରତିଦ୍ବନ୍ଦ୍ବୀ ଚେକ୍ ଗଣରାଜ୍ୟର କ୍ୟାରୋଲିନା ମୁଚୋଭାଙ୍କୁ ୬-୪,୩-୬,୬-୩ରେ ହରାଇ ଫାଇନାଲ୍ ପର୍ଯ୍ୟନ୍ତ ଆସିଥିଲେ। ଅନ୍ୟପକ୍ଷରେ ରବିବାର ପ୍ରତିଯୋଗିତାର ଉଦଯାପନୀ ଦିବସରେ ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ରୁଷିଆର ଚତୁର୍ଥ ସିଡ୍ ଡାନିଲ୍ ମେଡଭେଡେଭ ଓ ସର୍ବିୟାର ଏକ ନମ୍ବର ଖେଳାଳି ନୋଭାକ୍ ଜୋକାଭିଚଙ୍କ ମଧ୍ୟରେ ଖେଳାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ