ସ୍ବତନ୍ତ୍ର ପ୍ରସଙ୍ଗ
ଡ୍ୟାନ୍ସିଂ ଦାଦୀଙ୍କ ଧମାଲ: କିଲର ଡ୍ୟାନ୍ସ ମୁଭରେ ସେଲିବ୍ରିଟି ଫିଦା

ଦେବଦାସ ଫିଲ୍ମର ‘ଡୋଲାରେ ଡୋଲା’ ଗୀତରେ ଡ୍ୟାନ୍ସିଂ ଦାଦୀ ରବିବାଲା ଶର୍ମାଙ୍କ ଚମତ୍କାର ଡ୍ୟାନ୍ସ
ବୟସ ଏକ ସଂଖ୍ୟା ମାତ୍ର। ଇଚ୍ଛାଶକ୍ତି ଆଗରେ ଏହା ତୁଚ୍ଛ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ରବିବାଲା ଶର୍ମା। ପରିଣତ ବୟସରେ ବି ତାଙ୍କ କିଲର ଡ୍ୟାନ୍ସ ମୁଭର ଭୁରି ଭୁରି ଚର୍ଚ୍ଚା। ସୋସାଲ ମିଡିଆରେ ଡ୍ୟାନ୍ସିଂ ଦାଦୀ ଭାବେ ଜଣାଶୁଣା ରବିବାଲାଙ୍କର ଢେର ପ୍ରଶଂସକ ଅଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କ ଭିଡିଓର ଲକ୍ଷାଧିକ ଫଲୋଅର୍ସ ଏହାର ସତ୍ୟତା ବୟାନ କରୁଛି। ଏପରିକି ପଞ୍ଜାବୀ ଓ ବଲିଉଡ କଣ୍ଠଶିଳ୍ପୀ ଦିଲଜିତ ଦୋସାଞ୍ଝ, ବଲିଉଡ ନିର୍ଦେଶକ ଇମିତିଆଜ ଅଲୀ, ଜଣାଶୁଣା ନ୍ତ୍ୟ ନିର୍ଦେଶକ ଟେରେନ୍ସ ଲିୱିସ ମଧ୍ୟ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ସାମିଲ।
ପିଲାଟି ଦିନରୁ ନୃତ୍ୟ ପ୍ରତି ଆକର୍ଷିତ ହୋଇଥିବା ରବିବାଲା ଟିକେ ସୁଯୋଗ ପାଇବାମାତ୍ରେ କୋଠରି ବନ୍ଦ କରି ନୃତ୍ୟାଭ୍ୟାସ କରିବାରେ ଲାଗିଯାଆନ୍ତି ବୋଲି ସେ କହିଛନ୍ତି। କିନ୍ତୁ ବାହାଘର ପରେ ଘରର ଅନ୍ୟାନ୍ୟ ଦାୟିତ୍ବ ତାଙ୍କୁ ନୃତ୍ୟରୁ ବଞ୍ଚିତ କରିଥିଲା। ସେ କହନ୍ତି, କଲେଜ ପରେ ତାଙ୍କର ବାହାଘର ହୋଇଥିଲା ଏବଂ ଘରର ଦାୟିତ୍ବ ମୁଣ୍ଡ ଉପରେ ପଡ଼ିବାରୁ ନୃତ୍ୟ ବନ୍ଦ ହୋଇଗଲା। କିନ୍ତୁ ବିବାହର ୨୭ ବର୍ଷ ପରେ ଯେତେବେଳେ ତାଙ୍କ ପତିଙ୍କ ଦେହାନ୍ତ ହେଲା, ଏହା ତାଙ୍କ ପାଇଁ ଅସହ୍ୟ ହୋଇପଡ଼ିଲା। ଫଳରେ ସେ ଅବସାଦଗ୍ରସ୍ତ ହୋଇଥିଲେ। ଏଥିରୁ ତାଙ୍କୁ ମୁକୁଳାଇବାକୁ ପରିବାର ଲୋକେ ତାଙ୍କୁ ପୁଣି ନୃତ୍ୟକୁ ଆପଣାଇବା ପାଇଁ ପ୍ରୋତ୍ସାହିତ କରିଥିଲେ। ରବିବାଲାଙ୍କୁ ନୃତ୍ୟ କରୁଥିବାର ଦେଖିବାକୁ ତାଙ୍କ ପତି ଚାହୁଁଥିଲେ ବୋଲି ପରିବାର ଲୋକ ତାଙ୍କୁ ସ୍ମରଣ କରାଇଦେଲେ।
ରବିବାଲାଙ୍କ ଭଉଣୀ ତାଙ୍କୁ ଏକ ଡ୍ୟାନ୍ସ ପ୍ରତିଯୋଗିତାର ପରିସରକୁ ନେଇଯାଇଥିଲେ। ପରବର୍ତ୍ତୀ ସମୟରେ ସେ ଏହି ଅଡିସନର ଭିଡିଓ ସୋସାଲ ମିଡିଆରେ ପୋଷ୍ଟ କରିଥିଲେ। ଏହାକୁ ଢେର ପ୍ରଶଂସା ଓ ଅପାର ସ୍ନେହ ମିଳିବାରେ ଲାଗିଲା। ସେ ଅଡିସନରେ ୱାହୀଦା ରହମନଙ୍କ ଅଭିନୀତ ଏକ ଫିଲ୍ମର ଗୀତରେ ଡ୍ୟାନ୍ସ କରିଥିବା ବେଳେ ଏହାର ଭିଡିଓ ସୋସାଲ ମିଡିଆରେ ଉତ୍ସାହଜନକ ପ୍ରତିକ୍ରିୟା ମିଳିଥିବା ସେ କହିଛନ୍ତି। ଏଣୁ ଏହାପରେ ସେ ତାଙ୍କ ଡ୍ୟାନ୍ସ ଭିଡିଓ ସୋସାଲ ମିଡିଆରେ ପୋଷ୍ଟ ନ କରି ରହିପାରିଲେ ନାହିଁ। ଧୀରେ ଧୀରେ ତାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଲା। ଦିଲଜିତ, ଇମତିଆଜ ଓ ଟେରେନ୍ସଙ୍କ ଭଳି ନାଁ କରା ତାରକା ତାଙ୍କ ଭିଡିଓକୁ ଶେୟାର ଓ ଲାଇକ କରିବାରେ ଲାଗିଲେ। ଏପରିକି ତାଙ୍କର ଏଭ ଭିଡିଓକୁ ଦିଲଜିତ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିବା ପରେ ଏହାକୁ ୬ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଦେଖିଛନ୍ତି। ଏହା ଇଣ୍ଟରନେଟରେ ଭାଇରାଲ ହୋଇଥିଲା।
ଏ ସମ୍ପର୍କରେ ରବିବାଲା କହିଛନ୍ତି, ତାଙ୍କ ଜୀବନରେ ଏମିତି କେବେ ଘଟିବ ବୋଲି ସେ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲେ। ଏପରି ଭାବେ ତାଙ୍କ ପିଲାଦିନର ସ୍ବପ୍ନ ଦିନେ ପୂରଣ ହେବ, ଏହା ଜାଣି ସେ ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ। ତାଙ୍କ ଭିଡିଓକୁ ସୋସାଲ ମିଡିଆରେ ପୋଷ୍ଟ କରିବା ଅବସରରେ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇ ଦେଉ ବୋଲି ସେ ଆଶା କରିଥିଲେ। ଏହା ସତ ହେଲା। ଏଣୁ ଇଚ୍ଛାଶକ୍ତି ଆଗରେ ଯେ ବୟସ ବାଧକ ନୁହେଁ, ଏହାର ଜ୍ବଳନ୍ତ ଉଦାହରଣ ହେଉଛନ୍ତି ରବିବାଲା। ତାଙ୍କ ଭଳି ସମସ୍ତେ ଏଭଳି କିଛି ନା କିଛି ଅଭିନବ କାର୍ଯ୍ୟକଳାପ କରିପାରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ