୫୦ ହଜାର ଟପିଲା ସେନ୍ସେକ୍ସ, ସାଢ଼େ ୧୪ ହଜାର ଉପରେ ନିଫ୍ଟି

୨୦୨୧-୨୨ ବଜେଟର ପ୍ରଭାବ, ଦଲାଲ୍ ଷ୍ଟ୍ରୀଟ୍‌ରେ ପଇସା ଛାଣୁଛନ୍ତି ନିବେଶକ

ପ୍ରତୀକାତ୍ମକ ଫଟୋ
ଗତ ସପ୍ତାହରେ ଷ୍ଟକ୍ ମାର୍କେଟରେ ପ୍ରଥମ ଥର ପାଇଁ ସେନ୍ସେକ୍ସ ୫୦ ହଜାର ପଏଣ୍ଟ୍ ଅତିକ୍ରମ କରି ରେକର୍ଡ ଉଚ୍ଚତାରେ ପହଞ୍ଚିଥିଲା। କିନ୍ତୁ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ଖବର ପ୍ରଚାରିତ ହେବା ପରେ ନିବେଶକଙ୍କ ମଧ୍ୟରେ ପୁଞ୍ଜି ଲଗାଣକୁ ନେଇ ଭୟଭାବ ଜାତ ହୋଇଥିଲା। ତେଣୁ ବ୍ୟାପକ ମାତ୍ରାରେ କିଣାବିକା ହେବା ପରିବର୍ତ୍ତେ ନିବେଶକମାନେ କେବଳ ବିକ୍ରି ଉପରେ ଗୁରୁତ୍ବ ଦେଇଥିଲେ। ତେଣୁ ବିଏସ୍ଇ ସେନ୍ସେକ୍ସ ପାଖାପାଖି ୪୬ ହଜାର ପଏଣ୍ଟକୁ ଖସିଆସିଥିଲା। କିନ୍ତୁ ଗତ ସୋମବାର ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ହେବା ପରେ ପରେ ଦଲାଲ୍ ଷ୍ଟ୍ରୀଟ୍‌ରେ ନିବେଶକଙ୍କ ପାଇଁ ଅର୍ଥ ରୋଜଗାର କରିବା ସକାଶେ ଏକ ପ୍ରକୃଷ୍ଟ ପରିବେଶ ସ୍‌ଷ୍ଟି ହୋଇଥିଲା। ସୋମବାର ବିଏସଇ ସେନ୍ସେକ୍ସରେ ୨୩ ଶହ ଉପରେ ପଏଣ୍ଟ୍ ବଢ଼ିବା ଫଳରେ ଅପରାହ୍ନ ସାଢ଼େ ୩ଟା ବେଳେ ବଜାର ବନ୍ଦ ହେବା ବେଳକୁ ଏହା ୪୮ ହଜାର ୬୦୦.୬୧ରେ ପହଞ୍ଚିଯାଇଥିଲା। ମଙ୍ଗଳବାର ଏହି ଧାରା ଜାରି ରହିବା ସହ ପାଖାପାଖି ଅଢ଼େଇ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି। ତେଣୁ ସପ୍ତାହେ ନ ପୂରୁଣୁ ପୁଣିଥରେ ସେନ୍ସେକ୍ସ ୫୦ ହଜାର ପଏଣ୍ଟ୍ ଅତିକ୍ରମ କରିଛି। ସେହିପରି ଏନଏସଇ ନିଫ୍ଟି ମଧ୍ୟ ସାଢ଼େ ୧୪ ହଜାର ପଏଣ୍ଟ୍ ସୀମାକୁ ଅତିକ୍ରମ କରିଛି।

ମଙ୍ଗଳବାର ବଜାରରେ ଷ୍ଟକ୍ କିଣାବିକା ପ୍ରକ୍ରିୟା ଆରମ୍ଭ ହେବା ପରେ ପୂର୍ବାହ୍ନ ୧୧ଟା ୪୦ ମିନିଟରେ ୨୬୨.୫୦ ପଏଣ୍ଟ୍ ବୃଦ୍ଧି ପାଇ ନିଫ୍ଟି ୧୪ ହଜାର ୫୪୩.୭୦ରେ ପହଞ୍ଚିଯାଇଛି। ସେହିପରି ବିଏସଇ ସେନ୍ସେକ୍ସ ମଙ୍ଗଳବାର ପାଖାପାଖି ୧୪ ଶହ ପଏଣ୍ଟ୍ ବଢ଼ିବା ଫଳରେ ଏହା ୫୦ ହଜାର ପଏଣ୍ଟକୁ ଟପିଯାଇଥିଲା। ପ୍ରାତଃ ୯ଟା ୩୫ ମିନିଟ୍ ବେଳକୁ ସେନ୍ସେକ୍ସରେ ୧ ହଜାର ୪୦୩.୪୫ ପଏଣ୍ଟ୍ ଅର୍ଥାତ୍ ୨.୮୯ ପ୍ରତିଶତ ବୃଦ୍ଧି ପାଇବା ଫଳରେ ଏହା ୫୦ ହଜାର ୪.୦୬ରେ ପହଞ୍ଚିଯାଇଥିଲା। ତେଣୁ ନିଫ୍ଟି ଓ ସେନ୍ସେକ୍ସରେ କ୍ରମାଗତ ଲମ୍ବା ଲମ୍ଫ ପ୍ରଦାନ ଅଭିଯାନ ଜାରି ରହିଥିବାରୁ ଇକ୍ବିଟି ବଜାରରେ ସକ୍ରିୟ ଥିବା ନିବେଶକମାନେ ବେଶ୍ ଅର୍ଥ ରୋଜଗାର କରିଛନ୍ତି। ଅର୍ଥାତ୍ ଷ୍ଟକ୍ ମାର୍କେଟରେ ନିଜର ଭାଗ୍ୟ ପରୀକ୍ଷା କରୁଥିବା ନିବେଶକମାନେ ସୋମବାର ଓ ମଙ୍ଗଳବାର କ୍ରମାଗତ ଦୁଇ ଦିନ ଧରି ଏକରକମ ପଇସା ଛାଣୁଛନ୍ତି ବୋଲ ବିଶେଷଜ୍ଞମାନେ ମତ ଦେଇଛନ୍ତି। ସୋମବାର ଓ ମଙ୍ଗଳବାର ଦୁଇ ଦିନରେ ବ୍ୟାଙ୍କ୍ ଓ ଫାଇନାନ୍ସ ସହ ଜଡ଼ିତ ଷ୍ଟକଗୁଡ଼ିକ ଉପରେ ନିବେଶକମାନଙ୍କର ଅଧିକ ଫୋକସ୍ ରହିଛି। ଏହି କାରଣରୁ ସୋମବାର ବଜାର ବନ୍ଦ ହେବା ବେଳକୁ ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ୍, ଆଇସିସିଆଇ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଆଦିର ଷ୍ଟକ୍ ଦାମରେ ବ୍ୟାପକ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ସେହିପରି ମଙ୍ଗଳବାର ଟାଟା ମୋଟର୍ସ, ଶ୍ରୀସିମେଣ୍ଟ୍ସ, ହାଭେଲ୍ସ ଇଣ୍ଡିଆ ଓ ଅଲଟ୍ରାଟେକ୍ ସିମେଣ୍ଟ୍ ଆଦି ସବୁଠାରୁ ଅଧିକ ଲାଭ କରିଥିବା ବେଳେ ଏଚଡିଏଫସି ଲାଇଫ, ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍, ବଜାଜ୍ ଫିନସର୍ଭ ଓ ଟାଟା କନଞ୍ଜୁମର୍ ପ୍ରଡକ୍ଟ ସବୁଠାରୁ ଅଧିକ କ୍ଷତି ସହିଥିବା କମ୍ପାନୀ ମଧ୍ୟରେ ଆଗରେ ରହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ