ନାଲ୍‌କୋ ପ୍ଲାଣ୍ଟ୍‌ର ସମ୍ପ୍ରସାରଣ ପାଇଁ ପୁଞ୍ଜିନିବେଶର ଦ୍ବାର ଫିଟିଲା: ଧର୍ମେନ୍ଦ୍ର


ଧର୍ମେନ୍ଦ୍ର ପ୍ରଧାନ (ଫାଇଲ୍‌ ଫଟୋ)
ଅନୁଗୁଳ ଜିଲ୍ଲାରେ ଥିବା ନ୍ୟାସନାଲ୍‌ ଆଲୁମିନିୟମ କମ୍ପାନୀ (ନାଲ୍‌କୋ) ଆଲୁମିନିୟମ ପ୍ଲାଣ୍ଟ୍‌ ସମ୍ପ୍ରସାରଣର ପ୍ରକଳ୍ପ ଗୁଡ଼ିକ ପାଇଁ ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରାଳୟ ପକ୍ଷରୁ ସବୁ ପଦକ୍ଷେପ ନିଆଯାଉଛି। ଗତ ଜାନୁଆରୀ ୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ବନ୍ଧରେ ଲେଖିଥିବା ପତ୍ରର ଉିତ୍ତରରେ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଏହାଦ୍ୱାରା ଅନୁଗୁଳ ନାଲ୍‌କୋ ପ୍ଲାଣ୍ଟ୍‌ର ସମ୍ପ୍ରସାରଣ ପାଇଁ ପୁଞ୍ଜିନିବେଶର ଦ୍ୱାର ଫିଟିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୪ ତାରିଖରେ ଅନୁଗୁଳ ନାଲ୍‌କୋ ଆଲୁମିନିୟମ ପ୍ଲାଣ୍ଟ୍‌ର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ୍‌ ଟନ୍‌ରୁ ବାର୍ଷିକ କ୍ଷମତା ୧ ମିଲିୟନ ଟନ୍ ବୃଦ୍ଧି କରିବା ପାଇଁ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର। ଏହାର ପ୍ରତି ଉତ୍ତରରେ ଯୋଶୀ ପତ୍ର ଲେଖି ନାଲ୍‌କୋର ଏହି ପ୍ରକଳ୍ପ ଭାରତ ସରକାରଙ୍କ ପ୍ରାଥମିକତାରେ ରହିଛି ଏବଂ ଏହି ପ୍ରକଳ୍ପ କମ୍ପାନୀର କ୍ଷମତା ସମ୍ପ୍ରସାରଣ ପ୍ରକଳ୍ପରେ ପରିସରଭୃକ୍ତ ରହିଛି ବୋଲି କହିଛନ୍ତି। ସେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ପ୍ରକଳ୍ପର ଡିଟେଲ୍ସ ପ୍ରଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ଆତ୍ମନିର୍ଭର ଭାରତକୁ ସାକାର କରିବା ପାଇଁ ଏହି ସବୁ ପ୍ରକଳ୍ପକୁ କାର୍ଯ୍ୟ କରିବା ଦିଗରେ ଖଣି ଓ କୋଇଲା ମନ୍ତ୍ରାଳୟ ସବୁ ପଦକ୍ଷେପ ନେଉଛି। ଏହି ସଂପ୍ରସାରଣ ପ୍ରକଳ୍ପ ଦେଶ ଏବଂ ରାଜ୍ୟର ବିକାଶରେ ସହାୟକ ହେବ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଜାନୁଆରୀ ୪ ତାରିଖରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଏକ ପତ୍ର ଲେଖି ଉଲ୍ଲେଖ କରିଥିଲେ, ନାଲ୍‌କୋ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନ୍‌ରୁ ୧ ମିଲିୟନ ଟନ୍ ବୃଦ୍ଧି କରିବା ପାଇଁ ଅନୁଗୁଳ ଜିଲ୍ଲାରେ ସେମାନଙ୍କ ଆଲୁମିନିୟମ ସ୍ମେଲଟର୍‌ ପ୍ଲାଣ୍ଟ୍‌ ପାଇଁ ଏକ ବ୍ରାଉନ୍‌ଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ଆରମ୍ଭ କରୁଛି। ଏହି ପ୍ରକଳ୍ପରେ ୧୪୦୦ ମେଗାୱାଟ୍‌ ଫିଡର୍‌ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ୍‌ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି। ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୨୨ ହଜାର କୋଟି ଥିବା ବେଳେ ଏହା ବର୍ତ୍ତମାନ ଜମି ଅଧିଗ୍ରହଣ ପର୍ଯ୍ୟାୟରେ ରହିଛି। ପଟାଙ୍ଗୀ ଖଣି କାର୍ଯ୍ୟକ୍ଷମ ହେବା ପରେ ନାଲ୍‌କୋର ବକ୍ସାଇଟ୍‌ ଉତ୍ପାଦନ କ୍ଷମତା ବାର୍ଷିକ ୭.୩ ମିଲିୟନ୍‌ ଟନ୍‌ରୁ ବାର୍ଷିକ କ୍ଷମତା ୧୦.୫ ମିଲିୟନ୍‌ ଟନ୍‌କୁ ବୃଦ୍ଧି ପାଇବ। ଏହା ମଧ୍ୟରୁ ଆଲୁମିନାରୁ ବାର୍ଷିକ କ୍ଷମତା ୩.୧ ମିଲିୟନ୍‌ ଟନ୍‌ ଧାରଣ କରିଥିବା ବେଳେ ଏହି ଆଲୁମିନାରୁ ବାର୍ଷିକ ୧.୫ ମିଲିୟନ୍‌ ଟନ୍‌ ଆଲୁମିନିୟରମ୍‌ ଉତ୍ପାଦନ ହେବାର ସମ୍ଭାବନା ରହଛି।

ଅନୁଗୁଳରେ ଆଲୁମିନାର ପ୍ରଚୁର ଉପଲବ୍ଧିକୁ ଦୃଷ୍ଟିରେ ରଖି ନାଲ୍‌କୋର ଆଲୁମିନିୟମ୍ ସ୍ମେଲଟର ପ୍ଲାଣ୍ଟ୍‌ର ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନ୍‌ରୁ ବାର୍ଷିକ ଉତ୍ପାଦନ କ୍ଷମତା ୧ ମିଲିୟନ ଟନ୍ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଯୋଶୀଙ୍କୁ ପ୍ରସ୍ତାବ ଦେଇଥିଲେ। ସେହିପରି ଅନୁଗୁଳ ଜିଲ୍ଲାର ବ୍ରାଉନ୍‌ଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଫିଡର୍‌ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ୍‌ ଆରମ୍ଭ କରିବାକୁ ପତ୍ରରେ ସେ ପ୍ରସ୍ତାବ ଦେଇଥିଲେ। ଏହାଦ୍ୱାରା ସ୍ମେଲଟର ୟୁନିଟ୍ ଏବଂ କୋଇଲା ବ୍ଲକ୍‌ ଲଜିଷ୍ଟିକ୍ ଦକ୍ଷତା ଦ୍ୱାରା ଉପକୃତ ହେବ ବୋଲି ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ