ମୋଦିଙ୍କୁ ଜି-୭ ସମ୍ମିଳନୀକୁ ଜନସନଙ୍କ ଆମନ୍ତ୍ରଣ, କୋଭିଡ୍ ଟିକା ପାଇଁ ପ୍ରଶଂସା


ଜନସନ୍ ଓ ମୋଦି (ଫାଇଲ୍ ଫଟୋ)
ଆସନ୍ତା ଜୁନ୍‌ରେ କର୍ଣ୍ଣୱାଲଠାରେ ଜି-୭ ସମ୍ମିଳନୀ ଆୟୋଜିତ ହେବ। ଏହି ସମ୍ମିଳନୀର ଆୟୋଜକ ଭାବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତିଥି ଭାବେ ଯୋଗଦେବା ସକାଶେ ଆମନ୍ତ୍ରଣ କରିଛନ୍ତି। ଏଥିସହ ଏହି ସମ୍ମିଳନୀ ପୂର୍ବରୁ ଜନସନ୍ ଭାରତ ଗସ୍ତରେ ଆସିବେ ବୋଲି ମଧ୍ୟ ବ୍ରିଟିଶ୍ ହାଇକମିଶନର୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଜନସନ୍ ମୁଖ୍ୟ ଅତିଥି ଭାବେ ଆଗାମୀ ସାଧାରଣତନ୍ତ୍ର ଦିବସ ପରେଡରେ ଯୋଗଦେବା ସକାଶେ ମୋଦି ଆମନ୍ତ୍ରଣ କରିଥିଲେ। କିନ୍ତୁ ବ୍ରିଟେନରେ କୋଭିଡ୍ ଷ୍ଟ୍ରେନ୍ ଚିହ୍ନଟ ହେବା କାରଣରୁ ଜନସନ୍ ତାଙ୍କର ଭାରତ ଗସ୍ତ ଉପରେ କଟକଣା ଲଗାଇଥିଲେ। ତେବେ ମୋଦିଙ୍କୁ ଜି-୭ ସମ୍ମିଳନୀରେ ଯୋଗଦେବା ସକାଶେ ଆମନ୍ତ୍ରଣ କରିବାକୁ ଯାଇ ହାଇକମିଶନର୍‌ଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ପାଖାପାଖି ଦୁଇ ବର୍ଷ ପରେ ଜନସନ୍ ଜି-୭ ସମ୍ମିଳନୀରେ କୌଣସି ରାଷ୍ଟ୍ରମୁଖ୍ୟଙ୍କୁ ଅତିଥି ଭାବେ ଯୋଗଦେବା ସକାଶେ ନିମନ୍ତ୍ରଣ କରିବାର ଅଧିକାର ପାଇଛନ୍ତି। ଏହି ଅଧିକାର ବଳରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ମିଳନୀର ସଦସ୍ୟ ରାଷ୍ଟ୍ରମାନଙ୍କ ସହ ବନ୍ଧୁତା ବଢ଼ାଇବା ସହ କୋରୋନା ଭୂତାଣୁ ସଂକ୍ରମଣଜନିତ କ୍ଷୟକ୍ଷତିର ଭରଣା କରିବା ଓ ଦେଶର ଭବିଷ୍ୟତକୁ ଉଜ୍ଜ୍ବଳ କରିବା ପାଇଁ ଏକ ସୁଯୋଗ ପାଇଥିବା ଉକ୍ତ ବିବୃତିରେ କୁହାଯାଇଛି।

ଏଥିସହ ଭାରତରେ ଦୁଇଟି କୋଭିଡ୍ ଟିକା ଉତ୍ପାଦନ ହେବା ସହ ଟିକାକରଣର ପ୍ରଥମ ଦିନରେ ୧ ଲକ୍ଷ ୯୦ ହଜାର ସ୍ବାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀଙ୍କୁ ଦିଆଯାଇସାରିଥିବା ବେଳେ ଏପରି ଏକ ଉଦ୍ୟମକୁ ବ୍ରିଟେନ୍ ପକ୍ଷରୁ ପ୍ରଶଂସା କରାଯାଇଛି। ସାମ୍ପ୍ରତିକ ସମୟରେ ବିଶ୍ବରେ ଉପଯୋଗ ହେଉଥିବା ଟିକାର ପାଖାପାଖି ୫୦ ପ୍ରତିଶତ ଭାରତ ସରକାର ଯୋଗାଇଥିବା ବେଳେ କୋରୋନା ମହାମାରୀର ବ୍ୟାପକତା ସମୟରେ ଭାରତ ଓ ବ୍ରିଟେନ୍ ମିଳିତ ଭାବେ ଅନେକ ପଦକ୍ଷେପ ନେଇଥିବା ଉକ୍ତ ବିବୃତିରେ କୁହାଯାଇଛି। ଆଗାମୀ ଜି-୭ ସମ୍ମିଳନୀରେ ଯୋଗଦେବା ସକାଶେ ଭାରତ ବ୍ୟତୀତ ଜନସନ୍ ଦକ୍ଷିଣ କୋରିଆ ଓ ଅଷ୍ଟ୍ରେଲିଆକୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି। ଜି-୭ ସମ୍ମିଳନୀ ଆୟୋଜନ ସମ୍ପର୍କରେ ଜନସନ୍ କହିଛନ୍ତି ଯେ ଜି-୭ ରାଷ୍ଟ୍ରସମୂହ କୋଭିଡ୍ ପରବର୍ତ୍ତୀ ସ୍ଥିତିରେ ମୁକ୍ତ ବାଣିଜ୍ୟ ଓ ଦୀର୍ଘସ୍ଥାୟୀ ପଦକ୍ଷେପ ମାଧ୍ୟମରେ ନିଜ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବାର ଆବଶ୍ୟକତା ରହିଛି। ପିଢ଼ି ପିଢ଼ି ଧରି ମାନବ ଜାତି ଅନେକ ଦୁର୍ବିପାକର ସମ୍ମୁଖୀନ ହୋଇଥିଲେ ମଧ୍ୟ କୋରୋନା ଭୂତାଣୁ ସେସବୁଠାରୁ ଭିନ୍ନ। ଅତ୍ୟାଧୁନିକ ବିଶ୍ବର ଶକ୍ତିକୁ କୋରୋନା ଭୂତାଣୁ ପରୀକ୍ଷା କରିଛି। ତେବେ ଏହି ଭୂତାଣୁ ସଂକ୍ରମଣଜନିତ ଦୁଃସ୍ଥିତିରୁ ମୁକୁଳିବା ସକାଶେ ବିଶ୍ବର ଅଗ୍ରଣୀ ରାଷ୍ଟ୍ରମାନଙ୍କ ମଧ୍ୟରେ ଐକ୍ୟଭାବର ଏକାନ୍ତ ଆବଶ୍ୟକତା ରହିଛି ବୋଲି ଜନସନ୍ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ