ରୋଜ୍‌ ଭ୍ୟାଲି ଚିଟ୍‌ଫଣ୍ଡ ଘୋଟାଲା: ସିବିଆଇ ପଞ୍ଝାରେ ଶୁଭ୍ରା


ସିବିଆଇ ଦ୍ବାରା ଗିରଫ ହୋଇଥିବା ରୋଜ୍ ଭ୍ୟାଲି ମାଲିକ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା (ବାମ)
ଚିଟ୍‌ଫଣ୍ଡ ଘୋଟାଲାକୁ ନେଇ ପୁଣି ଥରେ ଆକ୍ସନ୍‌ ମୋଡ୍‌କୁ ଆସିଛି ସିବିଆଇ। ଦୀର୍ଘଦିନର ନିରବତା ପରେ ପଞ୍ଝା ମାରିଛି ସିବିଆଇ। ବହୁ ଚର୍ଚ୍ଚିତ ରୋଜ୍ ଭ୍ୟାଲି ଗ୍ରୁପ୍ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଏହାର ମାଲିକାଣୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି। ପୂର୍ବରୁ ଏହାର ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ଗିରଫ କରି ସାରିଛି ସିବିଆଇ। ସିବିଆଇର ସ୍ବତନ୍ତ୍ର ଇଓଡବ୍ଲୁ ଟିମ୍‌ ଶୁଭ୍ରାଙ୍କୁ ଦକ୍ଷିଣ କୋଲକାତାସ୍ଥିତ ଏକ ଆପାର୍ଟମେଣ୍ଟରୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ ସିବିଆଇ ଅଫିସକୁ ଅଣାଯାଇ ପଚରାଉଚରା କରାଯିବା ପରେ ଭୁବନେଶ୍ବର ଅଣାଯାଇଛି। ଏହାପରେ ତାଙ୍କୁ ସିବିଆଇର ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।

ପ୍ରାୟ ୧୭ ହଜାର କୋଟି ଟଙ୍କାର ରୋଜ୍‌ ଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ହୋଇଥିଲା। ଅଧିକ ସୁଧ ଓ କମ୍‌ ଦିନରେ ଜମା ଅର୍ଥ ଦୁଇଗୁଣର ଲୋଭ ଦେଖାଇ କମ୍ପାନୀ ଲକ୍ଷାଧିକ ଜମାକାରୀଙ୍କ ଟଙ୍କା ହଡ଼ପ କରିଛି। ସେହିଭଳି ଦେଶର ବିଭିନ୍ନ ସ୍ଥାନରେ ହୋଟେଲ୍‌ ଓ ରିସୋର୍ଟରେ ରୋଜ୍‌ ଭ୍ୟାଲି ଟଙ୍କା ନିବେଶ କରିଥିବା ତଦନ୍ତରୁ ଜଣାପଡ଼ିଛି। ୨୦୧୪ରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶରେ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପଟେ ଏହି ସଂସ୍ଥାର ଗ୍ରୁପ୍ ଚେୟାରମ୍ୟାନ ଗୌତମ କୁଣ୍ଡୁ ଗତ ୨୦୧୫ ମାର୍ଚ୍ଚରୁ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଏହି ମାମଲାରେ ୨୦୧୭ରେ ସିବିଆଇ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସର ଦୁଇଜଣ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଓ ତାପସ ପାଲଙ୍କୁ ଗିରଫ କରିଥିଲା। ଜାମିନରେ ମୁକୁଲିବାର କିଛିଦିନ ପରେ ଗତବର୍ଷ ତାପସ ପାଲଙ୍କ ମୃତ୍ୟୁ ହୋଇଥିଲା। ରୋଜ୍‌ ଭ୍ୟାଲି ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡ଼ିଥିବା ଆଉ ଜଣେ ହେଲେ କୋଲକତାର ପୂର୍ବତନ ପୋଲିସ୍‌ କମିଶନର ରାଜୀବ କୁମାର। ସେ ଆଗରୁ ସିବିଆଇରେ ହାଜର ହୋଇଥିଲେ। କୋଟି କୋଟି ଟଙ୍କାର ଏହି ସ୍କାମ୍‌ରେ ତାଙ୍କର କି ଭୂମିକା ରହିଛି, ସେନେଇ ତାଙ୍କୁ ପଚରାଉଚରା ପାଇଁ ପୂର୍ବରୁ ନୋଟିସ୍ ହୋଇଥିଲା। ପୂର୍ବରୁ ଶାରଦା ଚିଟଫଣ୍ଡ ମାମଲାରେ ମଧ୍ୟ ରାଜୀବ କୁମାରଙ୍କୁ ମଧ୍ୟ ଜେରା କରାଯାଇଥିଲା।

ଗୌତମଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁ ଜୁଏଲାରୀ କାରବାର ଚଳାଇଥିଲେ। ସୂଚନାଯୋଗ୍ୟ ଗୌତମଙ୍କ ପତ୍ନୀ ଶୁଭ୍ରା ଏହି ଚିଟ୍‌ଫଣ୍ଡ ସଂସ୍ଥାର ଅନ୍ୟ ଦୁଇଟି ସହଯୋଗୀ ସଂସ୍ଥାର ମୁଖ୍ୟ ଭାବରେ କାମ କରୁଥିଲେ। କୋଲକାତା ଭିଆଇପି ରୋଡ୍‌ରେ ସେ ‘ଆଦ୍ରିଜା‌’ ନାମକ ଏକ ସୁନାଗହଣା ଶୋ’ ରୁମ୍‌ ମଧ୍ୟ ଚଳାଉଥିଲେ। ଚିଟ୍‌ଫଣ୍ଡ ସଂସ୍ଥାରୁ ସଂଗୃହୀତ ମୋଟା ଅଙ୍କର ଟଙ୍କା ଏଥିରେ ବିନିଯୋଗ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଗୌତମ ଗିରଫ ହେବା ପରେ ଏହାକୁ ଇଡି ସିଲ୍‌ କରି ଦେଇଥିଲା। ପ୍ରବର୍ତ୍ତନ ନିର୍ଦେଶାଳୟ ମଧ୍ୟ ଶୁଭ୍ରାଙ୍କ ନାମରେ ଜାମିନ ବିହୀନ ପରୱାନା ଜାରି କରିଥିଲା। ସିବିଆଇ ତାଙ୍କୁ କୋର୍ଟ ଚାଲାଣ କରିବା ପରେ ଇଡି ମଧ୍ୟ ରିମାଣ୍ଡରେ ନେଇ ପଚରାଉଚରା କରିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ