ରାଜ୍ୟ
ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ: ପୋଲିସ୍କୁ ଗୋଡ଼ାଇ ପିଟିଲେ, ଭ୍ୟାନ୍ ଜାଳିଦେଲେ

ପୋଲିସ୍ ଗାଡ଼ି ପୋଡ଼ି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ
ଭଦ୍ରକ: ଯୁବକଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ତୁମୁଳକାଣ୍ଡ। ପୋଲିସ୍ ପାଇଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଉତ୍ତ୍ୟକ୍ତ ଲୋକମାନେ ପୋଲିସ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଭ୍ୟାନ୍କୁ ଜାଳି ଦେଇଛନ୍ତି। ଲୋକଙ୍କ ମାଡ଼ରେ ପୋଲିସ୍ କର୍ମୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅଲ୍ଲିନଗର ଛକରେ ଘଟିଛି ଘଟଣା। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଲୋକେ।
ସୂଚନାଯୋଗ୍ୟ, ତିହିଡ଼ି ଥାନା ହାଟୁଆରୀ ଗାଁର ବାପି ମହାଳିକ ଜଣେ ଭିନ୍ନକ୍ଷମ ଯୁବକ ତାଙ୍କ ଭଉଣୀ ଘରକୁ ଯାଇଥିବା ବେଳେ କୋଇଲା ଚୋରି ଅଭିଯୋଗରେ ତିହିଡ଼ି ପୋଲିସ୍ ତାକୁ ଧରିବା ପାଇଁ ପହଞ୍ଚିଥିଲା। ପୋଲିସ୍କୁ ଦେଖି ବାପି ଭୟଭୀତ ହୋଇ ଦୌଡ଼ି ଦୌଡ଼ି ନିକଟରେ ଥିବା ଏକ ଦଳ ପୋଖରୀକୁ ଡେଇଁ ପଡ଼ିଥିଲେ। ପରେ ପୋଲିସ୍ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲା। ଦମକଳବାହିନୀ ସେଠାରେ ପହଞ୍ଚି ବାପି ମହାଳିକର ମୃତଦେହ ପୋଖରୀରୁ ଉଦ୍ଧାର କରିଥିଲେ। ପୋଲିସ୍ କାରଣରୁ ତା’ର ମୃତ୍ୟୁ ହୋଇଥିବା ଅଭିଯୋଗ କରି ରାସ୍ତା ଅବରୋଧ କରିଥିଲେ।
ଭଦ୍ରକ-ଚାନ୍ଦବାଲି ରାସ୍ତାର ଅଲ୍ଲିନଗରଠାରେ ବାପିର ମୃତ ଦେହକୁ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଏହି ସମୟରେ ପୀରାହାଟ ଥାନାର ଏକ ପୋଲିସ୍ ଗାଡ଼ିରେ କନ୍ଷ୍ଟେବଲ୍ ବିମ୍ବାଧର ମୁର୍ମୁ ୨ ଜଣ ଅଭିଯୁକ୍ତଙ୍କୁ ନେଇ ଭଦ୍ରକ କୋର୍ଟକୁ ଯାଉଥିଲେ। ଅଲ୍ଲିନଗର ଛକଠାରେ ଉପସ୍ଥିତ ଥିବା ଉର୍ତ୍ତ୍ୟକ୍ତ ଲୋକମାନେ ପୋଲିସ୍ ଗାଡ଼ିକୁ ଦେଖି ପୋଲିସ୍ ଗାଡ଼ିରେ ନିଆଁ ଲଗେଇ ଦେଇଥିଲେ। ଗାଡ଼ିରେ ଥିବା କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଲୋକଙ୍କ ମାଡ଼ରେ ଜଣେ କନ୍ଷ୍ଟେବଲ୍ ଗୁରୁତର ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଖବର ପାଇ ଉପସ୍ଥିତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି। ଏବେ ବି ସେଠାରେ ଚାପା ଉତ୍ତେଜନା ଲାଗି ରହିଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ