ମୁଖ୍ୟ ଖବର
ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟି ଗ୍ରହଣଯୋଗ୍ୟ ନୁହେଁ: ଚାଷୀ ସଂଗଠନ

ସୁପ୍ରିମକୋର୍ଟ ୪ ଜଣିଆ କମିଟିରେ ଏଚଏସ ମାନ, ପ୍ରମୋଦ କୁମାର ଯୋଶୀ, ଅଶୋକ ଗୁଲାଟି ଓ ଅନୀଲ ଧନୱନ୍ତ (ଫାଇଲ ଫଟୋ)
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ମଧ୍ୟରେ ୩ଟି କୃଷି ଆଇନକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟାଇବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି କ୍ରମେ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ୪ ଜଣିଆ କମିଟି ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି। ଏଚଏସ ମାନ, ପ୍ରମୋଦ କୁମାର ଯୋଶୀ, ଅଶୋକ ଗୁଲାଟି ଓ ଅନୀଲ ଧନୱନ୍ତଙ୍କୁ କମିଟିର ସଦସ୍ୟ ଭାବେ ଖଣ୍ଡପୀଠ ନାମିତ କରିଛି। ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ସର୍ବୋଚ୍ଚ କୋର୍ଟକୁ ରିପୋର୍ଟ କରିବା ପାଇଁ ଏହି କମିଟିକୁ ଦାୟିତ୍ବ ମଧ୍ୟ ଦେଇଛନ୍ତି। ମାତ୍ର ଚାଷୀ ସଂଗଠନ ମଙ୍ଗଳବାର ସନ୍ଧ୍ୟାରେ ଏକ ପ୍ରେସ କନଫରେନ୍ସ ଡାକି ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟି ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛି। ଆମେ କୌଣସି କମିଟି ପାଖରେ ହାଜର ହେବୁ ନାହିଁ। ୩ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିରୁ ଓହରିବାର ପ୍ରଶ୍ନ ଉଠୁନି ବୋଲି ମଧ୍ୟ ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି।
ଏଥିସହ ଚାଷୀ ସଂଗଠନ ପକ୍ଷରୁ ଆରୋପ ଲଗାଯାଇ କୁହାଯାଇଛି ଯେ ସୁପ୍ରିମକୋର୍ଟ ଯେଉଁ ୪ଜଣିଆ କମିଟି ଗଠନ କରିଛନ୍ତି ସେମାନେ ସମସ୍ତେ ସରକାରଙ୍କ ସମର୍ଥକ। ସେମାନେ ସରକାରଙ୍କ ଦ୍ବାରା ପ୍ରଣୀତ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ହିଁ ଓକିଲାତି କରିବେ। ତେଣୁ ଆମେ ଏହି କମିଟିକୁ ଗ୍ରହଣ କରୁନାହୁଁ କି ସେମାନଙ୍କ ପାଖକୁ ଯାଇ ପକ୍ଷ ରଖିବୁ ନାହିଁ। ଆମେ ପୂର୍ବରୁ ଏପରି ଆଶଙ୍କା କରିଥିଲୁ। ସରକାର ସୁପ୍ରିମକୋର୍ଟଙ୍କ ଜରିଆରେ କମିଟି ଗଠନ କରି ନୂ୍ଆ କୃଷି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ କରିବେ ବୋଲି ଆମେ ଯାହା କହିଥିଲୁ ତାହାହିଁ ହୋଇଛି। ତେଣୁ ଆମେ କୃଷି ଆଇନ ପ୍ରତ୍ୟାହାର ବ୍ୟତୀତ ଆଉ କୌଣସି ଆଲୋଚନାରେ ଭାଗ ନେବୁ ନାହୁଁ। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ କମିଟିକୁ ସ୍ବାଗତ କରାଯାଇଛି। ଗଠିତ ହୋଇଥିବା କମିଟିର ସବୁ ସଦସ୍ୟ ନିରପେକ୍ଷ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ