ପହଞ୍ଚିଲା ଟିକା: ମୁଖ୍ୟମନ୍ତ୍ରୀଙ୍କ ଖୁସି ବ୍ୟକ୍ତ, ପ୍ରଧାନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ


ପୁଣେରୁ ଆସିଥିବା କୋରୋନା ଟିକା କୋଭିଶିଲ୍ଡକୁ ରାଜ୍ୟ ଟିକାକରଣ କେନ୍ଦ୍ରରେ ଗଚ୍ଛିତ କରାଯାଉଛି
ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଭୁବନେଶ୍ବରରେ ପହଞ୍ଚିଛି କୋରୋନାର ସଞ୍ଜୀବନୀ। ସ୍ବତନ୍ତ୍ର ବିମାନ ଯୋଗେ ପୁଣେ ସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ସିଧାସଳଖ ଭୁବନେଶ୍ବରରେ ପହଞ୍ଚିଛି କୋରୋନା ଟିକା କୋଭିଶିଲ୍ଡ। ଏହାପରେ ଟିକାକୁ ସ୍ୱତନ୍ତ୍ର ଗାଡ଼ିରେ ଭୁବନେଶ୍ବର ବିମାନ ବନ୍ଦରରୁ ଅଣାଯାଇ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି। ଏଥିପାଇଁ ଔଷଧ ନିଗମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ କୋରୋନା ଟିକା ପହଞ୍ଚିବାପରେ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ଖୁସି ବ୍ୟକ୍ତ କରିବା ସହ ଓଡ଼ିଶା ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି। ମୂଲ୍ୟବାନ ଜୀବନ ବଞ୍ଚାଇବାକୁ ନିରନ୍ତର ଟିକାକରଣ ଚାଲିବ। ଟିକାକରଣରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଅଙ୍ଗନବାଡ଼ିଙ୍କୁ ପ୍ରାଧାନ୍ୟ ଦିଆଯିବ। ଆଗଧାଡ଼ିର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ବିଶେଷ ଧ୍ୟାନ ଦେଇ ତ୍ରୁଟିଶୂନ୍ୟ ଟିକାକରଣ କାର୍ଯ୍ୟକ୍ରମ ନିମନ୍ତେ ଓଡ଼ିଶା ବିସ୍ତୃତ ବ୍ୟବସ୍ଥା ସହିତ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ସ୍ୱଦେଶୀ ପ୍ରସ୍ତୁତ କୋଭିଡ୍‌ ଟିକା ପହଞ୍ଚିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟ୍ ଜରିଆରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଟ୍ୱିଟ୍ କରିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କୋଭିଡ୍‌ ଯୋଦ୍ଧା ତଥା ୩.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଏଥିପାଇଁ ଧର୍ମେନ୍ଦ୍ର ଓଡ଼ିଶାର ଭାଇ ଭଉଣୀଙ୍କୁ କୋଭିଡ୍‌-୧୯ର ନିୟମକୁ ପାଳନ କରିବା ସହ ଅପପ୍ରଚାରକୁ ବିଶ୍ୱାସ ନ କରିବା ପାଇଁ ଅନୁରୋଧ କରିଛନ୍ତି। ଏହା ସହ ବିଶ୍ୱର ସର୍ବବୃହତ ଟିକାକରଣକୁ ସମର୍ଥନ ଦେବା ସହ ଏକାଠି ଆମେ ଜିତିପାରିବା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ପୁଣେରୁ ସ୍ୱତନ୍ତ୍ର ସ୍ପାଇସ୍‌ ଜେଟ୍‌ ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି ଟିକା। ବିମାନ ବନ୍ଦରରେ ଟିକା ପହଞ୍ଚିବା ପରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଭିତରେ ଟିକା ବାକ୍ସଗୁଡ଼ିକୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ରାମମନ୍ଦିର ଛକରେ ଥିବା ରାଜ୍ୟ ଔଷଧ ନିଗମ କାର୍ଯ୍ୟାଳୟ ପରିସରକୁ ଅଣାଯାଇଛି। ଭୁବନେଶ୍ୱର ବିମାନବନ୍ଦରରୁ କଡ଼ା ସୁରକ୍ଷା ମଧ୍ୟରେ ୩ଟି ଜାତୀୟ ଟିକା ଯାନରେ ପ୍ରାୟ ୧୨୦୦ କିଲୋ ଓଜନର ୩୪ଟି ପ୍ୟାକେଟରେ ଭର୍ତ୍ତି ହୋଇ ଆସିଥିବା ଟିକାକୁ ରାଜ୍ୟ ଟିକାକରଣ କେନ୍ଦ୍ରରେ ଗଚ୍ଛିତ ରଖାଯାଇଛି। ଆସନ୍ତାକାଲି ବିଭିନ୍ନ ଜିଲ୍ଲାକୁ ନିର୍ଦ୍ଧାରିତ ପରିମାଣର ଟିକା ପ୍ରେରଣ କରାଯିବ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ୩୦ଟି ଜିଲ୍ଲାରୁ ଭୁବନେଶ୍ୱରରୁ ଟିକା ନେବାକୁ ସ୍ୱତନ୍ତ୍ର ଗାଡ଼ି ଆସି ପହଞ୍ଚିବ। ସେଥିରେ ଟିକା ଜିଲ୍ଲା ଟିକାକରଣ କେନ୍ଦ୍ରକୁ ପଠାଯିବ। ଏହାପରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ।

ପ୍ରଥମ ପର୍ଯ୍ୟାୟରେ କୋଭିଶିଲ୍ଡର ୪୦ ହଜାର ୮ଶହ ଭାଏଲ୍ ଆସିଛି। ଗୋଟିଏ ବୋତଲ୍‌ରେ ଯେଉଁ ପରିମାଣରେ ଔଷଧ ରହିଛି ତାହା ୧୦ ଜଣଙ୍କୁ ଦିଆଯାଇ ପାରିବ। ହିସାବ ଅନୁସାରେ, ରାଜ୍ୟରେ ସମୁଦାୟ ୪ ଲକ୍ଷ ୮ ହଜାର ଡୋଜ୍ ଟିକା ପହଞ୍ଚିଛି। ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ୍‌ ଏବଂ ୧୮ଟି ପ୍ରାଇଭେଟ୍ ହସ୍ପିଟାଲରେ ଭ୍ୟାକସିନେସନ୍ ସେଣ୍ଟର୍‌ ଖୋଲିଛି। ବିଏମ୍‌ସି ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ସରିଛି ବୋଲି ବିଏମ୍‌ସି କମିଶନର କହିଛନ୍ତି। ୧୬ ତାରିଖରେ ଭୁବନେଶ୍ୱରର ୫ଟି ସ୍ଥାନରେ କୋଭିଡ୍- ୧୯ ଟିକା ଦିଆଯିବ। କ୍ୟାପିଟାଲ୍‌ ହସ୍ପିଟାଲ, ୟୁନିଟ୍ ୪ ସରକାରୀ ହସ୍ପିଟାଲ୍‌, ବିଏମ୍‌ସି ହସ୍ପିଟାଲ, ସମ୍ ହସ୍ପିଟାଲ ଏବଂ କିମ୍‌ସ ହସ୍ପିଟାଲରେ ହେବ କୋଭିଡ୍‌ ଟିକାକରଣ। ସେହିପରି  ଅନୁଗୁଳ, ଦେଓଗଡ଼, ସୋନପୁର ଜିଲ୍ଲା ଏବଂ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୨ଟି ଲେଖାଏଁ, ବଲାଙ୍ଗିର, ଭଦ୍ରକ, ବୌଦ୍ଧ, ମାଲକାନଗିରି, ନୂଆପଡ଼ା ଜିଲ୍ଲା ଏବଂ ବ୍ରହ୍ମପୁର ଓ କଟକ ମହାନଗର ନିଗମରେ ୩ଟି ଲେଖାଏଁ, ବରଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାରେ ୪ଟି ଲେଖାଏଁ, ବାଲେଶ୍ୱର, ଯାଜପୁର, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫ଟି ଲେଖାଏଁ, କେନ୍ଦ୍ରାପଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତ୍ୟେକ ୬ଟି ଲେଖାଏଁ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ ୭ଟି ଲେଖାଏଁ, କଟକ, ଗଞ୍ଜାମ, ପୁରୀ ଆଦି ଜିଲ୍ଲାରେ ୮ଟି ଲେଖାଏଁ ଏବଂ ମୟୂରଭଞ୍ଜ ଜିଲ୍ଲାର ୧୦ଟି ସ୍ଥାନରେ ଏହି ଟିକାକରଣ କାର୍ଯ୍ୟ ହେବ। ଏହି ପରି ୩୦ଟି ଜିଲ୍ଲା ଏବଂ ୫ଟି ମହାନଗର ନିଗମ ଅଞ୍ଚଳର ୧୬୦ଟି କେନ୍ଦ୍ରକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୋଭିଡ୍-୧୯ ଟୀକାକରଣ ପାଇଁ ଚିହ୍ନଟ କରାଯାଇଛି ବୋଲି ସୂଚନା ଦିଆଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ