ମନୋରଞ୍ଜନ
ରାମୁଙ୍କୁ ବ୍ୟାନ କଲା ଏଫଡବ୍ଲୁଆଇସିଇ

ରାମଗୋପାଳ ବର୍ମା
ଫିଲ୍ମ ନିର୍ଦେଶକ ରାମଗୋପାଳ ବର୍ମା କର୍ମଚାରୀଙ୍କ ୧.୨୫ କୋଟି ଟଙ୍କା ପାଉଣା ଦେଇ ନାହାନ୍ତି। ଏହା ବିରୋଧରେ ଫେଡେରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ (ଏଫଡବ୍ଲୁଆଇସିଇ) ରାମଗୋପାଳଙ୍କୁ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛି। ଏହାଦ୍ବାରା ସିନେ କର୍ମଚାରୀଙ୍କ ୩୨ଟି ୟୁନିଅନ ସହିତ ଜଡ଼ିତ ଲୋକେ ରାମଗୋପାଳଙ୍କ ସହିତ ଭବିଷ୍ୟତରେ ଆଉ କାମ କରିବେ ନାହିଁ। ରାମଗୋପାଳଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେ କଳାକାର, ଟେକ୍ନିସିଆନ ଓ କର୍ମଚାରୀଙ୍କ ୧.୨୫ କୋଟି ଟଙ୍କା ପାଉଣା ଦେଇ ନାହାନ୍ତି। ଫେଡେରେସନର ଅଧ୍ୟକ୍ଷ ବିଏନ ତିୱାରୀ ଓ ମହାସଚିବ ଅଶୋକ ଦୁବେଙ୍କ ମୁତାବକ ଏହା ପୂର୍ବରୁ ମଧ୍ୟ ରାମଗୋପାଳଙ୍କୁ ଏକ ଲିଗାଲ ନୋଟିସ ପଠାଯାଇଥିଲା।
ତେବେ ରାମଗୋପାଳ ବର୍ମାଙ୍କ ପକ୍ଷରୁ ଏହି ଲିଗାଲ ନୋଟିସର କୌଣସି ଜବାବ ଦିଆଯାଇ ନ ଥିଲା। ଫେଡେରେସନ ମୁତାବକ ରାମଗୋପାଳଙ୍କୁ ୨୦୧୭ରେ ଏକ ଚିଠି ପଠାଯାଇ ଟେକ୍ନିସିଆନଙ୍କ ପାଉଣା ବାକି ରହିଛି ବୋଲି ଏଥିରେ ଉଲ୍ଲେଖ କରାଯାଇଥିଲା। ଏହାପରେ ଫେଡେରେସନ ପକ୍ଷରୁ କର୍ମଚାରୀଙ୍କ ପାଉଣା କ୍ଲିଅର କରିବାକୁ ରାମଗୋପାଳଙ୍କୁ ଅନେକ ଚିଠି ପଠାଯାଇଥିଲା। ତେବେ ରାମଗୋପାଳ ତାଙ୍କୁ କୌଣସି ଚିଠି ମିଳି ନ ଥିବା କହିଛନ୍ତି। କେବଳ ସେତିକି ନୁହେଁ ରାମଗୋପାଳ କୋରୋନା କାଳରେ ଶୁଟିଂ ଜରି ରଖିଥିବା ଏଫଡବ୍ଲୁଆଇସିଇ ଅଭିଯୋଗ କରିଛି।
ମିଡ଼ିଆ ରିପୋର୍ଟ ମୁତାବକ ଫେଡେରେସନର ପ୍ରେସିଡେଣ୍ଟ ବିଏନ ତିୱାରୀ କହିଛନ୍ତି ଯେ ରାମଗୋପାଳ ଗୋଆରେ ଶୁଟିଂ କରିବା ସୂଚନା ମିଳିବା ପରେ ଏ ସମ୍ପର୍କରେ ସେଠାର ମୁଖ୍ୟମନ୍ତ୍ରୀ ଅରବିନ୍ଦ ସାୱନ୍ତଙ୍କୁ ୧୦ ସେପ୍ଟେମ୍ବର ୨୦୨୦ରେ ମଧ୍ୟ ପତ୍ର ଲେଖାଯାଇଥିଲା। କାରଣ ଟେକ୍ନିସିଆନ, କଳାକାର ଓ କର୍ମଚାରୀଙ୍କୁ ତାଙ୍କ ପାରିଶ୍ରମିକ ମିଳିଯାଉ ବୋଲି ସେ ଚାହୁଥିଲେ। କିନ୍ତୁ ରାମଗୋପାଳ ଏହି ଦାବିକୁ ଅଣଦେଖା କରିଥିଲେ। ତେଣୁ ଫେଡେରେସନ ତାଙ୍କ ସହିତ ଭବିଷ୍ୟତରେ ଆଉ କାମ ନ କରିବାକୁ ନିଷ୍ପତ୍ତି ନେଇଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ