ବଜେଟ ପାଇଁ ଲୋକଙ୍କ ପ୍ରସ୍ତାବ: ଆଦିବାସୀ ସ୍ବାସ୍ଥ୍ୟକୁ ମିଳୁ ପ୍ରାଥମିକତା


ପ୍ରତୀକାତ୍ମକ ଫଟୋ
କୋରୋନା କାଳରେ ବିଶ୍ବବ୍ୟାପୀ ଜନଗଣ ପ୍ରଭାବିତ ହୋଇଛନ୍ତି। ସ୍ବାସ୍ଥ୍ୟ, ଜୀବିକା ଓ ଅର୍ଥନୀତି। ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ଆଦିବାସୀ ଓ ସ୍ଥାନାନ୍ତରୀ ଶ୍ରମିକ। ବିପଦସଙ୍କୁଳ ଜନଜାତିଙ୍କ ସ୍ବାସ୍ଥ୍ୟ ଏବେ ଚିନ୍ତାର ବିଷୟ ହୋଇଛି। ସେମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ସ୍ବାସ୍ଥ୍ୟ ଓ ଜୀବିକା ସାଙ୍ଗକୁ ସାମାଜିକ ସୁରକ୍ଷା ପଦକ୍ଷେପ ନେବା ପାଇଁ ବଜେଟରେ ବ୍ୟୟ ବରାଦ ରହିବା ଆବଶ୍ୟକ। ଏଥି ସହିତ ପ୍ରାକୃତିକ କୃଷିର କୌଶଳକୁ ବ୍ୟାପକ କରାଯିବାର ଆବଶ୍ୟକତା ରହିଛି ବୋଲି ସିୱାଇଏସଡି ଏବଂ ଓଡ଼ିଶା ବଜେଟ ଆକାଉଣ୍ଟେବିଲିଟି ସେଣ୍ଟର (ଓବାକ) ପକ୍ଷରୁ ଆୟୋଜିତ ୱେବିନାରରେ ପରାମର୍ଶ ଦିଆଯାଇଛି। ସେହିଭଳି ମୋଟ ରାଜ୍ୟ ବଜେଟର ୫୦ ପ୍ରତିଶତ ଅର୍ଥ ସାମାଜିକ କ୍ଷେତ୍ର ଗୁଡ଼ିକରେ ଆବଣ୍ଟନ ହେବାର ଆବଶ୍ୟକତା ରହିଥିବା ନେଇ ଲୋକଙ୍କ ନିକଟରୁ ପରାମର୍ଶ ଆସିଛି।

ମଙ୍ଗଳବାର ଆୟୋଜିତ ଏହି ୱେବିନାରରେ ଭିଡିଓ ବାର୍ତ୍ତା ଦେଇ ମାଲକାନଗିରି ଜିଲା ଖଇରପୁଟ ବ୍ଲକର ଚାଷୀ ମିଶ୍ର ସୁଜା ନିଜ ଚାଷଜମିକୁ ଜଳ ନ ଥିବା କହିଥିଲେ। ଦଶମନ୍ତପୁର ବ୍ଲକର ଚାଷୀ ବିହନ ଅଭାବକୁ ସାମ୍ନା କରୁଥିବା ଦର୍ଶାଇଥିଲେ। ସେହିପରି କେନ୍ଦୁଝରର ଶିକ୍ଷକ ସହଦେବ ମହାନ୍ତ କୋରୋନା ସମୟରେ ଅନଲାଇନ କ୍ଲାସରେ ସବୁପିଲା ସୁଯୋଗ ପାଉ ନ ଥିବା କହିଥିଲେ। ମହିଳା ସ୍ବୟଂ ସହାୟକ ଦଳର ସଭ୍ୟା ସନ୍ତୋଷୀ ବାରିକ ଦଳର ସଦସ୍ୟାମାନଙ୍କ ନିମନ୍ତେ ତାଲିମ ଓ ଆର୍ଥିକ ବ୍ୟବସ୍ଥା ଆଦି ଲୋଡ଼ିଥିଲେ। ଅଙ୍ଗନବାଡ଼ି କର୍ମୀ ମମତା ଗନ୍ତାୟତ ସମାନ କାମକୁ ସମାନ ବେତନ କଥା କହିବା ସହିତ ସରକାର ପୁଷ୍ଟିକର ଖାଦ୍ୟ ଯୋଗାଣ ବଜାର ଦରକୁ ଦୃଷ୍ଟିରେ ରଖି କରିବା ଦରକାର ବୋଲି କହିଥିଲେ।

କୋରୋନା ଏକାଧିକ ସମସ୍ୟା ସୃଷ୍ଟି କରିଛି। ଏହାର କ୍ଷତ ଭରଣା ପାଇଁ ସରକାର ବଜେଟ ପରିମାଣକୁ ବଢ଼ାଇବାର ଆବଶ୍ୟକତା ରହିଛି। ସାମାଜିକ କ୍ଷେତ୍ରରେ ଓଡ଼ିଶା ୫୦ ପ୍ରତିଶତ ଖର୍ଚ୍ଚ କରିବା ପାଇଁ ଆଲୋଚକମାନେ ପରାମର୍ଶ ଦେଇଥିଲେ। ସେହିଭଳି ରାଜ୍ୟ ସରକାର ଜନସ୍ବାସ୍ଥ୍ୟ ବାବଦରେ ମାତ୍ର ୫.୧୩ ପ୍ରତିଶତ ଖର୍ଚ୍ଚ କରୁଛନ୍ତି। ଏହା ୮ ପ୍ରତିଶତ କରାଯିବା ନେଇ ମତପୋଷଣ କରାଯାଇଥିଲା।

ରାଜ୍ୟ ସରକାର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅନେକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏ ସମସ୍ତ ଯୋଜନାକୁ ମିଶାଇ ଗୋଟିଏ ଯୋଜନା କରିପାରିଲେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ନିର୍ବାହ କରାଯାଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା। ପରିବାରଗୁଡ଼ିକୁ ପାଇପ ଜଳ ଯୋଗାଣ ପାଇଁ ବସୁଧା ଜଳ ଜୀବନ ମିଶନ ଆଦି କାର୍ଯ୍ୟକ୍ରମ ରହିଛି। କିନ୍ତୁ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଏହା ସମ୍ଭବ ହୋଇପାରୁ ନାହିଁ। ଏସବୁ ଅଞ୍ଚଳରେ ଜଳାଶୟ ଚିହ୍ନଟ, ସେଗୁଡ଼ିକର ବିକାଶ ଓ ପାଇପ ଯୋଗେ ସଂଯୋଗ କରାଯିବା ପାଇଁ ଆର୍ଥିକ ବ୍ୟବସ୍ଥା ରହୁ। ନଗରାଞ୍ଚଳରେ ସିୱେଜ ପରିଚାଳନା ପାଇଁ ଯୋଜନା ଅଛି, ବଜେଟ ମଧ୍ୟ ଅଛି। କିନ୍ତୁ ଗ୍ରାମାଞ୍ଚଳରେ ଏଭଳି ପ୍ରାବଧାନ ନାହିଁ। ଗ୍ରାମାଞ୍ଚଳରେ ସିୱେଜ ବ୍ୟବସ୍ଥା କରାଯିବା ସହିତ ଚଳନଶକ୍ତି ରହିତ ଦିବ୍ୟାଙ୍ଗମାନଙ୍କ ସର୍ବସାଧାରଣ ସ୍ଥାନରେ ଚଳପ୍ରଚଳ ପାଇଁ ଆବଶ୍ୟକୀୟ ସୁବିଧା ଓ ଭିତ୍ତିଭୂମି ନିର୍ମାଣ କରାଯାଉ।

ରାଜ୍ୟ ସରକାର ବରଗଡ଼, ବଲାଙ୍ଗିର ଓ କଳାହାଣ୍ଡିର ୨୦ଟି ବ୍ଲକରେ ଏମନରେଗା ମଜୁରି ବାବଦକୁ ଦୈନିକ ୨୮୨ ଟଙ୍କା ୩୦ ପଇସା ପ୍ରଦାନ କରୁଛନ୍ତି। ଏହା ସମଗ୍ର ଓଡ଼ିଶାରେ କାର୍ଯ୍ୟକାରୀ କରିବା ଉଚିତ। ସାମାଜିକ ସୁରକ୍ଷା ଯୋଜନାରେ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ାଯାଇ ନାହିଁ। ଯୋଜନାରୁ ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡ଼ିଛନ୍ତି। ସେମାନଙ୍କୁ ଚିହ୍ନଟ କରାଯିବା ସହିତ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି। ମଧ୍ୟାହ୍ନ ଭୋଜନର ମାନ ବୃଦ୍ଧି, ପ୍ରାକ ଶୈଶବ ଶିକ୍ଷାକୁ ଗୁରୁତ୍ବ, ସାରା ରାଜ୍ୟର ଶିକ୍ଷକମାନଙ୍କୁ ତାଲିମ, କୃଷି ଗବେଷଣା ସଂସ୍ଥାରେ ଖାଲିଥିବା ପଦବୀର ପୂରଣ, ଡିଜିଟାଲ ପ୍ଲାଟଫର୍ମର ସୁଦୃଢ଼ୀକରଣ, ପ୍ରତ୍ୟେକ ଜିଲା ଓ ପଞ୍ଚାୟତ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଗଠନ ପାଇଁ ବଜେଟରେ ପ୍ରାବଧାନ ରହୁ।

ସିୱାଇଏସଡିର ପ୍ରତିଷ୍ଠାତା ସଦସ୍ୟ ଜଗଦାନନ୍ଦ ୱେବିନାରକୁ ସ୍ବାଗତ କରିଥିଲେ। ସଂଯୋଜକ ବସନ୍ତ କୁମାର ନାୟକ ବଜେଟରେ ଜନଗଣଙ୍କ ଆଶା ଓ ଆକାଂକ୍ଷା ପ୍ରତିଫଳିତ ହେବା ପାଇଁ ଏହି କର୍ମଶାଳା ଆୟୋଜିତ ହୋଇଛି ବୋଲି ସୂଚନା ଦେଇଥିଲେ। ୱାସନର ଏ.ରବୀନ୍ଦ୍ର, ସ୍ବାସ୍ଥ୍ୟ ବିଶେଷଜ୍ଞ ଡା.ଆକ୍ବିନେଟ, ପ୍ରଫେସର ଗୌରାଙ୍ଗ ଚନ୍ଦ୍ର ନନ୍ଦ, ପ୍ରଭାତ କୁମାର ମିଶ୍ର, ଡ. ସତ୍ୟପ୍ରିୟ ରଥ ଓ ନବନୀତା ପ୍ରମୁଖ ଆଲୋଚନା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ