ରାଜନୀତି
ପୁରୀ ହାଜତ ମୃତ୍ୟୁକୁ ଅସ୍ବୀକାର କଲେ ସରକାର
ହାଇକୋର୍ଟରେ ଦାଖଲ କଲେ ସତ୍ୟପାଠ

ହାଇକୋର୍ଟ (ଫାଇଲ୍ ଫଟୋ)
ପୁରୀ ଜିଲ୍ଲା ବାସେଳିସାହି ଥାନାରେ କେ. ରମେଶ ନାମକ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଉକ୍ତ ଘଟଣାରେ ସୋମବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ଏହା ହାଜତ ମୃତ୍ୟୁ ନୁହେଁ ବୋଲି ସରକାର ସତ୍ୟପାଠ ଜରିଆରେ କହିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର ଓ ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ଗତ ନଭେମ୍ବର ୧୮ ତାରିଖରେ ପୁରୀ ଜିଲ୍ଲା ବାସେଳି ସାହି ଥାନା ପୋଲିସ୍ ହେପାଜତରେ ଥିବା କେ. ରମେଶ ନାମକ ଯୁବକଙ୍କର ମୃତ୍ୟୁ ହୋଇଥିଲା। ପରିବାର ଲୋକେ ଏହାକୁ ହାଜତ ମୃତ୍ୟୁ ବୋଲି ଅଭିଯୋଗ କରିଥିବା ବେଳେ ଅସ୍ବୀକାର କରିଥିଲେ ତତ୍କାଳୀନ ପୁରୀ ଏସ୍ପି ଅଖିଳେଶ୍ୱର ସିଂ। କେ. ରମେଶ ମାରଣାସ୍ତ୍ର ଧରି ବୁଲୁଥିବା ବେଳେ ପୋଲିସ୍ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲା। ସେତିକିବେଳେ ପୋଲିସ୍ ସହ ରମେଶର ଧସ୍ତାଧସ୍ତି ହୋଇଥିଲା। ରମେଶ ତଳେ ପଡ଼ି ଗୁରୁତର ହୋଇଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲ୍ ନିଆଯିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ସିଂ। ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ଅନେକ ତୁମ୍ବିତୁଫାନ ଦେଖାଯାଇଥିଲା। ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାର ନିରପେକ୍ଷ ଯାଞ୍ଚ ପାଇଁ ସେ କମିଶନରଙ୍କ ଆଗରେ ନିବେଦନ କରିଥିଲେ। ଏହାପରେ ରାଜ୍ୟ ସରକାର ଶେଷରେ ବାଧ୍ୟ ହୋଇ ଅଖିଳେଶ୍ୱର ସିଂହଙ୍କୁ ପୁରୀ ଏସ୍ପି ପଦରୁ ହଟାଇ ଦେଇଥିଲେ। ଏଥିସହିତ ବାସେଳୀ ସାହି ଥାନା ଅଧିକାରୀଙ୍କ ସମେତ ୩ ଜଣଙ୍କୁ ମଧ୍ୟ ନିଲମ୍ବିତ କରିଥିଲେ।
ଏହି ଘଟଣାର ତଦନ୍ତ ଅଦାଲତ ନିଜେ ତଦାରଖ କରନ୍ତୁ ବୋଲି ଦର୍ଶାଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା। ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ପୀଡ଼ିତ ପରିବାରକୁ କ୍ଷତିପୂରଣ ପାଇଁ ଆବେଦନ କରାଯାଇଥିଲା। ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୋଲିସ୍ ଡିଜି, ପୁରୀ ଜିଲ୍ଲାପାଳ, ଏସ୍ପି ଓ ବାସେଳିସାହି ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏହି ମାମଲାକୁ ହାଇକୋର୍ଟ ଗ୍ରହଣ କରି ସରକାରଙ୍କୁ ରିପୋର୍ଟ ତଲବ କରିଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ସହ ସବିଶେଷ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ଏହାପରେ ସୋମବାର ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ