ସିଡନୀ ଟେଷ୍ଟରେ ଭାରତକୁ ୪୦୭ ଟାର୍ଗେଟ୍, ଉଭୟ ଓପନରଙ୍କ ୱିକେଟ୍ ହରାଇ ୯୮


ସ୍ମିଥ୍‌ଙ୍କ ୱିକେଟ୍ ନେବା ପରେ ଅଶ୍ବିନଙ୍କ ସହ ସାଥୀ ଖେଳାଳି
ସିଡନୀ ଟେଷ୍ଟରେ ଭାରତକୁ ୪୦୭ ଟାର୍ଗେଟ୍, ଉଭୟ ଓପନରଙ୍କ ୱିକେଟ୍ ହରାଇ ୯୮
ସିଡନୀଠାରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜର ୩ୟ ମ୍ୟାଚରେ ଭାରତ ଆଗରେ ୪୦୭ ରନର ଟାର୍ଗେଟ୍ ରହିଛି। ଏହି ଟାର୍ଗେଟର ପିଛା କରିବାକୁ ଯାଇ ଭାରତ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଉଭୟ ଓପନରଙ୍କ ୱିକେଟ୍ ହରାଇ ୯୮ ରନ୍ କରିଛି। ପୂର୍ବରୁ ଅଷ୍ଟ୍ରେଲିଆ ତା’ର ଦ୍ବିତୀୟ ଇନିଂସକୁ ୩୧୨/୬ରେ ଘୋଷଣା କରିବା ଫଳରେ ଭାରତକୁ ଏହି ବିଶାଳ ଟାର୍ଗେଟ୍ ମିଳିଛି। ଭାରତର ଦୁଇ ଓପନର ପ୍ରଥମ ୱିକେଟ୍ ପାଇଁ ୭୧ ରନ୍ ଯୋଡ଼ିଥିଲେ। ଶୁବମାନ୍ ଗିଲ୍ ବ୍ୟକ୍ତିଗତ ଭାବେ ୪ଟି ଚୌକା ସହ ୩୧ ରନ୍ କରିଥିବା ବେଳେ ଜୋଶ୍ ହେଜଲଉଡଙ୍କ ବଲରେ ୱିକେଟକିପର୍ ତଥା ଅଧିନାୟକ ଟିମ୍ ପେନଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ପରେ ରୋହିତ ଶର୍ମା ବିଦେଶ ମାଟିରେ ପ୍ରଥମ ଟେଷ୍ଟ୍ ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ଏହାପରେ ସେ ବେଶୀ ସମୟ ପିଚରେ ତିଷ୍ଠି ପାରି ନ ଥିଲେ। ସେ ପ୍ରଥମ ଇନିଂସର ସଫଳ ପେସର୍ ପ୍ୟାଟ୍ କମିନ୍ସଙ୍କ ବଲକୁ ପୁଲ୍ କରିବାକୁ ଯାଇ ସ୍କୋୟାର୍ ଲେଗ୍ ବାଉଣ୍ଡାରୀରେ ମିଚେଲ୍ ଷ୍ଟାର୍କଙ୍କୁ କ୍ୟାଚ୍ ଦେଇଥିଲେ। ୯୨ ରନ୍ ମଧ୍ୟରେ ଦଳ ଦୁଇ ଓପନରଙ୍କ ୱିକେଟ୍ ହରାଇଥିଲା। ଏହାପରେ ରବିବାର ଆଉ କୌଣସି ୱିକେଟ୍ ପଡ଼ିବାକୁ ଦେଇ ନ ଥିଲେ ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ବର ପୂଜାରା। ଷ୍ଟମ୍ପ୍ସ ଅପସାରଣ ବେଳକୁ ଉଭୟ ଦଳୀୟ ସ୍କୋରକୁ ୯୮ରେ ପହଞ୍ଚାଇସାରିଥିଲେ।

ପୂର୍ବରୁ ପ୍ରଥମ ଇନିଂସରେ ୯୪ ରନରେ ଆଗୁଆ ଥିବା ଅଷ୍ଟ୍ରେଲିଆ ମ୍ୟାଚର ୩ୟ ଦିନର ଖେଳକୁ ୨ ୱିକେଟ୍ ବିନିମୟରେ ୧୦୩ ରନରେ ଶେଷ କରିଥିଲା। ରବିବାର ଏହିଠାରୁ ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ୍ ଓ ଷ୍ଟିଭେନ୍ ସ୍ମିଥ୍ ଖେଳ ଆରମ୍ଭ କରିଥିଲେ। ଉଭୟ ୧୦୩ ରନର ଭାଗିଦାରୀ କରିବା ପରେ ଲାବୁଶେନ୍ ୯ଟି ଚୌକା ସହ ୭୩ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କୁ ଡେବ୍ୟୁଟାଣ୍ଟ୍ ନବଦୀପ ସୈନୀ ୱିକେଟକିପର୍ ଋଦ୍ଧିମାନ୍ ସାହାଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ। ପରେ ମାଥ୍ୟୁ ୱେଡ୍ ମାତ୍ର ୪ ରନ୍ କରି ସୈନୀଙ୍କ ଦ୍ବିତୀୟ ଶିକାର ବନିଥିଲେ। କିନ୍ତୁ ପଞ୍ଚମ ୱିକେଟରେ ସ୍ମିଥ୍ ଓ କାମେରନ୍ ଗ୍ରୀନ୍ ୬୦ ରନ୍ ଯୋଡ଼ିବା ପରେ ସ୍ମିଥ ବ୍ୟକ୍ତିଗତ ଭାବେ ୮୧ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କର ଏହି ଇନିଂସରେ ୮ଟି ଚୌକା ସହ ଗୋଟିଏ ଛକା ମଧ୍ୟ ଥିଲା। ଷଷ୍ଠ ୱିକେଟ୍ ପାଇଁ ମଧ୍ୟ ଗ୍ରୀନ୍ ଅଧିନାୟକ ପେନ୍‌ଙ୍କ ସହ ଅବିଭାଜିତ ୧୦୪ ରନ୍ ଯୋଡ଼ିଥିଲେ। ସେ ନିଜ ଟେଷ୍ଟ୍ କ୍ୟାରିଅରର ପ୍ରଥମ ଅର୍ଦ୍ଧଶତକ ପୂରଣ କରିବା ସହ ବ୍ୟକ୍ତିଗତ ଭାବେ ୮୪ ରନ୍ କରି ଜସପ୍ରୀତ୍ ବୁମରାଙ୍କ ଏକମାତ୍ର ଶିକାର ହୋଇଥିଲେ। ତାଙ୍କର ଏହି ଇନିଂସରେ ୮ଟି ଚୌକା ଓ ୪ଟି ଛକା ରହିଥିବା ବେଳେ ପେନ୍ ୬ଟି ଚୌକା ସହ ୩୯ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ସୈନୀଙ୍କ ବ୍ୟତୀତ ରବିଚନ୍ଦ୍ରନ୍ ଅଶ୍ବିନୀ ୨ଟି ଏବଂ ମହମ୍ମଦ ସିରାଜ୍ ଗୋଟିଏ ୱିକେଟ୍ ନେଇଥିଲେ। ସୂଚନାଯୋଗ୍ୟ ଯେ ଅଦ୍ୟାବଧି ସିରିଜ୍ ୧-୧ରେ ଡ୍ର’ ରହିଥିବା ବେଳେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ୍ ଆସନ୍ତା ୧୫ରୁ ବ୍ରିସବେନଠାରେ ଖେଳାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ