ସ୍ମାର୍ଟସିଟିରେ ବେପାରର ନୂଆ ତରିକା: ବିଜନେସ ଅନ ହ୍ବିଲ


ଭୁବନେଶ୍ବରରେ ବିଜନେସ ଅନ ହ୍ବିଲ
ସ୍ମାର୍ଟସିଟିରେ ସ୍ମାର୍ଟ ବ୍ୟବସାୟ। ନୂଆ କୌଶଳ ଆପଣାଇଛନ୍ତି ବ୍ୟବସାୟୀ। ଉପଭୋକ୍ତା ବି ଦେଉଛନ୍ତି ଭରପୂର ସମର୍ଥନ। ରାଜଧାନୀରେ ଏବେ ଭଳିକି ଭଳି ଖାଦ୍ୟ ଠାରୁ ମେଡିସିନ ଆଉ ଅଗରବତି ଠାରୁ ପତ୍ରପତ୍ରିକା,ବହି ଓ ଚା’ ଠାରୁ ପାନଦୋକାନ ଓ ଗ୍ୟାରେଜ ପର୍ଯ୍ୟନ୍ତ ଅନେକ ଧନ୍ଦା ଏବେ ଭ୍ରାମ୍ୟମାଣ ସୁବିଧା ଦେଉଛି। ଘରଭଡ଼ାର ଝିନଝଟ ନାହିଁ। ବେଦଖଲ କରାଯିବାର ଆଶଙ୍କା ନାହିଁ। ଏ ବ୍ୟବସ୍ଥା ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କୁ ସୁବିଧା ଦେଇଛି।

ଗାଡ଼ିରେ ଗ୍ୟାରେଜ
ଅଟୋ ଭିତରେ ସଜା ହୋଇ ରହିଛି ଦୁଇଚକିଆ ଯାନ ମରାମତିର ସବୁ ସରଞ୍ଜାମ। ରେଞ୍ଚି, ପେଚ ଠାରୁ ନଟବୋଲ୍ଟ, ପେଚକସ ଯାଏ। ୟୁନିଟ-୮ ଡିଏଭି ସ୍କୁଲ ପାଖରେ ଅଟୋକୁ ଗ୍ୟାରେଜ କରି ସେବା ଯୋଗାଉଥିବା ମେକାନିକ ହେଉଛନ୍ତି ଲିଙ୍ଗରାଜ ସାହୁ। ସେ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଗ୍ୟାରେଜ କରିଥିଲେ। କିନ୍ତୁ ବିଏମସି ସେହି ଜାଗାରୁ ହଟାଇ ଦେବା ପରେ ଲିଙ୍ଗରାଜ ଅଟୋକୁ କରିଛନ୍ତି ଭ୍ରାମ୍ୟମାଣ ଗ୍ୟାରେଜ। ସକାଳ ପାହିବା ମାତ୍ରେ ଅଟୋ ଗ୍ୟାରେଜକୁ ଡିଏଭି ସ୍କୁଲ ସନ୍ନିକଟ ଛକ ନିକଟକୁ ନେଇଆସନ୍ତି। ଆଉ ଅପେକ୍ଷା କରନ୍ତି ଉପଭୋକ୍ତାଙ୍କ କଲକୁ। ସହରରେ ଅନେକ ଲୋକଙ୍କ ମୋବାଇଲରେ ଅଟୋ ଗ୍ୟାରେଜ ପରିଚାଳକ ଲିଙ୍ଗରାଜ ବାବୁଙ୍କ ନାଁ ଓ ନମ୍ବର ଫିଡ ହୋଇ ରହିଛି। ଯାନ ଚାଳକଙ୍କ ଗାଡ଼ି ବାଟରେ ଖରାପ ହେଲେ ଗୋଟିଏ କଲରେ ଅଚଳ ଗାଡ଼ି ନିକଟରେ ପହଞ୍ଚୁଛି ଗ୍ୟାରେଜ। ରାଜଧାନୀରେ ଏଭଳି ଭ୍ରାମ୍ୟମାଣ ଗ୍ୟାରେଜ ସୁବିଧା ସହରବାସୀଙ୍କୁ ବେଶ ସହାୟକ ହୋଇଛି। ରାସ୍ତାରେ ଅଟକି ଯାଉଥିବା ଗାଡ଼ିକୁ ଗ୍ୟାରେଜକୁ ଠେଲି ଠେଲି ନେବାର ଛବି ଏବେ ଆଉ ଦେଖିବାକୁ ମିଳୁନି।

ଓମନି ଗାଡ଼ିରେ ପଙ୍କଚର ସେବା
ରାଜଧାନୀ ଭୁବନେଶ୍ବର ସହର ଭିତରେ ଗାଡ଼ି ଚଳାଉଛନ୍ତି କି? ତେବେ ଜାଣିରଖନ୍ତୁ ନୀଳାଦ୍ରି ବିହାର ଅଞ୍ଚଳରେ ରହୁଥିବା ଉଦୟ ହରି ପାତ୍ରଙ୍କ କଥା। ସେ ନିଜର ଏକ ଓମନି ଗାଡ଼ିରେ ପଙ୍କଚର ସାଜ ସରଞ୍ଜାମ ଧରି କେବେ ପଟିଆ ତ କେବେ ଡମଣା ଛକ ଓ ଆଉ କେବେ ନୀଳାଦ୍ରି ବିହାର ତ କେବେ ଶୈଳଶ୍ରୀ ବିହାର ଛକ ଆଖପାଖରେ ଥାଆନ୍ତି। ଖବର ପାଇ ସେ ପଙ୍କଚର ହୋଇଥିବା ଗାଡ଼ି ନିକଟକୁ ଯାଇ ସେବା ଯୋଗାଇ ଦିଅନ୍ତି। ଦୂର ଜାଗାକୁ ଯିବା, ଅବେଳରେ ଯାଇ ସେବା ଯୋଗାଇ ଦେବା କ୍ଷେତ୍ରରେ ସେ ପାରିଶ୍ରମିକ ଟିକେ ଅଧିକ ଦାବି କରୁଥିଲେ ବି ସେବା ଦେବାରେ କେବେ ମନା କରିନାହାନ୍ତି।

ଭ୍ରାମ୍ୟମାଣ ବହି ଦୋକାନ
ଶୈଳଶ୍ରୀ ବିହାର ଅଞ୍ଚଳରେ ରହନ୍ତି ହର୍ଷବର୍ଦ୍ଧନ ରଥ। ନିଜର ଏକ ଗାଡ଼ିକୁ ସେ ଦେଇଛନ୍ତି ଭ୍ରାମ୍ୟମାଣ ବହି ଓ ପତ୍ରପତ୍ରିକା ଦୋକାନର ଲୁକ। ସହରର ପ୍ରମୁଖ ଅଞ୍ଚଳରେ ଗାଡ଼ିକୁ ଛିଡ଼ା କରାଇ ଗ୍ରାହକଙ୍କୁ ଆକର୍ଷିତ କରନ୍ତି। ଏଭଳି କୌଶଳ ନୂଆ ଓ ଚ୍ୟାଲେଞ୍ଜପୂର୍ଣ୍ଣ। ନିୟମିତ ଗ୍ରାହକ ବଦଳରେ ନୂଆ ନୂଆ ଗ୍ରାହକଙ୍କୁ ଭେଟି ହୋଇଥାଏ ବୋଲି କହନ୍ତି ହର୍ଷବର୍ଦ୍ଧନ।

ଖାଦ୍ୟ ଗାଡ଼ିର ଭିଡ଼
ରାଜଧାନୀର ବହୁଚର୍ଚ୍ଚିତ ଖାଉଗଳିରେ ଭଳିକି ଭଳି ଭ୍ରାମ୍ୟମାଣ ଖାଦ୍ୟ ଗାଡ଼ି ଦେଖାଯାଏ। ଏଥିସହ ରାମମନ୍ଦିର ପାର୍ଶ୍ବ ସେଣ୍ଟ ଜାଭିୟର୍ସ ସ୍କୁଲ ଗଳିରେ ଧାଡ଼ିକୁ ଧାଡ଼ି ୨୦ରୁ ଅଧିକ ଖାଦ୍ୟ ଗାଡ଼ି ରାଜଧାନୀର ଯୁବବର୍ଗଙ୍କ ପାଇଁ ପ୍ରମୁଖ ଆକର୍ଷଣ।
ବଦଳୁଥିବା ସହରରେ ନୂଅ ନୂଆ କୌଶଳ ଆପଣାଇ ଗଢ଼ିଉଠୁଛି ବ୍ୟବସାୟିକ ସଂସ୍ଥା। ସମ୍ପ୍ରତି ଭ୍ରାମ୍ୟମାଣ ବ୍ୟବସାୟ ଏବେ ସହରର ନୂଆ ପରିଚୟ ଯୋଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ