ସ୍ବଦେଶୀ ଅସ୍ତ୍ରରେ ଲଢ଼ି ଜିତି ହେବ କି ଯୁଦ୍ଧ?


ହତିଆର ସହ ଶତ୍ରୁ ଉପରେ ସେନାର ନଜର
ଆମେ ଆମର ଆଗାମୀ ଯୁଦ୍ଧ ସ୍ବଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ନେଇ ଲଢ଼ିବୁ ଏବଂ ବିଜୟୀ ହୋଇପାରିବୁ ବୋଲି ତିନି ବାହିନୀର ମୁଖ୍ୟ (ସିଡିଏସ) ଜେନେରାଲ ବିପିନ ରାୱତ କହିଛନ୍ତି। ଡିଫେନ୍ସ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ (ଡିଆରଡିଓ) ନିର୍ମିତ ଅସ୍ତ୍ରଶସ୍ତ୍ର ଓ କୌଶଳ ଜରିଆରେ ଦେଶର ସାମରିକ ସେବାର ଆବଶ୍ୟକତା ପୂରଣ ଆଡ଼କୁ ଦେଶ ଦ୍ରୁତଗତିରେ ଅଗ୍ରସର ହେଉଛି। ଏହା ଭାରତ ସରକାରଙ୍କ ଏକ ସଂସ୍ଥା ଯିଏକି ସେନା ପାଇଁ ବିକାଶ ଓ ଗବେଷଣା ପାଇଁ ସମର୍ପିତ ବୋଲି ରାୱତ କହିଛନ୍ତି।

ଡିଆରଡିଓ ନିକଟରେ ୫୨ଟି ପ୍ରୟୋଗଶାଳା ରହିଛି। ଓଡ଼ିଶାର ଚାନ୍ଦିପୁର ଠାରେ ମଧ୍ୟ ଏଭଳି ଏକ କେନ୍ଦ୍ର ଅତ୍ୟନ୍ତ ସଫଳତାର ସହ ଅନେକ କ୍ଷେପଣାସ୍ତ୍ରର ବିକାଶ ଓ ପରୀକ୍ଷା ନିରୀକ୍ଷା ଚଳାଇଛି। ଏସବୁ ପ୍ରୟୋଗଶାଳା ଗୁଡ଼ିକରେ ଏରୋନଟିକ୍ସ, ନାଭାଲ ସିଷ୍ଟମ, କ୍ଷେପଣାସ୍ତ୍ର, ଇଲେକ୍ଟ୍ରୋନିକ୍ସ ଯୁଦ୍ଧାସ୍ତ୍ର ଏବଂ ଲ୍ୟାଣ୍ଡ କମ୍ବାଟ ଇଞ୍ଜିନିୟରିଂ ଭଳି କ୍ଷେତ୍ର ଗୁଡ଼ିକରେ ଗବେଷଣା ଓ ବିକାଶ କାର୍ଯ୍ୟ  ସମ୍ପାଦିତ ହୋଇଥାଏ। ସେନା ପ୍ରମୁଖଙ୍କ କହିବା କଥା ପ୍ରତିରକ୍ଷା ଉଦ୍ୟୋଗ ବିକଶିତ ହେବାରେ ଲାଗିଛି ଏବଂ ସମୟ ଆସିଯାଇଛି ଭବିଷ୍ୟତର ଯୁଦ୍ଧରେ ବ୍ୟବହାର କଲାଭଳି ପ୍ରଣାଳୀର ବିକାଶ କରାଯିବ।

ଡିଆରଡିଓ ଅନେକ ପ୍ରକାର ପ୍ଲାଟଫର୍ମ ସେନ୍ସର, ଅସ୍ତ୍ରଶସ୍ତ୍ର, ସେନାକୁ ସହାୟତା କରିପାରୁଥିବା ଭଳି ପ୍ରଣାଳୀ ନିଜେ ତିଆରି କରିଥାଏ। କିନ୍ତୁ ଏଥିରେ ମଧ୍ୟ କେତେକ ସିଷ୍ଟମ ଏଭଳି ରହିଛି ଯାହାକୁ ତିଆରି କରିବା ପାଇଁ କେତେକ ଆମଦାନି ଉପରେ ନିର୍ଭର କରିବାକୁ ପଡ଼େ। ୨୦୧୬ରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଦ୍ବାରା ରାଜ୍ୟସଭାରେ ଦିଆଯାଇଥିବା ଲିଖିତ ସୂଚନା ଅନୁଯାୟୀ ରାଡାରରୁ ଆରମ୍ଭ କରି ଅଗ୍ନି, ପ୍‌ଥ୍ବୀ ଏବଂ ବ୍ରହ୍ମୋସ ଯାଏ ଅନେକ କ୍ଷେପଣାସ୍ତ୍ର ତିଆରି ବେଳେ ଉପକରଣ ବାହାରୁ ଆମଦାନି କରାଯାଇଛି। ଅଗ୍ନି କ୍ଷେପଣାସ୍ତ୍ର ନିର୍ମାଣ ବେଳେ ୧୫ ପ୍ରତିଶତ ଉପକରଣ, ପ୍‌ଥିବୀ ପାଇଁ ୧୫ ପ୍ରତିଶତ, ଆକାଶ ପାଇଁ ୧୦ ପ୍ରତିଶତ, ନାଗ ପାଇଁ ୩୦ ପ୍ରତିଶତ ଯନ୍ତ୍ରାଂଶ ବାହାରୁ ଆମଦାନି କରିଥିଲା ଡିଆରଡିଓ। ପାଇଲଟ ବିହୀନ ବିମାନ ଲକ୍ଷ୍ୟ ପାଇଁ ୫ରୁ ୭ ପ୍ରତିଶତ, ରିମୋଟରେ ପରିଚାଳିତ ଯାନ ‘ନିଶାନ୍ତ’ ପାଇଁ ୧୦ ପ୍ରତିଶତ, ବ୍ରହ୍ମୋସ ପାଇଁ ୬୫ ପ୍ରତିଶତ ଦୂରଗାମୀ ମାଟିରୁ ଆକାଶକୁ କ୍ଷେପଣାସ୍ତ୍ର ପାଇଁ ୬୦ ପ୍ରତିଶତ ଯନ୍ତ୍ରାଂଶ ଡିଆରଡିଓ ବାହାରୁ ମଗାଇଥିଲା। ଏଭଳି ସ୍ଥିତି ଥିବା ବେଳେ ଭାରତୀୟ ସ୍ଥଳ ସେନାର ମୁଖ୍ୟ ଆଗାମୀ ଯୁଦ୍ଧରେ ସ୍ବଦେଶୀ ଅସ୍ତ୍ରରେ କିଭଳି ଯୁଦ୍ଧ ଲଢ଼ାଯିବ ଓ ବିଜୟ ହାସଲ ହେବ ତାକୁ ନେଇ ଉଠିଛି ପ୍ରଶ୍ନ। ପ୍ରତିରକ୍ଷା ବିଶେଷଜ୍ଞ ମାନଙ୍କ କହିବା କଥା ଏଭଳି କହିବା ପଛର କାରଣ ହେଉଛି ଡିଆରଡିଓର ମନୋବଳ ବ୍‌ଦ୍ଧି।

ଡିଆରଡିଓର ବଢ଼ିବ ମନୋବଳ
ଆଗାମୀ ୩୦-୪୦ ବର୍ଷ ମଧ୍ୟରେ ଡିଆରଡିଓର ଭୂମିକା ଗୁରୁତ୍ବପୂର୍ଣ୍ଣ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ ଇନ ଇଣ୍ଡିଆ ଏବଂ ଭାରତରେ ଗବେଷଣା ଓ ବିକାଶକୁ ପ୍ରମୁଖ ପ୍ରାଥମିକତା ଦେଉଥିବାରୁ ଏହି ସଂସ୍ଥାରେ ଏବେ ସ୍ବଦେଶୀ ସୁରକ୍ଷା ସାମଗ୍ରୀ ଉପକରଣ ନିର୍ମାଣକୁ ଗୁରୁତ୍ବ ଦିଆଯାଉଛି। ସମ୍ପ୍ରତି ପ୍ରତିରକ୍ଷା ସହ ଜଡ଼ିତ ପିଏସୟୁ ଯଥା ଶିପୟାର୍ଡ, ଏଚଏଏଲ ଏବଂ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବିଶେଷ କ୍ଷମତାପନ୍ନ ହୋଇପାରି ନାହିଁ। ଡିଆରଡିଓ ଏବେ ବ୍ୟାପକ ଭାବରେ ଅତ୍ୟାବଶ୍ୟକ ଉପକରଣ ତାଲିକା ତିଆରି କରି ସେସବୁର ବିକାଶ ପାଇଁ ପ୍ରୟାସ କରୁଛି।

କ୍ଷେପଣାସ୍ତ୍ର ଛଡ଼ା ଆଉ ଅଧିକ ଅସ୍ତ୍ର ଆବଶ୍ୟକ
ସିଡିଏସ ଅଧ୍ୟକ୍ଷ ଜେନେରାଲ ରାୱତ ଅସ୍ତ୍ରଶସ୍ତ୍ର ଆଧାରିତ ଯୁଦ୍ଧରେ ବିଜୟୀ ହେବାର ସୂଚନା ଦେଇଥିଲେ। ଡିଆରଡିଓ ପକ୍ଷରୁ ଆକାଶ, ପ୍‌ଥ୍ବୀ, ବ୍ରହ୍ମୋସ କ୍ଷେପଣାସ୍ତ୍ର, ପିନାକ ଏମକେ-୧, ଟାରପୋଡୋ, ଆଡଭାନ୍ସ ଲାଇଟ ଏବଂ ହେଭିୱେଟ ସିପ ଲଞ୍ଚ ଟାରପୋଡ଼ ବରୁଣ ଅସ୍ତ୍ର ଆଦି ସଂଶ୍ଲିଷ୍ଟ। ଡିଆରଡିଓ କ୍ଷେପଣାସ୍ତ୍ର କ୍ଷେତ୍ରରେ ବେଶ ସଫଳ। କିନ୍ତୁ କେବଳ କ୍ଷେପଣାସ୍ତ୍ର ବଳରେ ଯୁଦ୍ଧ ଲଢ଼ାଯାଇ ପାରିବ ନାହିଁ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆବଶ୍ୟକ। କ୍ଷେପଣାସ୍ତ୍ରକୁ ଫାୟାର କରିବାକୁ ହେଲେ ଯେଭଳି ହେଲିକପ୍ଟରର ଆବଶ୍ୟକତା ଅଛି, ସେଭଳି ପ୍ରକାରର ଉପକରଣ ଯୁଦ୍ଧ ପାଇଁ ଜରୁରୀ। ସ୍ଥଳସେନାକୁ ତୋପ ଏବଂ ଟ୍ୟାଙ୍କରର ମଧ୍ୟ ଆବଶ୍ୟକତା ରହିଛି।

୧୫-୨୦ ବର୍ଷରେ ଏକଥା ସମ୍ଭବ ହେବ
ଜଳ ଜାହାଜ ଗୁଡ଼ିକର ଚାଳନା ପାଇଁ ଭଲ ଇଞ୍ଜିନର ଆବଶ୍ୟକତା ରହିଛି। ଏହି କ୍ଷେତ୍ରରେ ଭାରତ ଧୀରେ ଧୀରେ ଆଗକୁ ବଢ଼ୁଛି। ଜଳ ଜାହାଜ ଗୁଡ଼ିକୁ ଯୁଦ୍ଧ ଲଢ଼ିବାର ସାମର୍ଥ୍ୟ ବ୍‌ଦ୍ଧି କରିବା ଦରକାର। ଏଥିପାଇଁ ବନ୍ଧୁକ, କ୍ଷେପଣାସ୍ତ୍ର, ରାଡାରର ଆବଶ୍ୟକତା ରହିଛି। ଏବେ ଆମ ପାଖରେ ଯେତେ ଜାହାଜ ତିଆରି ହେଉଛି ଏହାର ୮୦ରୁ ୯୦ ପ୍ରତିଶତ ଉପକରଣ ଆମକୁ ବାହାରୁ ଆମଦାନି କରିବାକୁ ପଡ଼ୁଛି। ଆମେ ଏସବୁ ତିଆରି କରିବାକୁ ଆଜିଠୁ ପ୍ରସ୍ତୁତ ହେଲେ ଆଗାମୀ ୧୫-୨୦ ବର୍ଷରେ ସକ୍ଷମ ହୋଇପାରିବା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ