ଇନଜୁରୀ ଟାଇମ ଗୋଲରେ ଗୋଆ ବିଜୟୀ, ପରାଜୟ ଦୋଷନେଲେ ମାର୍କ୍ବେଜ୍


ଏଫସି ଗୋଆ ଓ ହାଇଦ୍ରାବାଦ ଏଫସି ମ୍ୟାଚର ଏକ ରୋମାଞ୍ଚକର ଦୃଶ୍ୟ
ଚଳିତ ଆଇଏସ୍ଏଳ-୭ର ୨୦୨୦ ବର୍ଷ ପାଇଁ ମ୍ୟାଚ୍ ଶେଷ ହୋଇଛି। ସ୍ଥାନୀୟ ତିଲକ ମୈଦାନଠାରେ ବର୍ଷର ଶେଷ ମ୍ୟାଚ ଅର୍ଥାତ୍ ସଂସ୍କରଣର ୪୩ତମ ମ୍ୟାଚ୍‌ଟି ଏଫସି ଗୋଆ ଓ ହାଇଦ୍ରାବାଦ ଏଫସି ମଧ୍ୟରେ ଖେଳାଯାଇଛି। ଏଥିରେ ୨-୧ ଗୋଲରେ ବିଜୟୀ ହୋଇଛି ଏଫସି ଗୋଆ। ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ହେଁ ଇନଜୁରୀ ଟାଇମ୍ ଗୋଲରେ ପୂର୍ଣ୍ଣ ପାଏଣ୍ଟ୍ ହାତେଇବାରେ ଏଫସି ଗୋଆ ସକ୍ଷମ ହୋଇଥିଲା। ନବମ ମ୍ୟାଚରେ ଦଳ ତା’ର ଚତୁର୍ଥ ବିଜୟ ସହ ସର୍ବମୋଟ ୧୪ ପଏଣ୍ଟ୍ ସହ ଟେବୁଲରେ ୩ୟ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ହାଇଦ୍ରାବାଦ ତା’ର ଅଷ୍ଟମ ମ୍ୟାଚ୍ ଶେଷ ସୁଦ୍ଧା ୯ ପଏଣ୍ଟ୍ ପାଇ ଟେବୁଲରେ ଅଷ୍ଟମ ସ୍ଥାନରେ ରହିଛି। ଏଥିସହ ଦଳ କ୍ରମାଗତ ୩ୟ ପରାଜୟ ବରଣ କରିଛି। ତେବେ ଦଳର ପରାଜୟ ପାଇଁ ହାଇଦ୍ରାବାଦ ଏଫସି ମୁଖ୍ୟ କୋଚ୍ ମାନୁଏଲ୍ ମାର୍କ୍ବେଜ୍ ନିଜକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଏହି ମ୍ୟାଚଟି ଦଳ କେବଳ ତାଙ୍କ ଭୁଲ୍ ପାଇଁ ହିଁ ହାରିଲା। ମ୍ୟାଚରେ ହାଇଦ୍ରାବାଦ ସ୍ଥିତି ସମ୍ପୂର୍ଣ୍ଣ ପଏଣ୍ଟ୍ ଅର୍ଜନ କରିବା ଭଳି ଥିଲା। ମ୍ୟାଚଟି ସମ୍ପୂର୍ଣ୍ଣ ଭାବେ ଦଳ ନିୟନ୍ତ୍ରଣରେ ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଦଳ ନିୟନ୍ତ୍ରଣ ହରାଇବା ଫଳରେ ଏଫସି ଗୋଆର ପଲା ଭାରୀ ହୋଇଥିଲା। ଶେଷ ମୁହୂର୍ତ୍ତରେ ଡବଲ୍ ଗୋଲ୍ ଦେଇ ଗୋଆ ଆମଠାରୁ ମ୍ୟାଚ୍ ଛଡ଼ାଇନେଲା ବୋଲି ମାର୍କ୍ବେଜ୍ କହିଛନ୍ତି।

ମ୍ୟାଚର ପ୍ରଥମାର୍ଦ୍ଧରେ କୌଣସି ଗୋଲ୍ ହୋଇ ନ ଥିଲେ ହେଁ ଦ୍ବିତୀୟାର୍ଦ୍ଧରେ ତାରକା ଖେଳାଳି ଆରିଡେନ୍ ସାଣ୍ଟାନା ହାଇଦ୍ରାବାଦକୁ ୧-୦ରେ ଆଗୁଆ କରାଇଥିଲେ। ତେବେ ମ୍ୟାଚର ୮୬ତମ ମିନିଟ୍ ପର୍ଯ୍ୟନ୍ତ ଦଳ ତା’ର ଅଗ୍ରଣୀ ଜାରି ରଖିଥିଲେ ହେଁ ୮୭ତମ ମିନିଟରେ ଗୋଆ ଟିମର ଇଶାନ୍ ପଣ୍ଡିତ ଗୋଲ୍ ଦେଇ ସ୍ଥିତିକୁ ବରାବର କରିଥିଲେ। ଏହାପରେ ଇନଜୁରୀ ଟାଇମର ପ୍ରଥମ ମିନିଟ୍ ଅର୍ଥାତ୍ ୯୦+୧ ମିନିଟ୍‌ରେ ଇଗୋର୍ ଆଙ୍ଗୁଲୋ ଦ୍ବିତୀୟ ଗୋଲ୍ ଦେଇଥିଲେ। ପରବର୍ତ୍ତୀ ସମୟରେ ଆଉ କୌଣସି ଗୋଲ୍ ଦେବାରେ ସକ୍ଷମ ନ ହେବାରୁ ହାଇଦ୍ରାବାଦ ପୁଣିଥରେ ପରାସ୍ତ ହୋଇଥିଲା। ନୂଆବର୍ଷ ପରିପ୍ରେକ୍ଷୀରେ ଗୁରୁବାର ଓ ଶୁକ୍ରବାର କୌଣସି ମ୍ୟାଚ୍ ଖେଳାଯିବ ନାହିଁ। ସଂସ୍କରଣର ପରବର୍ତ୍ତୀ ମ୍ୟାଚଟି ଆସନ୍ତା ଶନିବାର ମୁମ୍ବାଇ ସିଟି ଏଫସି ଓ କେରଳ ବ୍ଲାଷ୍ଟର୍ ଏଫସି ମଧ୍ୟରେ ଜିଏମସି ଷ୍ଟାଡିୟମ୍ ବାମ୍ବୋଲିମ୍‌ଠାରେ ରାତି ସାଢ଼େ ୭ଟା ବେଳେ ଖେଳାଯିବ। ସଂସ୍କରଣର ଲିଗ୍ ମ୍ୟାଚ୍‌ଗୁଡ଼ିକ ଆସନ୍ତା ଜାନୁଆରୀ ୧୧ ତାରିଖରେ ଶେଷ ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ