ସ୍ବତନ୍ତ୍ର ପ୍ରସଙ୍ଗ

ବାହାଘର ହେଲା ଶୁଦ୍ଧଘର: ଲୁହରେ ଭିଜିଲା ଡଙ୍କଲପାଡ଼ୁ

ଝିଅ ଘର ଅନାଇ ବସିଥିଲେ ପୁଅ ଘର ଲୋକଙ୍କୁ। ପୁଅ ଘର ଲୋକେ ଆସିବେ ଆଉ ଝିଅ ହାତରେ ମୁଦି ପିନ୍ଧାଇବେ। ପୁଅର ଆସିବା ବାଟକୁ ଚାହିଁ ବସିଥିବା ଝିଅ ଆଖିରେ ମଧ୍ୟ ଅସୁମାରୀ ସ୍ବପ୍ନ। ଜୀବନର ସେଇ ଅଭୂଲା ମୁହୂର୍ତ୍ତକୁ ଅପେକ୍ଷା କରି ରହିଛି ଝିଅ। ଏପଟେ ସାହାନାଈ ବାଜିଛି। ଶଙ୍ଖ, ହୁଳହୁଳି ପଡ଼ିଛି। ସଜାହୋଇ ରହିଛି ନିର୍ବନ୍ଧ ସଜ। ନିର୍ବନ୍ଧ ପାଇଁ ପ୍ରସ୍ତୁତ ହୋଇ ସାରିଛି ଭଳିକି ଭଳି ଭାର। ନୂଆ ବୋହୂ ପାଇଁ ଶାଢ଼ି, ଶଙ୍ଖା, ସିନ୍ଦୁର, ଫୁଲ ଏବଂ ବିଭିନ୍ନ ପ୍ରକାର ଖାଦ୍ୟ, ଫଳ, ମିଠା, ନଡ଼ିଆ ଆଦି ସଜା ହୋଇ ରହିଛି। ସମସ୍ତେ ଖୁସିରେ ଥାଳି ଧରି ବସ୍‌ରେ ବସି ଖୁସି ମନରେ କନ୍ୟାଘର ଅଭିମୁଖେ ବାହାରିଛନ୍ତି। ମାତ୍ର କିଏ ଜାଣିଥିଲା ବାଟରେ ଛକି ବସିଥିଲା ମୃତ୍ୟୁ। ବିଦ୍ୟୁତ୍‌ ଫାଶ ହୋଇ ନେଇଯିବ ଜୀବନ। କେଇ ମୁହୂର୍ତ୍ତ ଭିତରେ ମାଙ୍ଗଳିକ କାର୍ଯ୍ୟ ପରିଣତ ହୋଇଗଲା ଶୋକାକୁଳ ପରିବେଶରେ। ବସ୍‌ ଭିତରେ ଜଳିଗଲେ ୧୦ ଜଣ। ଛିନ୍‌ଛତ୍ର ହୋଇଗଲା ନିର୍ବନ୍ଧ ଭାର ଆଉ ସମ୍ପର୍କର ମିଠା ମୁହଁମାଡ଼ି ପଡ଼ିଛି। କନ୍ୟା ପାଇଁ ନେଇ ଯାଉଥିବା ଶାଢି ବି ପୋଡ଼ି ଯାଇଛି। ଖବର ପ୍ରଚାର ହେବା କ୍ଷତି ନିରବୀ ଗଲା ବାଜୁଥିବା ସାହାନାଈ। ଭୋଜିଭାତରେ ମସଗୁଲ୍‌ ଲୋକମାନେ ହତବାକ୍‌ ହୋଇପଡ଼ିଲେ। ସେପଟେ ଦୁର୍ଘଟଣା ପରେ ବସ୍‌ ଭିତରର କରୁଣ ଚିତ୍ର ସମସ୍ତଙ୍କ ଛାତିକୁ ଭାରି କରିଛି। ଉଭୟ ଗ୍ରାମରେ ଏକ ପ୍ରକାର ନିସ୍ତବ୍ଧତାର ଛାୟା ଖେଳିଯାଇଛି। ତେବେ ଏଭଳି ଅଘଟଣ ପାଇଁ ଦାୟୀ କିଏ? ଦୋଷ କାହାର ଏବେ ଏସବୁକୁ ନେଇ ଅସମାହିତ ପ୍ରଶ୍ନ।

ପ୍ରିୟଙ୍କାଙ୍କୁ ମନେରଖିବ ସାରା ଦୁନିଆ: ଦୁଇଟି ପିଣ୍ଡରେ ଭରି

ମର୍ତ୍ତ୍ୟରେ ଯିଏ ଜନ୍ମ ନିଏ, ସିଏ ନିଶ୍ଚିତ ମୃତ୍ୟୁବରଣ କରେ। ହେଲେ ଏ ଦୁନିଆରେ ଏମିକି ଅନେକ ମଣିଷ ଅଛନ୍ତି, ଯାହାଙ୍କ ମହତ କାର୍ଯ୍ୟ ଓ ମାନବିକତା ତାଙ୍କୁ ଚିର ଅମର କରିଦିଏ। ଯିଏ ନିଜେ ଜଳି ଅନ୍ୟକୁ ଆଲୋକ ଦେଖାଏ, ସେ ହିଁ ଲୋକଙ୍କ ହୃଦୟରେ ଚିରଦିନ ଲାଗି ସ୍ଥାନ ପାଇଥାଏ। ଓଡ଼ିଶାରେ ଏଭଳି ଦୁଇ ଦୁଇଟି ଉଦାହରଣ ଦେଖିବାକୁ ପାଇଛନ୍ତି ସମଗ୍ର ଦେଶବାସୀ। ପ୍ରଥମେ ସୂରଜ ଓ ଏବେ ପ୍ରିୟଙ୍କା। ମୃତ୍ୟୁ ପରେ ବି ଏ ଦୁହେଁ ଏବେ ଅମର। ଫେବ୍ରୁଆରୀ ୪ ତାରିଖରେ ମୃତ୍ୟୁ ପରେ ଅଙ୍ଗଦାନ କରି ଦୁଇ ଦୁଇଟି ଅମୂଲ୍ୟ ଜୀବନ ବଞ୍ଚାଇଛନ୍ତି ପ୍ରିୟଙ୍କା। ମୃତ୍ୟୁପରେ ମୃତକଙ୍କ ଶରୀରକୁ କ୍ଷତିବିକ୍ଷତ କରିବା ବା ଏଥିରେ ହାତ ଲଗାଇବାକୁ ନେଇ ଅନେକ ପଛଘୁଞ୍ଚା ଦେଉଥିବା ବେଳେ ଏମିତି ଏକ ମହତ କାମ କରି ପ୍ରଶଂସାର ପାତ୍ର ପାଲଟିଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାର ଲୋକେ। ଏଥିସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ ପାଲଟିଛନ୍ତି ପ୍ରେରଣାର ଉତ୍ସ।

କଲ୍ୟାଣମଣ୍ଡପ ସିଲ୍‌ ଅଭିଯାନ ପ୍ରଶ୍ନବାଚୀ: ଅନୁରୂପ
ଡ୍ରାଗନକୁ ଡରାଉଛି କୋରୋନା: ସାରା ବିଶ୍ବରେ ବି ହଟଚମଟ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୋରୋନା ଭାଇରସକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରାଯାଇଛି। ଚୀନରେ ବର୍ତ୍ତମାନ ସୁଦ୍ଧା ଏହି ଭାଇରସ ଖେଳିଯାଇଛି। ଡବ୍ଲ୍ୟୁଏଚ୍‌ଓର ସଦ୍ୟ ରିପୋର୍ଟ ଅନୁସାରେ ସାରା ବିଶ୍ବରେ କୋରୋନା ଭାଇରସର ୭୮୦୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ଭାଇରସର ଆରମ୍ଭ ଚୀନର ଉହାନ ସହରରେ ଏକ ଅବୈଧ ୱାଇଲ୍ଡ ଲାଇଫ ମାର୍କେଟରୁ ହୋଇଛି। ଚୀନ ବ୍ୟତୀତ ବିଶ୍ବର ଭିନ୍ନ ଭିନ୍ନ ଦେଶରେ କୋରୋନା ଭାଇରସର ୧୦୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଗଲାଣି। ଏହି ଭାଇରସ କାରଣରୁ ଲୋକେ ଚୀନ ଯାତ୍ରା ବାତିଲ କରୁଛନ୍ତି। ଚୀନକୁ ନେଇ ବିଶ୍ବବ୍ୟାପୀ ନକାରାତ୍ମକ ଖବର ପ୍ରସାରିତ ହେବାରେ ଲାଗିଛି। ଏହି ଭାଇରସ ଡରରେ ‘ଫେସ୍‌ ମାସ୍କ’ର ଚାହିଦା ବଢ଼ୁଥିବା ଦେଖାଯାଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦେଶକ ଟେଡ୍ରୋସ ଏନହେନାମ ଗେବ୍ରିୟେସୋସ ଜେନେଭାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଭାଇରସକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବିଶ୍ବବ୍ୟାପୀ ସଙ୍କଟ ସୃଷ୍ଟି ହୋଇଛି। ଯେଉଁ ଦେଶରେ ଏହି ଭାଇରସ ପହଞ୍ଚିଛି, ସେହିସବୁ ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥା ଅତ୍ୟନ୍ତ ଖରାପ ବୋଲି ସେ ଉଦବେଗ ପ୍ରକାଶ କରିଛନ୍ତି। ଏୟାର ଫ୍ରାନ୍ସ, ଆମେରିକାନ ଏୟାରଲାଇନ୍ସ ଏବଂ ବ୍ରିଟିଶ ଏୟାରୱେଜ ଚୀନକୁ ନିଜର ଉଡ଼ାଣ ବନ୍ଦ କରିଦେଇଛନ୍ତି। ଏହାଦ୍ବାରା ଚୀନ ଏକ ବଡ଼ ଆର୍ଥିକ କ୍ଷତିକୁ ସାମ୍ନା କରୁଛି। ଚୀନରେ ଥିବା ବହୁରାଷ୍ଟ୍ରୀୟ କମ୍ପାନୀ ଗୁଡ଼ିକ ମଧ୍ୟ କୋରୋନା ଭାଇରସ କାରଣରୁ ବ୍ୟବସାୟ ବନ୍ଦ କରି ଦେଇଛନ୍ତି। ଆଲ୍‌ଫାବେଟ ଇଙ୍କ, ଗୁଗଲ ଏବଂ ସ୍ବିଡେନ ଆଇକେଇଏ ଚୀନରୁ ନିଜର କାର୍ଯ୍ୟ ବନ୍ଦ କରିଦେଇଛନ୍ତି। ଉହାନରେ ମିଆଁମାରର ୬୦ ଜଣ ଛାତ୍ର ଫସିରହିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଛାତ୍ର ସିୟୁଚୁନ ଅନ୍‌ଲାଇନ ନ୍ୟୁଜ ପୋର୍ଟାଲ ଡେମୋକ୍ରାଟିକ ଭଏସ ଅଫ ବର୍ମାକୁ କହିଛନ୍ତି ଯେ ଏଠାରେ ପ୍ରାୟ ଦୋକାନବଜାର ବନ୍ଦରହିଛି। ଆମେ ବାହାରକୁ ଯାଇ କିଛି ବି କିଣିପାରୁ ନାହୁଁ। ସତ କହିବାକୁ ଗଲେ ମୋ ପାଖରେ ଏବେ କିଛି ଆଳୁ, ନୁଡଲ୍ସ ଆଉ କିଛି ଚାଉଳ ହିଁ ରହିଛି। ମିଳିତ ଜାତିସଂଘ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ୨୦୦୫ରେ ବିଶ୍ବ ସ୍ତରରେ ଏପରି ଭାବେ ସ୍ବାସ୍ଥ୍ୟ ଏମର୍ଜେନ୍ସି ଘୋଷଣା କରିବାର ଅଧିକାର ଦେଇଛି। ଏହା ପୂର୍ବରୁ ଏଭଳି ୬ ଥର ବିଶ୍ବବ୍ୟାପୀ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କରାଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚୀନ ଯିବା ଆସିବା ପାଇଁ ରୋକ ଲଗାଇ ନ ଥିଲେ ବି କେତେକ ଦେଶ ନିଜ ନିଜର ନାଗରିକଙ୍କୁ ଫେରାଇ ଆଣିବା ଦିଗରେ ପଦକ୍ଷେପ ନେଉଛନ୍ତି।

ସହରରେ ବଣ ପାହାଡ଼ର ଅନୁଭବ ଖୋଲିଛି ଜନଜାତିର ବିଶାଳ

ସୁନ୍ଦରଗଡ଼ରୁ ଆସିଥିବା ଦିବ୍ୟାଙ୍ଗ ମହିଳା ନିର୍ମଳା ନାୟକଙ୍କ ହାତ ତିଆରି କାଠ କଳାକୃତି ଆଦିବାସୀ ମେଳାର ଅନ୍ୟତମ ଆକର୍ଷଣ ପାଲଟିଛି। ବଣାଇଗଡ଼ର ୭ ଜଣ ଦିବ୍ୟାଙ୍ଗ କାଠରେ ଘର ସଜାଡ଼ିବା ପାଇଁ କର୍ଣ୍ଣର ବେସ୍‌, ପେପର ୱେଷ୍ଟ, ପେନ୍‌ ଷ୍ଟାଣ୍ଡ, ସାଇକେଲ, ଧୂପ ଷ୍ଟାଣ୍ଡ, ପେନ୍‌ସିଲ ବକ୍ସ ଭଳି ସାମଗ୍ରୀମାନ ମେଳାକୁ ଆଣିଛନ୍ତି। ଏହିସବୁ ସାମଗ୍ରୀ ୩୦ ଟଙ୍କାରୁ ୫ ହଜାର ଟଙ୍କା ଯାଏ ରହିଛି। ଆଦିବାସୀ ମେଳା ଦେଖିବା ପାଇଁ ପହଞ୍ଚିଥିବା ଦର୍ଶକମାନେ ମାଟି ତାୱା, କଡ଼େଇ, ହାଣ୍ଡି, ଗ୍ଲାସ ଓ କପ୍‌ ଭଳି ବିଭିନ୍ନ ପ୍ରକାର ଆଧୁନିକ ମାଟି ତିଆରି ସରଞ୍ଜାମ ଦେଖି ବିମୋହିତ ହୋଇଛନ୍ତି। ସହର ଜୀବନରୁ ମାଟି ହାଣ୍ଡି, ମାଟି ପାତ୍ର ବିଦାୟ ନେଇଥିବା ବେଳେ ତା’ର ଏହି ନୂଆ ରୂପ ଉପଭୋକ୍ତାଙ୍କ ମନରେ ଆନନ୍ଦ ଆଣିଦେଇଛି। କେବଳ ଏତିକି ନୁହେଁ, ସବୁ ଦୃଷ୍ଟିରୁ ରାଜଧାନୀର ଏହି ମେଳା ନିଆରା ହୋଇଛି। ପ୍ରଦର୍ଶନୀ ପଡ଼ିଆରେ ଗତ ଜାନୁଆରୀ ୨୬ ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ଢୋଲ, ମହୁରି, ଚାଙ୍ଗୁର ତାଳେ ତାଳେ ସନ୍ଧ୍ୟାର ପରିବେଶକୁ ଜଙ୍ଗଲ ଗାଁର ସ୍ମୃତିରେ ପରିବର୍ତ୍ତିତ କରାଇଦେଉଛି।

ଲୋକଙ୍କ ପାଇଁ ମୋଦି ସରକାରଙ୍କ ଦ୍ବିତୀୟ ବଜେଟ୍‌

ବିଗତ ୧୬ ବର୍ଷରେ ଭାରତୀୟ ପରିବାର ଗୁଡ଼ିକରେ ଭୋଜନ ବାବଦକୁ ଲୋକେ ଅଧିକ କିଛି ଅର୍ଥ ସଞ୍ଚୟ କରିପାରିଛନ୍ତି ବୋଲି ଅର୍ଥନୈତିକ ରିପୋର୍ଟ ସ୍ପଷ୍ଟ କରିଥିବା ବେଳେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପିତ କରି ଏଥିରେ ଗାଁ, ଗରିବ ଏବଂ ଚାଷୀମାନଙ୍କ ଉପରେ ସରକାରଙ୍କ ଫୋକସ ଥିବା କହିଛନ୍ତି। ନୂଆ ଦଶକର ପ୍ରଥମ ସାଧାରଣ ବଜେଟ୍‌କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବିତୀୟ ଥର ପାଇଁ ଉପସ୍ଥାପିତ କରିଛନ୍ତି। ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ଦ୍ବିତୀୟ ବଜେଟ୍‌ରେ ପ୍ରତ୍ୟେକ ବର୍ଗଙ୍କ ପାଇଁ କିଛି ନା କିଛି ପ୍ରମୁଖ ଘୋଷଣା କରାଯାଇଛି। ଖୁବ୍‌ ଶୀଘ୍ର ନୂଆ ଶିକ୍ଷାନୀତି ପ୍ରଣୟନ କରାଯିବ ଏବଂ ଅଧିକ ପାଣ୍ଠି ପ୍ରଦାନର ପ୍ରାବଧାନ ରହିବ। ସେହିଭଳି ଉଚ୍ଚଶିକ୍ଷା ପାଇଁ ଅନ୍‌ଲାଇନ ଜରିଆରେ ପଢ଼ିବାର ସୁବିଧା ଦିଆଯିବ। ଜିଲା ଚିକିତ୍ସାଳୟ ଗୁଡ଼ିକୁ ମେଡିକାଲ ୟୁନିଭର୍ସିଟି ଗୁଡ଼ିକ ସହ ଯୋଡ଼ାଯିବ। ପିପିପି ମଡେଲରେ ନିର୍ମାଣ ହେବ ମେଡିକାଲ କଲେଜ। ଷ୍ଟଡି ଇନ ଇଣ୍ଡିଆକୁ ପ୍ରମୋଟ କରାଯିବ। ଶିକ୍ଷା କ୍ଷେତ୍ର ପାଇଁ ୯୯ ହଜାର ୩୦୦ କୋଟି ଟଙ୍କାର ପ୍ରସ୍ତାବ ରହିଥିବା ବେଳେ ଦକ୍ଷତା ବିକାଶ ପାଇଁ ୩ ହଜାର କୋଟି ଟଙ୍କାର ପ୍ରାବଧାନ ରହିଥିବା ନିର୍ମଳା କହିଛନ୍ତି। ସରସ୍ବତୀ ସିନ୍ଧୁ ବିଶ୍ବବିଦ୍ୟାଳୟର ବଡ଼ ଘୋଷଣା ବି ଏହି ଅବସରରେ କରାଯାଇଛି।

ଲଭ୍‌, ସେକ୍ସ ଓ ଧୋକାର ମାଧ୍ୟମ ସାଜିଛି ଡେଟିଂ ଆପ୍‌ସ

ପ୍ରଥମେ ଚାଟିଂ, ତା’ପରେ ଡେଟିଂ, ଆଉ ଶାରୀରିକ ସମ୍ପର୍କ ରଖିବା ସହ ଏହାର ଭିଡିଓ ଦେଖାଇ ବ୍ଲାକମେଲ କରିବା ପରେ ଝିଅ ପକ୍ଷରୁ ଆକ୍ରମଣ। ଏମିତି ସାଂଘାତିକ ଖବର କିଛିଦିନ ତଳେ ସାରା ଓଡ଼ିଶାରେ ପ୍ରମୁଖ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। ଏକ ଘରୋଇ ବ୍ୟାଙ୍କରେ ଡିଜିଏମ୍‌ ଥିବା ଯୁବକ ସୁନୀଲ ମିଶ୍ର ଟିଣ୍ଡର ଆପ୍‌ରେ ସୋନପୁରର ଜଣେ ଯୁବତୀଙ୍କ ସହ ଚାଟିଂ କରିଥିଲେ। ଉଭୟ କିଛି ଦିନ କଥାବାର୍ତ୍ତା ହେବା ପରେ ଉଭୟେ ପରସ୍ପରକୁ ସାକ୍ଷାତ କରିଥିଲେ। ୨୪ ଘଣ୍ଟାର ବନ୍ଧୁତା ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସୃଷ୍ଟି ହୋଇଥିଲା। ଶାରୀରିକ ସମ୍ପର୍କ ପରେ ସୁନୀଲ ଏହାର କେତେକ ଦୃଶ୍ୟକୁ ଭିଡିଓ କରି ଯୁବତୀଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ। ଏହାପରେ ଯୁବତୀ ତାଙ୍କର କେତେକ ପୁରୁଷ ବନ୍ଧୁଙ୍କୁ ଡକାଇ ସୁନୀଲ ମିଶ୍ରଙ୍କୁ ଅପହରଣ କରିନେଇଥିଲେ। ଅପହରଣକାରୀମାନେ ସୁନୀଲଙ୍କ ମୋବାଇଲ, ଟଙ୍କା ଆଦି ନେଇଯିବା ସହ ତାଙ୍କ କ୍ରେଡିଟ କାର୍ଡରେ ୧୦ ହଜାର ଟଙ୍କାର କିଣାକିଣି କରିଥିଲେ। ଏଥିସହ ଆଉ ୫ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ।

ସାଧାରଣରୁ ଅସାଧାରଣ: ପଦ୍ମ ପାଇଲେ ରିଅଲ ଲାଇଫ୍‌ ହିରୋ

ଜାନୁଆରୀ ୨୬ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ କେନ୍ଦ୍ରର ମୋଦି ସରକାର ଦେଶର କୋଣ ଅନୁକୋଣରେ ରିଅଲ ଲାଇଫ୍‌ ଅସଲ ହିରୋଙ୍କୁ ମନେପକାଇଛନ୍ତି। ସାଧାରଣରୁ ଅସାଧାରଣ ପାଲଟିଥିବା ୪୬ ହଜାର ବ୍ୟକ୍ତିଙ୍କ ମଧ୍ୟରୁ ୧୧୮ ଜଣଙ୍କୁ ପଦ୍ମ ସମ୍ମାନ ପାଇଁ ମନୋନୀତ କରାଯିବା ପରେ ଏହାକୁ ନେଇ ଦେଶବ୍ୟାପୀ ଖୁସିର ଲହରୀ ଖେଳିଯାଇଛି। ଓଡ଼ିଶାରୁ ୧୧ ଜଣଙ୍କୁ ଏହି ପୁରସ୍କାର ମିଳିବା ନେଇ ଘୋଷଣା ହେବା ପରେ ସାରା ରାଜ୍ୟରେ ନୂଆ ପ୍ରକାର ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି। ଏତେ ସଂଖ୍ୟକ ଓଡ଼ିଆ ଏକସଙ୍ଗେ ପୂର୍ବରୁ କେବେ ଏଭଳି ସମ୍ମାନର ପାଖ ମାଡ଼ିପାରୁ ନ ଥିବା ବେଳେ ଏବେ କିଛି ବର୍ଷ ଧରି ଅତ୍ୟନ୍ତ ସାଧାରଣ ଅଥଚ ପ୍ରଭାବୀ ଭୂମିକା ନିର୍ବାହ କରିଥିବା ସୁଯୋଗ୍ୟ ବ୍ୟକ୍ତିମାନଙ୍କୁ ମର୍ଯ୍ୟାଦାଜନକ ପଦ୍ମରେ ସମ୍ମାନିତ କରାଯାଉଛି। ପ୍ରଥିତଯଶା ସାହିତ୍ୟିକ ମନୋଜ ଦାସଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିଥିବା ବେଳେ କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳଚିତ୍ର ନିର୍ଦେଶକ ମନମୋହନ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଜୈବିକ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ ପାଇଁ ପରିବେଶବିତ୍‌ ରାଧାମୋହନ ଓ ତାଙ୍କ ଝିଅ ସାବରମତୀଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ। ସାହିତ୍ୟ ଓ ଶିକ୍ଷା ପାଇଁ ବିଶିଷ୍ଟ ସାନ୍ତାଳି ଲେଖିକା ଦମୟନ୍ତୀ ବେଶ୍ରା, ବୀଣାପାଣି ମହାନ୍ତି, କଳା ପାଇଁ ଉତ୍ସବ ଚରଣ ଦାସ, ମିତ୍ରଭାନୁ ଗୌନ୍ତିଆ ଓ ପ୍ରାଣୀ ସମ୍ପଦ ପାଇଁ ବଟକୃଷ୍ଣ ସାହୁ ତଥା ପ୍ରବାସୀ ଓଡ଼ିଆ ପ୍ରଶାନ୍ତ ପଟ୍ଟନାୟକ ଏବଂ ଡାକ୍ତର ଦିଗମ୍ବର ବେହେରାଙ୍କୁ ପଦ୍ମଶ୍ରୀ ପାଇଁ ମନୋନୀତ କରାଯାଇଛି।

ସ୍ଥିତି ସଙ୍ଗୀନ: ବାଂଲାଦେଶୀ ରୂପଜୀବୀଙ୍କ ଟାର୍ଗେଟ୍‌ରେ ଓଡ଼ିଶା

ରାଜଧାନୀରୁ ଗିରଫ ହୋଇଛନ୍ତି ବହୁ ବାଂଲାଦେଶୀ ରୂପଜୀବୀ। ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ସେକ୍ସ ରାକେଟର କିଙ୍ଗପିନ ଅଞ୍ଜଳି ଦିଦି ଓ ସେକ୍‌ ଇବ୍ରାହିମ ଗୋଟିଏ ପରେ ଗୋଟିଏ ତଥ୍ୟ ଓଗାଳିଛନ୍ତି। ସେମାନଙ୍କ ବୟାନରୁ ଖୋଲିଛି ଅନେକ ଗୁମର। ସେମାନେ ବାଂଲାଦେଶରୁ ଭୁବନେଶ୍ବରକୁ ଏକାଧିକ ଯୁବତୀଙ୍କୁ ଆଣି ଦେହ ବଜାରର ସାମ୍ରାଜ୍ୟ ଚଳାଇଥିଲେ। କିଛିଦିନ ତଳେ ଜଣେ ବାଂଲା ରୂପଜୀବୀ ଗଣମାଧ୍ୟମ ଆଗରେ ବିସ୍ଫୋରକ ତଥ୍ୟ ଦେଇ ଅଞ୍ଜଳି ଦିଦି ଭୁବନେଶ୍ବରକୁ ୫୦ ଜଣ ବାଂଲା ଦେହଜୀବୀଙ୍କୁ ଆଣିଥିବା କହିଥିଲେ। ସେହି ଆଧାରରେ ପୁରୁଣା ଭୁବନେଶ୍ବରରୁ ୬ ଜଣ ବାଂଲାଦେଶୀ ରୂପଜୀବୀ ଧରାପଡ଼ିଥିଲେ। ଅନ୍ୟମାନଙ୍କୁ ଧରିବା ପାଇଁ ଏସ୍‌ଟିଏଫ ଖୋଳତାଡ଼ ଜାରି ରଖିଛି। ପଶ୍ଚିମବଙ୍ଗ ଓ ବାଂଲାଦେଶର ଅନେକ ତଦନ୍ତକାରୀ ସଂସ୍ଥାର ସହଯୋଗ ଲୋଡ଼ିଛି ଏସ୍‌ଟିଏଫ। କିଙ୍ଗପିନ ଅଞ୍ଜଳି ଦିଦି ଏବଂ ତାଙ୍କ ସ୍ବାମୀ ଇବ୍ରାହିମଙ୍କୁ ରିମାଣ୍ଡରେ ଆଣିବା ପାଇଁ ଶୁକ୍ରବାର ଭୁବନେଶ୍ବର କୋର୍ଟରେ ଏସ୍‌ଟିଏଫ ଆବେଦନ କରିଥିବା ବେଳେ ତେଣେ ଏହି କିଙ୍ଗପିନ ତଥା ରାଣୀ ମହୁମାଛି କୁହାଯାଉଥିବା ଅଞ୍ଜଳି ଦିଦିଙ୍କ ପିପିଲି ଦାନଗୋହିର ଘରେ ଚଢ଼ାଉ କରି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ବାଂଲାଦେଶୀ ଯୁବତୀ ଚାଲାଣର ପୂରା ନକ୍ସା ସାଙ୍ଗକୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ବାଂଲାଦେଶକୁ ବିପୁଳ ଟଙ୍କା ନେଣଦେଣ ହୋଇଥିବା ଜଣାପଡ଼ିଛି। ବାଂଲା ଯୁବତୀଙ୍କ ବୟାନ ଆଧାରରେ ଅଞ୍ଜଳି ଓ ଇବ୍ରାହିମଙ୍କ ସମେତ ୬ ଜଣ ବାଂଲା ରୂପଜୀବୀଙ୍କ ଗିରଫ ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି।

ଅଖ୍ୟାତ ଗାଁର ବିଖ୍ୟାତ ନାଁ: ଏଠୁ ୫୬ ଝିଅ ଜାତୀୟ ସ୍ତରର

ଉନ୍ନାଓ, ହାଇଦ୍ରାବାଦ ଭଳି ଘଟଣାରେ ଯେଉଁଠି ଝିଅମାନଙ୍କ ପାଇଁ ସମାଜର ଏକ ନିଷ୍ଠୁର ଚିତ୍ର ସାମ୍ନାକୁ ଆସେ, ସେଠାରେ ବିହାରର ଏକ ଗାଁ ଝିଅମାନଙ୍କ ପାଇଁ ଏଭଳି ଉଦାହରଣ ସାମ୍ନାକୁ ଆଣିଛି, ଯାହାକୁ ନେଇ ସମଗ୍ର ଦେଶ ଗର୍ବ କରିପାରିବ। ସହରସା ଜିଲାର ସତ୍ତରକଟେୟା ଗାଁର ୫୬ ଜଣ ବାଳିକା ଜାତୀୟ ସ୍ତରର ଖେଳାଳି। ମାତ୍ର ତିନି ବର୍ଷ ମଧ୍ୟରେ ଏମାନେ ଏଭଳି ପରିଚୟ ସୃଷ୍ଟି କରିପାରିଛନ୍ତି। ଭଲିବଲ୍‌ରେ ୧୫ ଜଣ ଝିଅ ଜାତୀୟ ସ୍ତରରେ ନିଜର ଚମକ ଦେଖାଇଥିବା ବେଳେ ୨୪ ଜଣ ଆଥଲେଟିକ୍ସ ଏବଂ କବାଡ଼ିରେ ବିହାରରୁ ପ୍ରତିନିଧିତ୍ବ କରି ସ୍ବର୍ଣ୍ଣ ପଦକ ବିଜୟିନୀ ହୋଇପାରିଛନ୍ତି। ବିହାର ପକ୍ଷରୁ ଖେଳି ସ୍ବର୍ଣ୍ଣ ପଦକ ପାଇଥିବା ମହିଳା କବାଡ଼ି ଟିମ୍‌ ଏବେ ଜାତୀୟ ସ୍ତରରେ ଖେଳିବାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହା ସମେତ କବାଡ଼ିରେ ଆଠଜଣ ଏବଂ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ୮ ଜଣ ବାଳିକା ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।

ଦେଶର ପ୍ରଥମ ମଡେଲ୍‌: ଗୋଟିଏ ରାଜ୍ୟର ତିନିଟି ରାଜଧାନୀ

ଆନ୍ଧ୍ର ପ୍ରଦେଶ ବିଧାନସଭା ସୋମବାର ଦିନ ରାଜଧାନୀର ବିକେନ୍ଦ୍ରୀକରଣ ଏବଂ ୨୦୨୦ ସୁଦ୍ଧା ରାଜ୍ୟର ସମସ୍ତ ଅଞ୍ଚଳର ସାମୟିକ ବିକାଶ ପାଇଁ ଆଇନ ପ୍ରଣୟନ କରିଛି। ଏହି ଆଇନ ଅନୁଯାୟୀ ଆନ୍ଧ୍ର ପ୍ରଦେଶରେ ତିନି ତିନୋଟି ରାଜଧାନୀ ହେବ। ଏବଂ ଏଭଳି ହେବାରେ ଏହା ଦେଶର ପ୍ରଥମ ରାଜ୍ୟ ଭାବେ ବିବେଚିତ ହେବ। ଏବେ ଆନ୍ଧ୍ର ପ୍ରଦେଶର କାର୍ଯ୍ୟପାଳିକା ଅର୍ଥାତ୍‌ ସରକାର ବିଶାଖାପାଟଣା ଠାରୁ କାର୍ଯ୍ୟ କରିବେ ଏବଂ ରାଜ୍ୟର ରାଜଧାନୀ ଅମରାବତୀ ଠାରେ ହେବ ତଥା ଆନ୍ଧ୍ର ପ୍ରଦେଶର ହାଇକୋର୍ଟ କୁର୍ନୁଲ ଠାରୁ ପରିଚଳିତ ହେବ। ବିରୋଧୀ ଦେଲୁଗୁ ଦେଶମ ପାର୍ଟି ଏହି ଆଇନରେ ସଂଶୋଧନ ପାଇଁ ଅଡ଼ିବସିଥିବା ବେଳେ ତାହାକୁ ଖାରଜ କରି ଦିଆଯାଇଛି। ୱାଇ ଏସ ଜଗନମୋହନ ରେଡ୍ଡୀ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ବୁଗ୍ମନା ରାଜେନ୍ଦ୍ର ନାଥ ରେଡ୍ଡୀ ମଙ୍ଗଳବାର ଏହି ଆଇନ ରାଜ୍ୟର ବିଧାନ ପରିଷଦ ନିକଟରେ ଉପସ୍ଥାପିତ କରିଛନ୍ତି। ବିଧାନ ପରିଷଦରେ ମଧ୍ୟ ତେଲୁଗୁ ଦେଶମ ପାର୍ଟି ଏହି ଆଇନକୁ ଜୋରଦାର ବିରୋଧ କରିଛି ଏବଂ ନିୟାମଳବୀ ୭୧ ଆଧାରରେ ନୋଟିସ ଜାରି କରିଛି। ୱାଇ ଏସ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପାର୍ଟି ପାଇଁ ପ୍ରକୃତ ସଂକଟ ବିଧାନ ପରିଷଦରେ ସୃଷ୍ଟି ହୋଇଛି। କାହିଁକି ନା ବିଧାନ ପରିଷଦରେ ୱାଇଏସଆର କଂଗ୍ରେସର ରହିଛନ୍ତି ମାତ୍ର ୯ ଜଣ ସଦସ୍ୟ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ