ପଶ୍ଚିମବଙ୍ଗର ମାତୃଶକ୍ତି ତଥା ମା’ ଭଉଣୀମାନେ ଚଳିତ ନିର୍ବାଚନରେ ଟିଏମ୍ସିର ୧୦ ବର୍ଷର ଶାସନକୁ ପରିବର୍ତ୍ତନ କରିବା ସହ ବିଜେପି ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରି ସୁନାର ବଙ୍ଗଳା ତିଆରି କରିବା ପାଇଁ କଟିବଦ୍ଧ ଅଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ପଶ୍ଚିମବଙ୍ଗ ନନ୍ଦିଗ୍ରାମର ସୋନଚୁରା, ବେରୁଲିଆ ବଜାର, ଗୋପାଳପୁର ଓ ଦେବୀପୁର ଠାରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ସମର୍ଥନରେ ଆୟୋଜିତ ମାତୃଶକ୍ତି ଜନସଭା ଏବଂ ନିର୍ବାଚନୀ ଶୋଭାଯାତ୍ରାରେ ଯୋଗଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ ମାତୃଶକ୍ତି ଆଜି ମମତା ଦିଦିଙ୍କୁ ୧୦ ବର୍ଷ ଶାସନର ହିସାବ ମାଗୁଛନ୍ତି। କିନ୍ତୁ ମମତା ଦିଦି ହିସାବ ଦେବା ବଦଳରେ ଲୋକଙ୍କ ସହ ଖେଳ ଖେଳୁଛନ୍ତି।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ସଂକ୍ରମଣଜନିତ ସ୍ଥିତି ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିଛନ୍ତି। ସେ ଶୁକ୍ରବାର ଦୁଇଦିନିଆ ବାଂଲାଦେଶ ଗସ୍ତ କରି ସେଠାରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଶନିବାର ତାଙ୍କ ଗସ୍ତର ଶେଷ ଦିନରେ ମୋଦୀ ଦୁଇ ଦେଶ ନିଜର ବିକାଶରେ ସମଗ୍ର ବିଶ୍ବର ବିକାଶ ଦେଖନ୍ତି ବୋଲି କହିଛନ୍ତି। ମୋଦୀ କହିଛନ୍ତି ଯେ ଭାରତ ଓ ବାଂଲାଦେଶ ଏପରି ଦୁଇଟି ରାଷ୍ଟ୍ର, ଯିଏକି କଦାପି କୌଣସି ପ୍ରକାର ଅସ୍ଥିରତା, ଅଶାନ୍ତି ଓ ଘ୍ଣାର ବାତାବରଣକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ବରଂ ଏହି ଦୁଇ ପଡ଼ୋଶୀ ରାଷ୍ଟ୍ର ସବୁବେଳେ ସ୍ଥିରତା, ସ୍ନେହପ୍ରେମ ଓ ଶାନ୍ତିର ବାତାବରଣରେ ବିଶ୍ବାସ ରଖିଆସିଛନ୍ତି। ଦୁଇ ଦେଶ କଦାପି ଆତଙ୍କବାଦକୁ ପ୍ରଶ୍ରୟ ଦେଇନାହାନ୍ତି। ବରଂ ଏକାଧିକ ବାର ମାନବତାବିରୋଧୀ ଆତଙ୍କୀ ଚିନ୍ତାଧାରାର ଶିକାର ହୋଇଛନ୍ତି ବୋଲି ମୋଦୀ କହିଛନ୍ତି। ସେହିପରି କୋଭିଡ୍ ସଂକ୍ରମଣଜନିତ ସ୍ଥିତିରେ ଭାରତ ଓ ବାଂଲାଦେଶ ସମଗ୍ର ବିଶ୍ବକୁ ନିଜର ସାମର୍ଥ୍ୟ ଦେଖାଇବାରେ ସକ୍ଷମ ହୋଇଛନ୍ତି ବୋଲି ମୋଦୀ କହିଛନ୍ତି।
ଚଳିତ ପଶ୍ଚିମବଙ୍ଗ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଖେଳ ହେବ’ ବୋଲି କହୁଥିବା ବେଳେ ବାସ୍ତବରେ ପଶ୍ଚିମବଙ୍ଗ ନନ୍ଦିଗ୍ରାମର ସମସ୍ତ ନାଗରିକ ସମେତ ରାଜ୍ୟର ସମସ୍ତ ଜନତା ଦିଦିଙ୍କଖେଳ ଶେଷ କରିବା ପାଇଁ ମନ ବଳାଇ ସାରିଲେଣି ବୋଲି ନନ୍ଦିଗ୍ରାମରେ ଶୋଭାଯାତ୍ରା ଓ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ମମତା ଦିଦିଙ୍କ ଖେଳ ଶେଷ ହେବ। ନନ୍ଦିଗ୍ରାମରେ ବିଜେପିର ବିଜୟ ନିଶ୍ଚୟ ହେବ। ମମତା ଦିଦିଙ୍କ ଗୁଣ୍ଡାଗର୍ଦ୍ଦିର ଜବାବ ନନ୍ଦିଗ୍ରାମର ସାଧାରଣ ଜନତାମାନେ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।
ପିପିଲି ଉପନିର୍ବାଚନ ପାଇଁ ଗୁରୁବାର ବିଜେପି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ପିପିଲି ଉପନିର୍ବାଚନ ପାଇଁ ଟିକେଟ୍ ଦେଇଛି ବିଜେଡି। ରୁଦ୍ରଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଅନ୍ୟପକ୍ଷରେ ଶୁକ୍ରବାର ଏକ ବିରାଟ ପଟୁଆରରେ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ଅନ୍ୟପକ୍ଷରେ ବିଜେଡି ଓ ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ପଛରେ ପଡି ଯାଇଛି କଂଗ୍ରେସ। କଂଗ୍ରେସ ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା ହୋଇନାହିଁ।
ଶନିବାର ଆସାମ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆସାମବାସୀଙ୍କୁ କଂଗ୍ରେସ ସପକ୍ଷରେ ଭୋଟ ଦେବା ପାଇଁ ଭିଡିଓ ବାର୍ତ୍ତା ଜରିଆରେ ନିବେଦନ କରିଛନ୍ତି। ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ କଂଗ୍ରେସକୁ ଭୋଟ ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି। ୧୯୯୧ରୁ ମନମୋହନ ସିଂହ ଲଗାତର ୫ମ ଥର ପାଇଁ ଆସାମରୁ ରାଜ୍ୟସଭା ପାଇଁ ପ୍ରତିନିଧିତ୍ବ କରି ଆସୁଛନ୍ତି। ତେଣୁ ଏସବୁ ଦଷ୍ଟିରୁ ବୟାସାଧିକ୍ୟ କାରଣରୁ ପ୍ରଚାର ପାଇଁ ଯାଇ ନ ଥିବା ମନମୋହନ ସିଂହ ଭିଡିଓ ବାର୍ତ୍ତା ଜରିଆରେ ନିବେଦନ କରିଥିବା ସାମ୍ନାକୁ ଆସିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଯାଇ ୫୦ତମ ସ୍ବାଧୀନତା ଦିବସରେ ଯୋଗଦେଇ ଦେଶର ପ୍ରତିଷ୍ଠାତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ଏଥିସହ ଜାତୀୟ ଯୁଦ୍ଧ ସ୍ମାରକୀରେ ଶହୀଦ ଯବାନଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଥମ ଦିନର କାର୍ଯ୍ୟକ୍ରମ ଅନୁସାରେ ମୋଦୀ ବାଂଲାଦେଶ ଜାତୀୟ ଦିବସ ଅବସରରେ ନ୍ୟାସନାଲ ପରେଡ ଗ୍ରାଉଣ୍ଡରେ ଅଭିଭାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ମୋଦୀ କହିଥିଲେ ଯେ ସେ ତାଙ୍କ ଜୀବଦ୍ଦଶାରେ କେବଳ ଗୋଟିଏ ଦେଶର ସ୍ବାଧୀନତା ସଂଗ୍ରାମ ଦେଖିଛନ୍ତି। ତାଙ୍କୁ ଯେତେବେଳେ ମାତ୍ର ୨୦ରୁ ୨୨ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ବାଂଲାଦେଶ ମୁକ୍ତି ସଂଗ୍ରାମ ଦେଖିଥିଲେ ବୋଲି କହିଛନ୍ତି। ଏଥିସହ ମୋଦୀ ବାଂଲାଦେଶର ଶିଳ୍ପପତିମାନଙ୍କୁ ଭାରତ ଗସ୍ତ କରି ଷ୍ଟାର୍ଟ ଅପ ଓ ଇକୋ ସିଷ୍ଟମ ଅନୁଧ୍ୟାନ କରିବାକୁ ଆହ୍ବାନ ଦେଇଛନ୍ତି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କୋରୋନା ଆକ୍ରାନ୍ତ ହେବା ସତ୍ତ୍ବେ ବୈଠକରେ ସାମିଲ ହେବା ଏବଂ ଏହାର ଫଟୋ ସୋସାଲ ମିଡିଆରେ ପ୍ରକାଶ ପାଇବା ପରେ ତାଙ୍କୁ ଟ୍ରୋଲର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରାପ୍ତ ଖବର ଅନୁଯାୟୀ ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶିବଲି ଫରାଜ ତାଙ୍କ ଟ୍ବିଟର ଆକାଉଣ୍ଟରେ ଇମ୍ରାନଙ୍କ ମିଡିଆ ସହିତ ତାଙ୍କ ବୈଠକ ବେଳର ଫଟୋ ଶେୟାର କରିଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସ ବେଶ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଏହି ଫଟୋରେ ଇମ୍ରାନ ୬ଜଣ ଲୋକଙ୍କ ସହିତ ବୈଠକ କରୁଥିବା ନଜର ଆସିଛନ୍ତି।
ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ୨୦୧୯ରେ ଦଳର ପ୍ରାର୍ଥୀ ହୋଇଥିବା ଆଶ୍ରିତ ପଟ୍ଟନାୟକଙ୍କୁ ବିଜେପି ପୁଣିଥରେ ଉପନିର୍ବାଚନରେ ପ୍ରାର୍ଥୀ କରିଛି। ଏ ନେଇ ରାଷ୍ଟ୍ରୀୟ କାର୍ଯ୍ୟାଳୟରୁ ବିଧିବଦ୍ଧ ଘୋଷଣା କରାଯାଇଛି। ୨୦୧୯ ନିର୍ବାଚନରେ ଆଶ୍ରିତ ଏଠାରୁ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଠାରୁ ପରାଜିତ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଉପରେ ସମସ୍ତଙ୍କ ନଜର ଥିବାବେଳେ ବିଜେପି ଆଶ୍ରିତଙ୍କୁ ମଇଦାନକୁ ଉତାରିଛି ବିଜେପି। ତେବେ ବର୍ତ୍ତମାନ ସୁଦ୍ଧା ଶାସକ ବିଜେଡି କିମ୍ବା ବିରୋଧି କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିନାହାନ୍ତି।
କେନ୍ଦ୍ର ସରକାର ଆଣିଥିବା ୩ଟି ନୂତନ କୃଷି ଆଇନକୁ ବିରୋଧ କରି ଜାରି ରହିଥିବା କୃଷକ ଆନ୍ଦୋଳନକୁ ଶୁକ୍ରବାର ୪ ମାସ ପୁରିବାକୁ ଯାଉଛି। ଏହି କୃଷି ଆଇନ ନ ହଟିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାର ରହିବ ବୋଲି ଚେତାବନୀ ଶୁଣାଇ ସାରିଛନ୍ତି ଆନ୍ଦୋଳନରତ କୃଷକ। ସେପଟେ କୃଷି ଆଇନର ପ୍ରତିବାଦରେ ପୁନର୍ବାର ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା। ଏହି ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଂଗ୍ରେସ ସମେତ ଅନ୍ୟ କେତେକ ରାଜନୈତିକ ଦଳ। ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଶୁକ୍ରବାର ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବାବେଳେ ଭୁବନେଶ୍ୱରରେ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ କୋଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ୍ ଆସିବାକୁ ନିର୍ଦେଶ ଜାରି ହୋଇଛି।
ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର (ଟିଟିପିଏସ୍)ର ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣକୁ ତ୍ୱରାନ୍ୱିତ କରାଯିବ ଏବଂ ଭବିଷ୍ୟତରେ ଏହି ପ୍ରକଳ୍ପ ବନ୍ଦ ହେବ ନାହିଁ ବୋଲି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର୍କେ ସିଂହ ପ୍ରତିଶ୍ରୁତି ଦେଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ତାଳଚେରରେ ଆଉ ଏକ ନୂଆ ତାପଜ ବିଦ୍ୟୁତ୍ କେନ୍ଦ୍ରର ପ୍ରତିଷ୍ଠା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀ ସିଂଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ତେବେ ଓଡ଼ିଶା ସରକାର ଏଥିପାଇଁ ଆବଶ୍ୟକୀୟ ସହଯୋଗ ଯୋଗାଇଦେଲେ ନୂଆ ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଆର୍ କେ ସିଂ ପ୍ରତିଶ୍ରୁତି ଦେଇଥିବା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବୋଦୟ କଳ୍ପନାରେ ଏହି ବିକାଶ ହେବ ବୋଲି ଧର୍ମେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗର ଅସ୍ମିତା ସହିତ ଖେଳୁଥିବା ବ୍ୟକ୍ତିଙ୍କୁ ପଶ୍ଚିମବଙ୍ଗବାସୀ ଏଥର ନିର୍ବାଚନରେ ହିସାବ ଦେବେ ଏବଂ ବିଜେପିକୁ ନିଶ୍ଚୟ ଜିତାଇବେ ବୋଲି ଗୁରୁବାର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ପଶ୍ଚିମବଙ୍ଗ ନନ୍ଦିଗ୍ରାମର ଜନତା ମମତା ଦିଦିଙ୍କ ଗୁଣ୍ଡାଙ୍କୁ ନେଇ ଏବେ ଭୟଭୀତ ନାହାନ୍ତି। ପଶ୍ଚିମବଙ୍ଗର ମା’ ଏବଂ ଭଉଣୀ ୧ ତାରିଖରେ ଦିଦିଙ୍କୁ ଉଚିତ୍ ଜବାବ ଦେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ପୂର୍ବାହ୍ନରେ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଆର୍ମି ରିସର୍ଚ୍ଚ ଏଣ୍ଡ୍ ରେଫରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ନାନାଦି ପରୀକ୍ଷା କରାଯାଇଛି ଓ ବର୍ତ୍ତମାନ ସେ ଅବଜର୍ଭେସନରେ ଥିବା ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭାବେ ସ୍ଥିର ରହିଛି। ରାଷ୍ଟ୍ରପତିଙ୍କ ଅସୁସ୍ଥତା ନେଇ ସୂଚନା ପାଇବା ପରେ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସଂକ୍ରାନ୍ତରେ ତାଙ୍କ ପୁତ୍ରଙ୍କ ସହ ଆଲୋଚନା କରିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏଥିସହ ରାଷ୍ଟ୍ରପତିଙ୍କ ଆଶୁ ଆରୋଗ୍ୟ ମଧ୍ୟ ପ୍ରଧାନମନ୍ତ୍ରୀ କାମନା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ୭୫ ବର୍ଷୀୟ କୋବିନ୍ଦଙ୍କର ସମ୍ପୂର୍ଣ୍ଣ ଯାଞ୍ଚ୍ ପରେ ହିଁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଜଣାପଡ଼ିଛି। ଡାକ୍ତରମାନେ ତାଙ୍କର ଦେଖାଶୁଣା କରୁଛନ୍ତି ବୋଲି ହସ୍ପିଟାଲ୍ କର୍ତ୍ତ୍ପକ୍ଷ କହିଛନ୍ତି।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ସଂକ୍ରମଣ ପରେ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ପଡ଼ୋଶୀ ବାଂଲାଦେଶ ଯାଇଥିବା ବେଳେ ତାଙ୍କୁ ସେଠାକାର ପ୍ରଧାନମନ୍ତ୍ରୀ ଶେଖ୍ ହସୀନା ସ୍ବାଗତ କରିଥିଲେ। ଏହି ଦୁଇଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ୧୯୭୧ ମସିହା ପାକିସ୍ତାନ ବିପକ୍ଷ ଯୁଦ୍ଧରେ ଆତ୍ମବଳୀ ଦେଇଥିବା ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସ୍ବାଧୀନତା ଆନ୍ଦୋଳନରେ ବାଂଲାଦେଶୀ ଯବାନମାନେ ସତ୍ୟର ସାଥ୍ ଦେବାକୁ ଯାଇ ଓ ଅନ୍ୟାୟର ପ୍ରତିବାଦ କରିବାକୁ ଆତ୍ମବଳୀ ଦେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଟ୍ବିଟ୍ କରି ମୋଦୀ କହିଛନ୍ତି ଯେ ସ୍ବାଧୀନତାର ୫୦ ବର୍ଷ ପାଳନ କରୁଥିବା ବାଂଲାଦେଶ ଆଜି ବୀର ଯବାନଙ୍କୁ ମନେ ପକାଉଛି, ଯେଉଁମାନେ ସେମାନଙ୍କ ବୀରତ୍ବ ବଳରେ ଦେଶକୁ ସ୍ବାଧୀନତା ଦେଇପାରିଛନ୍ତି। ସେମାନଙ୍କ ସଂଘର୍ଷ ଓ ଆତ୍ମବଳୀ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିଛି ବୋଲି ମୋଦୀ ଉଭୟ ଇଂରାଜୀ ଓ ବଙ୍ଗଳା ଭାଷାରେ ଟ୍ବିଟ୍ କରିଛନ୍ତି। ଏହି ଅବସରରେ ଉକ୍ତ ଜାତୀୟ ଶହୀଦ ସ୍ମାରକୀ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଅର୍ଜୁନ ଗଛ ମଧ୍ୟ ରୋପଣ କରିଥିବା ନେଇ ସୂଚନା ଦେଇଛନ୍ତି।
ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ବାଂଲାଦେଶ ଗସ୍ତ କରିବେ। ଏନେଇ ଗୁରୁବାର ମୋଦୀ ଟ୍ବିଟ କରି ଲେଖିଛନ୍ତି ଯେ କୋରୋନା ମହାମାରୀ ଆରମ୍ଭ ହେବା ପରଠୁ ସେ ବିଦେଶ ଗସ୍ତ କରି ନାହାନ୍ତି। କୋରୋନା ପରବର୍ତ୍ତୀ ପର୍ଯ୍ୟାୟରେ ସେ ବାଂଲାଦେଶ ଗସ୍ତକୁ ନେଇ ଖୁସି ପ୍ରକଟ କରିଛନ୍ତି। ୨୬ ତାରିଖରେ ସେ ବାଂଲାଦେଶର ଜାତୀୟ ଦିବସ ଉତ୍ସବରେ ଯୋଗଦେବାକୁ ନେଇ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ ବନ୍ଧୁତାକୁ ଆମେ ଗୁରୁତ୍ବ ଦେଇ ଆସିଛୁ। ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା ହେବ ବୋଲି ମୋଦୀ କହିଛନ୍ତି।
ଆସନ୍ତା ୨୭ ତାରିଖରେ ପଶ୍ଚିମବଙ୍ଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ହାଇ-ଭୋଲଟେଜ୍ ନିର୍ବାଚନ ପ୍ରଚାର ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୩୦ଟି ଆସନ ଓ ଆସାମରେ ୪୭ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ, ବିଜେପି ଓ କଂଗ୍ରେସ-ବାମ ମେଣ୍ଟ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେଉଛି। ସେହିପରି ଆସାମରେ ବିଜେପି (ଏନଡିଏ) ଓ କଂଗ୍ରେସ (ୟୁପିଏ) ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦିତା ହେଉଛି।
ଅଧିକ ଦେଖନ୍ତୁ