ପଶ୍ଚିମବଙ୍ଗରେ ବର୍ତ୍ତମାନ ନିର୍ବାଚନୀ ଘନଘଟା ଚାଲିଥିବା ବେଳେ ଶାସକ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ପ୍ରତି ମୁହୂର୍ତ୍ତରେ ବାକବିତଣ୍ଡା ଜାରି ରହିଛି। ନିର୍ବାଚନରେ ବାଜିମାତ୍ କରିବା ସକାଶେ ଉଭୟ ଦଳ ସମସ୍ତ ପ୍ରକାର କୌଶଳ ଆପଣାଉଥିବା ବେଳେ ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଗିଦ୍ କରିଛନ୍ତି। କୁଚ ବେହାର ଜିଲ୍ଲାର ଦିନାହାଟଠାରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ସେ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ବିଜେପି ପ୍ରଥମେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କୁ ନିୟନ୍ତ୍ରଣ କରିବା ଉଚିତ। ଏହାପରେ ଟିଏମସିକୁ ନିୟନ୍ତ୍ରଣ କରିବା କଥା ଚିନ୍ତା କରିବ ବୋଲି ମମତା କହିଛନ୍ତି। ଏହି ଅବସରରେ ଦିଦି ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ସେ ନିଶ୍ଚିତ ଭାବେ ନନ୍ଦିଗ୍ରାମରୁ ବିଜୟୀ ହେବେ। ବିଜେପିରକୌଣସି ନେତାଙ୍କର ମୁଁ କେଉଁଠାରୁ ନିର୍ବାଚନ ଲଢ଼ିବି, ସେ ପରାମର୍ଶ ଦେବାର ଅଧିକାର ନାହିଁ। ମୁଁ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଛି ଓ ଏଠାରୁ ବିଜୟୀ ହୋଇ ସମସ୍ତଙ୍କୁ ପ୍ରମାଣିତ କରିଦେବି ଯେ ଏବେ ବି ନନ୍ଦିଗ୍ରାମ ବାସିନ୍ଦା ଟିଏମସି ଉପରେ ଭରସା ରଖିଛନ୍ତି। ଏହି ଅବସରରେ ସେ ପଶ୍ଚିମବଙ୍ଗବାସୀଙ୍କୁ ଟିଏମସି ସପକ୍ଷରେ ଭୋଟ୍ ଦେବା ସକାଶେ ନିବେଦନ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ବାରା ଆହୂତ ଜଳବାୟୁ ଶିଖର ସମ୍ମିଳନୀରେ ଯୋଗଦେବେ ବୋଲି ଜଣାପଡ଼ିଛି। ବାଇଡେନ ପଠାଇଥିବା ନିମନ୍ତ୍ରଣକୁ ମୋଦୀ ଗ୍ରହଣ କରିଥିବା ନେଇ ବୈଦେଶିକ ବିଭାଗ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି। ଆସନ୍ତା ୨୨ ଓ ୨୩ ତାରିଖରେ ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଞ୍ଚୟ ନେଇ ବିଶ୍ବର ପ୍ରମୁଖ ରାଷ୍ଟ୍ରମାନଙ୍କୁ ନେଇ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। କୋରୋନା ପାଇଁ ଏହି ଶିଖର ସମ୍ମିଳନୀକୁ ଭର୍ଚୁଆଲ ମୋଡରେ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ମୁଖପାତ୍ର ବାଚଚୀ ସୂଚନା ଦେଇଛନ୍ତି।
ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ ଆସନ୍ତା ଏପ୍ରିଲ୍ ୫ ତାରିଖରେ ଭାରତ ଗସ୍ତରେ ଆସିବେ। ଏହି ଦୁଇ ଦିନିଆ ଗସ୍ତରେ ଲାଭରୋଭ୍ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିବେ ବୋଲି ରୁଷିଆ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ମାରିଆ ଜାଖାରୋଭା ଗୁରୁବାର ସୂଚନା ଦେଇଛନ୍ତି। ଜାଖାରୋଭା ଦେଇଥିବା ସୂଚନାନୁସାରେ, ଉଭୟ ଦେଶର ବୈଦେଶିକ ମନ୍ତ୍ରୀ ସାମ୍ପ୍ରତିକ ସମୟରେ ଦୁଇ ଦେଶ ମଧ୍ୟରେ ରହିଥିବା ଦ୍ବିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ସହ ଚଳିତ ବର୍ଷ ହେବାକୁ ଥିବା ଉଚ୍ଚ ସ୍ତରୀୟ ଦ୍ବିପାକ୍ଷିକ ଆଲୋଚନା ପାଇଁ ମଧ୍ୟ ପ୍ରସ୍ତୁତି ଉପରେ ଆଲୋକପାତ କରିବେ। ଏହାଛଡ଼ା ସାମ୍ପ୍ରତିକ ସମୟରେ ଚାଲିଥିବା କୋଭିଡ୍ ମହମାରୀର ମୁକାବିଲା ଦିଗରେ ଉଭୟ ଦେଶ ମଧ୍ୟରେ କିପରି ଭାବେ ଉତ୍ତମ ସହଯୋଗପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇପାରିବ, ତାହା ମଧ୍ୟ ଆଲୋଚନାରେ ସ୍ଥାନ ପାଇବ ବୋଲି ଜାଖାରୋଭା କହିଛନ୍ତି। ସେହିପରି ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଆଲୋଚନା କରିବେ। ଆହୁରି ରୁଷିଆ ଓ ଭାରତ କିପରି ଭାବେ ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଭାବଶାଳୀ ପ୍ରଦର୍ଶନ କରିପାରିବେ, ସେନେଇ ମଧ୍ୟ ଆଲୋଚନା ହେବ। ଅଧିକନ୍ତୁ ଜାତିସଂଘ ଓ ବ୍ରିକ୍ସରେ ଦୁଇ ଦେଶର ଆଭିମୁଖ୍ୟ କ’ଣ ରହିବ, ସେନେଇ ମଧ୍ୟ ଲାଭରୋଭ୍ ଓ ଜୟଶଙ୍କରଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହେବ ବୋଲି ଜାଖାରୋଭା କହିଛନ୍ତି।
ମିଆଁମାରର କ୍ଷମତାଚ୍ୟୁତ ନେତ୍ରୀ ଅଙ୍ଗ୍ ସାନ୍ ସୁ’କୀ ଏବଂ ତାଙ୍କର ୪ ଜଣ ସହଯୋଗୀଙ୍କ ବିରୋଧରେ ସରକାରୀ ଗୋପନୀୟତା ଆଇନ ଉଲ୍ଲଂଘନ ମାମଲା ରୁଜୁ ହୋଇଥିବା ତାଙ୍କ ଓକିଲ ଗୁରୁବାର ସୂଚନା ଦେଇଛନ୍ତି। ୩ ସପ୍ତାହ ପୂର୍ବରୁ ୟାଙ୍ଗୁନ୍ର ଏକ ଅଦାଲତରେ ସୁ’କୀ, ତାଙ୍କ କ୍ୟାବିନେଟର ୩ ଜଣ ମନ୍ତ୍ରୀ ଏବଂ ଅଷ୍ଟ୍ରେଲୀୟ ଅର୍ଥନୈତିକ ପରାମର୍ଶଦାତା ସିନ୍ ଟୁର୍ନେଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଆଇନଜୀବୀ ଖିନ୍ ମାଉଙ୍ଗ କହିଛନ୍ତି। ଏଥିସହିତ ସୁ’କୀଙ୍କ ବିରୋଧରେ କୋରୋନା ପ୍ରୋଟୋକଲ ଉଲ୍ଲଂଘନ, ବେଆଇନ ଭାବେ ଟୁ-ଓ୍ବେ ରେଡିଓ ଅକ୍ତିଆର କରିବା ଆଦି ଅଭିଯୋଗ ମଧ୍ୟ ହୋଇଛି।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କୈୟା ନାଇଡୁ। ବାୟୁ ସେନାର ସ୍ବତନ୍ତ୍ର ବିମାନ ଯୋଗେ ଶୁକ୍ରବାର ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ସ୍ବାଗତ କରିଛନ୍ତି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବରିଷ୍ଠ ପୋଲିସ୍ ଓ ପ୍ରଶାସନିକ ଅଧିକାରୀମାନେ ସ୍ୱାଗତ କରିଥିଲେ। ଉପରାଷ୍ଟ୍ରପତି ବିମାନ ବନ୍ଦରରୁ ସିଧା ରାଜଭବନ ଯାଇଛନ୍ତି। ରାଜଭବନ ସେ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବାପରେ ଅପରାହ୍ନ ୪ଟା ୪୫ ମିନିଟ୍ରେ ରାଜଭବନରୁ ବାହାରି ସଡ଼କ ପଥରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନକୁ ଯିବାର କାର୍ଯ୍ୟକ୍ରମ ରହିଛି।
ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲଙ୍କୁ ନିଜର ବର୍ଷକର ଦରମା ପ୍ରଦାନ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟପାଳ ଗଣେଶୀ ଲାଲ୍ ଟ୍ବିଟ୍ ଜରିଆରେ ଏହି ସୂଚନା ଦେବା ସହ ଧର୍ମେନ୍ଦ୍ରଙ୍କର ଏହି ପଦକ୍ଷେପ ପାଇଁ ତାକୁ ଅଭିନନ୍ଦନ ଜଣାଇଛନ୍ତି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଭାବେ କାର୍ଯ୍ୟରତ ଅଛନ୍ତି ସୁଶୀଳ କୁମାର ଲୋହାନୀ। ଏଥିସହ ସେ ରାଜ୍ୟ ଅବକାରୀ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଏଭଳି ସ୍ଥିତିରେ ସେ କିପରି ଅବାଧ ନିରପେକ୍ଷ ନିର୍ବାଚନ କରାଇ ପାରିବେ ବୋଲି ପ୍ରଶ୍ନ କରିଛି ବିଜେପି। ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟ ସରକାରଙ୍କ ଠାରୁ ସ୍ୱତନ୍ତ୍ର ହେବା ଦରକାର। ହେଲେ ସେ ଯେହେତୁ ରାଜ୍ୟର ଅବକାରୀ ସଚିବ ଅଛନ୍ତି ଏଥିରେ ସ୍ପଷ୍ଟ ଭାବରେ ‘କନଫ୍ଲିକ୍ଟ ଅଫ୍ ଇନ୍ଟ୍ର୍ରେଷ୍ଟ’ ଜଣାପଡ଼ୁଛି। ତେଣୁ ତାଙ୍କୁ ତୁରନ୍ତ ଯେ କୌଣସି ଗୋଟିଏ ଦାୟିତ୍ୱରୁ ମୁକ୍ତ କରାଯାଉ ବୋଲି ଦାବି କରିଛି ବିଜେପି। ପିପିଲି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ଲୋହନୀଙ୍କୁ ରାଜ୍ୟ ମୁଖ ନିର୍ବାଚନ ଅଧିକାରୀ ପଦବୀରୁ ହଟାଇବା ଦାବିରେ ଜାତୀୟ ନିର୍ବାଚନ ଆୟୋଗଙ୍କୁ ବିଜେପି ପ୍ରତିନିଧୀ ଦଳ ଏକ ସ୍ମାରକ ପତ୍ର ପ୍ରଦାନ କରିଛି। ତେବେ ଏହାର ଜବାବ ରଖିଛି ବିଜେଡି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ବଦଳାଇବା ପାଇଁ ଦାବି କରିବା ବିଜେପିର ଅଭ୍ୟାସରେ ପଡ଼ିଗଲାଣି। ନିର୍ବାଚନ ହାରିବା ପରେ ୨୦୦୯ ଠାରୁ ବିଜେପି ନିୟମିତ ଭାବେ ଏଭଳି ଅଭିଯୋଗ କରିଆସୁଥିବା କହିଛନ୍ତି ବିଜେଡି ପ୍ରବକ୍ତା ଇପସିତା ସାହୁ।
ଆସାମରେ ଗତ ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହେବା ପରେ ଇଭିଏମ୍କୁ ନେଇ ତୁମ୍ଭିତୋଫାନ୍ ଜାରି ରହିଛି। ପୋଲିଂ ଅଧିକାରୀମାନେ ସରକାରୀ ଗାଡ଼ିରେ ଇଭିଏମ୍ ନ ନେଇ ଏକ ଘରୋଇ ଗାଡ଼ିରେ ଇଭିଏମ୍ ନେଇଥିବାରୁ ଏହାକୁ ନେଇ ସମସ୍ତ ବିରୋଧୀ ଦଳ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ବିଜେପି ପ୍ରାର୍ଥୀ କ୍ରିଷ୍ଣେନ୍ଦୁ ରାୟଙ୍କ ପତ୍ନୀଙ୍କ ନାମରେ ଥିବା କାରରୁ ଇଭିଏମ୍ ଜବତ ହେବା ପରେ କ୍ରିଷ୍ଣେନ୍ଦୁ ପ୍ରାର୍ଥୀ ହୋଇଥିବା ରତାବରୀ ନିର୍ବାଚନମଣ୍ଡଳୀର ୧୪୯ ନମ୍ବର ବୁଥରେ ପୁନର୍ବାର ନିର୍ବାଚନ କରାଯିବା ସକାଶେ ନିର୍ବାଚନ କମିଶନ୍ (ଇସି) ନିର୍ଦେଶ ଦେବା ସହ ତଦନ୍ତ ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି। ତେବେ ଏହି ମାମଲାରେ ସେ ସମ୍ପୂର୍ଣ୍ଣ ଭାବେ ନିର୍ଦୋଷ ବୋଲି କ୍ରିଷ୍ଣେନ୍ଦୁ କହିଛନ୍ତି। ଶୁକ୍ରବାର ସେ ତାଙ୍କ ଉପରେ ଲଦାଯାଉଥିବା ସମସ୍ତ ପ୍ରକାର ଦୋଷକୁ ଅସ୍ବୀକାର କରିଛନ୍ତି। ଏକ ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ତାଙ୍କ ଡ୍ରାଇଭର୍ ଗାଡ଼ି ଚଳାଉଥିଲା ଓ ପୋଲିଂ ଅଧିକାରୀମାନେ ଇଭିଏମ୍ ନେବା ସକାଶେ ତାଙ୍କୁ ଅନୁରୋଧ କରିଥିଲେ। ଡ୍ରାଇଭର୍ ଜଣକ କେବଳ ପୋଲିଂ ଅଧିକାରୀମାନଙ୍କୁ ସହଯୋଗ କରିଥିଲେ। କାରରେ ତାହା ଜଣେ ବିଜେପି ପ୍ରାର୍ଥୀଙ୍କ କାର୍ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା। ତେବେ ପୋଲିଂ ଅଧିକାରୀମାନେ ସେ ସମ୍ପର୍କରେ ଅବଗତ ଥିଲେ କି ନାହିଁ, ତାହା ସେ ଜାଣନ୍ତି ନାହିଁ ବୋଲି କ୍ରିଷ୍ଣେନ୍ଦୁ କହିଛନ୍ତି।
ଆସାମରେ ଗତ ଗୁରୁବାର ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହୋଇଥିବା ବେଳେ ଗୋଟିଏ ଇଭିଏମ୍ ବିଜେପି ପ୍ରାର୍ଥୀ କ୍ରିଷ୍ଣେନ୍ଦୁ ପଲଙ୍କ ଗାଡ଼ିରୁ ଜବତ କରାଯାଇଛି। ପଥରକାଣ୍ଡି ନିର୍ବାଚନମଣ୍ଡଳୀରୁ ଏହି ପ୍ରାର୍ଥୀ ଜଣକ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ଗାଡ଼ିରୁ ଇଭିଏମ୍ ଜବତ ହେବା ପରେ ନିର୍ବାଚନ କମିଶନ୍ (ଇସି) ରତାବରୀ ଆସନରେ ପୁଣିଥରେ ଭୋଟ୍ ଗ୍ରହଣ ପାଇଁ ନିର୍ଦେଶ ଦେଇଛନ୍ତି। ଏହି ଆସନର ୧୪୯ ନମ୍ବର ପୋଲିଂ ବୁଥରେ ଏହି ନିର୍ବାଚନ ହେବ ବୋଲି ଇସି ଶୁକ୍ରବାର ଜାରି ବିବ୍ତିରେ କହିଛନ୍ତି। ଏଥିସହ ଏହି ମାମଲାରେ ନିଜର ଦାୟିତ୍ବ ସଠିକ୍ ଭାବେ ତୁଲାଇ ନ ଥିବା ଅଭିଯୋଗରେ ଇସି ୪ ଜଣ ଅଧିକାରୀଙ୍କୁ ନିଲମ୍ବନ ମଧ୍ୟ କରିଛନ୍ତି। ଏହାଛଡ଼ା କିପରି ଭାବେ ଇଭିଏମ୍ ବିଜେପି ପ୍ରାର୍ଥୀଙ୍କ କାରରେ ପହଞ୍ଚିଲା, ତା’ର ଏକ ବିଧିବଦ୍ଧ ତଦନ୍ତ ପାଇଁ ମଧ୍ୟ ଇସି ନିର୍ଦେଶ ଦେଇଛନ୍ତି। ଏହି ଘଟଣା ନେଇ ପୋଲିଂ ପାର୍ଟି ପକ୍ଷରୁ ମଧ୍ୟ ସ୍ପଷ୍ଟୀକରଣ ଦିଆଯାଇଛି।
ତାମିଲନାଡୁ ବିଧାନସଭା ନିର୍ବାଚନ ଆଉ ୪ ଦିନ ବାକି ରହିଥିଲା ବେଳେ ଡିଏମକେ ସୁପ୍ରିମୋ ଏମକେ ଷ୍ଟାଲିନଙ୍କ ଝିଅ ଜ୍ବାଇଁଙ୍କ ଘରେ ଆୟକର ରେଡ୍ ଆରମ୍ଭ ହୋଇଛି। ସୂଚନାନୁସାରେ ଚେନ୍ନାଇ ଏକସଙ୍ଗେ ସେମାନଙ୍କର ପ୍ରାୟ ୮ଟି ଘରେ ଆୟକର ପକ୍ଷରୁ ଶୁକ୍ରବାର ସକାଳରୁ ରେଡ୍ ଆରମ୍ଭ ହୋଇଛି। ଝିଅ ସେନ୍ତାମାରାଇ ଓ ଜ୍ବାଇଁ ସବରିସାନଙ୍କ ଘର ରେଡ୍ ଚାଲିଛି। ଏହି ରେଡ୍ ବେଳେ ଅନେକ ଡକ୍ୟୁମେଣ୍ଟ ଓ ନଗଦ ଟଙ୍କା ମିଳିଥିବା ସୂଚନା ଆସିଛି। ମାତ୍ର ରେଡ୍ ଜାରି ରହିଥିବାରୁ କେତେ କ’ଣ ଜବତ ହେଲା ତାହା ସ୍ପଷ୍ଟ ହୋଇପାରିନି। ମାତ୍ର ଆୟକର ବିଭାଗର ସୂଚନା ଅନୁସାରେ ସେମାନେ ବିଭିନ୍ନ ସୂତ୍ରରୁ ସୂଚନା ପାଇ ରେଡ୍ କରୁଛନ୍ତି।
ଗୁରୁବାର ଚଳିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନମଣ୍ଡଳୀ ନନ୍ଦିଗ୍ରାମରେ ହିଂସାକାଣ୍ଡ ଘଟିଛି। ଏହି ଆସନରେ ମମତା ଓ ବିଜେପିର ପୂର୍ବତନ ଘନିଷ୍ଠ ସହଯୋଗୀ ତଥା ଏବେ ବିଜେପିରୁ ପ୍ରାର୍ଥୀ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲାବେଳେ ବୁଥ୍ ଜବରଦଖଲ ନେଇ ଅଭିଯୋଗ ହୋଇଛି। ଗୁରୁବାର ଏଠାରେ ଭୋଟଗ୍ରହଣ ଚାଲିଥିବାବେଳେ ବିଜେପି କର୍ମୀମାନେ ମମତାଙ୍କୁ ୭ ନମ୍ବର ବୁଥରେ ପ୍ରାୟ ଦୁଇ ଘଣ୍ଟା ଧରି ଅଟକ ରଖିଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ମମତା ସିଆରପିଏଫ୍ ଯବାନଙ୍କ ସହାୟତାରେ ଭୋଟ୍ ଗ୍ରହଣ କେନ୍ଦ୍ର ବାହାରକୁ ଆସିଥିଲେ। ମମତା ଉକ୍ତ ଭୋଟ୍ ଗ୍ରହଣ କେନ୍ଦ୍ର ନିକଟରୁ ବୁଥରୁ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଫୋନ କରି ଏ ସମ୍ପର୍କରେ ଅବଗତ କରାଇବା ସହ ନିର୍ବାଚନ କମିଶନ ନିକଟରେ ମଧ୍ୟ ଅଭିଯୋଗ କରିଥିଲେ। ରାଜ୍ୟପାଳ ଟ୍ବିଟ୍ କରି ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଜଣାଇବା ପରେ କମିଶନ ଦୁଇ ଜଣ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଠାରୁ ଶୁକ୍ରବାର ସୁଦ୍ଧା ରିପୋର୍ଟ ତଲବ କରିଛନ୍ତି।
ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ହେବ ଭୋଟ୍ଗ୍ରହଣ। ପିପିଲି ଆସନ ହାତେଇବାକୁ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ମୋଟ ୧୨ ଜଣ ପ୍ରାର୍ଥୀ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ପିପିଲି ଉପନିର୍ବାଚନ ପାଇଁ ମାହୋଲ ସରଗରମ ହୋଇଥିବା ବେଳେ ଆରମ୍ଭ ହୋଇଯାଇଛି ପ୍ରଚାର। ନିର୍ବାଚନ ପରିଚାଳନା ନେଇ ଦଳର ୪ ପୁରୁଖା ନେତାଙ୍କୁ ବୁଧବାର ଦଳର ସୁପ୍ରିମୋ ଦାୟିତ୍ବ ଦେଇଥିବା ବେଳେ ଆଜି ଆଉ ୭ ଜଣ ନେତାଙ୍କୁ ବିଭିନ୍ନ ବ୍ଲକ୍ର ଦାୟିତ୍ବ ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକ ପିପିଲି ବ୍ଲକ୍, ଡେଲାଙ୍ଗ ବ୍ଲକ୍ ଏବଂ ପିପିଲି ବିଜ୍ଞାପିତ ପରିଷଦ ପାଇଁ ଦାୟିତ୍ୱ ପ୍ରଦାନ କରିଛନ୍ତି।
୮୬ତମ ଉତ୍କଳ ଦିବସ ଅବସରରେ ଐତିହାସିକ କୋଲକାତାର ହୁଗୁଲି ନଦୀ ପଠାରୁ ଫେସବୁକ୍ ଲାଇଭ ମାଧ୍ୟରେ ଓଡ଼ିଆ ଭାଇ ଭଉଣୀଙ୍କ ସହ କଥାବାର୍ତ୍ତା ହୋଇ ଆନନ୍ଦିତ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅଗ୍ରଣୀ ବରପୂତ୍ର ଓ ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ୧ ଏପ୍ରିଲ ୧୯୩୬ ତାରିଖରେ ଭାଷାଭିତ୍ତିକ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା। ଏକ ମହାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ମହାପୁରୁଷମାନେ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିଥିଲେ। ବିଚ୍ଛିନ୍ନ ଓଡ଼ିଶାକୁ ଏକତ୍ର କରିବା ପାଇଁ ସେ ଯେଉଁ ଉଦ୍ୟମ କରିଥିଲେ, ତାହା ଓଡ଼ିଶାବାସୀ କେବେ ଭୁଲି ପାରିବେ ନାହିଁ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭାରତ ସରକାରଙ୍କ ଏକ ନ୍ୟାସନାଲ୍ ଫ୍ଲାଗସିପ ପୋଗ୍ରାମ। କେନ୍ଦ୍ର ସରକାରଙ୍କ ଫ୍ଲାଗ୍ସିପ ପୋଗ୍ରାମ୍ରେ ନୋମିନି କଲଚର ପରବର୍ତ୍ତନ ହେବା କଥା ନୁହେଁ। ଯେ କୌଣସି କେନ୍ଦ୍ରୀୟ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେବା ପୂର୍ବରୁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣା ହୋଇଥାଏ। ଏହି ବୁଝାମଣା ଅନୁଯାୟୀ କୌଣସି ଫ୍ଲାଗ୍ସିପ ପୋଗ୍ରାମର ନାମ, ଲୋଗୋ, ପ୍ରକ୍ରିୟା ଏବଂ କାର୍ଯ୍ୟାନ୍ବୟନ ବଦଳାଯାଇପାରିବ ନାହିଁ। କିନ୍ତୁ ଓଡ଼ିଶାରେ ଶାସକ ବିଜେଡି ସମସ୍ତ ବୁଝାମଣାକୁ ଅବମାନନା କରି ନିଜ ଦଳୀୟ ସ୍ବାର୍ଥ ପାଇଁ ଏହି ଯୋଜନାର ନାମ ପରିବର୍ତ୍ତନ କରି ଧର୍ତ୍ତବ୍ୟ ଅପରାଧ କରିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର।
ବିଜେପି ସରକାରର ଜନବିରୋଧୀ ନୀତି ବିରୋଧରେ ଲଢ଼େଇ କରିବା ପାଇଁ ଅଣବିଜେପି ନେତା ଓ ମୁଖ୍ୟମନ୍ତ୍ରୀମାନଙ୍କୁ ଏକାଠି ହେବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ବୁଧବାର ଏନେଇ ମମତା ଚିଠି ଲେଖି କେନ୍ଦ୍ର ସରକାରଙ୍କ ବିରୋଧରେ ମିଳିତ ଲଢ଼େଇ କରିବା ପାଇଁ ଅନୁରୋଧ ଜଣାଇଛନ୍ତି। ଗଣତନ୍ତ୍ରର ସୁରକ୍ଷା ଓ ସାମ୍ବିଧାନିକ ବ୍ୟବସ୍ଥାକୁ ଅକ୍ଷୁଣ୍ଣ ରଖିବା ପାଇଁ ସମସ୍ତେ ଏକାଠି ହେବା ଦରକାର ବୋଲି ଦର୍ଶାଇଛନ୍ତି। କେନ୍ଦ୍ରରେ ଥିବା ବିଜେପି ସରକାର ଯେପରି ଭାବେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ସ୍ବାର୍ଥ ସାଧନ ପାଇଁ ବ୍ୟବହାର କରୁଛନ୍ତି ତାହା ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ବିପଦ ବୋଲି ମମତା ତାଙ୍କ ଚିଠିରେ ଦର୍ଶାଇଛନ୍ତି। ସେ ଲେଖିଛନ୍ତି ଯେ ବିରୋଧୀ ଦଳର ନେତାଙ୍କ ବିରୋଧରେ ବିଜେପି ସରକାର ସିବିଆଇ, ଇଡି ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସି ବ୍ୟବହାର କରୁଛି। ମୋଦୀ ସରକାରଙ୍କ ନିର୍ଦ୍ଦେଶରେ ଇଡି କେବଳ ଟିଏମସି, ଡିଏମକେ ଓ ଅନ୍ୟ ଦଳର ନେତାଙ୍କ ଘରେ ରେଡ୍ କରୁଛି ବୋଲି ଲେଖିଛନ୍ତି।
ଅଧିକ ଦେଖନ୍ତୁ