ଖେଳକୁଦ

ଆଶେସ୍‌ ସିରିଜରେ ସ୍ମିଥ୍‌ଙ୍କ ରନ୍‌ ବର୍ଷା, ୪ର୍ଥ ଟେଷ୍ଟରେ ଦ୍ବିଶତକ

ଆଶେସ୍‌ ସିରିଜ୍‌ରେ ଷ୍ଟିଭ ସ୍ମିଥ୍‌ଙ୍କ ରନ୍‌ ବର୍ଷା ଜାରି ରହିଛି। ଆହତଜନିତ ସମସ୍ୟା ପାଇଁ ତୃତୀୟ ଟେଷ୍ଟ ଖେଳି ନ ପାରିବାରୁ ଅଷ୍ଟ୍ରେଲିଆ ନାଟକୀୟ ମୁକାବିଲାରେ ୧ ୱିକେଟ୍‌ରେ ହାରି ଯାଇଥିଲା। ମାତ୍ର ଆଶେସ୍‌ ଜିଣିବା ପାଇଁ ପଣ କରିଥିବା ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟରେ ସ୍ମିଥ୍‌ଙ୍କ ଲଢ଼ୁଆ ଦ୍ବିଶତକ ବଳରେ ଇଂଲଣ୍ଡ ଉପରେ ଚାପ ସୃଷ୍ଟି କରିବାରେ ସଫଳ ହୋଇଛି। ଶେଷ ଖବର ସୁଦ୍ଧା ଅଷ୍ଟ୍ରେଲିଆ ଦ୍ବିତୀୟ ଦିନରେ ୮ ୱିକେଟ୍‌ରେ ୪୯୭ ରନ୍‌ରେ ପାଳି ସମାପ୍ତି ଘୋଷଣା କରିଛି। ଚମତ୍କାର ଫର୍ମରେ ଥିବା ସ୍ମିଥ୍‌ ୨୧୧ ରନ୍‌ କରି ଆଉଟ ହୋଇଛନ୍ତି। ସ୍ମିଥ୍‌ ୩୧୯ଟି ବଲ୍‌ର ସାମ୍ନା କରି ୨୪ଟି ଚୌକା ଓ ୨ଟି ଛକା ଜରିଆରେ ଦ୍ବିଶତକ ପୂରଣ କରି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଛନ୍ତି। ତୃତୀୟ ମ୍ୟାଚ ସୁଦ୍ଧା ଦୁଇ ଦଳ ମଧ୍ୟରେ ସ୍ଥିତି ୧-୧ରେ ବରାବର ରହିଥିଲା ବେଳେ ଚଳିତ ଟେଷ୍ଟରେ ଅଷ୍ଟ୍ରେଲିଆର ପଲା ଭାରୀ କରିଛନ୍ତି ସ୍ମିଥ୍‌।

କୋହଲି ଗାଦିଚ୍ୟୁତ, ସ୍ମିଥ୍‌ ପୁଣି ନମ୍ବର ୧ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌

ଆଇସିସି ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଗାଦିଚ୍ୟୁତ କରି ପୁଣି ଥରେ ନମ୍ବର ୱାନ୍‌ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଇନିଂସରେ କୋହଲି ମାତ୍ର ଗୋଟିଏ ବଲ୍‌ରେ ଡକ୍‌ଆଉଟ୍‌ ହୋଇ ଗୋଟିଏ ପଏଣ୍ଟ ବ୍ୟବଧାନରେ ସ୍ମିଥ୍‌ଙ୍କ ତଳକୁ ଖସି ଯାଇଛନ୍ତି। ୨୦୧୮ରେ ସ୍ମିଥ୍‌ ବଲ୍‌ ଟାମ୍ପରିଂ ଘଟଣାରେ ବର୍ଷକ ପାଇଁ ନିଲମ୍ବିତ ହେବା ପରେ କୋହଲି ଆଇସିସି ଟେଷ୍ଟ ମାନ୍ୟତାରେ ନମ୍ବର ୱାନ ସ୍ଥାନକୁ ଉନ୍ନୀତ ହେବା ସକାଶେ ସୁଯୋଗ ପାଇଥିଲେ। ମାତ୍ର ଚଳିତ ବର୍ଷ ସେ ଖେଳିଥିବା ୩ଟି ଟେଷ୍ଟରେ ସେପରି ଆଖିଦୃଶିଆ ପ୍ରଦର୍ଶନ ନ କରିବା ତାଙ୍କୁ ମାନ୍ୟତାରେ ଆଗକୁ ବଢ଼ିବାରେ ଅନ୍ତରାୟ ହୋଇଛି।

ଭାରତର ବାଜିମାତ୍‌, ୱେଷ୍ଟ୍‌ଇଣ୍ଡିଜ୍‌ ଧରାଶାୟୀ: ପୋଛିନେଲା

ଜାମାଇକାର କିଙ୍ଗଷ୍ଟନ୍‌ ଠାରେ ଚାଲିଥିବା ଦ୍ବିତୀୟ ଟେଷ୍ଟ୍‌ ଜିତି କ୍ଲିନ୍ ସୁଇପ୍ କରିଛି ଟିମ୍ ଇଣ୍ଡିଆ। ଭାରତ-ୱେଷ୍ଟ୍‌ଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜକୁ ଭାରତ ୨-୦ରେ ପୋଛି ନେଇଛି। ୪୬୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଓ୍ବେଷ୍ଟ୍‌ଇଣ୍ଡିଜ ଦ୍ୱିତୀୟ ଇନିଂସରେ ମାତ୍ର ୨୧୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ଫଳରେ ଭାରତ ୨୫୭ ରନ୍‌ର ବଡ଼ ବ୍ୟବଧାନରେ କାରିବିଆନ୍ ଟିମ୍‌କୁ ପରାସ୍ତ କରିଛି। ଏଥିସହ ବିରାଟ କୋହଲି ସବୁଠାରୁ ଭାରତର ସଫଳତମ ଅଧିନାୟକ ଭାବେ ଗୌରବ ଅର୍ଜନ କରିଛନ୍ତି। ଏହାକୁ ମିଶାଇ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୨୮ଟି ଟେଷ୍ଟ୍‌ରେ ବିଜୟୀ ହୋଇଛି। ଏ କ୍ଷେତ୍ରରେ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୨୭ଟି ବିଜୟକୁ ପଛରେ ପକାଇ ଦେଇଛନ୍ତି। ଉଭୟ ଇନିଂସରେ ଚମତ୍କାର ବ୍ୟାଟିଂ ପାଇଁ ହନୁମା ବିହାରୀ ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଡବଲ ବିଜୟ ସହ ଭାରତ ଆଇସିସି ବିଶ୍ୱ ଚାମ୍ପିଅନଶିପ୍‌ ଟେବଲ୍‌ରେ ୧୨୦ ପଏଣ୍ଟ ସହିତ ଶୀର୍ଷସ୍ଥାନ ବଜାୟ ରଖିଛି।

ବିହାରୀଙ୍କ ଶତକ, ଈଶାନ୍ତଙ୍କ ଅର୍ଦ୍ଧଶତକ ଓ ବୁମ୍‌ରାଙ୍କ ହ୍ୟାଟ୍ରିକ୍

ଜାମାଇକାର କିଙ୍ଗଷ୍ଟନ୍‌ ଠାରେ ଚାଲିଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅନ୍ତିମ ଟେଷ୍ଟର ଦ୍ୱିତୀୟ ଦିବସରେ ପ୍ରଥମ ପାଳିରେ ଭାରତ ୪୧୬ ରନ୍‌ର ସମ୍ମାନଜନକ ସ୍କୋର କରିଛି। ଅଲରାଉଣ୍ଡର ହନୁମା ବିହାରୀଙ୍କ ପ୍ରଥମ ଶତକ ସହ ଈଶାନ୍ତ ଶର୍ମାଙ୍କ ପ୍ରଥମ ଅର୍ଦ୍ଧଶତକ ପାଇଁ ୩୦୨ ରନ୍‌ରେ ୭ ୱିକେଟ୍ ହରାଇ ସାରିଥିବା ଭାରତ ୪୦୦ ରନ୍ ଟପିଛି। ବିହାରୀ ୨୦୦ ବଲ୍‌ରୁ ଲଢ଼ୁଆ ଶତକ ଏବଂ ଈଶାନ୍ତ ୬୯ ବଲ୍‌ରୁ ଉପଯୋଗୀ ଅର୍ଦ୍ଧଶତକ କରି ଇଣ୍ଡିଜ୍ ବୋଲରଙ୍କୁ ୨୮ରୁ ଅଧିକ ଓଭର ପର୍ଯ୍ୟନ୍ତ ନୟାନ୍ତ କରିଥିଲେ। ଉଭୟ ଅଷ୍ଟମ ୱିକେଟ୍‌ରେ ୧୧୪ ରନ୍ ଯୋଡ଼ିଥିଲେ। ଈଶାନ୍ତଙ୍କ ସ୍ମରଣୀୟ ପାଳି ୫୭ ରନ୍‌ରେ ଶେଷ ହୋଇଥିଲା। ବିହାରୀ ଭାରତର ‌‌ଶେଷ ୱିକେଟ୍ ଭାବେ ୧୧୧ ରନ୍‌ରେ ଆଉଟ୍ ହୋଇଥିଲେ। ଦୁଇ ଜଣ ଯାକ କିନ୍ତୁ ଟେଷ୍ଟ୍‌ କ୍ରିକେଟ୍‌ରେ ନିଜ ନିଜର ସର୍ବାଧିକ ବ୍ୟକ୍ତିଗତ ରନ୍ କରିଥିଲେ। ୨୬ ବର୍ଷୀୟ ବିହାରୀ ନର୍ଥସାଉଣ୍ଡରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ୍‌ରେ ନର୍ଭସ ନାଇଣ୍ଟିର ଶିକାର ହୋଇଥିଲେ। କିଙ୍ଗଷ୍ଟନ୍‌ରେ କିନ୍ତୁ ଅସୀମ ଏକାଗ୍ରତାର ପରିଚୟ ଦେଇ ପ୍ରଥମ ଥର ପାଇଁ ତିନି ଅଙ୍କ ଛୁଇଁଥିଲେ ସେ। ଏହା ପୂର୍ବରୁ ଈଶାନ୍ତଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଅପରାଜିତ ୩୧ଥିଲା। ସେହିଭଳି ନର୍ଥସାଉଣ୍ଡରେ ଖେଳା ଯାଇଥିବା ଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ କରିଥିବା ୯୩ ରନ୍ ଏହା ପୂର୍ବରୁ ବିହାରୀଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା।

ୱେଷ୍ଟଇଣ୍ଡିଜ ଚାପକୁ ଏଡ଼ାଇଲା କୋହଲି ଓ ମୟଙ୍କଙ୍କ

ଅଧିନାୟକ ବିରାଟ କୋହଲିଙ୍କ ଲଢ଼ୁଆ ୭୬ ରନ୍‌ ଓ ଓପ୍‌ନର ମୟଙ୍କ ଅଗ୍ରୱାଲଙ୍କ ୫୫ ରନ୍‌ ବଳରେ ଭାରତ ଦ୍ବିତୀୟ ଟେଷ୍ଟ୍‌ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୫ ୱିକେଟ୍‌ ହରାଇ ୨୬୪ ରନ୍‌ କରିଛି। ଲୋକେଶ ରାହୁଲ ୧୩ ଓ ଚେତେଶ୍ବର ପୂଜାରା ମାତ୍ର ୬ ରନ୍‌ କରି ଆଉଟ୍‌ ହେବା ପରେ ମୟଙ୍କ ଓ ଅଧିନାୟକ କୋହଲି ଇନିଂସ ସଜାଡ଼ିବାରେ ସଫଳ ହୋଇଥିଲେ। ତୃତୀୟ ୱିକେଟ୍‌ରେ ଭାରତ ୧୧୫ ରନ୍‌ରେ ପହଞ୍ଚିଥିଲା ବେଳେ ମୟଙ୍କ ୭ଟି ଚୌକା ଜରିଆରେ ୫୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାପରେ କୋହଲିଙ୍କ ସହ ଅଜିଙ୍କ୍ୟ ରାହାଣେ ଯୋଗଦେଇ ୪ଟି ଚୌକା ଜରିଆରେ ୨୪ ରନ୍‌ କରି ଆଉଟ୍‌ ହୋଇଥିଲେ। ମାତ୍ର ଅଧିନାୟକ କୋହଲି ଓ ପ୍ରତିପକ୍ଷ ଅଧିନାୟକ ହୋଲ୍ଡରଙ୍କ ମଧ୍ୟରେ ବ୍ୟାଟ୍‌-ବଲ୍‌ର ୪ ଘଣ୍ଟାର ସଂଘର୍ଷ ଦେଖିବାକୁ ମିଳିଥିଲା। ଶେଷରେ ହୋଲ୍ଡରଙ୍କ ବୋଲିଂରେ କୋହଲି ୧୦ଟି ଚୌକା ଜରିଆରେ ୭୬ ରନ କରି ଅନ୍ତିମ ସେସନରେ ଆଉଟ୍‌ ହୋଇଥିଲେ।

ବିଜୁ ପଟ୍ଟନାୟକ କ୍ରୀଡ଼ା, ସାହସିକତା ଓ ସମାଜସେବା ପୁରସ୍କାର

ଭୁବନେଶ୍ୱର ଦେଶର କ୍ରୀଡ଼ା ରାଜଧାନୀ ଭାବରେ ପ୍ରତିଷ୍ଠା ହାସଲ କରି ପାରିଛି। କ୍ରୀଡ଼ା ପରିଚାଳନାରେ ଏହା ଆନ୍ତର୍ଜାତୀୟ ସ୍ୱୀକୃତି ପାଇଛି। ଏସିଆନ୍‌ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌, ପୁରୁଷ ହକି ବିଶ୍ୱ ଲିଗ୍ ଫାଇନାଲ ଓ ପୁରୁଷ ହକି ବିଶ୍ୱ କପ୍‌ର ସଫଳ ଆୟୋଜନ ପରେ ଏବେ ୧୭ ବର୍ଷରୁ କମ୍ ମହିଳା ହକି ବିଶ୍ୱକପ୍ କ୍ରୀଡ଼ା ଆୟୋଜନର ଆଶା ଉଜ୍ଜଳ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ଜୟଦେବ ଭବନରେ ଆୟୋଜିତ ବିଜୁ ପଟ୍ଟନାୟକ କ୍ରୀଡ଼ା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଏହି ଅବସରରେ ୧୪ ଜଣଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା, ସାହାସିକତା ଓ ସମାଜ ସେବା ପୁରସ୍କାର ପ୍ରଦାନ କରାଯାଇଛି। ପାରା ବ୍ୟାଡ୍‌ମିଣ୍ଟନରେ ବିଶ୍ୱ ଚାମ୍ପିଅନସିପ୍‌ ହାସଲ କରିଥିବା ପ୍ରମୋଦ ଭଗତ ଏବଂ ସାହସିକତାରେ ବନ୍ଧୁଙ୍କୁ ଦୁର୍ଘଟଣାରେ ବଞ୍ଚାଇଥିବା ଅନୁଗୁଳର ଛୋଟ ଝିଅ ଶ୍ରୀମତୀ ଭଦ୍ରାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି। ଉଭୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି।

ବୁମ୍‌ରାଙ୍କୁ ୫ ୱିକେଟ୍‌: ରେକର୍ଡ ବ୍ୟବଧାନରେ ଭାରତ ବିଜୟୀ

ନର୍ଥ ସାଉଣ୍ଡ୍‌: ଚଳିତ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଭାରତ ଚାରି ଦିନରେ ଶେଷ କରିବା ସହ ବୃହତ୍‌ ୩୧୮ ରନ୍‌ ବ୍ୟବଧାନରେ ବିଜୟୀ ହୋଇଛି। ୪୧୯ ରନ୍‌ର ବିଜୟ ଲକ୍ଷ୍ୟ ପାଇଥିବା ଇଣ୍ଡିଜ୍‌ ତା’ର ଦ୍ବିତୀୟ ଇନିଂସରେ ଶୋଚନୀୟ ବ୍ୟାଟିଂ ପ୍ରଦର୍ଶନ କରି ମାତ୍ର ୧୦୦ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯିବା ଫଳରେ ଭାରତ ବିଦେଶ ମାଟିରେ ସବୁଠାରୁ ଅଧିକ ବ୍ୟବଧାନରେ ଟେଷ୍ଟ୍‌ ବିଜୟୀ ହେବାର ଗୌରବ ଲାଭ କରିଛି। ପୂର୍ବରୁ ଭାରତ ଶ୍ରୀଲଙ୍କା ବିପକ୍ଷରେ ୨୦୧୭ ଗଲ୍‌ ଟେଷ୍ଟ୍‌ରେ ୩୦୪ ରନ୍‌ରେ ବିଜୟୀ ହୋଇଥିଲା। ସେହିପରି ଅଧିନାୟକ ବିରାଟ କୋହଲି ମଧ୍ୟ ବିଦେଶ ମାଟିରେ ସର୍ବାଧିକ ଟେଷ୍ଟ୍‌ ଜିତିବାର ରେକର୍ଡ ନିଜ ନାମରେ କରିଛନ୍ତି। ସେ ତାଙ୍କର ୨୬ତମ ଟେଷ୍ଟ୍‌ରେ ନେତୃତ୍ବ ନେଉଥିବା ବେଳେ ଦ୍ବାଦଶ ବିଜୟ ହାସଲ କରିଛନ୍ତି। ଏଥିସହ ସେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଅତିକ୍ରମ କରିଛନ୍ତି। ଗାଙ୍ଗୁଲି ତାଙ୍କ କ୍ୟାରିଅର୍‌ରେ ୨୮ଟି ଟେଷ୍ଟ୍‌ରେ ନେତୃତ୍ବ ନେଇ ୧୧ଟିରେ ବିଜୟୀ ହୋଇଛନ୍ତି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ