ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍ମିଣ୍ଟନ୍ ଇତିହାସରେ ଏହା ଏକ ଅବିସ୍ମରଣୀୟ ଦୃଶ୍ୟ । ଟୋକିଓ ପାରାଲିମ୍ପିକ୍ସର ପୁରୁଷ ଏସ୍ଏଲ୍୩ ବ୍ୟାଡ୍ମିଣ୍ଟନ ଇଭେଣ୍ଟର ଫାଇନାଲ ମ୍ୟାଚ୍ ଜିତି ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ଓଡ଼ିଆ ବ୍ୟାଡ୍ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଉତ୍ସବମୁଖର ନ ହୋଇ ସିଧା ଭାରତୀୟ ଦଳର ପ୍ରଶିକ୍ଷକ ଗୌରବ ଖାନ୍ନାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ପ୍ରମୋଦ ଏତେ ଖୁସି ହୋଇ ଯାଇଥିଲେ ଯେ ଗୌରବଙ୍କୁ ସେ ଆଲିଙ୍ଗନ କରି ଝୁଲି ପଡ଼ିଥିଲେ। ଗୌରବ କହିଛନ୍ତି ଯେ ଏହା ଅପ୍ରତ୍ୟାଶିତ ଥିଲା ଏବଂ ପ୍ରମୋଦ ଏପରି କରିବେ ବୋଲି ସେ ଆଦୌ ଆଶା କରି ନ ଥିଲେ। ପ୍ରମୋଦଙ୍କ ଏପରି ଆଚରଣ ତାଙ୍କୁ ବହୁତ ଖୁସି ଦେଇଥିଲା ବୋଲି ଭାରତୀୟ ଜାତୀୟ ବ୍ୟାଡ୍ମିଣ୍ଟନ ପ୍ରଶିକ୍ଷକ ଗୌରବ କହିଛନ୍ତି।
ଟୋକିଓ: ଏକ ରଙ୍ଗାରଙ୍ଗ ଉତ୍ସବ ସହ ଟୋକିଓ ପାରାଲିମ୍ପିକ୍ସ ରବିବାର ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି। ଫଳରେ ୧୫ ଦିନ ଧରି ଚାଲିଥିବା ଏହି କ୍ରୀଡ଼ା ମହାକୁମ୍ଭରେ ଯବନିକା ପଡ଼ିଛି। ଆତିଥ୍ୟ ପ୍ରଦାନ କରିଥିବା ଜାପାନବାସୀ ସାରା ବିଶ୍ବକୁ ବିଦାୟ ନେଇଛନ୍ତି। ୩ ବର୍ଷ ପରେ ପ୍ୟାରିସ୍ରେ ୧୭ଶ ପାରାଲିମ୍ପିକ୍ସ ଆୟୋଜନ ହେବ। ପ୍ରଥମେ ସଙ୍ଗୀତ ଓ ନୃତ୍ୟରେ ଉଦ୍ଯାପନୀ ଉତ୍ସବ ଆରମ୍ଭ ହୋଇଥିଲା। ଆଗକୁ ବଢ଼ିବାର ବାର୍ତ୍ତା ନେଇ ଏହି ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସର ଶେଷ ଦିନରେ ରବିବାର ଭାରତ ୨ଟି ପଦକ ଜିତିବା ସହ କୌଣସି ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନର ରେକର୍ଡ କରିଛି। ପୂର୍ବରୁ ୨୦୧୮ ସମର୍ ୟୁଥ ଅଲିମ୍ପିକ୍ସରେ ଭାରତ ସର୍ବାଧିକ ୧୩ଟି ପଦକ ହାସଲ କରିଥିଲା। ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ୍ ପଦକ ହାସଲ କରିଛି। ଏଥସହ ଭାରତ ଶୀର୍ଷ ୨୫ ଦେଶ ମଧ୍ୟରେ ସାମିଲ୍ ରହିଛି। ନିକଟରେ ଶେଷ ହୋଇଥିବା ସମର୍ ଅଲିମ୍ପିକ୍ସରେ ଭାରତର ସକ୍ଷମ ପ୍ରତିଯୋଗୀମାନେ ରେକର୍ଡ ୭ଟି ପଦକ ହାସଲ କରିଥିବାବେଳେ ପାରାଲିମ୍ପିଆନମାନେ ସେମାନଙ୍କୁ ମଧ୍ୟ ଟପିଯାଇଛନ୍ତି। ଅର୍ଥାତ୍ ଚଳିତ ବର୍ଷର ଉଭୟ ସମର ଓ ପାରାଲିମ୍ପିକ୍ସ ଭାରତ ପାଇଁ ବେଶ୍ ସ୍ମରଣୀୟ ହୋଇପାରିଛି। ପୂର୍ବରୁ ଭାରତ ଗତ ୨୦୧୬ ରିଓ ପାରାଲିମ୍ପିକ୍ସରେ ସର୍ବାଧିକ ୪ଟି ପଦକ ପାଇଥିବା ବେଳେ ଏଠାରେ ଏହାଠାରୁ ୧୫ଟି ପଦକ ଅଧିକ ପାଇଛି। ଏପରିକି ୧୯୬୮ରୁ ୨୦୧୬ ମଧ୍ୟରେ ଭାରତୀୟ ପାରା ପ୍ରତିଯୋଗୀମାନେ ମାତ୍ର ୧୨ଟି ପଦକ ପାଇଥିବା ବେଳେ ଏଠାରେ ୧୯ଟି ପଦକ ପାଇ ସବୁ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ପ୍ରଥମ ଥର ପାଇଁ କୌଣସି ସଂସ୍କରଣରେ ଭାରତ ପକ୍ଷରୁ ୫୪ ଜଣିଆ ସ୍କ୍ବାଡ୍ ଅଂଶଗ୍ରହଣ କରିଥିବାରୁ ସେମାନେ ଆଶାଜନକ ସଫଳତା ମଧ୍ୟ ହାସଲ କରିଛନ୍ତି।
ଟୋକିଓ: ଚଳିତ ପାରାଲିମ୍ପିକ୍ସର ପୁରୁଷ ସିଙ୍ଗଲ୍ସ (ଏସ୍ଏଲ୍୪) ବ୍ୟାଡମିଣ୍ଟନ ବର୍ଗରେ ସୁହାସ ଏଲ୍ ଯତିରାଜ ଓ ପୁରୁଷ ସିଙ୍ଗଲ୍ସ (ଏସ୍ଏଚ୍ ୬) ବ୍ୟାଡମିଣ୍ଟନ ବର୍ଗରେ କୃଷ୍ଣ ନାଗର ଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇ ଭାରତ ପାଇଁ ଆଉ ଦୁଇଟି ପଦକ ସୁନିଶ୍ଚିତ କରିଛନ୍ତି। ରବିବାର ଦିନ ହେବାକୁ ଥିବା ଫାଇନାଲ୍ରେ ସ୍ବର୍ଣ୍ଣ ପଦକ ପାଇଁ ଯତିରାଜ ଫ୍ରାନ୍ସର ଲୁକାସ୍ ମାଜୁର ଏବଂ ନାଗର ହଙ୍ଗ୍କଙ୍ଗ୍ର ଚୁ’ ମାନ୍ କାଇଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ।
ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସର ପୁରୁଷ ଏକକ (ଏସଏଲ୩) ବ୍ୟାଡମିଣ୍ଟନ ଇଭେଣ୍ଟରେ ଭାରତର ମନୋଜ ସରକାର ଶନିବାର କାଂସ୍ୟ (ବ୍ରୋଞ୍ଜ) ପଦକ ଜିତିଛନ୍ତି। ବ୍ୟାଡମିଣ୍ଟନ ପୁରୁଷ ଏକକରେ ପ୍ରମୋଦ ଭଗତ ସ୍ବର୍ଣ୍ଣ ପଦକ ଜିତଥିବା ବେଳେ ମନୋଜ ସେହି ଇଭେଣ୍ଟରେ ଆଉ ଏକ ପଦକ ଜିତିଛନ୍ତି। ଫଳରେ ଗୋଟିଏ ଦିନରେ ଭାରତ ପୁଣି ୪ଟି ପଦକ ହାସଲ କରିଛି। ଭାରତୀୟ ଶଟଲର ମନୋଜ ଜାପାନର ଡାଏସୁକେ ଫୁଜିହାରାଙ୍କୁ ୨୨-୨୦, ୨୧-୧୩ରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛନ୍ତି।
ଟୋକିଓ: ପାରାଲିମ୍ପିକ୍ସର ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଐତିହାସିକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରଥମ କରି ବ୍ୟାଡମିଣ୍ଟନକୁ ପାରାଲିମ୍ପିକ୍ସରେ ସାମିଲ କରାଯାଇଥିଲା ବେଳେ ପ୍ରମୋଦ ପ୍ରଥମ ଭାରତୀୟ ଶଟଲର ଭାବେ ଏହି ଐତିହାସିକ ସଫଳତା ଅର୍ଜନ କରିଛନ୍ତି। ବିଶ୍ବର ଏକ ନମ୍ବର ମାନ୍ୟତାରେ ଥିବା ପ୍ରମୋଦ ଫାଇନାଲରେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ରେ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୪୫ ମିନିଟର କଡ଼ା ମୁକାବିଲାରେ ପ୍ରମୋଦ ପ୍ରଥମ ସେଟକୁ ସହଜରେ ଜିତିବା ପରେ ଦ୍ବିତୀୟ ସେଟରେ ପଛରେ ରହି କମବ୍ୟାକ କରି ମ୍ୟାଚକୁ ୨-୦ରେ ଜିତି କ୍ୟାରିଅରର ବଡ଼ ସଫଳତା ପାଇଥିଲେ।
ଟୋକିଓ: ଶନିବାର ଭାରତ ପାଇଁ ଚଳିତ ଟୋକିଓ ପାରାଲିମ୍ପିକ୍ସ ଶୁଟିଂରେ ଦ୍ବିତୀୟ ସ୍ବର୍ଣ୍ଣପଦକ ଜିତିଛନ୍ତି ମନୀଷ ନରୱାଲ୍। ସେ ମିକ୍ସଡ ୫୦ ମିଟର ପିସ୍ତଲ ଏସଏଚ୍୧ ଫାଇନାଲରେ ଏକ ନମ୍ବରରେ ରହି ସ୍ବର୍ଣ୍ଣପଦକ ହାସଲ କରିଥିବା ବେଳେ ଶିଙ୍ଗରାଜ ଅଦାନା ଚଳିତ ସଂସ୍କରଣରେ ତାଙ୍କର ଦ୍ବିତୀୟ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ସେ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି। ମନୀଷ ପାରାଲିମ୍ପିକ୍ସରେ ରେକର୍ଡ ୨୧୮.୨ ପଏଣ୍ଟ୍ ଅର୍ଜନ କରିଥିବା ବେଳେ ଶିଙ୍ଗରାଜ ୨୧୬.୭ ପଏଣ୍ଟ୍ ଲାଭ କରିଛନ୍ତି। ଚଳିତ ସପ୍ତାହର ପ୍ରଥମ ଭାଗରେ ୩୯ ବର୍ଷୀୟ ଶିଙ୍ଗରାଜ ୧୦ ମିଟର ଏୟାର୍ ପିସ୍ତଲ ଏସଏଚ୍୧ ଇଭେଣ୍ଟରେ ବ୍ରୋଞ୍ଜ୍ ପଦକ ଜିତିଥିଲେ। ସେ ରୁଷିଆ ଅଲିମ୍ପିକ୍ କମିଟି (ଆରଓସି)ର ସର୍ଗେ ମାଲିଶେଭ୍ଙ୍କୁ ପଛରେ ପକାଇ ରୌପ୍ୟ ପଦକ ହାସଲ କରିଥିଲେ। ନରୱାଲ୍ ମିକ୍ସଡ ୫୦ ମିଟର ପିସ୍ତଲ ଏସଏଚ୍୧ ଇଭେଣ୍ଟ୍ରେ ବିଶ୍ବ ରେକର୍ଡ ହାସଲ କରିଛନ୍ତି। ଫାଇନାଲରେ ଏଲିମିନେସନର ପଞ୍ଚମ ସିରିଜରେ ସ୍ବର୍ଣ୍ଣ ପଦକ ଜିତିବା ଦିଗରେ ନରୱାଲ୍ ଆଗେଇ ଚାଲିଥିଲେ। ସେ ଶେଷ ଦୁଇଟି ପ୍ରଚେଷ୍ଟାରେ ୧୦.୮ ଓ ୧୦.୫ ପଏଣ୍ଟ୍ ଅର୍ଜନ କରିବା ସହ ସ୍ବର୍ଣ୍ଣପଦକ ଉପରେ କବଜା କରିଥିଲେ। ଅନ୍ୟପକ୍ଷରେ ଭାରତର ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ଓ ପଲକ କୋହଲି ମିକ୍ସଡ ଡବଲ୍ସ ଏସ୍ଏଲ୍୩-ଏସ୍ୟୁ୫ ସେମିଫାଇନାଲରେ ଇଣ୍ଡୋନେସୀୟ ଯୋଡ଼ି ହ୍ୟାରି ସୁସାନ୍ତୋ ଓ ଲିନି ରାତ୍ରିଙ୍କୁ ଭେଟିବେ।
ଟୋକିଓ: ଚଳିତ ପାରାଲିମ୍ପିକ୍ସରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଥିବା ବେଳେ ଭାରତ ଶୁକ୍ରବାର ଆଉ ଦୁଇଟି ପଦକ ହାସଲ କରିଛି। ଏଥିସହ ଭାରତ ପୁଣି ଗୋଟିଏ ଦିନରେ ୩ଟି ପଦକ ଜିତିଛି। ପୁରୁଷ ହାଇଜମ୍ପ ଟି-୬୪ ବର୍ଗରେ ଭାରତର ପ୍ରବୀଣ କୁମାର ଜିତିଥିବା ବେଳେ ତୀରନ୍ଦାଜରେ ହରବିନ୍ଦର ସିଂହ କାଂସ୍ୟ (ବ୍ରୋଞ୍ଜ) ପଦକ ଜିତିଛନ୍ତି। ପାରା ଅଲିମ୍ପିକ୍ସରେ ତୀରନ୍ଦାଜରେ ଏହା ଭାରତର ପ୍ରଥମ ପଦକ।
ଟୋକିଓ: ଚଳିତ ପାରାଲିମ୍ପିକ୍ସରେ ଦେଶ ପାଇଁ ପୁଣି ପଦକ ଜିତିଲେ ଶୁଟର ଅବନୀ ଲେଖରା। ୫୦ ମିଟର ରାଇଫଲ ପ୍ରତିଯୋଗିତାରେ ସେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ପୂର୍ବରୁ ଅବନୀ ମହିଳାଙ୍କ ଆର୍-୨ ୧୦ ମିଟର୍ ଏୟାର୍ ରାଇଫଲ୍ କ୍ଲାସ୍ ଏସଏଚ୍-୧ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ସେ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଏବେ ବ୍ରୋଞ୍ଜ ପଦକ ଜିତି ଅବନୀ ଆଉଏକ ଇତିହାସ ରଚିଛନ୍ତି। ଅବନୀ ଭାରତର ପ୍ରଥମ ଆଥଲେଟ୍ ଭାବେ କୌଣସି ପାରାଲିମ୍ପିକ୍ସରେ ଡବଲ୍ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।
ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ବିଶ୍ବର ଏକ ନମ୍ବର ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତ ତାଙ୍କ ଦ୍ବିତୀୟ ସିଙ୍ଗଲ୍ସ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେ ତାଙ୍କର ପ୍ରଥମ ମୁକାବିଲାରେ ବୁଧବାର ନିଜ ଦେଶର ମନୋଜ ସରକାରଙ୍କୁ ହରାଇଥିବା ବେଳେ ପୂର୍ବରୁ ମିକ୍ସଡ ଡବଲ୍ସରେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିଲେ। ଡବଲ୍ସରେ ତାଙ୍କର ଯୋଡ଼ିଦାର ଭାବେ ସହଯୋଗ କରୁଛନ୍ତି ପଲକ କୋହଲି। ଗୁରୁବାର ପ୍ରମୋଦ ତାଙ୍କର ଦ୍ବିତୀୟ ମୁକାବିଲାରେ ୟୁକ୍ରେନର ଓଲେକଜାଣ୍ଡର୍ ଚିରକୋଭଙ୍କୁ ୨୧-୧୨, ୨୧-୯ରେ ପରାସ୍ତ କରି ଗ୍ରୁପ୍ ପର୍ଯ୍ୟାୟରେ ଶୀର୍ଷ ସ୍ଥାନରେ ରହି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଏହାଛଡ଼ା ମିକ୍ସଡ ଡବଲ୍ସରେ ପ୍ରମୋଦ-ପଲକ୍ ଯୋଡ଼ି ଶୁକ୍ରବାର ଗ୍ରୁପ୍-ବି’ରେ ସେମାନଙ୍କ ଦ୍ବିତୀୟ ମୁକାବିଲାରେ ଥାଇଲାଣ୍ଡ୍ ଯୋଡ଼ିକୁ ଭେଟିବେ। ୱାର୍ଲ୍ଡ ଚାମ୍ପିଅନଶିପରେ ଅଦ୍ୟାବଧି ୫ଟି ପଦକ ଲାଭ କରିସାରିଥିବା ପ୍ରମୋଦ ୧.୪ ବିଲିୟନ୍ ଭାରତବାସୀଙ୍କ ଆଶାକୁ ସେ କଦାପି ଫିକା ପଡ଼ିବାକୁ ଦେବେ ନାହିଁ। ବିଶ୍ବର ଏକ ନମ୍ବର ଖେଳାଳି ଭାବେ ସେ ଚଳିତ ପାରାଲିମ୍ପିକ୍ସରେ ୨ଟି ସ୍ବର୍ଣ୍ଣ ପଦକ ଜିତିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଉଭୟ ସିଙ୍ଗଲ୍ସ ଓ ମିକ୍ସଡ ଡବଲ୍ସରେ ସେ ଚାମ୍ପିଅନ୍ ହେବେ ବୋଲି ପ୍ରମୋଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଟୋକିଓ: ଚଳିତ ପାରାଲିମ୍ପିକ୍ସ ଖେଳୁଥିବା ବିଶ୍ବର ଏକ ନମ୍ବର ପାରା ବ୍ୟାଡ଼ମିଣ୍ଟନ ଖେଳାଳି ଓଡ଼ିଶାର ଏକମାତ୍ର ଖେଳାଳି ପ୍ରମୋଦ ଭଗତ ଏସଏଲ୍-୩ ବର୍ଗ ପୁରୁଷ ବ୍ୟାଡମିଣ୍ଟନର ଏକକ ବର୍ଗରେ ଚିତ୍ତାକର୍ଷକ ବିଜୟ ହାସଲ କରି ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଖେଳାଯାଇଥିବା ଏସଏଲ୍-୩ ବର୍ଗ ପୁରୁଷ ବ୍ୟାଡମିଣ୍ଟନର ଏକକ ବର୍ଗର ଗ୍ରୁପ-ଏ ପ୍ରଥମ ମ୍ୟାଚରେ ପ୍ରମୋଦ ନିଜର ଅନ୍ୟତମ ଭାରତୀୟ ତଥା ତାଙ୍କ ଯୁଗଳ ଯୋଡ଼ିଦାର ମନୋଜ ସରକାରଙ୍କୁ ୨-୧ ସେଟ୍ରେ (୨୧-୧୦, ୨୧-୨୩, ୨୧-୯) ପରାସ୍ତ କରି ସେମିଫାଇନାଲର ନିକଟତର ହୋଇଛନ୍ତି। ଏହି ମ୍ୟାଚ୍ ଜିତିବାକୁ ମାତ୍ର ୫୬ ମିନିଟ୍ ସମୟ ନେଇଥିଲେ ପ୍ରମୋଦ।
ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ପ୍ରଥମ ଥର ପାଇଁ ବ୍ୟାଡମିଣ୍ଟନକୁ ସ୍ଥାନ ମିଳିଥିବା ବେଳେ ଭାରତ ଏଥିରେ ଏକାଧିକ ପଦକ ଜିତିବା ନେଇ ବେଶ୍ ଆଶାବାଦୀ ରହିଛି। ବିଶେଷକରି ଦେଶର ଏକ ନମ୍ବର ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କଠାରୁ ନିଶ୍ଚିତ ଭାବେ ପଦକ ମିଳିବାର ଆଶା ରହିଛି। କିନ୍ତୁ ପ୍ରଥମ ମୁକାବିଲାରେ ପ୍ରମୋଦ ନିରାଶ କରିଛନ୍ତି। ଏସ୍ଏଲ୍୩-ଏସୟୁ୫ ଗ୍ରୁପ୍-ବି’ର ପ୍ରଥମ ମୁକାବିଲାରେ ପ୍ରମୋଦ ଓ ତାଙ୍କ ଯୋଡ଼ିଦାର ପଲକ୍ କୋହଲି ମିକ୍ସଡ ଡବଲ୍ସ ଇଭେଣ୍ଟରେ ପରାସ୍ତ ହୋଇଛନ୍ତି। ଏହି ଯୋଡ଼ି ଫ୍ରାନ୍ସର ଦ୍ବିତୀୟ ସିଡ୍ ଯୋଡ଼ି ଲୁକାସ୍ ମାଜୁର୍ ଓ ଫୌଷ୍ଟିନ୍ ନୋଏଲଙ୍କଠାରୁ ୯-୨୧, ୨୧-୧୫, ୧୯-୨୧ରେ ପରାସ୍ତ ହୋଇଛନ୍ତି। ତେବେ ଗ୍ରୁପ୍ ପର୍ଯ୍ୟାୟରେ ଏହା ପ୍ରଥମ ମୁକାବିଲା ହୋଇଥିବାରୁ ପରବର୍ତ୍ତୀ ମ୍ୟାଚଗୁଡ଼ିକରେ ପ୍ରମୋଦ ଓ ପଲକ ଯୋଡ଼ି ନିଜର ତ୍ରୁଟି ସୁଧାରି ଭଲ ପ୍ରଦର୍ଶନ କରିବାର ଆଶା ରହିଛି। ଅନ୍ୟପକ୍ଷରେ ପ୍ରତିଯୋଗିତାର ନବମ ଦିନରେ ବୁଧବାର ସୁଇମର୍ ସୂୟାଶ୍ ନାରାୟଣ ଯାଦବ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ସେ ପୁରୁଷ ୧୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍-ଏସବି୭ ବର୍ଗ ଫାଇନାଲରେ ଅଂଶଗ୍ରହଣ କରିଥିଲେ ହେଁ ଟେକନିକାଲ୍ ସମସ୍ୟା କାରଣରୁ ଅଯୋଗ୍ୟ ସାବ୍ୟସ୍ତ ହୋଇଛନ୍ତି।
ଟୋକିଓ: ପାରାଲିମ୍ପିକ୍ସ ଇତିହାସରେ ଭାରତ ପ୍ରଥମ ଥର ପାଇଁ ପଦକ ସଂଖ୍ୟାକୁ ଦୁଇ ଅଙ୍କରେ ପହଞ୍ଚାଇବାରେ ସକ୍ଷମ ହୋଇଛି। ସୋମବାର ପ୍ରତିଯୋଗୀମାନେ ଚଳିତ ଟୋକିଓ ପାରାଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ପରେ ମଙ୍ଗଳବାର ପଦକ ସଂଖ୍ୟା ୧୦ରେ ପହଞ୍ଚିଯାଇଛି। ପ୍ରତିଯୋଗିତାର ଅଷ୍ଟମ ଦିନରେ ମଙ୍ଗଳବାର ଭାରତ ପକ୍ଷରୁ ପ୍ରଥମ ପଦକଟି ପୁରୁଷ ଶୁଟର୍ ଶିଙ୍ଗରାଜ ଜିତିଥିବା ବେଳେ ପରେ ମାରିୟାପ୍ପାନ୍ ଥାଙ୍ଗାଭେଲୁ ଓ ଶରଦ କୁମାର ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ମଙ୍ଗଳବାର ମାରିୟାପ୍ପାନ୍ କ୍ରମାଗତ ଭାବେ ଦ୍ବିତୀୟ ସ୍ବର୍ଣ୍ଣପଦକ ବିଜୟୀ ହୋଇପାରି ନ ଥିଲେ ହେଁ ଟି୬୩ ପୁରୁଷ ହାଇ ଜମ୍ପ୍ ପ୍ରତିଯୋଗିତାରେ ସେ ରୌପ୍ୟ ପଦକ ହାତେଇପାରିଛନ୍ତି। ଆମେରିକାର ବିଶ୍ବ ରେକର୍ଡଧାରୀ ପ୍ରତିଯୋଗୀ ସାମ୍ ଗ୍ରିୱି ୧.୮୮ ମିଟର ଉଚ୍ଚକୁ ଡେଇଁ ସ୍ବର୍ଣ୍ଣପଦକ ହାସଲ କରିଥିବା ବେଳେ ଏହି ବର୍ଗରେ ଶରଦ ବ୍ରୋଞ୍ଜ୍ ପଦକ ପାଇଛନ୍ତି। କିନ୍ତୁ ଗତ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ୍ ପଦକ ଜିତିଥିବା ଭାରତୀୟ ପ୍ରତିଯୋଗୀ ବରୁନ୍ ଭଟ୍ଟି ସପ୍ତମ ସ୍ଥାନରେ ରହିବାରୁ ପଦକ ପାଇପାରି ନ ଥିଲେ।
ଟୋକିଓ: ରବିବାର ଓ ସୋମବାର ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପ୍ରତିଯୋଗୀମାନେ ୭ଟି ପଦକ ଜିତି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ମଙ୍ଗଳବାର ପ୍ରତିଯୋଗିତାର ଅଷ୍ଟମ ଦିନରେ ଏହି ପଦକ ବିଜୟ ଧାରାକୁ ଆଗକୁ ବଢ଼ାଇଛନ୍ତି ପୁରୁଷ ଶୁଟର୍ ଶିଙ୍ଗରାଜ ଅଦାନା। ସେ ପି୧ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଏସଏଚ୍୧ ଇଭେଣ୍ଟ୍ରେ ବ୍ରୋଞ୍ଜ୍ ପଦକ ଜିତିପାରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଫାଇନାଲ୍ ରାଉଣ୍ଡରେ ୨୧୬.୮ ପଏଣ୍ଟ୍ ସ୍କୋର୍ କରି ୩ୟ ସ୍ଥାନରେ ରହିଥିଲେ। କ୍ବାଲିଫାଇଙ୍ଗ୍ ରାଉଣ୍ଡରେ ସେ ଷଷ୍ଠ ସ୍ଥାନରେ ରହି ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଥିଲେ। ଏହି ରାଉଣ୍ଡରେ ସର୍ବମୋଟ ୮ ଜଣ ପ୍ରତିଯୋଗୀ ରହିଥିଲେ। ଏଥିସହ ଭାରତର ପଦକ ସଂଖ୍ୟା ୮ରେ ପହଞ୍ଚିଛି, ଯାହାକି ପୂର୍ବରୁ ଦେଶର ଶ୍ରେଷ୍ଠ ପ୍ରଦର୍ଶନର ଦୁଇଗୁଣ। ଗତ ରିଓ ପାରାଲିମ୍ପିକ୍ସରେ ଭାରତୀୟ ପ୍ରତିଯୋଗୀମାନେ ୪ଟି ପଦକ ଜିତିଥିଲେ। କିନ୍ତୁ ଅନ୍ୟତମ ଭାରତୀୟ ପ୍ରତିଯୋଗୀ ମନୀଷ ନରୱଲ୍ କ୍ବାଲିଫାଇଙ୍ଗ୍ ରାଉଣ୍ଡରେ ୫୭୫ ପଏଣ୍ଟ୍ ସହ ଏକ ନମ୍ବର ସ୍ଥାନରେ ରହି ଫାଇନାଲରେ ପହଞ୍ଚିଥିଲେ ହେଁ ଏହି ରାଉଣ୍ଡରେ ସପ୍ତମ ସ୍ଥାନରେ ରହି ପ୍ରଶଂସକଙ୍କୁ ନିରାଶ କରିଥିଲେ।
ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ଦ୍ବିତୀୟ ସ୍ବର୍ଣ୍ଣପଦକ ଜିତିଛନ୍ତି ସୁମିତ ଅନ୍ତିଲ୍। ପୁରୁଷ ଜାଭେଲିନ୍ ଏଫ୍୬୪ ଫାଇନାଲ୍ସରେ ସୁମିତ୍ ବିଶ୍ବ ରେକର୍ଡ ଭଙ୍ଗ କରିବା ସହ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଏଥିସହ ସୋମବାର ପ୍ରତିଯୋଗିତାର ଷଷ୍ଠ ଦିନରେ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି। ଅବଶ୍ୟ ପଦକ ସଂଖ୍ୟା ୮ରେ ପହଞ୍ଚିବା କଥା। କିନ୍ତୁ ରବିବାର ଡିସକସ୍ ଥ୍ରୋ’ରେ ବ୍ରୋଞ୍ଜ୍ ପଦକ ଜିତିଥିବା ବିନୋଦ କୁମାରଙ୍କୁ ଏଥିରୁ ବଞ୍ଚିତ ହେବାକୁ ପଡ଼ିଛି। ରବିବାର ପ୍ରତିଯୋଗିତା ଶେଷ ହେବା ପରେ ବିନୋଦଙ୍କ ବର୍ଗକୁ ନେଇ ଦ୍ବନ୍ଦ୍ବ ଉପୁଜିବାରୁ ପଦକ ପ୍ରଦାନ ଉତ୍ସବକୁ ବାତିଲ୍ କରାଯାଇଥିଲା। ସୋମବାର ଅପରାହ୍ନରେ ଏନେଇ ନିଷ୍ପତ୍ତି ଆସିବା ପରେ ବିନୋଦଙ୍କୁ ପଦକ ପ୍ରଦାନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯିବାରୁ ଭାରତ ପଦକ ସଂଖ୍ୟା ୭ରେ ସୀମିତ ରହିଛି। ପୂର୍ବରୁ ଚଳିତ ପ୍ରତିଯୋଗିତାରେ ସୋମବାର ଜାଭେଲିନରେ ଦେବେନ୍ଦ୍ର ଝାଝରିଆ ଓ ଡିସକସ ଥ୍ରୋ’ରେ ଯୋଗେଶ କୁମାର କାଠୁନିୟା ରୌପ୍ୟ ପଦକ ଜିତିଥିବା ବେଳେ ଜାଭେଲିନରେ ସୁନ୍ଦର ସିଂ ଗୁର୍ଜର୍ ବ୍ରୋଞ୍ଜ୍ ପଦକ ଜିତିଥିଲେ। ଆହୁରି ସୋମବାର ପ୍ରଥମ ପଦକଟି ମହିଳା ଶୁଟର୍ ଜୟପୁରର ଅଭନୀ ଲେଖାରା ଜିତିଥିଲେ। ସେ ୧୦ ମିଟର ଏୟାର୍ ରାଇଫଲ୍ ଇଭେଣ୍ଟ୍ରେ ପାରାଲିମ୍ପିକ୍ସରେ ରେକର୍ଡ ପଏଣ୍ଟ୍ ହାସଲ ସହ ଦେଶର ପ୍ରଥମ ମହିଳା ଭାବେ ସ୍ବର୍ଣ୍ଣପଦକ ଜିତିଥିଲେ। ଏହି ଧାରାକୁ ଜାରି ରଖି ସୋମବାରର ପଞ୍ଚମ ପଦକଟି ସୁମିତ୍ ଜିତିଛନ୍ତି।
ଅଧିକ ଦେଖନ୍ତୁ