କଂଗ୍ରେସ-ଏନ୍‌ସିପି-ଶିବସେନା
ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମିଳିତ ସରକାର ନେଇ ପ୍ରକ୍ରିୟା ଜାରି ରହିଛି। ଏହି ୩ ଦଳର ବରିଷ୍ଠ ନେତାମାନଙ୍କୁ ନେଇ ତୁହାକୁ ତୁହା ବୈଠକ ଅନଚଷ୍ଠିତ ହେବା ସହ ସରକାର ଚଳାଇବା ପାଇଁ ଏକ ୪୦ ସୂତ୍ରୀ କମନ ମିନିମମ ପ୍ରୋଗ୍ରାମ (ସିଏମ୍‌ପି) ସ୍ଥିର ହୋଇଥିବା ସୂଚନା ମିଳିଛି। ପ୍ରସ୍ତୁତ ହୋଇଥିବା ଏହି ୪୦ ସୂତ୍ରୀ ସିଏମ୍‌ପି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ, ଏନ୍‌ସିପି ମୁଖ୍ୟ ଶରଦ ପାୱାର ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ଆପ୍ରୁଭାଲ ପାଇଁ ପଠାଯିବାକୁ ସ୍ଥିର ହୋଇଛି। ଏଥିସହ ଏନେଇ ସହମତି ପ୍ରକାଶ ପାଇବା ପରେ ଆସନ୍ତା ସପ୍ତାହରେ ଅର୍ଥାତ୍‌ ୧୯ ତାରିଖ ସୁଦ୍ଧା ମିଳିତ ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକଟରେ ଦାବି କରାଯିବ ବୋଲି ସୂଚନା ମିଳିଛି।
ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ
ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବାର ପାଖାପାଖି ୩ ସପ୍ତାହ ପୂରିବାକୁ ବସିଥିଲେ ହେଁ କୌଣସି ଦଳ ସରକାର ଗଠନ କରିବାକୁ ସକ୍ଷମ ନ ହେବାରୁ ଶେଷରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ପ୍ରଥମେ ବିଜେପି ସରକାର ଗଠନ କରିବାକୁ ମନା କରିବା ପରେ ରାଜ୍ୟପାଳ ଭଗତ ସିଂହ କୋଶୟାରି ୫୬ ଆସନ ପାଇଥିବା ବିଜେପିର ସହଯୋଗୀ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରି ୨୪ ଘଣ୍ଟାର ସମୟ ଦେଇଥିଲେ। କିନ୍ତୁ ନୂଆ ମେଣ୍ଟ ଚୂଡ଼ାନ୍ତ ପାଇଁ ଶିବସେନା ୪୮ ଘଣ୍ଟାର ସମୟ ମାଗିବା ପରେ ରାଜ୍ୟପାଳ ଏହାକୁ ପ୍ରତ୍ୟାଖ୍ୟାନ କରି ତୃତୀୟ ସର୍ବାଧିକ ଆସନ ପାଇଥିବା ଏନ୍‌ସିପିକୁ ସରକାର ଗଠନ ପାଇଁ ଡାକିଥିଲେ। ଶିବସେନା ପରି ଏନ୍‌ସିପିକୁ ମଧ୍ୟ ରାଜ୍ୟପାଳ ୨୪ ଘଣ୍ଟାର ମହଲତ ଦେଇଥିଲେ। ସୋମବାର ରାତିରେ ଏନ୍‌ସିପି ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କୁ ସାକ୍ଷାତ କରି ଅଧିକ ଦୁଇ ଦିନ ସମୟ ମାଗିଥିଲେ। କିନ୍ତୁ ରାଜ୍ୟପାଳ ଏପରି ଅନୁମତି ନ ଦେଇ ରାଷ୍ଟ୍ରପତି ଶାସନ ଜାରି କରିବା ସକାଶେ ସୁପାରିସ୍‌ କରିଥିଲେ। ପରେ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‌ ରାଷ୍ଟ୍ରପତି ଶାସନ ଜାରି କରିବା ସକାଶେ ସୁପାରିସ୍‌ କରିଥିଲେ। ସଦ୍ୟ ହସ୍ତଗତ ତଥ୍ୟ ଅନୁସାରେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ଅପରପକ୍ଷରେ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ଶିବସେନା ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି।
ନୀତା ଅମ୍ବାନୀଙ୍କ କଳା ପ୍ରୀତି
ଏସିଆର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ବିଶିଷ୍ଟ ସମାଜସେବୀ ନୀତା ଅମ୍ବାନୀଙ୍କୁ ଏବେ ଆମେରିକା କଳା ସଂଗ୍ରହାଳୟ ‘ମେଟ୍ରୋପଲିଟାନ୍‌ ମ୍ୟୁଜିୟମ୍‌ ଅଫ୍ ଆର୍ଟ’ର ସମ୍ମାନଜନକ ସଦସ୍ୟତା ପ୍ରଦାନ କରାଯାଇଛି। ଏ କ୍ଷେତ୍ରରେ ସେ ଭାରତର ପ୍ରମୁଖ ବ୍ୟକ୍ତିବିଶେଷ ହୋଇପାରିଛନ୍ତି। ନ୍ୟୁୟର୍କସ୍ଥିତ ଏହି କଳା ସଂଗ୍ରହାଳୟରେ ଅନୁଷ୍ଠିତ ହୋଇଆସୁଥିବା ପ୍ରଦର୍ଶନୀକୁ ୫୭ ବର୍ଷୀୟା ନୀତା ନିୟମିତ ଭାବେ ସମର୍ଥନ କରିଆସୁଛନ୍ତି। ନୀତାଙ୍କୁ ସଂଗ୍ରହାଳୟର ଅବୈତନିକ ଟ୍ରଷ୍ଟି ଭାବେ ମନୋନୀତ କରାଯାଇଥିବା ବେଳେ ଏନେଇ କଳା ସଂଗ୍ରହାଳୟର ଅଧ୍ୟକ୍ଷ ଡାନିଏଲ୍‌ ବ୍ରୋଡସ୍କାଏ କହିଛନ୍ତି ଯେ ନୀତା ନିୟମିତ ଭାବେ ଆମ ଦ୍ବାରା ଆୟୋଜିତ ହୋଇଆସୁଥିବା ପ୍ରଦର୍ଶନୀକୁ ସମର୍ଥନ ଓ ପ୍ରୋତ୍ସାହନ ଯୋଗାଇଆସୁଥିବାରୁ ଏହା ଅଧିକ ଲୋକାଦ୍ରୁତ ହୋଇପାରିଛି। ତାଙ୍କ ପ୍ରଚ୍ଛନ୍ନ ଉଦ୍ୟମ ବଳରେ ସଂଗ୍ରହାଳୟ ବିଶ୍ବର କୋଣ ଅନୁକୋଣର ବିଭିନ୍ନ ପ୍ରକାର ଚିତ୍ର ଏଠାରେ ପ୍ରଦର୍ଶିତ କରିପାରିଛି ବୋଲି ଡାନିଏଲ୍‌ କହିଛନ୍ତି।
ମୟଙ୍କଙ୍କ ଆଉ ଏକ ଦ୍ବିଶତକ,
ଚଳିତ ବାଂଲାଦେଶ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଘରୋଇ ଭାରତ ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ନିଜର ସ୍ଥିତିକୁ ବେଶ୍‌ ମଜଭୁତ କରିପାରିଛି। ପ୍ରଥମ ଦିନରେ ଦଳର ବୋଲର୍‌ମାନେ ଭ୍ରମଣକାରୀ ବାଂଲାଦେଶକୁ ମାତ୍ର ୧୫୦ ରନ୍‌ରେ ଅଲ୍‌ଆଉଟ୍‌ କରିଦେଇଥିବା ବେଳେ ଦ୍ବିତୀୟ ଦିନରେ ବ୍ୟାଟ୍ସମ୍ୟାନ୍‌ମାନେ ସେମାନଙ୍କ ଦାୟିତ୍ବ ସୁଚାରୁ ରୂପେ ତୁଲାଇବା ଫଳରେ ଭାରତ ତା’ର ପ୍ରଥମ ଇନିଂସରେ ୬ ୱିକେଟ୍‌ ହରାଇ ୪୯୩ ରନ୍‌ କରିଛି। ଦଳକୁ ବଡ଼ ଅଗ୍ରଣୀ ଦେବାରେ ଓପନର ମୟଙ୍କ ଅଗରୱାଲ୍‌ଙ୍କର ପ୍ରମୁଖ ଭୂମିକା ରହିଛି। ଗତ ସାଉଥ୍ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରେ ପ୍ରଥମ ଦ୍ବିଶତକ ଅର୍ଜନ କରିଥିବା ମୟଙ୍କ ସାଥୀ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମାଙ୍କୁ ସଅଳ ହରାଇଥିଲେ ମଧ୍ୟ ଶୁକ୍ରବାର ଦୃଢ଼ତାର ସହ ବ୍ୟାଟିଂ କରି ପୁଣି ଥରେ ଦ୍ବିଶତକ ଅର୍ଜନ କରିଛନ୍ତି। ସେ ୨୪୩ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅଜିଙ୍କ୍ୟ ରାହାଣେ ୮୬ ଓ ଚେତେଶ୍ବର ପୂଜାରା ୬୦ ରନ୍‌ର ଯୋଗଦାନ ଦେଇଛନ୍ତି। ଏହାଛଡ଼ା ବାମହାତୀ ଅଲ୍‌ରାଉଣ୍ଡର୍‌ ରବୀନ୍ଦ୍ର ଜାଡେଜା ଅପରାଜିତ ୬୦ ରନ୍‌ କରିଥିବା ବେଳେ ଶୁକ୍ରବାରର ଖେଳ ଶେଷ ସୁଦ୍ଧା ଭାରତ ୩୪୩ ରନ୍‌ରେ ଆଗୁଆ ରହିଛି ଓ ଦଳ ହାତରେ ଏବେ ବି ୪ଟି ପ୍ରଥମ ଇନିଂସ ୱିକେଟ୍‌ ବାକି ରହିଛି।
ଇଣ୍ଡିଜ୍‌ ବ୍ୟାଟିଂ ଫେଲ୍‌: ମହିଳା
ଚଳିତ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିବା ପରେ ଭାରତୀୟ ମହିଳା ଦଳ ଟି-୨୦ ସିରିଜ୍‌ରେ ବି ବିଜୟୀ ହୋଇଛି। ଶୁକ୍ରବାର ଭୋର୍‌ ସମୟରେ ଏଠାରେ ଖେଳାଯାଇଥିବା ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଭାରତୀୟ ଖେଳାଳିମାନେ ବେଶ୍‌ ଶୃଙ୍ଖଳିତ ପ୍ରଦର୍ଶନ ଜରିଆରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ତିନିଟି ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜ୍‌ ନିଜ ନାମରେ କରିନେଇଛନ୍ତି। ଭାରତୀୟ ସ୍ପିନର୍‌ଙ୍କ ଯାଦୁକରୀ ପ୍ରଦର୍ଶନ କାଏମ ରହିବା ଫଳରେ ଘରୋଇ ଇଣ୍ଡିଜ୍‌ ଦଳର ବ୍ୟାଟିଂ ଫେଲ୍‌ ମାରିଥିଲା ଓ ଦଳ ୨୦ ଓଭର୍‌ରେ ୯ ୱିକେଟ୍‌ ହରାଇ ମାତ୍ର ୫୯ ରନ୍‌ କରିଥିଲା। ଜବାବରେ ଭାରତ ମାତ୍ର ୩ଟି ୱିକେଟ୍‌ ହରାଇ ହାତରେ ୨୨ଟି ବଲ୍‌ ବାକି ଥିବା ବେଳେ ବିଜୟୀ ହୋଇଛି। ଅପରାଜିତ ୪୦ ରନ୍‌ କରିଥିବା ଭାରତର ମଧ୍ୟମକ୍ରମ ବ୍ୟାଟ୍ସଓମ୍ୟାନ୍‌ ଜେମିମା ରଡରିଗ୍ସ ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ସିରିଜ୍‌ର ଚତୁର୍ଥ ମ୍ୟାଚ୍‌ ଆସନ୍ତା ୧୭ ତାରିଖରେ ଏଠାରେ ଖେଳାଯିବ।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128

ଫଟୋ ଗ୍ୟାଲେରୀ

ଝଟକୁଛନ୍ତି ଜ୍ୟୋତି: ଦିନ ମଜୁରିଆରୁ
ସବୁବେଳେ ପରିଶ୍ରମର ମୂଲ୍ୟ ରହିଛି। ଏହି ପରିପ୍ରେକ୍ଷୀରେ କୁହାଯାଏ, କଠିନ ପରିଶ୍ରମ ନିଶ୍ଚୟ ଫଳ ଦେଇଥାଏ। ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରିଛନ୍ତି ଆମେରିକାରେ ପ୍ରତିଷ୍ଠା ଲାଭ କରିଥିବା ଭାରତର ମହିଳା ଉଦ୍ୟୋଗୀ ଜ୍ୟୋତି ରେଡ୍ଡୀ। ଦିନେ ଯେଉଁ ଝିଅ ଖାଲି ପାଦରେ ସ୍କୁଲ୍‌ ଯାଉଥିଲେ, ଏବେ ସେ ମର୍ସିଡିଜ୍‌ ବେଞ୍ଜ ଚଲାଉଛନ୍ତି। ତାଙ୍କ ପାଖରେ ଏବେ ୫୦୦ରୁ ଊର୍ଦ୍ଧ୍ବ ଶାଢ଼ି ଓ ୩୦ରୁ ଊର୍ଦ୍ଧ୍ବ ସନ୍‌ଗ୍ଲାସ୍‌ ରଖିଛନ୍ତି। ତେବେ ଏସବୁ ବିଳାସପୂର୍ଣ୍ଣ ସାମଗ୍ରୀ ‘କି ସଫ୍ଟୱେୟର ସଲ୍ୟୁସନ୍‌ ଆଇଏନ୍‌ସି’ର ମାଲିକାଣୀ ଜ୍ୟୋତିଙ୍କ ପାଇଁ ବହୁତ ଛୋଟ ଜିନିଷ। ୨୦୧୬ରେ ଜ୍ୟୋତିଙ୍କ ବାର୍ଷିକ ଆୟ ୧୫ ମିଲିଅନ୍‌ ଆମେରିକୀୟ ଡଲାର ଥିଲା। ଏହି ଅସାଧାରଣ ସଫଳତାର ଅଧିକାରିଣୀ ଜ୍ୟୋତିଙ୍କୁ ଏବେ ୪୭ ବର୍ଷ। ପାଞ୍ଚ ଭାଇ ଭଉଣୀଙ୍କ ମଧ୍ୟରେ ଦ୍ବିତୀୟ ଜ୍ୟୋତିଙ୍କ ପିତାଙ୍କ ନାମ ଭେଙ୍କଟ ରେଡ୍ଡୀ। ତେଲଙ୍ଗାନାର ୱାରଙ୍ଗଲ ଜିଲାସ୍ଥିତ ନରସିମୁହଲା ଗୁଡେମାରେ ଜ୍ୟୋତି ଜନ୍ମଗ୍ରହଣ କରିଥିଲେ। ତାଙ୍କ କହିବାନୁଯାୟୀଜୀବନରେ ସୁଖ ଓ ଦୁଃଖର ବହୁତ ବଡ଼ ଭୂମିକା ରହିଛି। ସୁଖ ମଣିଷକୁ ଖୁସି ଦେଉଥିବାବେଳେ ଦୁଃଖ ମୁସ୍କିଲ୍‌ ସମୟକୁ ସାମ୍ନା କରିବା ଓ ଜଣେ ଉତ୍ତମ ମଣିଷ ହେବା ଲାଗି ପ୍ରେରଣା ଯୋଗାଇଥାଏ। ଯେଉଁ ବ୍ୟକ୍ତି ଏହି ସବୁ ମୁସ୍କିଲ୍‌କୁ ଦୃଢ଼ତାର ସହ ସାମ୍ନା କରନ୍ତି, ସେହି ବ୍ୟକ୍ତି ଦିନେ ନା ଦିନେ ସଫଳ ହୋଇପାରନ୍ତି। ଜୀବନରେ ଆସୁଥିବା ଏହି ସବୁ ସମସ୍ୟାକୁ ସାମ୍ନା କରି ଭାରତରେ ଲାଳନପାଳନ ହୋଇଥିବା ଜ୍ୟୋତି ଏବେ ଆମେରିକାରେ ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରାଇପାରିଛନ୍ତି। ଜୀବନରେ ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି କିଭଳି ଦିନ ମଜୁରିଆରୁ ଜ୍ୟୋତି କୋଟିପତି ସଫଳ ଉଦ୍ୟୋଗୀ ପାଲଟିଛନ୍ତି, ତାହା ନିଶ୍ଚିତ ରୂପେ ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ