ବିହାରରେ ୩୧ ପର୍ଯ୍ୟନ୍ତ ଲକଡାଉନ ଓ ବେଙ୍ଗାଳୁରୁ

ପାଟନା/ବେଙ୍ଗାଳୁରୁ: ଦେଶରେ କୋରୋନା ସଂକ୍ରମଣ ମାଡ଼ି ଚାଲିଥିଲା ବେଳେ ବିଭିନ୍ନ ରାଜ୍ୟରେ ଅଞ୍ଚଳ ଭିତ୍ତିରେ ଲକଡାଉନ ଓ ଶଟଡାଉନ କଟକଣାକୁ ବଢ଼ାଇ ଦିଆଯାଇଛି। ମଙ୍ଗଳବାର ବିହାର ସରକାର ଆସନ୍ତା ୧୬ରୁ ୩୧ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ବଢ଼ାଇଛନ୍ତି। ସେହିପରି କର୍ଣ୍ଣାଟକ ସରକାର ମଧ୍ୟ କାରୋନା ପ୍ରଭାବିତ ବେଙ୍ଗାଳୁରୁକୁ ଏକ ସପ୍ତାହ ପାଇଁ ଶଟଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ରାତି ୮ରୁ ଏହି ସଟଡାଉନ କଟକଣା ଲାଗୁ ହେଲା ବୋଲି ସରକାର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ସେହିପରି ଧରୱାଡ ଓ ଦକ୍ଷିଣ କନ୍ନଡ ଜିଲ୍ଲାକୁ ମଧ୍ୟ କର୍ଣ୍ଣାଟକ ସରକାର ଯଥାକ୍ରମେ ୯ ଓ ୭ ଦିନ ପାଇଁ ଲକଡାଉନ ଘୋଷଣା କରିଛନ୍ତି। କର୍ଣ୍ଣାଟକରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪୧ ହଜାର ୫୮୧ରେ ପହଞ୍ଚିଥିଲା ବେଳେ କେବଳ ବେଙ୍ଗାଳୁରୁରେ ଏହି ସଂଖ୍ୟା ୧୯ ହଜାରରୁ ଅଧିକ ରହିବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ଦିଲ୍ଲୀରୁ ଫେରିଲେ ପାଇଲଟ୍ କ୍ୟାମ୍ପ୍
ପାଖାପାଖି ଦେଢ଼ ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ପ୍ରଦେଶର କମଳ ନାଥ ସରକାର ଗତ ମାର୍ଚ୍ଚରେ ଭୁଶୁଡ଼ି ପଡ଼ିଥିଲା। ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ ଓ ତାଙ୍କର ଏକାଧିକ ବିଧାୟକ କମଳ ନାଥ ସରକାରରୁ ଇସ୍ତଫା ଦେବା ପରେ ମେଣ୍ଟ ସରକାର ଭୁଶୁଡ଼ି ପଡ଼ିଥିଲା ଓ ଶିବରାଜ ସିଂହ ଚୌହାନ୍ ପୁଣିଥରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ। ମଧ୍ୟ ପ୍ରଦେଶ ପରି ଅବସ୍ଥା ବର୍ତ୍ତମାନ ରାଜସ୍ଥାନରେ କଂଗ୍ରେସର ହେବାକୁ ଯାଉଛି। ଉପମୁଖ୍ୟମନ୍ତ୍ରୀ ପଦରେ ଥିବା ରାଜେଶ ପାଇଲଟ୍ ଓ ତାଙ୍କ କ୍ୟାମ୍ପର ୧୨ ଜଣ ବିଧାୟକ ଦିଲ୍ଲୀରେ ଦଳର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିବା ସମ୍ବାଦ ଭାଇରାଲ୍ ହେବା ପରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଆସନ ବିପଦରେ ଥିବା ଚର୍ଚ୍ଚା ହେଉଛି। କିନ୍ତୁ ଇତିମଧ୍ୟରେ ଏହି ବିଧାୟକମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଓ ଗେହଲୋଟଙ୍କ ସରକାର ଉପରେ କୌଣସି ପ୍ରକାର ବିପଦ ନାହିଁ ବୋଲି ସେମାନେ ଦୃଢ଼ୋକ୍ତି ମଧ୍ୟ ପ୍ରକାଶ କରିଛନ୍ତି। ପାଇଲଟ୍ କ୍ୟାମ୍ପର ୩ ଜଣ ବିଧାୟକ ରୋହିତ ବୋହରା, ଚେତନ ଦୁଦି ଓ ଦାନିଶ୍ ଅବରାର୍ ରବିବାର ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କ ନୀରବତା ଭଙ୍ଗ କରିବା ସହ ରାଜ୍ୟରେ କୌଣସି ପ୍ରକାର ରାଜନୈତିକ ଅସ୍ଥିରତା ଖବରକୁ ଅସ୍ବୀକାର କରିଛନ୍ତି।
ପାଇଲଟଙ୍କୁ ସିନ୍ଦିଆଙ୍କ ସମର୍ଥନ
ମଧ୍ୟ ପ୍ରଦେଶ ପରି ରାଜସ୍ଥାନରେ କଂଗ୍ରେସ ସରକାର ଉପରେ ବିପଦ ଆସିବାର ପୂର୍ବ ସୂଚନା ମିଳିଛି। ଉପମୁଖ୍ୟମନ୍ତ୍ରୀ ରାଜେଶ ପାଇଲଟ୍ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ମଧ୍ୟରେ ମତଭେଦ ହୋଇଥିବା ବେଳେ ଏହା ଗେହଲୋଟ୍ ସରକାର ପାଇଁ ବିପଦପୂର୍ଣ୍ଣ ସାବ୍ୟସ୍ତ ହେବାର ସମ୍ଭାବନା ରହିଛି। ଗତ ଶୁକ୍ରବାର ଗେହଲୋଟ୍ ବିଜେପି ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରକୁ ପଲଟାଇବା ସକାଶେ କୋଟି କୋଟି ଟଙ୍କାର ଲାଞ୍ଚ ଯାଚୁଥିବା ଅଭିଯୋଗ ଆଣିଥିଲେ। ଏହାପରେ ପାଇଲଟ୍ ଓ ତାଙ୍କର ୧୨ ଜଣ ସମର୍ଥକ ବିଧାୟକ ଦିଲ୍ଲୀ ଯାଇଥିବାରୁ ଗେହଲୋଟ ସରକାର ପ୍ରତି ଅଧିକ ବିପଦ ରହିଥିବା ଚର୍ଚ୍ଚା ହେଉଛି। ଏପରି ସ୍ଥିତିରେ ମଧ୍ୟ ପ୍ରଦେଶ କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପାଇଲଟଙ୍କୁ ସମର୍ଥନ କରିଛନ୍ତି। କଂଗ୍ରେସରେ କଦାପି ପ୍ରତିଭା ଓ କ୍ଷମତାନୁସାରେ ଦାୟିତ୍ବ ମିଳି ନ ଥାଏ। ଦେଶର ଏହି ସର୍ବପୁରାତନ ରାଜନୈତିକ ଦଳରେ ସବୁବେଳେ ପ୍ରତିଭାବାନ ଓ ଦକ୍ଷତାବାନ୍ ନେତାମାନଙ୍କୁ ଅବହେଳା ପ୍ରଦର୍ଶନ କରାଯାଇଆସିଛି ବୋଲି ସିନ୍ଦିଆ କହିଛନ୍ତି।
ରେଳବାଇ ଇତିହାସରେ ପ୍ରଥମ
ରବିବାର ଭାରତୀୟ ରେଳବାଇ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ପ୍ରଥମ ଥର ପାଇଁ ଭାରତ ବାହାରକୁ ପାର୍ସଲ୍ ଟ୍ରେନ୍ ଯାତ୍ରା କରିଛି। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲା ଅନ୍ତର୍ଗତ ରେଡିପାଲେମଠାରୁ ଶୁଖିଲା ଲଙ୍କା ନେଇ ରେଳବାଇର ଏକ ପାର୍ସଲ୍ ଟ୍ରେନ୍ ବାଂଲାଦେଶର ପବନାପୋଲ୍ ଅଞ୍ଚଳକୁ ଗସ୍ତ କରିଛି। ଏ ସଂକ୍ରାନ୍ତରେ ସୂଚନା ଦେଇ ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲ୍ ଟ୍ବିଟ୍ କରି କହିଛନ୍ତି ଯେ ଜାତୀୟ ସୀମା ଡେଇଁ ରେଳବାଇ ବିଦେଶକୁ ପାର୍ସଲ୍ ପଠାଇବାର ଗୌରବ ହାସଲ କରିଛି। ଏଥିସହ ଭାରତୀୟ ରେଳବାଇ ବିଦେଶକୁ ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ ମଧ୍ୟ ପାଦ ଦେଇଛି। ଏହି କ୍ରମରେ ରେଳବାଇ ପକ୍ଷରୁ ବାଂଲାଦେଶକୁ ଏକ ସ୍ପେଶାଲ୍ ପାର୍ସଲ୍ ଟ୍ରେନ୍ ଯାତ୍ରା କରିଛି ବୋଲି ଗୋଏଲ୍ କହିଛନ୍ତି। ଗୁଣ୍ଟୁର ଓ ଏହାର ଆଖପାଖ ଅଞ୍ଚଳ ଲଙ୍କା ଚାଷ ପାଇଁ ବିଦେଶରେ ବି ବିଶେଷ ଖ୍ୟାତି ଅର୍ଜନ କରିଥିବା ବେଳେ ଏଠାକାର ଲଙ୍କା ବିଦେଶକୁ ମଧ୍ୟ ରପ୍ତାନୀ ହେଉଛି। ବିଶେଷକରି ଏହି ଲଙ୍କାର ଗୁଣବତ୍ତା ଓ ବ୍ରାଣ୍ଡ୍ ସ୍ବତନ୍ତ୍ର ହୋଇଥିବାରୁ ଦେଶ ସହ ବିଦେଶରୁ ମଧ୍ୟ ଏହାକୁ ଆଦ୍ରୁତି ମିଳିଛି। ପୂର୍ବରୁ ଏଠାକାର ଚାଷୀମାନେ ସେମାନଙ୍କ ଉତ୍ପାଦିତ ଲଙ୍କାକୁ କେବଳ ସଡ଼କ ପଥରେ ବାଂଲାଦେଶକୁ ପଠାଇଆସୁଥିଲେ। ସେମାନେ ଯଥେଷ୍ଟ ଅଳ୍ପ ମାତ୍ରାରେ ପଠାଇଆସୁଥିବା ବେଳେ ଏ ବାବଦରେ ସେମାନଙ୍କୁ ଟନ୍ ପିଛା ପାଖାପାଖି ୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା।
ଚୀନରୁ ହଟିବ ଆଇଫୋନ-
ନାମୀ କମ୍ପାନୀ ଆପଲର ଆଇଫୋନ ପ୍ରଡକ୍ସନରେ ସୁନାମ ଅର୍ଜନ କରିଥିବା ଫକ୍ସକନ ଚେନ୍ନାଇ ନିକଟସ୍ଥ ଶ୍ରୀପେରୁମ୍ବୁଦୁର ଠାରେ ଥିବା ଫ୍ୟାକ୍ଟି୍କୁ ସମ୍ପ୍ରସାରଣ କରି ଏଥିରେ ୧ ବିଲିଅନ ଡଲାର ବିନିଯୋଗ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ସୂଚନା ମିଳିଛି। ବିଶେଷକରି ବେଜିଂ-ୱାଶିଂଟନ ମଧ୍ୟରେ ଚାଲିଥିବା ଟ୍ରେଡ ୱାର ଦୃଷ୍ଟିରୁ ଫକ୍ସକନ୍ ଚୀନ ଛାଡ଼ି ଭାରତକୁ ବଡ଼ ବଜାର ଭାବେ ନେଇ ଆଇଫୋନ ପ୍ରଡଢକ୍ସନ କରିବାକୁ ନିଷ୍ପତ୍ତି ନେଇଥିବା ରଏଟର୍ସ ସୂତ୍ରରୁ ସୂଚନା ମିଳିଛି। ଫକ୍ସକନ ଏନେଇ କିଛି କମେଣ୍ଟ କରିବାକୁ ମନା କରିଛି। ମାତ୍ର ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଆପଲ ଆଇଫୋନ୍ ଏକ୍ସଆର ଶ୍ରୀପେରୁମ୍ବୁଦୁର ଠାରେ ପ୍ରଡକ୍ସନ ହେବା ଏକପ୍ରକାର ନିଶ୍ଚିତ ବୋଲି ରଏଟର୍ସ ପକ୍ଷରୁ କୁହାଯାଇଛି।
କୋରୋନା ପରବର୍ତ୍ତୀ ପ୍ରଥମ
ପାଖାପାଖି ୧୧୭ ଦିନ ପରେ ଗତ ବୁଧବାର ଏଠାକାର ଏଜିସ୍ ବାଉଲଠାରେ ଇଂଲଣ୍ଡ ଓ ୱେଷ୍ଟ୍ଇଣ୍ଡିଜ୍ ମଧ୍ୟରେ ପ୍ରଥମ ମ୍ୟାଚ୍ ଆରମ୍ଭ ହୋଇଥିଲା। ତେବେ ରବିବାର ଏହି ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚଟି ଶେଷ ହୋଇଛି ଏବଂ ଏଥିରେ ଘରୋଇ ଦଳକୁ ମାତ୍ ଦେବାରେ ସକ୍ଷମ ହୋଇଛି ଇଣ୍ଡିଜ୍ ଟିମ୍। ଦଳ ମ୍ୟାଚକୁ ୪ ୱିକେଟରେ ଜିତିବା ସହ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୨୦୪ ରନ୍ କରିଥିବା ବେଳେ ଜବାବରେ ଇଣ୍ଡିଜ ୩୧୮ ରନ୍ କରି ୧୧୪ ରନରେ ଆଗୁଆ ରହିଥିଲା। ଦ୍ବିତୀୟ ଇନିଂସରେ ଇଂଲଣ୍ଡ ପୂର୍ବ ଇନିଂସ ତୁଳନାରେ ଉନ୍ନତ ବ୍ୟାଟିଂ କରିଥିଲେ ହେଁ ୩୧୩ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ଫଳରେ ଇଣ୍ଡିଜ୍ ଆଗରେ ୨୦୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହାକୁ ଇଣ୍ଡିଜ୍ ୬ଟି ୱିକେଟ୍ ବିନିମୟରେ ହାସଲ କରି କୋରୋନା ପରବର୍ତ୍ତୀ ପ୍ରଥମ ମ୍ୟାଚରେ ବିଜୟୀ ହୋଇଛି। ଏଥିସହ ୱେଷ୍ଟ୍ଇଣ୍ଡିଜ୍ ବିଶ୍ବ ଟେଷ୍ଟ୍ ଚାମ୍ପିଅନଶିପରେ ପ୍ରଥମ ପଏଣ୍ଟ୍ ହାସଲ କରିଛି। ପ୍ରଥମ ଇନିଂସରେ ୪ଟି ଓ ଦ୍ବିତୀୟ ଇନିଂସରେ ୫ଟି ୱିକେଟ୍ ନେଇଥିବା ପେସର୍ ଶେନନ୍ ଗାବ୍ରିଏଲ୍ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଅନ୍ୟପକ୍ଷରେ କ୍ୟାରିଅରରେ ପ୍ରଥମ ଥର ପାଇଁ ଟେଷ୍ଟ୍ ଟିମର ନେତୃତ୍ବ ନେଉଥିବା ବେନ୍ ଷ୍ଟୋକ୍ସଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି।

ସ୍ବତନ୍ତ୍ର ପ୍ରସଙ୍ଗ

  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
  • page_22_128
କୋରୋନା ଡରରେ ଲୋକେ ଥକାପଣର ଶିକାର
କୁହାଯାଉଛି, ୨୦୨୦ର ସବୁଠାରୁ ନେଗେଟିଭ୍ ଶବ୍ଦ ହେଉଛି ପଜିଟିଭ। କୋରୋନା ଭାଇରସ ସହିତ ଯୋଡ଼ି ଏହି ଶବ୍ଦ ଦେଖିଲେ ଠିକ୍ ଭାବେ ବୁଝାପଡ଼ିଯିବ ଯେ କୋରେନା ଭାଇରସର ପଜିଟିଭ୍ ରେଜଲ୍ଟ ଶୁଣିବା ମାତ୍ରେ ଲୋକେ ନେଗେଟିଭିଟି ଓ ଡିପ୍ରେସନର ଶିକାର ହେବାରେ ଲାଗିଛନ୍ତି। ଜାନୁଆରୀ ୨୦୨୦ର ଆରମ୍ଭ କୋରୋନା ଭାଇରସ ସହିତ ହୋଇଥିଲା ଓ ଏବେ ଜୁଲାଇ ୨୦୨୦ରେ ଆପଣ କୋରୋନା ସହିତ ଜଡ଼ିତ ସମସ୍ତ ଖବର ମୁଖ୍ୟଖବରରେ ଦେଖିବାକୁ ପାଉଛନ୍ତି। ସୋସାଲ ମିଡିଆରେ ମଧ୍ୟ କୋରୋନା ଭାଇରସ ସହିତ ଜଡ଼ିତ ଅପଡେଟ୍ ଭରପୂର ମାତ୍ରାରେ ରହିଛି। ଅଧିକାଂଶ ଖବର ନେଗେଟିଭ୍ ହିଁ ଆସୁଛି। କୋରୋନା ସଂକ୍ରମଣ ମାମଲା ବଢ଼ିବା ହେଉ ବା କୌଣସି ଚିହ୍ନା ପରିଚିତ ଲୋକଙ୍କୁ କୋରୋନା ହେଉ ବା କୋରୋନାରେ କାହାରି ମୃତ୍ୟୁ ଖବର ପ୍ରତ୍ୟେକ ଦିନ କିଛି ନା କିଛି ଖବର ଶୁଣିବାକୁ ମିଳୁଛି। ଆମକୁ ଏତେ ମାତ୍ରାରେ ଖବର ଶୁଣିବାକୁ ମିଳୁଛି, ଯାହା ଆମକୁ ଏକ ନୂଆ ରୋଗ ଦେଇଛି। ଆଉ ତାହା ହେଉଛି ଡିଜାଷ୍ଟର ଫାଟିଗ। ଯେତେବେଳେ କୌଣସି ଦୁର୍ଘଟଣା ଦୀର୍ଘ ସମୟ ଯାଏ ଚାଲେ ଓ ତାହା ଆପଣଙ୍କ ଆଡ଼କୁ ଆସୁଥିବା ଅନୁଭବ ହୁଏ, ତେବେ ସେତେବେଳେ ଆପଣ ଡିଜାଷ୍ଟର ଥକାପଣର ଶିକାର ହୋଇପାରନ୍ତି।
ଏକ ଦରଘା ନିକଟରେ ଆପେ
ହିନ୍ଦୁ ଧର୍ମ ଅନୁସାରେ ଚାରି ଧାମ ଯାତ୍ରାକୁ ବହୁତ ପବିତ୍ର ଭାବେ ଗ୍ରହଣ କରାଯାଏ। ପୁରାଣରେ ବର୍ଣ୍ଣିତ ଅଛି ଯେ କଳିଯୁଗରେ ଶ୍ରୀଜଗନ୍ନାଥଙ୍କ ଶରଣରେ ଆସିଲେ ମୋକ୍ଷପ୍ରାପ୍ତି ହୋଇଥାଏ। ଅର୍ଥାତ ଶ୍ରୀଜଗନ୍ନାଥଙ୍କ ଦର୍ଶନରେ କୋଟିପୁଣ୍ୟ ମିଳିଥାଏ। ଶ୍ରୀଜଗନ୍ନାଥଙ୍କ ସୁନ୍ଦର ଓ ଭବ୍ୟ ମନ୍ଦିର ଓଡ଼ିଶାର ପୁରୀ ସହରରେ ରହିଛି। ଏହି ସୁନ୍ଦର ଓ ଅଲୌକିକ ସହରର ୩ ପାର୍ଶ୍ବରେ ସମୁଦ୍ର ରହିଛି। ଏଠାକୁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ଭଗବାନଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ରଥଯାତ୍ରା ଅବସରରେ ମହାପ୍ରଭୁ ଜଗନ୍ନାଥ ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହିତ ଭକ୍ତଙ୍କ ସହ ମିଶିବା ପାଇଁ ବଡ଼ଦାଣ୍ଡକୁ ଆସିଥାନ୍ତି। ତେବେ ଚଳିତ ବର୍ଷ କୋରୋନା ସଂକ୍ରମଣ ଡରରେ ଭକ୍ତବିହୀନ ରଥଯାତ୍ରା କରାଯାଇଥିଲା। ପ୍ରତ୍ୟେକ ବର୍ଷ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ରଥରେ ବସାଇ ମାଉସୀ ମା’ ଗୁଣ୍ଡିଚା ମନ୍ଦିରକୁ ନିଆଯାଇଥାଏ। ଏହି ଯାତ୍ରାର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଶ୍ରୀଜଗନ୍ନାଥଙ୍କ ରଥ ଜଣେ ମୁସଲମାନ ଭକ୍ତଙ୍କ ଦରଘା ନିକଟରେ ଆପେ ଆପେ ରୋକିଯାଏ। ଏହା ସମସ୍ତଙ୍କୁ ଚକିତ କରିଦେବା ସହିତ ଏହା ପଛର ରହସ୍ୟ ଜାଣିବା ଲାଗି ସମସ୍ତେ ଉତ୍ସୁକତା ପ୍ରକାଶ କରନ୍ତି।

ଫଟୋ ଗ୍ୟାଲେରୀ

ପରୋପକାରୀ ଲକ୍ଷ୍ମୀଙ୍କ ମହାନତା: ବେସାହାରା ଶବର କରୁଛନ୍ତି ଅନ୍ତିମ ସଂସ୍କାର
ଲୋକେ କହୁଛନ୍ତି ଆଜିକାଲି ସମସ୍ତେ ସ୍ବାର୍ଥପର ହୋଇଗଲେଣି ଓ ସମ୍ପର୍କ ଖୁବ୍ ଶୀଘ୍ର ଭାଙ୍ଗିବାରେ ଲାଗୁଛି। ବର୍ତ୍ତମାନ ସମୟରେ ସାରା ପୃଥିବୀରେ କୋରୋନା ମହାମାରୀ ତାଣ୍ଡବ କରି ଚାଲିଥିବାବେଳେ ମାନବୀୟ ସମ୍ପର୍କ ଉପରେ ମଧ୍ୟ ଏହା ପ୍ରଭାବ ପକାଇଛି। ବିଶେଷକରି ମହାମାରୀର ଭୟାବହତାକୁ ନେଇ ଲୋକେ ସମ୍ପର୍କକୁ ଭୁଲିଯିବା ପାଇଁ ମଧ୍ୟ ପଛାଉ ନାହାନ୍ତି। କୌଣସି ବ୍ୟକ୍ତିଙ୍କ କୋରୋନାରେ ମୃତ୍ୟୁ ହୋଇଗଲା ପରେ ତାଙ୍କ ଅନ୍ତିମ ସଂସ୍କାର କରିବାକୁ ପରିବାର ଡରୁଥିବା ମଧ୍ୟ ଆପଣ ଅନେକ ଖବର ଶୁଣିବାକୁ ପାଉଛନ୍ତି। ଏହି ଶବ ଦିନ ଦିନ ଧରି ପଡ଼ି ରହୁଛି। କିନ୍ତୁ ଦୁନିଆରେ କେଉଁଠି ନା କେଉଁଠି ଏବେ ମାନବିକତା ବଞ୍ଚି ରହିଛି। ଲୋକଙ୍କ ହୃଦୟରେ ଏବେ ବି ଦୟା ଭାବ ରହିଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ବୃନ୍ଦାବନରେ ରହୁଥିବା ଡା.ଲକ୍ଷ୍ମୀ ଗୌତମ। ଯେତେବେଳେ ନିଜ ପରିବାର ଲୋକ ଶବକୁ ଅନାଥ ଭାବେ ଛାଡ଼ି ଦେଉଛନ୍ତି, ଲକ୍ଷ୍ମୀ ଏହି ଅଜଣା ଲୋକଙ୍କ ସହିତ ଏକ ସମ୍ପର୍କ ଯୋଡ଼ିବା ସହିତ ନିଜ ହାତରେ ବେସାହାରା ଶବର ସାହାରା ହୋଇ ନିଜେ ମୁଖାଗ୍ନି ଦେଉଛନ୍ତି। ଏ ଦିଗରେ ଲକ୍ଷ୍ମୀ ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛନ୍ତି।
ଜାଣନ୍ତୁ କମ୍ ବୟସର ଝିଅଙ୍କ ପ୍ରେମରେ କାହିଁକି ପଡ଼ନ୍ତି ବୟସ୍କ ପୁରୁଷ
ଗୁଜୁରାଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ଅଜା ହୋଇସାରିଥିଲେ ମଧ୍ୟ ପଡ଼ୋଶୀ ଘରର ୧୯ ବର୍ଷୀୟ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଛନ୍ତି। ଏହି ମାମଲାର ତଦନ୍ତ କରିବାକୁ କୋର୍ଟ ପୋଲିସକୁ ନିର୍ଦେଶ ଦେଇଛନ୍ତି। ତଦନ୍ତ ପରେ ହିଁ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ। ତେବେ ଅଧିକ ବୟସର ପୁରୁଷ ନିଜଠାରୁ ବହୁତ କମ୍ ବୟସର ଯୁବତୀଙ୍କ ପ୍ରେମରେ ପଡ଼ିବାର ନଜିର ବିଶ୍ବରେ ଅନେକଗୁଡ଼ିଏ ରହିଛି। ଏହାର ଏକ ଉଦାହରଣ ହେଉଛି ବ୍ରିଟେନର ଜଣେ ବଡ଼ ବ୍ୟବସାୟୀ ବର୍ଣ୍ଣାର୍ଡ ଚାର୍ଲସ ଏକ୍ଲେଷ୍ଟୋନ୍। ସେ ୮୯ ବର୍ଷ ବୟସରେ ଏବେ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ତାଙ୍କଠାରୁ ୪୫ ବର୍ଷ ସାନ। ଅଧିକ ବୟସର ପୁରୁଷ ନିଜଠାରୁ କମ୍ ବୟସର ମହିଳାଙ୍କ ପ୍ରେମରେ ପଡ଼ିବାକୁ ନେଇ ‘ଚିନି କମ୍’ ଭଳି ସିନେମା ବଲିଉଡରେ ନିର୍ମାଣ ହୋଇଥିଲା। ଚାଲନ୍ତୁ ଜାଣିବା ବୟସ୍କ ବ୍ୟକ୍ତିମାନେ କାହିଁକି ଛୋଟ ଯୁବତୀଙ୍କ ପ୍ରେମରେ ପଡ଼ିଯାଆନ୍ତି।

ଫେସ୍‌ବୁକ୍‌ରେ ପ୍ରତିନିଧି

ଟ୍ବୀଟରରେ ପ୍ରତିନିଧି

ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ