ଜାଣନ୍ତୁ ରେସଲର ବବିତାଙ୍କ ଫିଟନେସ ରହସ୍ୟ


ରେସଲର ବବିତା ଫୋଗାଟ (ଫାଇଲ ଫଟୋ)
ଭାରତର ରେସଲର ବବିତା ଫୋଗାଟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ପଦକ ହାସଲ କରିଛନ୍ତି। ଫିଲ୍ମ ‘ଦଙ୍ଗଲ’ ବବିତା ଓ ତାଙ୍କ ଭଉଣୀ ଗୀତାଙ୍କ ଜୀବନୀ ଉପରେ ଆଧାରିତ। ବବିତା ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟପଦକ ଜିତି ଦେଶର ନାମ ଆଗକୁ ବଢ଼ାଇଥିଲେ। ସେହିପରି ୨୦୧୪ରେ ଗ୍ଲାସଗୋ କମନୱେଲଥ ଗେମ୍ସରେ ସେ ସ୍ବର୍ଣ୍ଣପଦକ ଜିତିବାରେ ସଫଳ ହୋଇଥିଲେ। ଏହାପରେ ବବିତା ଅନେକଗୁଡ଼ିଏ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କର ଏହି ସୁନ୍ଦର ଖେଳ ପ୍ରଦର୍ଶନ ପଛରେ ତାଙ୍କ ପିତାଙ୍କର ବହୁତ ବଡ଼ ଅବଦାନ ରହିଛି। ଏଥିସହିତ ତାଙ୍କର କଠିନ ପରିଶ୍ରମ ମଧ୍ୟ ତାଙ୍କୁ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଛି। ତେବେ ଆପଣ ଜାଣିଛନ୍ତି କି ବବିତା ଫୋଗାଟଙ୍କ ଫିଟନେସ ରହସ୍ୟ ସମ୍ପର୍କରେ। ସେ ତାଙ୍କର ଅନେକ ସାକ୍ଷାତକାରରେ ନିଜ ଫିଟନେସ, ବ୍ୟାୟାମ, ଶୃଙ୍ଖଳିତ ଜୀବନଶୈଳୀ ଓ ଡାଏଟ ସମ୍ପର୍କରେ ସୂଚନା ଦେଇଛନ୍ତି।

ଜଙ୍କଫୁଡ ଠାରୁ ଦୂରେଇ ରହୁଥିବା ବବିତା ସବୁବେଳେ ଘର ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ବବିତା କେବେ ବି ଚା’ କଫି ସେବନ କରି ନ ଥାନ୍ତି। ବବିତା ତେଲଛଣା ଖାଦ୍ୟ ଠାରୁ ଦୂରେଇ ରହିଥାନ୍ତି। ବବିତା ଦିନର ଆରମ୍ଭ କଦଳୀ, ସେଓ, ତାଜା ଗାଜର ଓ ଡାଳିମ୍ବ ଜୁସରୁ କରିଥାନ୍ତି। ସେ ବ୍ୟାୟାମ ପରେ ଭିଜା ବାଦାମରେ ତିଆରି କରାଯାଇଥିବା ଏକ ବିଶେଷ ପାନୀୟ ସେବନ କରିଥାନ୍ତି। ସେ ଦିନସାରା ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇଥାନ୍ତି। ଫଳରେ ତାଙ୍କ ଶରୀରରେ ପାଣିର ଅଭାବ ରହେ ନାହିଁ। ସ୍ନାକସ ଭାବେ ବବିତା ଡ୍ରାଏଫ୍ରୁଟ ଖାଇଥାନ୍ତି। ନିଜର ଫିଟନେସ ପାଇଁ ସେ ନିୟମିତ ଘିଅ ସେବନ କରିଥାନ୍ତି। ବବିତା ଦିନରେ ଅତିକମରେ ୧ ଲିଟର କ୍ଷୀର ନିଜ ଡାଏଟରେ ସାମିଲ କରିଛନ୍ତି। ଏହାବ୍ୟତୀତ ନିଜ ବିଦେଶ ଯାତ୍ରା ସମୟରେ ଅଣ୍ଡା ଓ ଚିକେନ ସେବନ କରନ୍ତି। ଯଦିଓ ବବିତା ଅଧିକ ଶାକାହାରୀ ଭୋଜନ ଗ୍ରହଣ କରିବାକୁ ପସନ୍ଦ କରିଥାନ୍ତି। ଡାଲି, ଦହି, ପନିପରିବା ଓ ରୁଟି ବବିତାଙ୍କ ପସନ୍ଦର ଖାଦ୍ୟ।

ସନ୍ତୁଳିତ ଡାଏଟ ସହିତ ସଙ୍ଗୀତ ବି ଜରୁରୀ
ଗୋଟିଏ ପଟେ ସନ୍ତୁଳିତ ଡାଏଟ ତାଙ୍କ ଫିଟନେସର ରହସ୍ୟ ହୋଇଥିବାବେଳେ ପ୍ରତ୍ୟେକ ଦିନ ପାଖାପାଖି ୫ ଘଣ୍ଟା ବ୍ୟାୟାମ ତାଙ୍କ ଫିଟନେସ ଠିକ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସନ୍ଧ୍ୟା ସମୟରେ ସେ କୁସ୍ତି ଅଭ୍ୟାସ ମଧ୍ୟ କରନ୍ତି। ସପ୍ତାହର ୬ ଦିନ କଠୋର ବ୍ୟାୟାମ କରିବା ପରେ ବବିତା ରବିବାର ପୂରା ଦିନ ଆରାମ କରିଥାନ୍ତି। ଫଳରେ ଶରୀର ପୂରାପୂରି ସୁସ୍ଥ ରହିବ। ଜଣେ ରେସଲରଙ୍କ ପାଇଁ ଏକାଗ୍ରତା ଓ ଧ୍ୟାନ ମହତ୍ତ୍ବପୂର୍ଣ୍ଣ। ଏଥିପାଇଁ ଶାନ୍ତ ମସ୍ତିଷ୍କର ଆବଶ୍ୟକତା ରହିଛି। ଏଥିପାଇଁ ବବିତା ହରିଆଣୱି ଓ ପଞ୍ଜାବୀ ଗୀତ ଶୁଣିବାକୁ ପସନ୍ଦ କରନ୍ତି। ଏହାବ୍ୟତୀତ ସେ ଓମ ମନ୍ତ୍ର ଜପ କରନ୍ତି। ଏହାଦ୍ବାରା ସେ ଶାନ୍ତ ରହିବା ଓ ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ ମିଳିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ