ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାରେ ଆଇଆଇସି ନିଲମ୍ବିତ


ପୋଲିସ୍‌ କର୍ମଚାରୀଙ୍କ ନିଲମ୍ବନ ନେଇ ସୂଚନା ଦେଉଛନ୍ତି ପୋଲିସ୍ ଡିଜି
ପୁରୀ ଓ ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାରେ ଅଡୁଆ ବଢୁଥିବା ଦେଖି ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି। ପ୍ରଥମେ ପୁରୀ ଏସ୍‌ପିଙ୍କୁ ପୋଲିସ୍‌ ମୁଖ୍ୟାଳୟକୁ ବଦଳି କରିବା ପରେ ପରେ ବାସେଳିସାହି ଥାନାର ତିନି ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏହାପରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଆଇଆଇସି ସ୍ମୁତିପ୍ରଭା ପ୍ରଧାନ ମଧ୍ୟ ନିଲମ୍ବିତ ହୋଇଛନ୍ତି। କର୍ତ୍ତବ୍ୟରେ ଅବହେଳା ଓ ଅନିୟମିତତା ପାଇଁ ମଧ୍ୟ ତାଙ୍କୁ ନିଲମ୍ବିତ କରାଯାଇଛି। ପୋଲିସ୍‌ ଡିଜି ଅଭୟ ଏହି ସମସ୍ତ ଥାନା କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବନ ନେଇ ଟ୍ବିଟ୍ ଯୋଗେ ଓଡ଼ିଶା ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ତଦନ୍ତ ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନାରେ ପୋଲିସ୍‌ ହେପାଜତରେ ଯୁବକଙ୍କ ମୃତ୍ୟୁ ନେଇ ଶୁକ୍ରବାର ଉତ୍ତେଜନା ଦେଖାଦେଇଥିଲା। ମୃତ ଯୁବକ ଵୀରମିତ୍ରପୁର ଅଞ୍ଚଳର ମହମ୍ମଦ ତାରିକ୍‌। କ୍ରାଇମ ସ୍ପଟ୍‌ ତଦନ୍ତ ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ତାରିକ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ କୁଆଁରମୁଣ୍ଡା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୁନ୍ଦରଗଡ଼ ଏସ୍‌ପି କହିଥିଲେ।

ସେପଟେ ଉଭୟ ପୁରୀ ଏବଂ ବୀରମିତ୍ରପୁର ହାଜତ ମୃତ୍ୟୁ ମାମଲା ଓଡ଼ିଶା ମାନବାଧିକାର କମିଶନରେ ପହଞ୍ଚିଛି। ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ସେହିପରି ପୁରୀ ହାଜତ ମୃତ୍ୟୁ ମାମଲାରେ ଜାତୀୟ ମାନବାଧିକାର କମିଶନ ଯାଇଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଅମାନବୀୟ ଢଙ୍ଗରେ ପୋଲିସ୍‌ ମୃତକଙ୍କ ଶେଷକୃତ୍ୟ କରିଥିବା ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ