ଭାରତୀ ସିଂ ଗିରଫ, ଏନସିବି କାର୍ଯ୍ୟାଳୟରେ ହର୍ଷଙ୍କୁ ଜେରା ଜାରି


ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିବା କମେଡି କୁଇନ୍‌ ଭାରତୀ ସିଂ ଓ ତାଙ୍କ ପତି ହର୍ଷ ଲିମ୍ବାଚିୟା
ମୁମ୍ବାଇ: ଶେଷରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲାରେ କମେଡି କୁଇନ୍‌ ଭାରତୀ ସିଂଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ଏହା ପୂର୍ବରୁ ଡ୍ରଗ୍ସ କାରବାର ମାମଲାରେ ଭାରତୀ ସିଂହ ଓ ତାଙ୍କ ପତି ହର୍ଷ ଲିମ୍ବାଚିୟାଙ୍କୁ ଏନସିବି କାର୍ଯ୍ୟାଳୟରେ ଜେରା କରାଯାଇଥିଲା। ପଚରାଉଚରା ବେଳେ ସେ ଡ୍ରଗ୍ସ ନେଉଥିବା ସ୍ୱୀକାର କରିବା ପରେ ଏନସିବି ତାଙ୍କୁ ଗିରଫ କରିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ହର୍ଷ ଲିମ୍ବାଚିୟାଙ୍କୁ ଏନସିବି କାର୍ଯ୍ୟାଳୟରେ ଜେରା ଚାଲିଥିବା ଜଣାପଡ଼ିଛି।

ଶନିବାର ପୂର୍ବାହ୍ନରେ ଜଣାଶୁଣା କମେଡିଆନ୍ ଭାରତୀ ସିଂ ଓ ତାଙ୍କ ପତି ହର୍ଷ ଲିମ୍ବାଚିୟାଙ୍କ ଅନ୍ଧେରୀସ୍ଥିତ ବାସଭବନ ଉପରେ ନାର୍କେଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)  ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ସେମାନଙ୍କ ଘରୁ ଅଳ୍ପ କିଛି ମାତ୍ରାରେ ଡ୍ରଗ୍ସ ମଧ୍ୟ ଜବତ କରାଯାଇଥିଲା। ଏନେଇ ଉଭୟ ଭାରତୀ ଓ ହର୍ଷଙ୍କୁ ଏନସିବି କାର୍ଯ୍ୟାଳୟରେ ହାଜର ହେବା ସକାଶେ ସମନ୍ ଜାରି କରାଯାଇଥିଲା। ଏହି ସମନ୍ ଅନୁସାରେ, ଉଭୟ ଭାରତୀ ଓ ହର୍ଷ ଅପରାହ୍ନରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଓ ସେମାନଙ୍କୁ ଜେରା କରାଯାଇଥିଲା। ଭାରତୀ ଏନସିବି କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ସମନ୍ ହୋଇଥିଲା, ତେଣୁ ସେ ପଚରାଉଚରାର ସମ୍ମୁଖୀନ ହେବା ସକାଶେ ଏଠାକୁ ଆସିଛନ୍ତି ବୋଲି କହିଥିଲେ। ଶନିବାର ଏନସିବି ପକ୍ଷରୁ ମୁମ୍ବାଇର ୩ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ସେଥି ମଧ୍ୟରୁ ଗୋଟିଏ ଭାରତୀ ଓ ହର୍ଷଙ୍କ ବାସଭବନ ଥିବା ବେଳେ ସେମାନଙ୍କ ପ୍ରଡକ୍ସନ୍ ହାଉସ୍‌ରେ ପହଞ୍ଚି ଏନସିବି ଅଧିକାରୀମାନେ ଖାନତଲାସୀ କରିଥିବା କୁହାଯାଇଛି।

ସୂଚନାଯୋଗ୍ୟ ଯେ ବଲିଉଡର ଉଦୀୟମାନ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ ଜୁନ୍ ୧୪ ତାରିଖରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ମୃତ୍ୟୁ ସହ ଡ୍ରଗ୍ସ ମାଫିଆମାନଙ୍କର ଭୂମିକା ରହିଥିବା ନେଇ ଅଭିଯୋଗ ଆସିଥିଲା। ତେଣୁ ଏହି ମାମଲାରେ ଏନସିବି ଛାନଭିନ୍ କରିବା ପରେ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ସମେତ ୨୩ ଜଣଙ୍କୁ ଗିରଫ କରିସାରିଛି। ଅବଶ୍ୟ ଇତିମଧ୍ୟରେ ରିୟା ଓ ତାଙ୍କ ଭାଇ ଶୌଭିକ୍ ଜାମିନରେ ଜେଲ୍ ବାହାରକୁ ଆସିସାରିଛନ୍ତି। ନିକଟରେ ବଲିଉଡ୍ ଅଭିନେତା ଅଭିନେତ୍ରୀ ଡ୍ରଗ୍ସ ସେବନ କରୁଥିବା ମାମଲାରେ ମଡେଲ୍ ତଥା ଅଭିନେତା ଅର୍ଜୁନ ରାମପାଲଙ୍କ ବାସଭବନ ଉପରେ ଚଢ଼ାଉ କରାଯାଇଥିଲା। ଆହୁରି ଏନସିବି ଜଣାଶୁଣା ବଲିଉଡ୍ ପ୍ରଯୋଜକ ସାଜିଦ୍ ନାଦିଆଦୱାଲାଙ୍କ ଘରେ ଚଢ଼ାଉ କରିବା ସହ ତାଙ୍କ ପତ୍ନୀ ଶବାନା ସଈଦ୍‌ଙ୍କୁ ଗିରଫ କରିସାରିଛି। ତାଙ୍କ ଘରୁ ମଧ୍ୟ ଚଢ଼ାଉ ବେଳେ ଏନସିବି ଅଧିକାରୀମାନେ ୧୦ ଗ୍ରାମ ଓଜନର ଗାଞ୍ଜା ଜବତ କରିଥିଲେ। ଏହି ମାମଲାରେ ପରେ ସାଜିଦ୍ ମଧ୍ୟ ଜେରାର ସମ୍ମୁଖୀନ ହୋଇଥିଲେ। ଏହାଛଡ଼ା ରାମପାଲ୍ ଓ ତାଙ୍କ ପ୍ରେମିକା ଗାବ୍ରିଏଲା ଡିମେଟ୍ରିଏଡ୍ସଙ୍କୁ ମଧ୍ୟ ଏନସିବି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ୍ କରାଯାଇଥିଲା ଓ ସେମାନଙ୍କୁ ଏକାଧିକ ବାର ପଚରାଉଚରା କରାଯାଇସାରିଛି। ବଲିଉଡ୍ ସହ ଡ୍ରଗ୍ସ ଲିଙ୍କ୍ ମାମଲାରେ ଏନସିବି ପକ୍ଷରୁ ନାଇଜେରୀୟ ନାଗରିକ ଓମେଗା ଗୋଡୱିନ୍ ଓ ଗାବ୍ରିଏଲାଙ୍କ ଭାଇ ତଥା ଦକ୍ଷିଣ ଆଫ୍ରିକୀୟ ନାଗରିକ ଆଗିସିଆଲୋସଙ୍କୁ ମଧ୍ୟ ଗିରଫ କରାଯାଇସାରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ