ଗୁଜରାଟରେ ଅଘଟଣ: ଏସୟୁଭି-ଡମ୍ପର ଟ୍ରକ୍ ଧକ୍କାରେ ଜୀବନ୍ତ ଜଳିଗଲେ ୭ ଯାତ୍ରୀ


ଗୁଜରାଟର ସୁରେନ୍ଦ୍ରନଗର ଜିଲ୍ଲାରେ ଡମ୍ପର ଟ୍ରକ୍ ସହ ଧକ୍କାରେ ଏସୟୁଭିରେ ଲାଗିଲା ନିଆଁ
ସୁରେନ୍ଦ୍ରନଗର: ଗୁଜରାଟର ସୁରେନ୍ଦ୍ରନଗରଠାରେ ଏକ ଦୁର୍ଘଟଣା ଘଟିବା ଫଳରେ ଏଥିରେ ୭ ଜଣ ଯାତ୍ରୀ ଜୀବନ୍ତ ଜଳିଯାଇଥିବା ଜଣାପଡ଼ିଛି। ଏହି ଅଘଟଣଟି ସୁରେନ୍ଦ୍ରନଗର ଜିଲ୍ଲା ଅନ୍ତର୍ଗତ ପଟାଦି ତହସିଲ ଅଧୀନସ୍ଥ ଖେରୱା ଗ୍ରାମରେ ଘଟିଛି। ବେଶ୍ ଦ୍ରୁତ ଗତିରେ ଯାଉଥିବା ଏକ ଏସୟୁଭି କାର୍ ଗୋଟିଏ ଡମ୍ପର ଟ୍ରକ୍ ସହ ଧକ୍କା ହେବା ଫଳରେ ଏଥିରେ ନିଆଁ ଲାଗିଯାଇଥିଲା। ଫଳରେ ଉକ୍ତ ଏସୟୁଭି କାର୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସେମାନେ ଦୁଇଟି ପରିବାରର ସଦସ୍ୟ ଥିଲେ ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ମହିଳା ଯାତ୍ରୀ ଗୁରୁତର ଭାବେ ଆହତ ଆହତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସୟୁଭିରେ ଥିବା ସମସ୍ତ ଯାତ୍ରୀଙ୍କ ମଧ୍ୟରୁ କେବଳ ଉକ୍ତ ମହିଳା ଜଣକ ଜୀବିତ ଅଛନ୍ତି ଓ ଅନ୍ୟ ସମସ୍ତଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦୁର୍ଘଟଣା ଘଟାଇବା ପରେ ଉକ୍ତ ଏସୟୁଭିର ଚାଳକ ଜଣକ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କ ପରିଚୟ ମିଳିଛି। ସେମାନେ ହେଲେ ୩୮ ବର୍ଷୀୟ ରମେଶ ନାଇ, ତାଙ୍କ ପତ୍ନୀ ୩୫ ବର୍ଷୀୟା କୈଳାଲବେନ୍ ଓ ସେମାନଙ୍କ ୧୨ ବର୍ଷର ପୁଅ ସନ୍ନି, ୮ ବର୍ଷୀୟା କନ୍ୟା ଶୀତଲ ରହିଛନ୍ତି। ସେମାନେ ସମସ୍ତେ କୋର୍ଡା ଗ୍ରାମର ନିବାସୀ। ସେହିପରି ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ୩୫ ବର୍ଷୀୟ ହରେଶ ନାଇ, ତାଙ୍କ ପତ୍ନୀ ୩୨ ବର୍ଷୀୟା ସେଜଲବେନ୍ ଏବଂ ସେମାନଙ୍କ ୬ ବର୍ଷୀୟ ପୁତ୍ର ହର୍ଷିଲ୍ ଜୀବନ୍ତ ଜଳିଯାଇଥିବା ବେଳେ ସେମାନଙ୍କ ଘର ନାନପୁର ଗ୍ରାମରେ ବୋଲି ଡେପୁଟି ଏସପି ପିକେ ପଟେଲ୍ ସୂଚନା ଦେଇଛନ୍ତି। ଏଥିସହ ପୋଲିସ୍ ମାମଲା ରୁଜୁ କରିବା ତଦନ୍ତ ଆରମ୍ଭ କରିଥିବା ପଟେଲ୍ କହିଛନ୍ତି। ହରେଶ ଓ ରମେଶଙ୍କ ପରିବାର ସୁରେନ୍ଦ୍ରନଗର ଜିଲ୍ଲାର ମନ୍ଦିର ମାଳିନୀ ସହର ଭାବେ ପରିଚିତ ଚୋଟିଲାକୁ ତିନିଦିନିଆ ଯାତ୍ରାରେ ଯାଇଥିଲେ। ଶନିବାର ଭୋର୍ ସମୟରେ ସେମାନେ ଏହି ଯାତ୍ରା ଶେଷ କରି ପଟନ୍ ଜିଲ୍ଲା ଅନ୍ତର୍ଗତ ବାସଭବନକୁ ଫେରୁଥିବା ବେଳେ ଏପରି ଅଘଟଣର ଶିକାର ହୋଇଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ