୨୧ ଦିନରେ ୩୦୫ କୋରୋନା ମୃତ୍ୟୁ: ଆଜି ବି ୧୭


ପରୀକ୍ଷା କେନ୍ଦ୍ରକୁ ଯାଉଛନ୍ତି ଡାକ୍ତରୀ ଟିମ୍‌
ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ସ୍ଥିର ରହିଛି। ରାଜ୍ୟରେ ପ୍ରତିଦିନ ୧୫ରୁ ୧୭ ଜଣଙ୍କ ମୁଣ୍ଡ ନେଉଛି ପ୍ରାଣଘାତୀ କୋରୋନା। ସଂକ୍ରମଣ ହ୍ରାସ ଯୋଗୁଁ ରାଜ୍ୟବାସୀଙ୍କୁ ଟିକେ ଆଶ୍ବସ୍ତି ମିଳିଥିବା ବେଳେ ପ୍ରତ୍ୟେକ ଦିନ ଏତେସଂଖ୍ୟକ ରୋଗୀ ପ୍ରାଣ ହରାଇବା ନିଶ୍ଚିତ ଭାବେ ଉଦ୍‌ବେଗଜନକ। ଗତକାଲି ପରି ଆଜି ମଧ୍ୟ ୧୭ ଜଣଙ୍କର ଜୀବନ ଯାଇଛି। ଅନ୍ୟପକ୍ଷରେ ନଭେମ୍ବର ୨୧ ଦିନରେ ୩୦୫ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଆଜି ମୃତ୍ୟୁବରଣ କରିଥିବା ୧୭ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫ ଜଣ ରହିଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ୩ ଜଣ ଏବଂ କଟକ ଓ ଗଞ୍ଜାମ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିପରି ଦେବଗଡ଼, ଜଗତସିଂହପୁର, ଖୋର୍ଦ୍ଧା, ମୟୁରଭଞ୍ଜ ଏବଂ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ମୃତ୍ୟୁବରଣ କରିଥିବା ୧୭ ଜଣଙ୍କ ଭିତରୁ ୨ ଜଣ ମହିଳା ଥିବା ବେଳେ ୧୪ ଜଣ ହେଉଛନ୍ତି ପୁରୁଷ। ସେହିପରି ୫ ଜଣଙ୍କୁ ଛାଡ଼ି ଅନ୍ୟ ୧୨ ଜଣ ମୃତକ କୌଣସି ନା କୌଣସି ରୋଗରେ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ୫୩ ବର୍ଷୀୟ ମହିଳା ଜଣକ ସିକେଡି ଓ ଅନ୍ୟା ରୋଗରେ ପୀଡ଼ିତ ଥିଲେ। ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ଜଣେ ୭୨ ବର୍ଷୀୟ ବୃଦ୍ଧ ମୃତ୍ୟୁବରଣ କରିଥିବା ବେଳେ ଜଣ୍ଡିସ୍ ଏବଂ ଗୁରୁତର ରକ୍ତହୀନତାରେ ପୀଡ଼ିତ  ୭୦ ବର୍ଷୀୟ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ସେହିପରି ୭୮ ଓ ୫୦ ବର୍ଷୀୟ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ହୋଇଛି। କେନ୍ଦୁଝର ଜିଲ୍ଲାରେ ଜଣେ ୨୯ ବର୍ଷୀୟ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ମଧୁମେହରେ ଆକ୍ରାନ୍ତ ଜଣେ ୫୯ ବର୍ଷୀୟ ବ୍ୟକ୍ତି ଓ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଜଣେ ୬୫ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ସେହିପରି କଟକ ଜିଲ୍ଲାରେ ଜଣେ ୬୫ ବର୍ଷୀୟ ବ୍ୟକ୍ତି ଓ ୫୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଉଭୟ ଏକାଧିକ ରୋଗରେ ପୀଡ଼ିତ ଥିଲେ। ଗଞ୍ଜାମ ଜିଲ୍ଲାରେ ଜଣେ ୬୦ ବର୍ଷୀୟ ବ୍ୟକ୍ତି ଓ ଜଣେ ୫୦ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏଲ୍‌ଟି ରେନାଲ୍ ସେଲ୍ କାର୍ସିନୋମା, ପୋଷ୍ଟ୍‌ ନେଫେକ୍ଟୋମି, ପୋଷ୍ଟ୍‌ କେମୋଥେରାପି, ଡାଇବେଟିସ୍ ମେଲିଟସ୍ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଖୋର୍ଦ୍ଧା ଜିଲ୍ଲାର ଜଣେ ୮୧ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ସେହିପରି ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଦେଓଗଡ଼ ଜିଲ୍ଲାର ୫୮ ବର୍ଷୀୟ ବ୍ୟକ୍ତି, ଜଗତ୍‌ସିଂହପୁରର ୫୭ ବର୍ଷୀୟ ବ୍ୟକ୍ତି, ମୟୁରଭଞ୍ଜ ଜିଲ୍ଲାର ୪୪ ବର୍ଷୀୟ ବ୍ୟକ୍ତି ଓ ପୁରୀ ଜିଲ୍ଲାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୬୨୫ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କୋରୋନା ମୃତ୍ୟୁ ୨୭୩ ହୋଇଥିବା ବେଳେ ଦ୍ବିତୀୟରେ ରହିଛି ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ୍ୟୁସଂଖ୍ୟା ୨୩୮ ହୋଇଛି। ସେହିପରି ଅନୁଗୁଳ ଜିଲ୍ଲାରେ ୨୫ ଜଣ, ବାଲେଶ୍ବର ଜିଲ୍ଲାରେ ୮୦ ଜଣ, ବରଗଡ଼ ଜିଲ୍ଲାରେ ୩୬ ଜଣ, ଭଦ୍ରକ ଜିଲ୍ଲାରେ ୨୩ ଜଣ, ବଲାଙ୍ଗିର ଜିଲ୍ଲାରେ ୩୩ ଜଣ, ବୌଦ୍ଧ ଜିଲ୍ଲାରେ ୧୧ ଜଣ, କଟକ ଜିଲ୍ଲାରେ ୧୩୧ ଜଣ, ଦେଓଗଡ଼ ଜିଲ୍ଲାରେ ୫ ଜଣ, ଢେଙ୍କାନାଳ ଜିଲ୍ଲାରେ ୨୩ ଜଣ, ଗଜପତି ଜିଲ୍ଲାରେ ୩୨ ଜଣ, ଜଗତ୍‌ସିଂହପୁର ଜିଲ୍ଲାରେ ୩୧ ଜଣ, ଯାଜପୁର ଜିଲ୍ଲାରେ ୨୨ ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୧୯ ଜଣ, କଳାହାଣ୍ଡି ଜିଲ୍ଲାରେ ୨୪ ଜଣ, କନ୍ଧମାଳ ଜିଲ୍ଲାରେ ୩୩ ଜଣ ପ୍ରାଣ ହରାଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୨୬ ଜଣ, କେନ୍ଦୁଝର ଜିଲ୍ଲାରେ ୩୦, କୋରାପୁଟ ଜିଲ୍ଲାରେ ୧୬ ଜଣ, ମାଲକାନଗିରି ଜିଲ୍ଲାରେ ୨୧ ଜଣ, ମୟୁରଭଞ୍ଜ ଜିଲ୍ଲାରେ ୭୮ ଜଣ, ନବରଙ୍ଗପୁର ଜିଲ୍ଲାରେ ୧୩ ଜଣ, ନୟାଗଡ଼ ଜିଲ୍ଲାରେ ୪୧ ଜଣ, ନୂଆପଡ଼ା ଜିଲ୍ଲାରେ ୨୦ ଜଣ, ପୁରୀ ଜିଲ୍ଲାରେ ୯୩ ଜଣ, ରାୟଗଡ଼ା ଜିଲ୍ଲାରେ ୪୩ ଜଣ, ସମ୍ବଲପୁର ଜିଲ୍ଲାରେ ୬୬ ଜଣ, ସୋନପୁର ଜିଲ୍ଲାରେ ୧୯ ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୧୨୦ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ରାଜ୍ୟରେ ମଧ୍ୟ ଅନ୍ୟ ୫୩ ଜଣ କୋରୋନା ଆକ୍ରାରାନ୍ତଙ୍କର ମୃତ୍ୟୁ ହୋଇଛି। ମାତ୍ର ସେମାନଙ୍କ ମୃତ୍ୟୁ କୋରୋନା ଯୋଗୁ ନୁହେଁ ବରଂ ଅନ୍ୟ ରୋଗ କାରଣରୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ