ଓଡ଼ିଶାରେ ତୈଳ ଗ୍ୟାସ୍‌ର ସନ୍ଧାନ ପାଇଁ ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର


ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବର: ଓଡ଼ିଶାର ପୁରୀ ଜିଲ୍ଲା କାକଟପୁର ସ୍ଥିତ ମହାନଦୀ ଅବବାହିକା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓପନ୍‌ ଏକ୍ରେଜ୍ ଲାଇସେନ୍ସିଂ ପଲିସି(ଓଏଏଲ୍‌ପି) ଅଧୀନରେ ଅଏଲ୍‌ ଇଣ୍ଡିଆ ଲିମିଟେଡର ସେସମିକ୍ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି ଅଭିଯାନର ଶୁଭାରମ୍ଭ କରିଥିବାବେଳେ ଏହି ଅଭିଯାନ ମହାନଦୀ ଅବବାହିକାରେ ଅନ୍ୱେଷଣ, ଉତ୍ପାଦନ କାର୍ଯ୍ୟ ଏବଂ ହାଇଡ୍ରୋକାର୍ବନ ସଂରକ୍ଷଣ କରିବାରେ ଏକ ମାଇଲଖୁଣ୍ଟ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ପରିକଳ୍ପନାକୁ ସାକାର କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହି ଭବ୍ୟ ସମାରୋହ ଆୟୋଜନ ପାଇଁ ଅଏଲ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ମହାନଦୀ ଅବବାହିକା ଭାରତର ତୈଳ ମାନଚିତ୍ରରେ ଏକ ପ୍ରତିଷ୍ଠିତ ତଥା ଗୁରୁତ୍ୱପୂର୍ଣ୍ଣ ହାଇଡ୍ରୋକାର୍ବନ୍ ସଂରକ୍ଷଣ ସ୍ଥାନ ଭାବରେ ଉଭା ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ଭାରତ ସରକାରଙ୍କ ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ ଲିମିଟେଡ୍‌ ଓଏଏଲ୍‌ପିର ତୃତୀୟ ରାଉଣ୍ଡରେ ତୈଳ ଏବଂ ଗ୍ୟାସ୍‌ ଅନ୍ୱେଷଣ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୫ଟି ବ୍ଲକ୍‌ ପାଇଁ ୩ ହଜାର ବର୍ଗ କିମି କ୍ଷେତ୍ରରେ ସର୍ବେକ୍ଷଣ କାମ ଆଜିଠାରୁ ଆରମ୍ଭ କରାଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ଭାରତ ସରକାରଙ୍କ ତୈଳ କମ୍ପାନୀ ମହାନଦୀ ଅବବାହିକାରେ ୫ଟି ବ୍ଲକ୍‌ ଅର୍ଥାତ୍‍ ରାଜ୍ୟର ୮ଟି ଜିଲ୍ଲା ଯଥା ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ସେସମିକ୍‍ ସର୍ଭେରେ ୨୨୦ କୋଟି ଟଙ୍କା ସମେତ ୧୨୪୮ କୋଟି ଟଙ୍କା ନିବେଶରେ ବ୍ୟାପକ ଅନ୍ୱେଷଣ ଡ୍ରିଲିଂ ଅଭିଯାନକୁ ଅଗ୍ରସର କରାଯିବ।

ଏହି ଅଭିଯାନରେ ଅନ୍ୱେଷଣ ସଫଳ ହେଲେ ମହାନଦୀ ଅବବାହିକା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ତୈଳ ଓ ଗ୍ୟାସ୍‌ର ବାଣିଜ୍ୟିକ ଉତ୍ପାଦନ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ଏକ ଗେମ୍‌-ଚେଞ୍ଜର ଭାବେ ଉଭା ହେବ ଓ ଓଡ଼ିଶା ଅର୍ଥନୀତିରେ ନୂଆ ଅଧ୍ୟାୟ ସୃଷ୍ଟି ହେବ। ଭାରତକୁ ବିକଶିତ କରିବା ପାଇଁ ହେଲେ ପୂର୍ବ ଭାରତର ବିକାଶ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଓଡ଼ିଶାକୁ ପୂର୍ବଦୋୟର ପେଣ୍ଠସ୍ଥଳି କରିବା ଦିଗରେ ଆମେ ଅଗ୍ରସର। ଏହି କାର୍ଯ୍ୟକ୍ରମ ସଫଳ ହେଲେ ଓଡ଼ିଶା ଉର୍ଜା, ଏଲ୍‌ଏନ୍‌ଜି, ତୈଳ ତଥା ଗ୍ୟାସ୍‌ କ୍ଷେତ୍ରରେ ଅଗ୍ରଣୀ କ୍ଷେତ୍ର ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ