ବିଧାନସଭାରେ ଉପସ୍ଥାପିତ ହେଲା ୧୧ ହଜାର ୨୦୦ କୋଟିର ଅତିରିକ୍ତ ବଜେଟ୍‍


ବିଧାନସଭାରେ ଉପସ୍ଥାପିତ ହେଉଛି ଅତିରିକ୍ତ ବଜେଟ୍‌
ଭୁବନେଶ୍ବର: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ। ଅଧିବେଶନ ଆରମ୍ଭ ହେବା ପରେ ପ୍ରଥମେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଗୋଟିଏ ବେଳା ମୁଲତବୀ ଘୋଷଣା କରାଯାଇଥିଲା। ଏହାପରେ ଗୃହକାର୍ଯ୍ୟର ଦ୍ବିତୀୟ ଅଧିବେଶନ ଆରମ୍ଭ ହେବାପରେ ଉପସ୍ଥାପିତ ହୋଇଥିଲା ୨୦୨୦-୨୧ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‌। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଓ ହୋହଲ୍ଲା ମଧ୍ୟରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୧ ହଜାର ୨ ଶହ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଥିଲେ। ଏହା ପରେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ବଜେଟର ଆକାର ୧ ଲକ୍ଷ ୬୧ ହଜାର କୋଟି ଟପିଯାଇଛି। ଏହା ପରେ ବିଧାନସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

ଉପସ୍ଥାପନ ହୋଇଥିବା ବଜେଟ୍‌ରେ ପ୍ରଶାସିନିକ ବ୍ୟୟ ବାବଦକୁ ୨୨୭୩ କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୪୩୮କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ୧୪୮୪ କୋଟି ଏବଂ ରାଜ୍ୟ ବଜେଟ୍‌ରୁ ସ୍ଥାନୀୟ ସଂସ୍ଥାକୁ ହସ୍ତାନ୍ତର ବାବଦକୁ ୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲାଗି ୧୭୬୮.୭୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଲାଗି ୨୦୪୬.୧୧ କୋଟି ଟଙ୍କା, ଅର୍ଥ ବିଭାଗକୁ ୨୩୬୩ କୋଟି ଟଙ୍କା, ବିପର୍ଯ୍ୟୟ ପରିଚାଳନା ପାଇଁ ୧୪୮୪.୨୨ କୋଟି ଟଙ୍କା, ଖାଦ୍ୟ ଓ ଯୋଗାଣ ବିଭାଗକୁ ୧୦୭୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ଏହି ଅତିରିକ୍ତ ବଜେଟରେ ଶକ୍ତି ବିଭାଗକୁ ୯୫୬.୮୦ କୋଟି ଟଙ୍କା, ସ୍କୁଲ ଓ ଗଣଶିକ୍ଷା ବିଭାଗ ଲାଗି ୪୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅନ୍ୟପକ୍ଷରେ କୋରୋନା ମହାମାରୀ ଯୋଗୁଁ ରାଜ୍ୟର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଚିନ୍ତାଜନକ ବିଷୟ ହେଉଛି ରାଜ୍ୟର ଋଣଭାର ୯୭,୮୨୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନ ୬.୫ ପ୍ରତିଶତ ହ୍ରାସ ପାଇଥିବାବେଳେ ନିଜସ୍ବ ରାଜସ୍ବ ୧.୭ ପ୍ରତିଶତ ବୃଦ୍ଧି ପାଇଛି।

ପ୍ରଶାସନିକ ବ୍ୟୟ ବରାଦ ଅଧୀନରେ ସ୍ୱାସ୍ଥ୍ୟ କର୍ମୀ ତଥା ଆଗଧାଡ଼ିର କୋଭିଡ୍‍ ଯୋଦ୍ଧାମାନଙ୍କ ପାଇଁ ଅଗ୍ରୀମ ଦରମା ଏବଂ ଅନ୍ୟାନ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ ବାବଦକୁ ପର୍ଯ୍ୟାପ୍ତ ବ୍ୟୟବରାଦ କରାଯାଇଛି। କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ସ୍ୱାସ୍ଥ୍ୟ କ୍ଷେତ୍ର, ଗ୍ରାମୀଣ ରୋଜଗାର ଏବଂ ଜୀବିକା, ଖାଦ୍ୟ ନିରାପତ୍ତା, ଶିକ୍ଷା କ୍ଷେତ୍ର, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ କ୍ଷେତ୍ର, ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ର, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ର, ଭିତ୍ତିଭୂମି ଇତ୍ୟାଦି କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି । କୋଭିଡ୍‍ ମୁକାବିଲା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରର ସମସ୍ତ ଆବଶ୍ୟକତା ଯଥା ଔଷଧପତ୍ର, ବିଭିନ୍ନ ଉପକରଣ, ପରିମଳ ଇତ୍ୟାଦି ନିମିତ୍ତ ସମସ୍ତ ଅର୍ଥ ପ୍ରଦାନ କରାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି, ବିଶ୍ୱ ମହାମାରୀ କୋରୋନା ଆମକୁ ପ୍ରଭାବିତ କରିବା ପୂର୍ବରୁ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ୍‍ ପ୍ରସ୍ତୁତ ହୋଇଥିଲା। ଏହି ବଜେଟ୍‍ରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉପଲବ୍ଧ ସୁବିଧା ସୁଯୋଗର ନବୀକରଣ ତଥା ନୂତନ ଅତ୍ୟାଧୁନିକ ଚିକିତ୍ସା ଭିତ୍ତିଭୂମି ନିର୍ମାଣ ସହାୟତାରେ ସ୍ୱାସ୍ଥ୍ୟସେବାର ପୁନଃରୁଦ୍ଧାର, ଦକ୍ଷତା ବୃଦ୍ଧି, ପର୍ଯ୍ୟଟନ ବିକାଶ ଏବଂ ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳର ଉନ୍ନୟନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଅତିରିକ୍ତ ବଜେଟ୍‍ରେ ଅନେକଗୁଡ଼ିଏ କ୍ଷେତ୍ର ଯଥା ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ର, କୋରୋନା ଯୋଦ୍ଧା ସ୍ୱତନ୍ତ୍ର ସହାୟତା, ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରୋତ୍ସାହନ, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ର, ମିଶନ ଶକ୍ତି ହିତାଧିକାରୀ, କୃଷି କ୍ଷେତ୍ର ଇତ୍ୟାଦି ନିମିତ୍ତ ବିଭିନ୍ନ ପ୍ୟାକେଜ୍‌ ଘୋଷଣା ଆଦି ରହିଛି। ଏହାବ୍ୟତୀତ କିଛି ବୃହତ୍‍ ପ୍ରକଳ୍ପଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଚିହ୍ନଟ କରାଯାଇଛି। ଏହିପରି ସମସ୍ତ ପ୍ରତିବଦ୍ଧତା ଏବଂ ଚାଲୁ ରହିଥିବା ଯୋଜନା ନିମନ୍ତେ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଛି।

କୋଭିଡ୍ ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥାରେ ଗଭୀର ପ୍ରଭାବ ପଡ଼ିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ହସ୍ତାନ୍ତର କମି ଯାଇଥିବାରୁ ମୋଟ ରାଜସ୍ୱ ପ୍ରାପ୍ତି ପ୍ରାୟ ୬ ଦଶମିକ ୫ ପ୍ରତିଶତ ହ୍ରାସ ପାଇଛି। ତେବେ ଏହି ଅବଧି ମଧ୍ୟରେ ରାଜ୍ୟର ନିଜସ୍ୱ ରାଜସ୍ୱ ୧.୭ ପ୍ରତିଶତ ବୃଦ୍ଧି ପାଇଛି। ଗତ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ବଳକା ରାଜସ୍ୱ ୬ ହଜାର ୭ ଶହ ୯୦ କୋଟି। ତେବେ ସମୁଦାୟ ଋଣଭାର ୯୭ ହଜାର ୮ଶହ ୨୩ କୋଟି ରହିଛି, ଯାହା ସାମଗ୍ରୀକ ରାଜ୍ୟ ଘରୋଇ ଉତ୍ପାଦର ୧୬.୪ ପ୍ରତିଶତ। ଋଣ ଉପରେ ନିର୍ଭରଶୀଳତା କମାଇବା ପାଇଁ ବକେୟା ରାଜସ୍ୱ ଆଦାୟ ଓ ସମ୍ବଳ ପ୍ରତ୍ୟାବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଉଥିବା ଅର୍ଥ ମନ୍ତ୍ରୀ କହିଛନ୍ତି। ଏଠାରେ ଉଲେଖ କରାଯାଇପାରେ ଯେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଜେଟ୍‍ ୨୦୨୦ ମସିହା ଫେବ୍ରୁଆରୀ ମାସ ୧୮ତାରିଖ ଦିନ ବିଧାନସଭାରେ ଉପସ୍ଥାପିତ ହୋଇଥିଲା। ବଜେଟ୍‍ରେ ମୋଟ୍‍ ବ୍ୟୟ ଅଟକଳ ଏକ ଲକ୍ଷ ୫୦ ହଜାର କୋଟି ଟଙ୍କା ରହିଥିବାବେଳେ ପୁଞ୍ଜି ବ୍ୟୟ ଅଟକଳ ୨୬ ହଜାର ୫୧୩ କୋଟି ଟଙ୍କା ଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ