ଏଟିପି ଫାଇନାଲ୍ସ: ଜୋକୋଭିଚଙ୍କୁ ହରାଇ ସେମିରେ ମେଡଭେଡେଭ୍


ଲଣ୍ଡନଠାରେ ଚାଲିଥିବା ଏଟିପି ଫାଇନାଲ୍ସରେ ଟପ୍ ସିଡ୍ ନୋଭାକ୍ ଜୋକୋଭିଚ (ବାମ)ଙ୍କୁ ସିଧାସଳଖ ସେଟରେ ପରାସ୍ତ କରିଛନ୍ତି ୪ ନମ୍ବର ଖେଳାଳି ଡାନିଲ୍ ମେଡଭେଡେଭ୍ (ଡାହାଣ)
ଲଣ୍ଡନଠାରେ ଚାଲିଥିବା ଏଟିପି ଫାଇନାଲ୍ସରେ ବୁଧବାର ପାଞ୍ଚ ଥରର ଚାମ୍ପିଅନ୍ ତଥା ଟପ୍ ସିଡ୍ ସର୍ବିୟା ଖେଳାଳି ନୋଭାକ୍ ଜୋକୋଭିଚଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ତାଙ୍କୁ ରୁଷିଆର ଡାନିଲ୍ ମେଡଭେଡେଭ୍ ୬-୩, ୬-୩ ସିଧାସଳଖ ସେଟରେ ପରାସ୍ତ କରି କ୍ରମାଗତ ଦ୍ବିତୀୟ ବିଜୟ ସହ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଏଥିସହ ଗତ ୪ଟି ମୁକାବିଲା ମଧ୍ୟରୁ ମେଡଭେଡେଭ୍ ୩ୟ ବିଜୟ ହାସଲ କରିଛନ୍ତି। ଗତ ବର୍ଷ ବିଶ୍ବର ଏହି ୪ ନମ୍ବର ଖେଳାଳି ଏହି ପ୍ରତିଯୋଗିତାରେ ତାଙ୍କର ଡେବ୍ୟୁ କରିଥିଲେ। କିନ୍ତୁ ଗତବର୍ଷ ସେ ତାଙ୍କର ତିନିଟିଯାକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚରେ ପରାଜୟ ବରଣ କରିଥିଲେ। ପରାଜୟ ବରଣ କରିବା ପରେ ମେଡଭେଡେଭ୍‌ଙ୍କୁ ପ୍ରଶଂସା କରିବା ସହ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ସେ ବିଜୟୀ ହୋଇପାରିଛନ୍ତି ବୋଲି ଜୋକୋଭିଚ୍ କହିଛନ୍ତି। ସେ କହିଛନ୍ତି ଯେ ଏହା କଦାପି ତାଙ୍କ ପାଇଁ ମନେ ରଖିବା ଭଳି ମ୍ୟାଚ ନ ଥିଲା। ମୁଁ ଆହୁରି ଭଲ ପ୍ରଦର୍ଶନ କରିପାରିଥାନ୍ତି, ଏହା ନିଃସନ୍ଦେହ। କିନ୍ତୁ ମେଡଭେଡେଭ୍‌ଙ୍କ ଉଚ୍ଚ ମାନର ପ୍ରଦର୍ଶନକୁ ଶ୍ରେୟ ମିଳିବା ଉଚିତ ବୋଲି ଜୋକୋଭିଚ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଜୋକୋଭିଚ୍ ତାଙ୍କର ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରେ ଶୁକ୍ରବାର ଜର୍ମାନୀର ଆଲେକ୍‌ଜାଣ୍ଡର୍ ଜ୍ବେରେଭ୍‌ଙ୍କୁ ଭେଟିବେ। ଏହି ମ୍ୟାଚରେ ବିଜୟୀ ହେଲେ, ଜୋକୋଭିଚ୍ ସେମିଫାଇନାଲକୁ ଉନ୍ନୀତ ହୋଇପାରିବେ।

ଅନ୍ୟପକ୍ଷରେ ବୁଧବାର ଖେଳାଯାଇଥିବା ତାଙ୍କ ଦ୍ବିତୀୟ ମ୍ୟାଚରେ ଜ୍ବେରେଭ୍ ବିଜୟୀ ହୋଇ ସେମି ଆଶା ବଳବତ୍ତର ରଖିଛନ୍ତି। ସେ ବୁଧବାର ମୁକାବିଲାରେ ଡିଏଗୋ ସ୍କ୍ବାର୍ଜମାନ୍‌ଙ୍କୁ ୬-୩, ୪-୬, ୬-୩ ସେଟରେ ପରାସ୍ତ କରିଛନ୍ତି। ସୋମବାର ସେ ପ୍ରଥମ ମୁକାବିଲାରେ ମେଡଭେଡେଭ୍‌ଙ୍କଠାରୁ ପରାସ୍ତ ହୋଇଥିବାରୁ ଦ୍ବିତୀୟ ମ୍ୟାଚରେ ବିଜୟୀ ହେବାର ଆବଶ୍ୟକତା ଥିଲା। ବୁଧବାର ୨୩ ବର୍ଷୀୟ ଜ୍ବେରେଭ୍ ଦ୍ବିତୀୟ ମ୍ୟାଚରେ ବିଜୟୀ ହୋଇ ତାଙ୍କର ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବାର ସମ୍ଭାବନାକୁ ବଳବତ୍ତର ରଖିଛନ୍ତି। ଉକ୍ତ ମ୍ୟାଚରେ ଯଦିଓ ଜ୍ବେରେଭ୍ କେତୋଟି ତ୍ରୁଟି କରିଥିଲେ, କିନ୍ତୁ ପ୍ରଥମ ଥର ପାଇଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଆର୍ଜେଣ୍ଟିନା ଖେଳାଳି ସ୍କ୍ବାଜମାନଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲେ। ବୁଧବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ଗ୍ରୀସର ଷ୍ଟେଫାନୋସ୍ ସିଟସିପାସ୍ ରୁଷିଆର ଆଣ୍ଡ୍ରେ ରୁବଲେଭ୍‌ଙ୍କୁ ୬-୧, ୪-୬, ୭-୬(୮/୬) ସେଟରେ ପରାସ୍ତ କରିଛନ୍ତି। ସେ ତାଙ୍କର ଶେଷ ମ୍ୟାଚରେ ସ୍ପେନର ରାଫେଲ୍ ନାଡାଲଙ୍କୁ ଭେଟିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ