୧୬ ଶହ ଟପିଲା କୋରୋନା ମୃତ୍ୟୁ: ୬୨ ଦିନ ପରେ ଖୋର୍ଦ୍ଧାରେ ଶୂନ


କୋରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଉଛି
ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ସ୍ଥିର ରହିଛି। ରାଜ୍ୟରେ ପ୍ରତିଦିନ ୧୫ରୁ ୧୭ ଜଣଙ୍କ ମୁଣ୍ଡ ନେଉଛି ପ୍ରାଣଘାତୀ କୋରୋନା। ସଂକ୍ରମଣ ହ୍ରାସ ଯୋଗୁଁ ରାଜ୍ୟବାସୀଙ୍କୁ ଟିକେ ଆଶ୍ବସ୍ତି ମିଳିଥିବା ବେଳେ ପ୍ରତ୍ୟେକ ଦିନ ଏତେସଂଖ୍ୟକ ରୋଗୀ ପ୍ରାଣ ହରାଇବା ନିଶ୍ଚିତ ଭାବେ ଉଦ୍‌ବେଗଜନକ। ଗତକାଲି ୧୭ ଜଣଙ୍କର ଜୀବନ ଯାଇଥିବା ବେଳେ ଆଜି ଆଉ ୧୬ ଜଣଙ୍କର ଜୀବନ ଯାଇଛି। ଅନ୍ୟପକ୍ଷରେ ନଭେମ୍ବର ୨୦ ଦିନରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ମୋଟ କୋରୋନା ମୃତ୍ୟୁସଂଖ୍ୟା ଏବେ ୧୬ ଶହ ଟପିଛି। ଅନ୍ୟପକ୍ଷରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ଶୀର୍ଷରେ ଥିବା ଖୋର୍ଦ୍ଧା ଜିଲ୍ଲାରେ କୌଣସି କୌଣସି କୋରୋନା ମୃତ୍ୟୁ ହୋଇ ନ ଥିବା ସୂଚନା ଦିଆଯାଇଛି। ଶେଷ ଥର ପାଇଁ ୧୯ ସେପ୍ଟେମ୍ବରେ କୌଣସି ମୃତ୍ୟୁ ହୋଇ ନ ଥିଲା। ଏହାର ୬୨ ଦିନ ପରେ ଆଜି ଜିଲ୍ଲାରେ କୌଣସି କୋରୋନା ମୃତ୍ୟୁ ହୋଇନାହିଁ। ଆଜି ମୃତ୍ୟୁବରଣ କରିଥିବା ୧୬ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪ ଜଣ ରହିଥିବା ବେଳେ କଟକ ଓ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଏବଂ ଗଞ୍ଜାମ ଓ ଜଗତ୍‌ସିଂହପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିପରି ବରଗଡ଼ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ମୃତ୍ୟୁବରଣ କରିଥିବା ୧୬ ଜଣଙ୍କ ଭିତରୁ ୪ ଜଣ ମହିଳା ଥିବା ବେଳେ ୧୨ ଜଣ ହେଉଛନ୍ତି ପୁରୁଷ। ସେହିପରି ୩ ଜଣଙ୍କୁ ଛାଡ଼ି ଅନ୍ୟ ୧୩ ଜଣ ମୃତକ କୌଣସି ନା କୌଣସି ରୋଗରେ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ୫ ଜଣଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ସେମାନଙ୍କ ବୟସ ଯାଥାକ୍ରମେ ୬୯, ୪୬ ଓ ୬୬, ୪୪ ବୋଲି ଜଣାପଡ଼ିଛି। ମୃତକ ୪ ଜଣ ମଧୁମେହ, ଉଚ୍ଚ ରକ୍ତଚାପ ଭଳି ଏକାଧିକ ଜଟିଳ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି। ସେହିପରି କଟକ ଜିଲ୍ଲାରେ ଜଣେ ୬୫ ବର୍ଷୀୟ ମହିଳା ପ୍ରାଣ ହରାଇଥିବା ବେଳେ ମଧୁମେହ, ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ୬୦ ବର୍ଷୀୟ ବ୍ୟକ୍ତି  ଓ ୭୪ ବର୍ଷୀୟ ମହିଳା ପ୍ରାଣ ହରାଇଛନ୍ତି। ସମ୍ବଲପୁର ଜିଲ୍ଲାର ୩ ମୃତକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ୫୯, ୪୮ ଓ ୩୮ ବୋଲି ଜଣାପଡ଼ିଛି। ସମସ୍ତ ମୃତକ ମଧୁମେହ, ଉଚ୍ଚ ରକ୍ତଚାପ ଭଳି ଏକାଧିକ ଜଟିଳ ରୋଗରେ ପୀଡ଼ିତ ଥିଲେ। ସେହିପରି ଗଞ୍ଜାମ ଜିଲ୍ଲାରେ ଜଣେ ୩୯ ବର୍ଷୀୟ ଯୁବକ ପ୍ରାଣ ହରାଇଥିବା ବେଳେ ଜଣେ ୫୮ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମଧୁମେହରେ ପୀଡ଼ିତ ଜଗତ୍‌ସିଂହପୁର ଜିଲ୍ଲାର ଜଣେ ୬୦ ବର୍ଷୀୟ ବ୍ୟକ୍ତି ଓ ମଧୁମେହ ଓ ଉଚ୍ଚରକ୍ତଚାପରେ ପୀଡ଼ିତ ଜଣେ ୬୫ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେହିପରି ମଧୁମେହରେ ଆକ୍ରାନ୍ତ ବରଗଡ଼ ଜିଲ୍ଲାର ଜଣେ ୬୫ ବର୍ଷୀୟ ବ୍ୟକ୍ତି ଓ ପୁରୀ ଜିଲ୍ଲାର ଜଣେ ୬୧ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୬୦୮ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କୋରୋନା ମୃତ୍ୟୁ ୨୭୨ ହୋଇଥିବା ବେଳେ ଦ୍ବିତୀୟରେ ରହିଛି ଗଞ୍ଜାମ ଜିଲ୍ଲା। ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ୍ୟୁସଂଖ୍ୟା ୨୩୬ ହୋଇଛି। ସେହିପରି ଅନୁଗୁଳ ଜିଲ୍ଲାରେ ୨୫ ଜଣ, ବାଲେଶ୍ବର ଜିଲ୍ଲାରେ ୮୦ ଜଣ, ବରଗଡ଼ ଜିଲ୍ଲାରେ ୩୬ ଜଣ, ଭଦ୍ରକ ଜିଲ୍ଲାରେ ୨୩ ଜଣ, ବଲାଙ୍ଗିର ଜିଲ୍ଲାରେ ୩୩ ଜଣ, ବୌଦ୍ଧ ଜିଲ୍ଲାରେ ୧୧ ଜଣ, କଟକ ଜିଲ୍ଲାରେ ୧୨୯ ଜଣ, ଦେଓଗଡ଼ ଜିଲ୍ଲାରେ ୪ ଜଣ, ଢେଙ୍କାନାଳ ଜିଲ୍ଲାରେ ୨୩ ଜଣ, ଗଜପତି ଜିଲ୍ଲାରେ ୩୨ ଜଣ, ଜଗତ୍‌ସିଂହପୁର ଜିଲ୍ଲାରେ ୩୦ ଜଣ, ଯାଜପୁର ଜିଲ୍ଲାରେ ୨୨ ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୧୯ ଜଣ, କଳାହାଣ୍ଡି ଜିଲ୍ଲାରେ ୨୪ ଜଣ, କନ୍ଧମାଳ ଜିଲ୍ଲାରେ ୩୩ ଜଣ ପ୍ରାଣ ହରାଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରେ ୨୬ ଜଣ, କେନ୍ଦୁଝର ଜିଲ୍ଲାରେ ୨୭, କୋରାପୁଟ ଜିଲ୍ଲାରେ ୧୬ ଜଣ, ମାଲକାନଗିରି ଜିଲ୍ଲାରେ ୨୧ ଜଣ, ମୟୁରଭଞ୍ଜ ଜିଲ୍ଲାରେ ୭୭ ଜଣ, ନବରଙ୍ଗପୁର ଜିଲ୍ଲାରେ ୧୩ ଜଣ, ନୟାଗଡ଼ ଜିଲ୍ଲାରେ ୪୧ ଜଣ, ନୂଆପଡ଼ା ଜିଲ୍ଲାରେ ୨୦ ଜଣ, ପୁରୀ ଜିଲ୍ଲାରେ ୯୨ ଜଣ, ରାୟଗଡ଼ା ଜିଲ୍ଲାରେ ୪୩ ଜଣ, ସମ୍ବଲପୁର ଜିଲ୍ଲାରେ ୬୬ ଜଣ, ସୋନପୁର ଜିଲ୍ଲାରେ ୧୯ ଜଣ, ସୁନ୍ଦରଗଡ଼ ଜିଲ୍ଲାରେ ୧୧୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ରାଜ୍ୟରେ ମଧ୍ୟ ଅନ୍ୟ ୫୩ ଜଣ କୋରୋନା ଆକ୍ରାରାନ୍ତଙ୍କର ମୃତ୍ୟୁ ହୋଇଛି। ମାତ୍ର ସେମାନଙ୍କ ମୃତ୍ୟୁ କୋରୋନା ଯୋଗୁ ନୁହେଁ ବରଂ ଅନ୍ୟ ରୋଗ କାରଣରୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ