କାହିଁକି ଓ କାହା ସ୍ବାର୍ଥରେ ବନ୍ଦ ହେବ ରାଜ୍ୟର ୧୪ ହଜାର ସରକାରୀ ସ୍କୁଲ?


୨୦ରୁ କମ ପିଲା ଥିବା ସ୍କୁଲ (ଫାଇଲ ଫଟୋ)
ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଭିନ୍ନ ଭିନ୍ନ ବର୍ଗରେ ୨୦ରୁ କମ ଓ ୪୦ରୁ କମ ଛାତ୍ରଛାତ୍ରୀ ଥିବା ସରକାରୀ ସ୍କୁଲଗୁଡ଼ିକୁ ଚିହ୍ନଟ କରି ଏହାକୁ ବନ୍ଦ କରିବା ପାଇଁ ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟର ସମସ୍ତ ଜିଲାପାଳମାନଙ୍କୁ ଦାୟିତ୍ବ ଦେଇ କହିଛନ୍ତି ଯେ ଯେଉଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ କମ ପିଲା ଅଛନ୍ତି ସେଗୁଡ଼ିକୁ ବନ୍ଦ କରି ପାଖ ବଡ଼ ସ୍କୁଲରେ ଯୋଡ଼ି ଦିଆଯାଉ। ଏଭଳି ସ୍କୁଲ ସଂଖ୍ୟା ଏବେ ରାଜ୍ୟରେ ପାଖାପାଖି ୧୪ ହଜାର। ବନ୍ଦ ହେବାକୁ ଥିବା ଅଧିକାଂଶ ସ୍କୁଲ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଥିବାରୁ ଏହାକୁ ନେଇ ପ୍ରତିବାଦର ସ୍ବର ଉଠିଲାଣି। କେନ୍ଦ୍ରାପଡ଼ାର ରାଜରାସ୍ତା ଉପରେ ଅଣ୍ଡା ଓ ଚାଉଳ ହାତରେ ଧରି ଛାତ୍ରଛାତ୍ରୀମାନେ ସ୍କୁଲ ବନ୍ଦ ହେଉଥିବାର ପ୍ରତିବାଦ ନିଆରା ଢଙ୍ଗରେ କରିଛନ୍ତି। ସେମାନେ କହିଛନ୍ତି ଯେ ତମ ଅଣ୍ଡା ନିଅ, ଚାଉଳ ନିଅ, ଆମକୁ ଆମ ସ୍କୁଲ ଫେରାଇ ଦିଅ। ଓଡ଼ିଶା ଅଭିଭାବକ ସଂଘ ନଭେମ୍ବର ୨୦ରେ ଭୁବନେଶ୍ବରରେ ଏକ ସର୍ବଦଳୀୟ ବୈଠକ ଡାକିଛି। ତେବେ ସ୍କୁଲ ବନ୍ଦ ପ୍ରତିବାଦରେ ‘ଓଡ଼ିଶା ବଞ୍ଚାଅ - ଶିକ୍ଷା ବଞ୍ଚାଅ’ ଭଳି ଅଭିଯାନ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା ସ୍କୁଲ ବନ୍ଦ ନୁହେଁ, ବରଂ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଏକ ପଦକ୍ଷେପ ବୋଲି କହିଛନ୍ତି।

ପ୍ରଭାବିତ ହେବେ ଦୁର୍ଗମ ଅଞ୍ଚଳର ବିଦ୍ୟାର୍ଥୀ
କୋରାପୁଟ ଜିଲାରେ ୨୦ ଓ ୪୦ରୁ କମ ଛାତ୍ରଛାତ୍ରୀ ଥିବା ୩୬୯ ସ୍କୁଲ ସବୁଦିନ ପାଇଁ ବନ୍ଦ ହୋଇଯିବ। ୧୧୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଷଷ୍ଠ ଠାରୁ ଅଷ୍ଟମ ଶ୍ରେଣୀ ଯାଏ ଶିକ୍ଷାଦାନ ବ୍ୟବସ୍ଥା ବି ପ୍ରତ୍ୟାହ୍‌ତ ହେବ। ୨୦ରୁ ସାମାନ୍ୟ ଅଧିକ ପିଲା ଥିବା ସତ୍ତ୍ବେ ୧ କିମି ପାଖାପାଖି ଅଞ୍ଚଳରେ ବଡ଼ ସ୍କୁଲ ରହିଥିବାରୁ ସେସବୁ ସ୍କୁଲରେ ବି ପଡ଼ିଯିବ ତାଲା। ଏଭଳି ଭାବେ କୋରାପୁଟ ଜିଲାର ସମୁଦାୟ ଅଢ଼େଇ ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୪୯୪ଟି ସ୍କୁଲ ଏବେ ସବୁଦିନ ପାଇଁ ବନ୍ଦ ହେବାକୁ ଯାଉଛି। ସବୁଠୁ ବେଶୀ ସଂଖ୍ୟକ ସ୍କୁଲ ବନ୍ଦ ହେବାର ଜିଲାର ଦଶମନ୍ତପୁର ବ୍ଲକରେ। ଏହି ବ୍ଲକରେ ସର୍ବାଧିକ ୬୬ଟି ଏଭଳି ସ୍କୁଲ ଥିବା ଜିଲା ପ୍ରଶାସନ ଚିହ୍ନଟ କରିଛି। ସୂଚନାଯୋଗ୍ୟ ଯେ କୋରାପୁଟ ଜିଲାର ସବୁଠୁ ଅଗମ୍ୟ ଓ ପଛୁଆ ବ୍ଲକ ଭାବେ ଦଶମନ୍ତପୁର ପରିଚିତି ପାଇଛି।

ଦଶମନ୍ତପୁର ବ୍ଲକର ୬୬ଟି ସ୍କୁଲରେ ତାଲା ପଡ଼ିଗଲେ ସେସବୁ ଗାଁର ପିଲାମାନେ ଦୂର ସ୍କୁଲକୁ ଯାଇ ପାଠ ପଢ଼ିବେ ବୋଲି କିଛି ନିଶ୍ଚିତତା ନାହିଁ। ସେହିଭଳି ନୂଆପଡ଼ା ଜିଲାରେ ୧୩୯ଟି ପ୍ରାଥମିକ ଓ ୧୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡ଼ିବ। ଗଞ୍ଜାମ ଜିଲାରେ ଗତବର୍ଷ ୨୦୧୯ରେ ୧୦ରୁ କମ ପିଲା ଥିବା ୬ଟି ସ୍କୁଲ ବନ୍ଦ ହୋଇଯାଇଥିବା ବେଳେ ଚଳିତ ୨୦୨୦ରେ ୪୩୩ଟି ସ୍କୁଲ ବନ୍ଦ ଘୋଷଣା ହୋଇଛି। ଗତ ୫ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ଜିଲାରେ ୧୬୫ଟି ସ୍କୁଲକୁ ବନ୍ଦ କରି ଦିଆଯାଇଛି। ସବୁଠୁ ବେଶୀ ପ୍ରଭାବିତ ହୋଇଛି ଜିଲାର ଦୁର୍ଗମ ଅଞ୍ଚଳ ଗୁଡ଼ିକ। ଯେଉଁ ୧୬୫ ସ୍କୁଲ ବନ୍ଦ ହୋଇଛି ତାହା ସବୁ ଏବେ ଭୂତକୋଠିରେ ପରିଣତ ହୋଇଛି। ବ୍ଲକ ପ୍ରଶାସନ ପରିତ୍ୟକ୍ତ ସ୍କୁଲ କୋଠା ଗୁଡ଼ିକ ଭୂତକୋଠିରେ ପରିଣତ ପାଇଁ ଛାଡ଼ିଦେଇଥିବା ବେଳେ ଏବେ ଏଥିରେ ଯୋଡ଼ିହେବାକୁ ଯାଉଛି ଆହୁରି ୪୩୩ ସ୍କୁଲ। ଜିଲାପାଳ କହୁଛନ୍ତି, କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଗଞ୍ଜାମରେ ୯୩୩। ଆମେ ୫୦୦ ସ୍କୁଲକୁ ବନ୍ଦ ନ କରି ଛାଡ଼ି ଦେଇଛୁ। ଜିଲାରେ ସରକାରୀ ସ୍କୁଲ ବନ୍ଦ ହେବା ଦ୍ବାରା ସ୍କୁଲ ବାହାରେ ଅଧିକ ପିଲାଙ୍କୁ ଛାଡ଼ିଦେବା ସହଜ ହୋଇପଡ଼ିବ। ସରକାର ଏଭଳି କରି ଘରୋଇ ବିଦ୍ୟାଳୟ ଗୁଡ଼ିକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ ଉଠିଛି। ଓଡ଼ିଶାର ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହେବ। ସରକାର ଘରୋଇ ସ୍କୁଲଗୁଡ଼ିକୁ ବନ୍ଦ ନ କରି ସରକାରୀ ସ୍କୁଲ ବନ୍ଦ କରୁଛନ୍ତି କାହିଁକି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। ଶିକ୍ଷାକୁ ସାର୍ବଜନୀନକରଣ ଓ ସମ୍ପୂର୍ଣ୍ଣ ସାକ୍ଷରତା କଥା କୁହାଯାଉଥିବା ବେଳେ ୨୦ରୁ କମ ପିଲା ଥିବା ଦର୍ଶାଇ ଏଗୁଡ଼ିକୁ ବନ୍ଦ କରି ଦିଆଯିବା ଗରିବ ମାରଣ ନୀତି ବୋଲି ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି।

ଅଖିଳ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତ୍ରିଲୋଚନ ନାୟକ ଏଭଳି ପଦକ୍ଷେପ ମାନ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତିର ବିରୋଧାଭାସ କରୁଛି ବୋଲି କହିଛନ୍ତି। ବଡ଼ ସ୍କୁଲ ଗୁଡ଼ିକରେ ଛୋଟ ସ୍କୁଲ ଗୁଡ଼ିକର ମିଶ୍ରଣ ପୂର୍ବରୁ ସରକାର ଜନ ପରାମର୍ଶ ଲୋଡ଼ି ନ ଥିବା ଦୁର୍ଭାଗ୍ୟଜନକ ବୋଲି ଅଖିଳ ଭାରତୀୟ ଛାତ୍ର ସଂଘ ଅଭିଯୋଗ କରିଛି। ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡ଼ିକ ମଧ୍ୟ ସମ୍ପ୍‌କ୍ତ ଗ୍ରାମର ସାକ୍ଷରତା ଓ ଶିକ୍ଷା ଦିଗରେ ପରୋକ୍ଷରେ ଯେଉଁ ପ୍ରଭାବ ସ୍‌ଷ୍ଟି କରୁଥିଲେ, ତାହା ସବୁଦିନ ପାଇଁ ବନ୍ଦ ହୋଇଯାଇଛି ଏବଂ ବିଦ୍ୟାଳୟ ବାତିଲ ହୋଇ ଯାଇଥିବା ଗାଁ ଗୁଡ଼ିକ ଉପରେ ଏବେ ଏକ ଅପଖ୍ୟାତି ଲଦି ଦିଆଯାଇଛି। ସରକାର ମୋ ସ୍କୁଲ ଅଭିଯାନ ଜରିଆରେ ବିଦ୍ୟାଳୟର ଉନ୍ନତି ପାଇଁ ନିଆରା ପଦକ୍ଷେପ ନେଇ ପାରିଥିବା ବେଳେ କମ ପିଲା ଥିବା ସରକାରୀ ସ୍କୁଲ ଗୁଡ଼ିକୁ ବନ୍ଦ ନ କରି ଅନ୍ୟାନ୍ୟ ଶିକ୍ଷାତ୍ମକ କାର୍ଯ୍ୟକଳାପ କିଭଳି ଜାରି ରଖାଯାଇ ପାରନ୍ତା, ସେ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ଥିଲା ବୋଲି ମତ ପ୍ରକାଶ ପାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ