ସାବାସ ନେତା-ଜ୍ୟୋତି: ବଦଳାଇଲେ ସମାଜର ଚିରାଚରିତ ଧାରା

ଖୁର କଇଁଚି ଧରି ଚଳାଉଛନ୍ତି ପୁରୁଷ ସେଲୁନ

ନେହା ଓ ଜ୍ୟୋତି ନାରାୟଣ ଚଳାଉଛନ୍ତି ପୁରୁଷ ସେଲୁନ
ସେଲୁନରେ ଆଜି ପର୍ଯ୍ୟନ୍ତ କେବଳ ପୁରୁଷଙ୍କୁ ଦାଢ଼ି ନିଶ କାଟୁଥିବା ଦେଖିଥିବେ। କୌଣସି ମହିଳା ପୁରୁଷଙ୍କ ଦାଢ଼ି ନିଶ କାଟୁଥିବା ହୁଏତ କେବେ ଦେଖି ନ ଥିବେ। କିନ୍ତୁ ଉତ୍ତର ପ୍ରଦେଶରେ ରହୁଥିବା ନେହା ଓ ଜ୍ୟୋତି ସମାଜର ଏହି ଚିରାଚରିତ ଧାରାକୁ ଭାଙ୍ଗି ଦେଇଛନ୍ତି। ନେହା ନାରାୟଣ ଓ ଜ୍ୟୋତି ନାରାୟଣ ପ୍ରମାଣ କରି ଦେଖାଇଛନ୍ତି କୌଣସି ପେସା ପୁରୁଷ କିମ୍ବା ମହିଳା ମଧ୍ୟରେ ସୀମିତ ନୁହେଁ।

ପିତାଙ୍କ ଖରାପ ସ୍ବାସ୍ଥ୍ୟ ପାଇଁ ନେଇଥିଲେ ଏହି ପଦକ୍ଷେପ
ଉତ୍ତର ପ୍ରଦେଶର ବନୱାରିଟୋଲାରେ ରହୁଥିବା ନେହା ଓ ଜ୍ୟୋତିଙ୍କ ପିତା ଧ୍ରୁବ ନାରାୟଣ ‘ନେହା ଜ୍ୟୋତି ପାର୍ଲର’ ଚଲାଉଥିଲେ। ପରେ ସେ ପକ୍ଷାଘାତରେ ପୀଡ଼ିତ ହୋଇଥିଲେ। ଏଥିପାଇଁ ସେ ବିଛଣାରେ ପଡି ରହିଥିଲେ। ଏପରିସ୍ଥଳେ ପରିବାର ପ୍ରତିପୋଷଣ ଲାଗି ଦୁଇ ଭଉଣୀଙ୍କୁ ଖୁର କଇଁଚି ଧରିବାକୁ ପଡ଼ିଥିଲା। ଜ୍ୟୋତିଙ୍କ ବୟସ ୧୩ ଓ ନେହାଙ୍କ ବୟସ ୧୧। ଏତେ କମ ବୟସରେ ସେମାନେ ସେଲୁନ କାମ କରିବା ଆରମ୍ଭ କରିଛନ୍ତି।

ପରିବାର ସହିତ ପାଠପଢ଼ା ଖର୍ଚ୍ଚ ଉଠାଉଛନ୍ତି
ନେହା ଓ ଜ୍ୟୋତି ଏହି କାମ କରି କେବଳ ପରିବାର ପ୍ରତିପୋଷଣ କରୁ ନାହାନ୍ତି, ବରଂ ନିଜ ପାଠ ପଢ଼ା ଖର୍ଚ୍ଚ ମଧ୍ୟ ତୁଲାଇ ଥାନ୍ତି। ଦୋକାନରେ କାମ କରି ନିଜ ପିତାଙ୍କ ଔଷଧ ଖର୍ଚ୍ଚ ମଧ୍ୟ ଉଭୟେ ଉଠାଉଛନ୍ତି।

ଖିଅର ଠାରୁ ଚୁଟିକଟା ପର୍ଯ୍ୟନ୍ତ କରୁଛନ୍ତି ସମସ୍ତ କାମ
ଦୁଇ ଭଉଣୀ ପୁରୁଷଙ୍କ ଶେଭିଂ, ଚମ୍ପି ଓ କେଶ କାଟିବାରେ ମାହିର ଅଟନ୍ତି। କେବଳ ସେତିକି ନୁହେଁ ଏମାନଙ୍କ ମଧ୍ୟରୁ ଜଣଙ୍କର ପୋଷାକ ପୁଅମାନଙ୍କ ଭଳି। କେତେକ ଲୋକ ଝିଅମାନେ କ’ଣ କାମ କରିବେ ଭାବି ପାର୍ଲର ଆସୁ ନ ଥିଲେ। କିନ୍ତୁ ଧିରେ ଧିରେ ଲୋକେ ସେମାନଙ୍କୁ ସ୍ବୀକାର କରି ନେଇଛନ୍ତି। ପିତାଙ୍କ ସହିତ ସେମାନଙ୍କୁ ଗାଁ ଲୋକଙ୍କଠାରୁ ମଧ୍ୟ ବହୁତ ସମର୍ଥନ ମିଳିଥିଲା।

ସଚିନ ତେନ୍ଦୁଲକର ସ୍ପନସର କରିଛନ୍ତି ଝିଅମାନଙ୍କ ପାଠପଢ଼ା ଖର୍ଚ୍ଚ
କିଛି ଦିନ ପୂର୍ବରୁ ଜିଲେଟ (ବ୍ଲେଡ କମ୍ପାନୀ) ନିଜ ୟୁଟ୍ୟୁବ ପେଜରେ ଏକ ବିଜ୍ଞାପନ ଜରିଆରେ ଦୁଇ ଭଉଣୀଙ୍କ କାହାଣୀ ଦେଖାଇଥିଲେ। ଏହି ଭିଡ଼ିଓ ଦେଖି ବଲିଉଡ ସେଲିବ୍ରିଟିମାନେ ଏହାର ବହୁତ ପ୍ରଶଂସା କରିଥିଲେ। ସେହିପରି ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଦୁଇ ଭଉଣୀଙ୍କ ପାଠପଢ଼ା ଖର୍ଚ୍ଚର ଦାୟିତ୍ବ ନେଇଛନ୍ତି। ଦୁଇ ଭଉଣୀ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି, ଯେଉଁମାନେ ପୁରୁଷଙ୍କ ଠାରୁ ନିଜକୁ କୌଣସି ଗୁଣରେ କମ ଭାବନ୍ତିନି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ