ଯୁବପିଢ଼ିଙ୍କୁ ଅବସାଦ ଭିତରକୁ ଟାଣୁଛି ନାଇଟ୍‌ ଲାଇଫ୍‌


ବଡ଼ ବଡ଼ ସହରରେ ଚାକଚକ୍ୟ ମଧ୍ୟରେ ଜୀବନ ମଉଜମସ୍ତିରେ ବିତିଯାଉଛି। ହେଲେ କମ୍‌ ବୟସରେ ଅଧିକ ଯୁବପିଢ଼ି ଅବସାଦର ଶିକାର ହେଉଥିବା ଜଣାପଡ଼ିଛି। ନିକଟରେ ଏକ ଘରୋଇ ଜୀବନବୀମା କମ୍ପାନୀ କରିଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ପାଖାପାଖି ୬୫ ପ୍ରତିଶତ ଯୁବପିଢ଼ି ଅବସାଦର ଶିକାର ଅଛନ୍ତି।

ସର୍ଭେରୁ ଜଣାପଡ଼ିଛି ଯେ ସହରର ଯୁବପିଢ଼ିଙ୍କଠାରେ ଏହି ଅବସାଦର ଆଶଙ୍କା ଅଧିକ ରହିଛି। ବୟସ୍କ ଲୋକଙ୍କଠାରେ ଅବସାଦ ସ୍ତର କମ୍‌ ଥିବା ସର୍ଭେରୁ ଜଣାପଡ଼ିଛି। ବିଶେଷଜ୍ଞଙ୍କ କହିବାନୁସାରେ ଅବସାଦ କାରଣରୁ ଯୁବପିଢ଼ିଙ୍କଠାରେ ହୃଦ୍‌ରୋଗ ଆଶଙ୍କା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ସର୍ଭେ ରିପୋର୍ଟ ଅନୁସାରେ ଅବସାଦର ମୁଖ୍ୟ କାରଣ ଅସନ୍ତୁଳିତ ଜୀବନଶୈଳୀ।

ଯେଉଁ ନାଇଟ୍‌ ଲାଇଫ୍‌ ମାୟାରେ ଯୁବପିଢ଼ି ଛନ୍ଦି ହୋଇପଡ଼ିଛନ୍ତି ତାହା ହିଁ ଅବସାଦର ମୁଖ୍ୟ କାରଣ ପାଲଟିଛି। ନାଇଟ୍‌ ଲାଇଫ୍‌ ମଉଜ ମସ୍ତି ଦେବା ସହ ଅବସାଦ ଭିତରକୁ ମଧ୍ୟ ଟାଣି ନେଉଛି। ପାର୍ଟିରେ ଯୁବପିଢ଼ି ବିଳମ୍ବିତ ରାତି ଯାଏଁ ଅନିଦ୍ରା ରହୁଛନ୍ତି। ସକାଳୁ ପୁଣି ଥରେ କର୍ମମୟ ଜୀବନରେ ଧାଁ ଧପଡ଼ କରୁଛନ୍ତି। ଯାହାଫଳରେ ଶୋଇବା ଲାଗି ପର୍ଯ୍ୟାପ୍ତ ସମୟ ପାଉନାହାନ୍ତି। ଉପଯୁକ୍ତ ନିଦ ନ ହେବାରୁ ଚିଡ଼ିଚିଡ଼ା ଲାଗିବା ସହ ମନରେ ଅବସାଦ ଦେଖାଦେଉଛି।

ନ୍ୟୁରୋ ସାଇକୋଲୋଜିଷ୍ଟଙ୍କ କହିବାନୁସାରେ ବର୍ତ୍ତମାନ ସମୟରେ ଲୋକେ ଯେଉଁଭଳି ଭାବେ ଚାପଗ୍ରସ୍ତ ରହୁଛନ୍ତି, ତାହାକୁ ଦୂର କରିବା ଲାଗି ଅତିକମ୍‌ରେ ୭ରୁ ୮ ଘଣ୍ଟା ଶୋଇବା ନିହାତି ଦରକାର। ଏଭଳି ନ କରିବା ଦ୍ବାରା ଚାପ ଅଧିକ ହୋଇଥାଏ। ଧିରେ ଧିରେ ମଣିଷ ଅବସାଦ ଆଡ଼କୁ ଗତି କରେ। ବିଳମ୍ବିତ ରାତି ଯାଏଁ ଚେଇଁବା ସ୍ବାସ୍ଥ୍ୟ ପାଇଁ ବହୁତ ଖରାପ। ଚାପରୁ ମୁକ୍ତି ପାଇବା ଲାଗି ଲୋକେ ପାର୍ଟି କରିବା ସହିତ ଡ୍ୟାନ୍ସ ଫ୍ଲୋର୍‌ରେ ବିଳମ୍ବିତ ରାତି ଯାଏଁ ମଉଜ ମସ୍ତି କରୁଛନ୍ତି। ଏହାର କୁପରିମାଣ ସେମାନଙ୍କୁ ହିଁ ଭୋଗିବାକୁ ପଡ଼ୁଥିବା ନ୍ୟୁରୋ ସାଇକୋଲୋଜିଷ୍ଟ ମତ ଦେଇଛନ୍ତି।

ସେହିପରି ସର୍ଭେ ରିପୋର୍ଟ ଅନୁସାରେ ମହିଳାଙ୍କଠାରେ ଏହି ଅବସାଦ ସ୍ତର ଅଧିକ। କାରଣ ମହିଳା ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ପାରନ୍ତି ନାହିଁ। ଏଥିସହିତ ପ୍ରଫେସନାଲ ଜୀବନରେ ଚାଲିଥିବା ସମସ୍ୟାକୁ ନେଇ ଚାପରେ ରହୁଛନ୍ତି। ବିଶେଷକରି ମହିଳାମାନେ ନିଜକୁ ପରଫେକ୍ଟ ଦେଖାଇବା ଚକ୍କରରେ କାମର ବୋଝ ନିଜ ଉପରେ ଲଦି ଦିଅନ୍ତି। ଯାହାଫଳରେ ଅବସାଦ ଭିତରକୁ ଟାଣି ହୋଇଯାଆନ୍ତି।

ଏଥିରୁ ମୁକ୍ତି ପାଇବା ଲାଗି ସ୍ବାସ୍ଥ୍ୟକର ଜିବନଶୈଳୀ ଅବଲମ୍ବନ କରିବା ଉଚିତ। କେତେକ କାମ ମଣିଷର ହାତରେ ନ ଥାଏ। ମାତ୍ର ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା, ଠିକ୍‌ ସମୟରେ ଶେଇବା ଓ ଉଠିବା, ସିଗାରେଟ୍‌ ଓ ମଦ ସେବନ କରିବାରୁ ଦୂରେଇ ରହିବା ଆଦି ଗୁରୁତ୍ବପୂର୍ଣ୍ଣ। ଦିନଚର୍ଯ୍ୟାରେ ବ୍ୟାୟାମ ସାମିଲ ରଖନ୍ତୁ। ଦିନରେ ଅତିକମ୍‌ରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଚାଲନ୍ତୁ। ଏହାଦ୍ବାରା ଅବସାଦରୁ ମୁକ୍ତି ମିଳିବା ସହ ମଧୁମେହ ଓ ହୃଦ୍‌ରୋଗ ଭଳି ସମସ୍ୟାରୁ ମୁକ୍ତି ମିଳିବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ