ବିହାର ରାଜନୀତିର ବାଜିଗର: ନୀତିଶ କୁମାର


ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର (ଫାଇଲ୍‌ ଫଟୋ)
ପାଟନା: ନୀତିଶ କୁମାର ଲଗାତର ଚତୁର୍ଥ ଓ ତାଙ୍କ ରାଜନୈତିକ କ୍ୟାରିଅରରେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୨୦୦୦ ମସିହା ପରଠାରୁ ଅଣକଂଗ୍ରେସ ରାଜନେତା ଭାବେ ସେ ବିହାର ରାଜନୀତିକୁ ନିଜ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇପାରିଛନ୍ତି। ଲାଲୁ ପ୍ରସାଦ ଯାଦବଙ୍କ ପତନ ପରଠାରୁ ନୀତିଶ ବିହାରରେ ଜଣେ ନିର୍ବିବାଦୀୟ ନେତା ଭାବେ ନିଜକୁ ପ୍ରତିଷ୍ଠା କରାଇବାରେ ସଫଳ ହୋଇପାରିଛନ୍ତି। ବିଜେପି ସାରା ଦେଶରେ ବିଜୟର ଧ୍ବଜା ଉଡ଼ାଇଥିଲେ ବି ବିହାରରେ ଏକାକୀ ଆଗକୁ ଯିବାରେ ସେତେଟା ସଫଳ ହୋଇ ନାହିଁ। ନୀତିଶଙ୍କ ସହ ମେଣ୍ଟ କରି ବିଜେପି ଆଜି ପର୍ଯ୍ୟନ୍ତ ବିହାର ରାଜନୀତିରେ ନିଜର ଶକ୍ତି ବଢ଼ାଇବାରେ ସଫଳ ହୋଇଛି।

ଅନ୍ୟପକ୍ଷରେ ୨୦୦୦ ପରଠାରୁ ନୀତିଶଙ୍କ ବିନା ବିହାରରେ ଶାସନ କରିବା କୌଣସି ରାଜନୈତିକ ଦଳ ପାଇଁ ସମ୍ଭବ ହୋଇପାରି ନାହିଁ। ଅଧିକାଂଶ ସମୟ ନୀତିଶ ବିଜେପି ସହଯୋଗରେ ରହି ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥିଲା ବେଳେ ମଝିରେ ୨ ବର୍ଷ ପାଇଁ ବିଜେପିର ହାତଛାଡ଼ି ପୁଣି ବନ୍ଧୁତା ଯୋଡ଼ିଛନ୍ତି। ତେଣୁ ଏହିପରି ଭାବେ ନୀତିଶ ବିହାର ରାଜନୀତିର ବାଜିଗର ଭାବେ ବୋଲି ପ୍ରମାଣିତ କରିବାରେ ସଫଳ ହୋଇପାରିଛନ୍ତି। ମାର୍ଚ୍ଚ ୧ରେ ୭୦ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ନୀତିଶ ଏଯାବତ ୧୪ ବର୍ଷ ୨ ମାସ ରାଜ୍ୟ ଶାସନର ମଙ୍ଗ ଧରି ସାରିଥିଲା ବେଳେ ଆଗକୁ ସେ ରାଜ୍ୟର ସବୁଠାରୁ ଦୀର୍ଘ ସମୟ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିବା ନିଶ୍ଚିତ ହୋଇଛି।

୧୯୭୪ରେ ଇନ୍ଦିରା ଗାନ୍ଧିଙ୍କ ଶାସନ ବିରୋଧରେ ଜୟପ୍ରକାଶ ନାରାୟଣ ଆରମ୍ଭ କରିଥିବା ଆନ୍ଦୋଳନରେ ସାମିଲ ହୋଇ ନୀତିଶ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୭୭ରେ ସେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ଜନତା ପାର୍ଟି ଟିକେଟରେ ହର୍ନଉତ ଆସନରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ୧୯୮୫ରେ ସେ ପ୍ରଥମ ଥର ପାଇଁ ସେହି ହର୍ନଉତ ଆସନରେ ବିଜୟୀ ହୋଇ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୯ରେ ସେ ଲାଲୁ ପ୍ରସାଦ ଯାଦବଙ୍କ ସମର୍ଥନରେ ବିହାର ବିଧାନସଭାରେ ବିରୋଧୀଦଳ ନେତା ଆସନରେ ବସିଥିଲେ। ଆଉ ସେହି ୧୯୮୯ରେ ବାରହ ଲୋକସଭା କ୍ଷେତ୍ରରୁ ମଧ୍ୟ ନିର୍ବାଚନ ଜିତିବାରେ ସଫଳ ହୋଇଥିଲେ।

୧୯୯୪ରେ ନୀତିଶ ତତକାଳୀନ ସମାଜବାଦୀ ନେତା ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ସହ ମିଶି ସମତା ପାର୍ଟି ଗଠନ କରିଥିଲେ। ୧୯୯୫ରେ ସମତା ପାର୍ଟି ବିହାରରେ ୩୦୦ ଆସନରେ ନିର୍ବାଚନ ଲଢ଼ିଥିଲେ ବି ମାତ୍ର ୭ଟି ଆସନରେ ବିଜୟୀ ହୋଇଥିଲା। ୧୯୯୬ରେ ନୀତିଶ ପ୍ରଥମ ଥର ପାଇଁ ବିଜେପି ସଂସ୍ପର୍ଶରେ ଆସି ସହଯୋଗୀ ହେଲେ। ୧୯୯୮ରେ ଅଟଳ ବିହାରୀ ବାଜପେୟୀ ମନ୍ତ୍ରିମଣ୍ଡଳରେ ନୀତିଶ ରେଲୱେ ଓ ସଡ଼କ ପରିବହନ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ମଧ୍ୟ ହାସଲ କଲେ। ୨୦୦୦ରେ ନୀତିଶ ପ୍ରଥମ ଥର ପାଇଁ ମାତ୍ର ୭ ଦିନ ସକାଶେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପୂର୍ବରୁ ଇସ୍ତଫା ଦେଲେ। ୨୦୦୩ରେ ତାଙ୍କ ସମତା ପାର୍ଟି ଶରଦ ଯାଦବଙ୍କ ଜନତା ଦଳ (ୟୁନାଇଟେଡ୍) ସହ ମିଶିଲା। ୨୦୦୫ରେ ନୀତିଶ ବିଜେପି ସମର୍ଥନରେ ରାଜ୍ୟରେ ଦ୍ବିତୀୟ ବାର ମୁଖ୍ୟମନ୍ତ୍ରୀ ଆସନ ପାଇଲେ। ୨୦୧୦ରେ ପୁନର୍ବାର ସେ ବିଜେପି ସମର୍ଥନରେ ବିହାରରେ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ। ୨୦୧୩ରେ ନରେନ୍ଦ୍ର ମୋଦିଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ସେ ଏନଡିଏରୁ ଓହରି ଆସିଲେ।

୨୦୧୪ରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବିଜେପିର ବିଜୟ ଓ ଜେଡି(ୟୁ)ର ଶୋଚନୀୟ ପରାଜୟ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। ୨୦୧୫ରେ ବିଜେପିର ହାତ ଛାଡ଼ି ଲାଲୁଙ୍କ ଆରଜେଡି ସହ ମହାମେଣ୍ଟ କରି ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ। ମାତ୍ର ୨୦୧୭ରେ ମହାମେଣ୍ଟ ଛାଡ଼ି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପୁଣି ଥରେ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ୨୦୨୦ ନିର୍ବାଚନରେ ଏନଡିଏ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରି ନିର୍ବାଚନ ଲଢ଼ିବା ସହ ୨୦୨୦ ନଭେମ୍ବର ୧୬ରେ ସପ୍ତମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ