ଆଜି ପବିତ୍ର ଦୀପାବଳି: ଆଲୋକର ପର୍ବରେ ଓଡ଼ିଶା ଉତ୍ସବମୁଖର


ଫାଇଲ୍‌ ଫଟୋ
ଓଁ ଅସତୋ ମା ସଦ୍‌ଗମୟ ।
ତମସୋ ମା ଜ୍ୟୋତିର୍ଗମୟ ।
ମୃତ୍ୟୋର୍ମା ଅମୃତଂ ଗମୟ ।।
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ।।


ବୃହଦାରଣ୍ୟକ ଉପନିଷଦର ଏହି ଶ୍ଳୋକଟିକୁ ଆମେ ସଭିଁଏ ପିଲାଟିଦିନରୁ ଶୁଣିଆସିଛେ। ଏହାର ଅର୍ଥ ହେଉଛି - ହେ! ସର୍ବଶକ୍ତିମାନ, ଆମକୁ ଅସତ୍ୟରୁ ସତ୍ୟ ଆଡ଼କୁ ନେଇଚାଲ। ଅନ୍ଧକାରରୁ ଆଲୋକ ଆଡ଼କୁ ନେଇଚାଲ। ମୃତ୍ୟୁରୁ ଅମରତ୍ବ ଆଡ଼କୁ ନେଇଚାଲ।

ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଅନ୍ଧକାର ଉପରେ ଆଲୋକ ଏବଂ ଅଜ୍ଞାନ ଉପରେ ଜ୍ଞାନର ବିଜୟର ପ୍ରତୀକ। ଏଣୁ ଏହି ଅବସରରେ ଉପରୋକ୍ତ ଚିରସବୁଜ ଶ୍ଳୋକର ଯଥେଷ୍ଟ ପ୍ରାସଙ୍ଗିକତା ରହିଛି। ଚାରିଆଡ଼େ ଦୀପ, ବାଣ ଓ ମିଠାର ଆସର। ଦୀପାବଳି ପାଇଁ ସମଗ୍ର ଭାରତ ଆଜି ଉତ୍ସବମୁଖର। ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ, ଯାହାକୁ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ। ଘରେ ଘରେ ଆନନ୍ଦ ଉଲ୍ଲାସର ସୁଅ ଛୁଟିବା ସହ ବିଭିନ୍ନ ରଙ୍ଗ ବେରଙ୍ଗର ରଙ୍ଗୋଲି ଦ୍ୱାରା ଘରକୁ ସଜାବାରେ ଲାଗିପଡ଼ିଛନ୍ତି ଲୋକେ। ଦୀପାବଳିରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ। ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳିରେ ମା’ କାଳୀଙ୍କ ପୂଜା କରାଯାଏ। କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟରାତ୍ରିରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ। ବିଭିନ୍ନ ଶକ୍ତି ପୀଠ ସମେତ ମୂର୍ଣ୍ଣୟୀ ମୂର୍ତ୍ତିଙ୍କ ଆରାଧନା କରାଯାଏ। ସେହିପରି ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଦୀପାବଳି ଅବସରରେ ଗଣେଶ ଓ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ବିଶେଷକରି, ଉତ୍ତର ଭାରତରେ ଏହା ବହୁଳ ଭାବେ ପାଳିତ ହୁଏ। ସେହିପରି ମିଥିଳା ଓ ନେପାଳରେ ଏହି ପର୍ବରେ ମହାନିଶା ଦେବୀଙ୍କ ପୂଜା କରାଯାଏ।

କିମ୍ବଦନ୍ତୀ ଅନୁଯାୟୀ, କାର୍ତ୍ତିକ ଅମାବାସ୍ୟାରେ ଦୀପାବଳି ଉତ୍ସବ ପାଳନ କରାଯାଏ। ଏହି ପର୍ବ ପ୍ରାୟ ସମସ୍ତେ ପାଳନ କରନ୍ତି। ଘରେ ଘରେ ସେଦିନ ଦୀପ ଜଳେ, ବାଣ ଫୁଟାଯାଏ। ଶ୍ରାଦ୍ଧ କରାଯାଏ। ପିଠାପଣା ହୁଏ। ଦୀପାବଳି ଉତ୍ସବ ପାଳନ ବିଷୟରେ ନାନାପ୍ରକାର ପୁରାଣ ଓ ଲୋକକଥା ଶୁଣାଯାଏ। ଏହି ଦୀପାବଳି ଅମାବାସ୍ୟାକୁ ଲୋକ ଉକ୍ତିରେ ପୟା ଅମାବାସ୍ୟା ବୋଲି ମଧ୍ୟ କୁହାଯାଏ। ପୁରାଣ ଅନୁଯାୟୀ, ୧୪ ବର୍ଷ ପରେ ରାମ, ରାବଣଙ୍କୁ ବଧ କରି ଦୀପାବଳିରେ ଅଯୋଧ୍ୟା ଫେରିଥିଲେ। ଅଯୋଧ୍ୟାବାସୀ ଘୃତ-ଦୀପ ଜାଳି ଏହି ଦିନ ରାମଙ୍କୁ ସ୍ୱାଗତ କରିଥିଲେ। ସେହିପରି ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ନାରକାସୁରକୁ ବଧ କଲା ପରେ ତା’ ପରଦିନ ବ୍ରଜବାସୀ ଦୀପ ଜାଳି ଉତ୍ସବ ପାଳନ କରିଥିଲେ। ସେହି ଦିନ ମଧ୍ୟ ଥିଲା ଦୀପାବଳି।

ଓଡ଼ିଶାରେ ଏହି ଦିନ ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦେଇସାରି କାଉଁରିଆ କାଠି ଜଳାଯାଏ। ମହାଳୟା ତିଥିରେ ପିତୃପୁରୁଷଙ୍କୁ ଆବାହନ କରି ପିଣ୍ଡଦାନ କରାଯାଉଥିବା ବେଳେ ଦୀପାବଳି ତିଥିରେ ଆଲୋକ ଦେଖାଇ ସେମାନଙ୍କୁ ବିଦାୟ ଦିଆଯାଇଥାଏ। ‘ପିତୃ ଲୋକଂ ପରିତାଜ୍ୟ, ଆଗତା ଯେ ମହାଳୟେ, ଉଜ୍ଜ୍ୱଳେ ଜ୍ୟୋତିଷାଂ ମାର୍ଗେ, ପ୍ରପଦ୍ୟନ୍ତୋ ବ୍ରଜନ୍ତୁତେ’, ଅର୍ଥାତ ପିତୃପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରାଯାଏ। ଅସଂଖ୍ୟ ଭକ୍ତ ସେଦିନ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ବି ଜାଳନ୍ତି। ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି। କାଉଁରିଆ କାଠି ଜାଳିବାବେଳେ ଉଚ୍ଚାରଣ କରନ୍ତି ... ବଡ଼ବଡ଼ୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ, ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରସାଦ ଖାଇ, ବାଇଶି ପାବଛେ ଗଡ଼ଗଡାଉ ଥାଅ। ପୟା ଶ୍ରାଦ୍ଧ ଓ ଦୀପାବଳି ପାଇଁ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ଏହି ପବିତ୍ର ପର୍ବରେ ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ବାଇଶି ପାହାଚରେ ଶ୍ରାଦ୍ଧ ବା ପିଣ୍ଡଦାନ କରି ସିଂହଦ୍ୱାର ସମ୍ମୁଖରେ ବଡ଼ବଡ଼ିଆ ଡାକିଥାନ୍ତି। ଶ୍ରୀମନ୍ଦିରର ବାଇଶି ପାହାଚରେ ପିଣ୍ଡଦାନ କରି ସିଂହଦ୍ୱାର ସମ୍ମୁଖରେ ବଡ଼ବଡ଼ିଆ ଡାକିଲେ ପିତୃଗଣଙ୍କୁ ଜନ୍ମମୃତ୍ୟୁର ବନ୍ଧନରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ବିନ୍ଦୁସାଗରରେ ମଧ୍ୟ ପିତୃପରୁଷଙ୍କୁ ଶ୍ରାଦ୍ଧ ଦେବାକୁ ଭିଡ଼ ହୋଇଛି।

ଭାରତରେ କେତେକ ସ୍ଥାନରେ ଦୀପାବଳିକୁ ଅଜବ ଢଙ୍ଗରେ ପାଳନ କରାଯାଏ। ହିମାଚଳ ପ୍ରଦେଶର କେତେକ ସ୍ଥାନରେ ଦୀପାବଳିକୁ ବୁଢୀ ଦୀୱାଲି କୁହାଯାଉଥିବା ବେଳେ ଛତିଶଗଡ଼ର ଏକ ଗାଁରେ ଦୀପାବଳିର ପାଞ୍ଚଦିନ ପୂର୍ବରୁ ହିଁ ଏହି ପର୍ବ ପାଳନ କରାଯାଏ। ଆଦିବାସୀ ବହୁଳ ଅଞ୍ଚଳମାନଙ୍କରେ ଦୀପାବଳୀ ପର୍ବ ପାଳନ କରାଯାଏ ନାହିଁ। ଏଠାରେ ସହର ଏବଂ ଗ୍ରାମର ଦୀପାବଳି ବଦଳରେ ସଂସ୍କୃତି ଅନୁସାରେ ଭିନ୍ନ ପ୍ରକ୍ରିୟାରେ ତିନିଦିନ ପର୍ଯ୍ୟନ୍ତ ଦିୟାରୀ ପର୍ବ ପାଳନ କରାଯାଏ। ଏହି ତିନିଦିନ ଫସଲରୂପୀ ମା'ଲକ୍ଷ୍ମୀ, ମାଟି ଏବଂ ପଶୁମାନଙ୍କୁ ପୁଜା କରାଯାଏ। ହରିୟାଣାର କେତେକ ଗାଁରେ ଲୋକମାନେ ଭିନ୍ନ ଢଙ୍ଗରେ ଦୀପାବଳି ପାଳନ କରନ୍ତି। ପର୍ବର କିଛି ଦିନ ପୂର୍ବରୁ ଲୋକମାନେ ଘର ମଝିରେ ଗାତ ଖୋଳିଥାନ୍ତି। କବାଟରେ ଅହୋଇମାତାଙ୍କ ଚିତ୍ର କିମ୍ବା ଫଟୋ ଲଗାନ୍ତି। ଯେଉଁଥିରେ ଘରର ସଦସ୍ୟଙ୍କ ନାମ ଲେଖାଯାଏ। ଏହାପରେ ଅଗଣାରେ ଦୀପ ଏବଂ ମହମବତୀ ଲଗାଯାଏ। ପ୍ରତି ଘରୁ ଚାରୋଟି ଦୀପ ଚଉରାମୂଳେ ଦିଆଯାଏ, ଯାହାକୁ ଟୋନା କୁହାଯାଏ। ଦୀପାବଳି ପର୍ବକୁ ମହାରାଷ୍ଟ୍ରରେ ବେଶ୍‌ ଧୁମ୍‌ଧାମ୍‌ରେ ଚାରି ଦିନ ପର୍ଯ୍ୟନ୍ତ ପାଳନ କରାଯାଏ। ଧନତେରସ୍ ଦିନକୁ ବେପାରୀମାନଙ୍କ ବହିଖାତା ପୂଜା କରିବା ଦିବସ ମନାଯାଏ। ନରକ ଚତୁର୍ଦ୍ଦଶୀରେ ମଧ୍ୟ ମହାରାଷ୍ଟ୍ରରେ ଗୃହପାଳିତ ପଶୁ, ଗାଡ଼ି ଏବଂ ଘରୋଇ ସାମଗ୍ରୀକୁ ପୂଜା କରାଯାଏ ଏବଂ ଦୀପାବଳି ଦିନ ଲକ୍ଷ୍ମୀ ଓ ଗଣେଷଙ୍କୁ ପୂଜା କରାଯାଏ। ଦକ୍ଷିଣ ଭାରତରେ ଦୀପାବଳିକୁ ପାରମ୍ପରିକ ଢଙ୍ଗରେ ପାଳନ କରାଯାଏ। ଦୀପାବଳିର ଗୋଟିଏ ଦିନ ପୂର୍ବରୁ ନରକ ଚତ୍ତୁର୍ଦ୍ଦଶୀରେ ଏଠାରେ ପାରମ୍ପରିକ ସ୍ନାନ କରାଯାଏ ଏବଂ ଘର ସଫା କରି ରଙ୍ଗୋଲି ଦିଆଯାଏ। ଏଠାରେ ଏହାକୁ ଥଳାଇ ଦୀପାବଳୀ କୁହାଯାଏ। ଏହି ପର୍ବରେ ନବବିବାହିତ ଦମ୍ପତିଙ୍କୁ ଦୀପାବଳି ପାଳିବା ପାଇଁ କନ୍ୟାଘରକୁ ଯିବାକୁ ପଡ଼ିଥାଏ।

ଦୀପାବଳିର ବିଶେଷ ଆକର୍ଷଣ ହେଉଛି ବାଣଫୁଟା। ସନ୍ଧ୍ୟା ନଇଁବା କ୍ଷଣି ବିଭିନ୍ନ ପ୍ରକାର ଆତସବାଜିର ଶବ୍ଦରେ କମ୍ପିଉଠେ ପୁରପଲ୍ଲୀ। କିନ୍ତୁ କୋରୋନା ମହାମାରୀ ହେତୁ ଏଥର ଟାଇମ୍ ବାଣବିକ୍ରି  ଓ ବାଣଫୁଟାକୁ ନିଷେଧ କରାଯାଇଛି। ଦୀପାବଳି ପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁ ଠାରୁ ସହର। ଭଳିକି ଭଳି ଅଲୋକ ଓ ତୋରଣରେ ସଜେଇ ହୋଇଛି ସହର ବଜାର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ