ସାହା ଓ ୱାର୍ଣ୍ଣରଙ୍କ ପ୍ରହାର: ହାଇଦ୍ରାବାଦର ବିପୁଳ ବିଜୟ, ଦିଲ୍ଲୀ ଧରାଶାୟୀ


ଦୁବାଇ: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ସହଜ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ୮୮ ରନ୍‌ର ବିପୁଳ ବ୍ୟବଧାନରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପରାସ୍ତ କରିଛି। ଡେଭିଡ୍‌ ୱାର୍ଣ୍ଣର ଓ ଋଦ୍ଧିମାନ ସାହାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ହାଇଦ୍ରାବାଦ ୨ ୱିକେଟ ହରାଇ ୨୧୯ ରନ୍ କରିଥିଲା। ପରେ ସାମୂହିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭରରେ ୧୩୧ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ଜନ୍ମଦିନରେ ଡେଭିଡ୍‌  ୱାର୍ଣ୍ଣରଙ୍କ ୩୪ ବଲ୍‌ ୬୬ ଏବଂ ଋଦ୍ଧିମାନ ସାହାଙ୍କ ୪୫ ବଲ୍‌ ୮୭ ରନ୍‌ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବଡ଼ ବ୍ୟବଧାନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ପ୍ରତିଟି ମ୍ୟାଚ୍‌ରେ ‘କର ବା ମର’ ସ୍ଥିତିରେ ପଡ଼ିଥିବା ହାଇଦ୍ରାବାଦ ଦ୍ବାଦଶ ମ୍ୟାଚ୍‌ରୁ ପଞ୍ଚମ ବିଜୟ ସହ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ୧୨ଟି ମ୍ୟାଚ୍‌ରୁ ୫ମ ପରାଜୟ ପରେ ୧୪ ପଏଣ୍ଟ ସହ ପଏଣ୍ଟ ଟେବଲ୍‌ର ଦ୍ବିତୀୟ ସ୍ଥାନରେ ଥିବା ଦିଲ୍ଲୀ ହ୍ୟାଟ୍ରିକ୍ ପରାଜୟ ସହ ତୃତୀୟ ସ୍ଥାନକୁ ଖସିଯାଇଛି। ଏହି ମ୍ୟାଚ୍ ଜିତିଥିଲେ ଦିଲ୍ଲୀ ପ୍ଲେଅଫ୍‌ରେ ପହଞ୍ଚିଥାଆନ୍ତା। ଦିଲ୍ଲୀ ବାକି ୨ଟି ମ୍ୟାଚ୍‌ରୁ ଗୋଟିଏ ମ୍ୟାଚ୍‌ ଜିତିଲେ ପ୍ଲେଅଫ୍‌ରେ ପହଞ୍ଚିବ। ୧୨ଶ ମ୍ୟାଚ୍‌ରେ ୫ମ ବିଜୟ ପରେ ୧୦ ପଏଣ୍ଟ ସହ ସନ୍‌ରାଇଜର୍ସ ପ୍ଲେଅଫ୍‌ ଆଶା ବଜାୟ ରଖିଛି। ବିସ୍ଫୋରକ ବ୍ୟାଟିଂ ପାଇଁ ଋଦ୍ଧିମାନ ସାହା ମଙ୍ଗଳବାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ସନ୍‌ରାଇଜର୍ସର ଦୁଇ ଓପ୍‌ନର ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ। ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଓ ଋଦ୍ଧିମାନ ସାହା ଆରମ୍ଭରୁ ଷ୍ଟ୍ରୋକ୍‌ ଖେଳି ୬ ଓଭରର ପାୱରପ୍ଲେ ଶେଷରେ ସ୍କୋର୍‌କୁ ୭୭ ରନ୍‌ରେ ପହଞ୍ଚାଇଥିଲେ; ଯାହା ଚଳିତ ସଂସ୍କରଣରେ ସର୍ବାଧିକ। ୨୫ ବଲ୍‌ରୁ ୱାର୍ଣ୍ଣର ଅର୍ଦ୍ଧଶତକ ପୂରଣ କରିଥିଲେ। ୧୦ମ ଓଭରରେ ଦୁହେଁ ସ୍କୋର୍‌କୁ ଶହେ ପାର କରାଇବା ପରେ ୱାର୍ଣ୍ଣର ଆଉଟ ହୋଇଥିଲେ। ୱାର୍ଣ୍ଣର ବିଧ୍ବଂସୀ ବ୍ୟାଟିଂକରି ୩୪ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୬୬ ରନ୍ କରିଥିଲେ। ପରେ ଋଦ୍ଧିମାନ ଷ୍ଟ୍ରୋକ୍‌ ଖେଳି ଚାଲିଥିଲେ। ମନୀଷ ପାଣ୍ଡେଙ୍କ ସହ ୨ୟ ୱିକେଟ ପାଇଁ ୫ ଓଭରରେ ୬୩ ରନ୍ ଯୋଡ଼ିବା ପରେ ଋଦ୍ଧିମାନ ଆଉଟ ହୋଇ ଯାଇଥିଲେ। ଋଦ୍ଧିମାନ ୪୫ ବଲ୍‌ରୁ ୨ଟି ଛକା ଓ ୧୨ଟି ଚୌକା ସହ ଆକ୍ରମଣାତ୍ମକ ୮୭ ରନ୍‌ କରିଥିଲେ। ମନୀଷ ପାଣ୍ଡେ ଭଲ ବ୍ୟାଟିଂ କରିଥିଲେ। ପାଣ୍ଡେ ଓ କେନ୍ ୱିଲିୟମ୍‌ସନ ୪୯ ରନ୍ ଯୋଡ଼ିଥିଲେ। ୱିଲିୟମ୍‌ସନ ୧୦ ବଲ୍‌ରୁ ୧୧ ରନ୍‌କରି ଅପରାଜିତ ଥିଲେ। ପାଣ୍ଡେ ୩୧ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୪ ରନ୍‌କରି ଅପରାଜିତ ଥିଲେ। ଦିଲ୍ଲୀର ମୁଖ୍ୟ ବୋଲିଂ ଅସ୍ତ୍ର ଭାବେ ଚଳିତ ଋତୁରେ ପ୍ରଭାବୀ ପ୍ରଦର୍ଶନ କରୁଥିବା କାଗିସୋ ରବାଡା ମଙ୍ଗଳବାର ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ପ୍ରଥମ ଥର ପାଇଁ ୱିକେଟଶୂନ୍ୟ ରହିଥିଲେ ଏବଂ ନିଜ କୋଟା ୪ ଓଭରରେ ୫୪ ରନ୍ ବ୍ୟୟ କରିଥିଲେ। ଅବଶ୍ୟ ଡେଥ୍‌ ବୋଲିଂ ବେଳକୁ ଭଲ କରି ଗୋଟିଏ ଓଭରରେ (୨୦ତମ) ମାତ୍ର ୭ ରନ୍ ବ୍ୟୟ କରି ହାଇଦ୍ରାବାଦକୁ ଅଧିକ ବଡ଼ ସ୍କୋରରୁ ରୋକିଥିଲେ।

୨୨୦ ରନ୍ ଲକ୍ଷ୍ୟରେ ଦିଲ୍ଲୀ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ପ୍ରଥମ ଓଭରରେ ବିନା ସ୍କୋର୍‌ରେ ଶିଖର ଧୱନ୍ ଆଉଟ ହୋଇଥିଲେ। ରନ୍‌ ଗତି ବଢ଼ାଇବା ଲାଗି ୩ନଂ ସ୍ଥାନରେ ଆସିଥିବା ମାର୍କସ ଷ୍ଟୋଇନିସ୍ ମାତ୍ର ୫ ରନ୍‌ କରିଥିଲେ। ପରେ ଅଜିଙ୍କ୍ୟ ରାହାଣେ ଓ ସିମ୍ରନ୍ ହେଟମେୟର ରସିଦ୍ ଖାନଙ୍କ ଗୋଟିଏ ଓଭରରେ ଆଉଟ ହୋଇଥିଲେ। ୬ ଓଭର ପାୱରପ୍ଲେ ଶେଷରେ ଦିଲ୍ଲୀ ୫୪ ରନ୍ କରିଥିଲା। ହେଟମେୟର ୧୬ ରନ୍‌ କରି ବିଦାୟ ନେଇଥିଲେ। ରାହାଣେ ୧୯ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୬ ରନ୍ କରିଥିଲେ। ପରେ ଅଧିନାୟକ ଶ୍ରେୟାସ ଆୟର ୭ ଓ ଅକ୍ଷର ପଟେଲ ୧ ରନ୍‌କରି ଆଉଟ ହୋଇଥିଲେ। ୮୩ ରନ୍‌ରେ ୬ଟି ୱିକେଟ ପଡ଼ିଯିବା ପରେ ଦିଲ୍ଲୀର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ଋଷଭ ପନ୍ତ୍ ୩୫ ବଲ୍‌ରୁ ପ୍ରଭାବହୀନ ୩୬ ରନ୍ କରିଥିଲେ। ତୁଷାର ଦେଶପାଣ୍ଡେ ୨୦ ରନ୍‌ରେ ଅପରାଜିତ ଥିଲେ। ରସିଦ୍ ଖାନ ୩ଟି ଏବଂ ସନ୍ଦୀପ ଶର୍ମା ଓ ଟି. ନଟରାଜନ୍ ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ