ଛାତ୍ରବୃତ୍ତି ଓ ସୁମଙ୍ଗଳ ପୋର୍ଟାଲ୍‌ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ପାଇଁ ବୈଷୟିକ ବିଦ୍ୟାର ବ୍ୟାପକ ପ୍ରୟୋଗ ଉପରେ ଗୁରୁତ୍ବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦୁଇଟି ପୋର୍ଟାଲ୍‌ର ଲୋକାର୍ପଣ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କ ପାଇଁ ଛାତ୍ରବୃତ୍ତି ପୋର୍ଟାଲ୍‌ ଏବଂ ଆନ୍ତଃଜାତି ବିବାହ କରୁଥିବା ଦମ୍ପତିମାନଙ୍କ ପାଇଁ ସୁମଙ୍ଗଳ ପୋର୍ଟାଲ୍‌ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି (ସ୍କଲାରସିପ୍) ନିର୍ଭୁଲ୍‌ ଓ ସ୍ବଚ୍ଛ ଭାବେ ଯୋଗାଇଦେବା ପାଇଁ ରାଜ୍ୟ ଛାତ୍ରବୃତ୍ତି ପୋର୍ଟାଲ୍‌ର ଶୁଭାରମ୍ଭ କରିଛନ୍ତି। ଏଣିକି ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲ୍‌କୁ ବ୍ୟବହାର କରିବା ଦରକାର ପଡ଼ିବ ନାହିଁ। ଏହି ଏକକ ପୋର୍ଟାଲ୍‌ ବ୍ୟବହାର ଫଳରେ ୧୧ ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପକୃତ ହେବେ। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଛାତ୍ରବୃତ୍ତି ପୋର୍ଟାଲ୍‌ ଓ ସୁମଙ୍ଗଳ ପୋର୍ଟାଲର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ପାଇଁ ବୈଷୟିକ ବିଦ୍ୟାର ବ୍ୟାପକ ପ୍ରୟୋଗ ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୈଷୟିକ ବିଦ୍ୟାର ପ୍ରୟୋଗ ଦ୍ବାରା ହିଁ ଆମେ ସାଧାରଣ ଲୋକଙ୍କୁ ଦକ୍ଷତା ଓ ସ୍ବଚ୍ଛତାର ସହ ଠିକ୍‌ ସମୟରେ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେଇପାରିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପରି ୬ଟି ପ୍ରମୁଖ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ୨୧ଟି ଛାତ୍ରବୃତ୍ତି ଯୋଜନାକୁ ଗୋଟିଏ ମଞ୍ଚକୁ ଅଣାଯାଇପାରିଛି। ଏହା ଫଳରେ ଆଧାରଭିତ୍ତିକ ପଞ୍ଜୀକରଣ ଏବଂ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ସମନ୍ବୟ ଯୋଗୁଁ ଅନିୟମିତତା ଦୂର ହେବା ସହିତ ତ୍ରୁଟିହୀନ ବୃତ୍ତି ବିତରଣ ସୁନିଶ୍ଚିତ ହୋଇପାରିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, www.scholarship.odisha.gov.in ଏହି ପୋର୍ଟାଲ୍‌ ରାଜ୍ୟ ଟ୍ରେଜେରୀ ପୋର୍ଟାଲ୍ ଆଇଏପ୍ଏମସି ସଂଯୁକ୍ତ ହୋଇଥିବାରୁ ହିତାଧିକାରୀମାନଙ୍କ ବ୍ୟାଙ୍କ୍‌ ଖାତାକୁ ପ୍ରତ୍ୟକ୍ଷ ଭାବରେ ବୃତ୍ତି ହସ୍ତାନ୍ତରିତ ହୋଇପାରିବ। ରାଜ୍ୟର ୬ ଲକ୍ଷ ଯୋଗ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଅନ୍ୟାନ୍ୟ ପଛୁଆବର୍ଗ, ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗଙ୍କ ପରି ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀମାନେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗରୁ ସିଧାସଳଖ ମାଟ୍ରିକ୍ ପରବର୍ତ୍ତୀ ବୃତ୍ତି ଯୋଜନାର ସୁଫଳ ପାଇପାରିବେ।

ସେହିପରି ମୁଖ୍ୟମନ୍ତ୍ରୀ ଓଡ଼ିଶା ଲୋକସେବା ଅଧିନିୟମ ୨୦୧୨ ଅଧୀନରେ ଆନ୍ତଃଜାତି ବିବାହ କରିଥିବା ଦମ୍ପତିମାନଙ୍କୁ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ରାଶି ମଞ୍ଜୁର କରିବା ନିମନ୍ତେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ବିକଶିତ ସୁମଙ୍ଗଳ ପୋର୍ଟାଲ୍‌ର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଆବେଦନକାରୀମାନେ http://sumangal.odisha.gov.in ଜରିଆରେ ଆବେଦନ କରିପାରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, କେବଳ ଅନୁସୁଚିତ ଜନଜାତି ଓ ଜାତି ବିକାଶ ବିଭାଗ ଅଧିନରେ ୬ ଲକ୍ଷ ଛାତ୍ରଛାତ୍ରୀ ଏହି ବୃତ୍ତିର ସୁବିଧା ପାଉଛନ୍ତି। ୫-ଟି କାର୍ଯ୍ୟକ୍ରମ ଜରିଆରେ ବ୍ୟାପକ ପରିବର୍ତ୍ତନର ସୁଯୋଗ ଆଣିବାରେ ଓଡିଶା ଆଜି ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି ବୋଲି ପ୍ରକାଶ କରି ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍. ବାଲ୍‌କ୍ରିଷ୍ଣନ୍‌, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଶାଶ୍ୱତ ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫‘ଟି’) ସଚିବ ଭି.କେ. ପାଣ୍ଡିଆନ୍‌ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଏବଂ ଅନ୍ୟ କ୍ଷେତ୍ର ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ