ଭୁଶୁଡ଼ୁଛି ଲାଲଗଡ଼


ଦଶ ବର୍ଷ ତଳେ ରାଜ୍ୟର ୧୯ ଜିଲା ଥିଲା ମାଓପ୍ରବଣ। ୨୦୧୮ରେ ୬ଟି ଜିଲାକୁ ଓଡ଼ିଶା ମାଓ ଉପଦ୍ରବମୁକ୍ତ ଘୋଷଣା କରିଥିଲା। କିନ୍ତୁ ସେହିବର୍ଷ ମାଓ ହିଂସାରେ ସାମିଲ ହେଲା ଆଉ ଦୁଇଟି ନୂଆ ଜିଲା - ବୌଦ୍ଧ ଓ ଅନୁଗୁଳ। ଗୋଟିଏ ପରେ ଗୋଟିଏ ମାଓ ହିଂସା ଘଟି ଚାଲିଥିବାବେଳେ ୨୦୧୪ରେ ଓଡ଼ିଶାର ଟପ ମାଓନେତା ସବ୍ୟସାଚୀ ପୋଲିସ ଦ୍ବାରା ଗିରଫ ହେଲେ। ସେହି ସମୟରେ ରାଜ୍ୟରେ ଥିଲେ ଓଡ଼ିଶା କ୍ୟାଡରର ୬ ଶହରୁ ଅଧିକ ମାଓବାଦୀ। ସବ୍ୟସାଚୀ ପଣ୍ଡାଙ୍କ ଗିରଫ ପରେ ଓଡ଼ିଶା କ୍ୟାଡରର ମାଓବାଦୀମାନେ ଲାଲ ଶିବିର ଉପରୁ ମୁହଁ ଫେରାଇ ଆଣିଲେ। ପୋଲିସର ମନୋବଳ ବଢ଼ିଲା। ୨୦୨୦ରେ ପୁଣି ୫ଟି ଜିଲା ମାଓ ଉପଦ୍ରବ ମୁକ୍ତ ଜିଲା ଭାବେ ଘୋଷିତ ହେଲା। ଏବେ ମାତ୍ର ୩୦ରୁ କମ ଓଡ଼ିଶା କ୍ୟାଡରର ମାଓବାଦୀ ଘାଟି ଜଗି ପଡ଼ିରହିଛନ୍ତି। ସେପଟେ ଓଡ଼ିଶା ସମେତ ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରେ ମାଓବାଦୀଙ୍କ ବିରୋଧରେ ମିଳିତ ଅଭିଯାନ ହାତକୁ ନେବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ସୀମାନ୍ତରେ ପୋଲିସ ଅଭିଯାନକୁ କାଉଣ୍ଟର କରିବା ପାଇଁ ମାଓବାଦୀମାନେ ମେଳି ବାନ୍ଧୁଛନ୍ତି। ଗତ ୨ ମାସ ତଳେ କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ ବ୍ଲକରେ ପୋଲିସ ଆକ୍ରମଣରେ ୫ ମାଓବାଦୀଙ୍କ ମ୍‌ତ୍ୟୁ ଘଟିଥିବା ବେଳେ ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲା ଗଡ଼ଚିରୋଲି ଅଞ୍ଚଳରେ ୩ରୁ ଅଧିକ ମାଓବାଦୀଙ୍କ ମ୍‌ତ୍ୟୁରୁ ସୀମାନ୍ତରେ ପୋଲିସର ଅଭିଯାନକୁ ସୂଚାଉଛି। ଏସବୁ ଦେଖିଲେ ମନେହେଉଛି ଲାଲଦୁର୍ଗର ପତନର ବେଳ ବୋଧେ ଆସିଯାଇଛି।

ଓଡ଼ିଶାରେ କିଭଳି ବଢ଼ିଲା ମାଓବାଦ
ସୁଉଚ୍ଚ ପର୍ବତମାଳା, ଘଞ୍ଚ ଜଙ୍ଗଲ ଓ ଅଳ୍ପ ବିକଶିତ ଅଞ୍ଚଳରେ ଜନଗଣଙ୍କ ଦୁର୍ଦ୍ଦଶା ଦେଖି ୧୯୬୦ରେ ଗୁଣପୁର ଅଞ୍ଚଳରେ ଗଢ଼ି ଉଠିଥିଲା ଫୁଡ ଲବରେସନ ଅଭିଯାନ। ଚାଷୀ ମୂଲିଆ ସଂଗଠନର ପ୍ରଭାବ ବ୍ୟାପକ ଭାବେ ପଡ଼ିବାରୁ ଏହାର ନେତାମାନେ ପରବର୍ତ୍ତୀ ସମୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଲିବରେସନ ଆଦି ବିଚାରଧାରାରେ ଭାଗ ଭାଗ ହେଲେ। ସେଥିରୁ କେତେକ ୧୯୬୮ ମସିହାରେ ଚିତ୍ରକୋଣ୍ଡା ଆନ୍ଦୋଳନରେ ସାମିଲ ହେଲେ ଓ ଆନ୍ଦୋଳନକୁ ବ୍ୟାପକ କରାଇବା ପାଇଁ ନକ୍ସଲବାଡ଼ି ଆନ୍ଦୋଳନର ମହାନ ସଂଗ୍ରାମୀ ଚାରୁ ମଜୁମଦାରଙ୍କ ସହଯୋଗ ଲୋଡ଼ିଲେ। ଚାରୁ ମଜୁମଦାର ଚିତ୍ରକୋଣ୍ଡା ଶ୍ରମିକ ଆନ୍ଦୋଳନ ପାଇଁ ଛାତ୍ର, ବୁଦ୍ଧିଜୀବୀଙ୍କୁ ଯୋଡ଼ିଲେ। ଏହାକୁ ସୁଦୂରପ୍ରସାରୀ କରାଇଲେ। ୧୯୬୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓ ରାଜ୍ୟରେ ୩୨ଟି ଗରିଲା ବାହିନୀ ଥିବା ନେଇ ବିଧାନସଭାରେ ସୂଚନା ଦେଲେ। ଆଉ ଏମାନଙ୍କୁ ଦମନ କରିବା ପାଇଁ ଆନ୍ଧ୍ର ସରକାରଙ୍କ ସହଯୋଗ ଲୋଡ଼ିଥିଲେ। ଜରୁରୀକାଳୀନ ସମୟରେ ମାଓବାଦୀ ଆନ୍ଦୋଳନ ନିଷ୍କ୍ରିୟ ହୋଇଥିଲା। ୧୯୬୯ରେ ସବ୍ୟସାଚୀ ପଣ୍ଡା ‘କୁଇ ଲବଙ୍ଗ’ ସଂଘ ଗଢ଼ିଲେ। ପରେ ଏହା ପିପଲ୍ସ ୱାର ଗ୍ରୁପରେ ଯୋଡ଼ିହେଲା। ୨୦୦୧ରେ ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେସାଲ ଜୋନାଲ କମିଟି ଭଳି ଭିନ୍ନ ଭିନ୍ନ କମିଟି ଗଢ଼ାହେଲା। ୨୦୦୧ରେ କାଲିମେଳା ଥାନା ଆକ୍ରମଣରେ ୧୦ ଜଣ ପୋଲିସ ଶହୀଦ ହେଲେ। ରକ୍ତମୁଖା ହେଲା ମାଓ ସଂଗଠନ। କାୟା ବିସ୍ତାର କଲା ମାଓହିଂସା।

ନକ୍ସଲ ସଂଗଠନରେ ଅପରାଧୀ
୯ ଅଗଷ୍ଟ ୨୦୦୩ରେ ଗଞ୍ଜାମର ଛତ୍ରପୁର ଜେଲରୁ ଛୁ ମାରିଥିବା ଅପରାଧୀ କଂଗ୍ରେସ ଦାସ ଓ ରବୀନ୍ଦ୍ର ଦାସଙ୍କୁ ରାୟଗଡ଼ା ପୋଲିସ ପରେ ନକ୍ସଲ କ୍ୟାମ୍ପରୁ ଗିରଫ କରିଥିଲା। ରାୟଗଡ଼ା ଜିଲା ପଦ୍ମପୁର ଅଞ୍ଚଳର ଜଣେ ଦୁଷ୍କର୍ମକାରୀ ପୋଲିସ କବଳରୁ ବର୍ତ୍ତିବା ପାଇଁ ମାଓ ଶିବିରର ଆଶ୍ରୟ ନେଇଥିବା ଜଣାପଡ଼ିଛି। ଏଭଳି ଅନେକ ଘଟଣାରେ ମାଓ ଶିବିର ଅପଖ୍ୟାତି କେବଳ ମୁଣ୍ଡାଇନି ବରଂ ପଥ ଓ ନୀତିଭ୍ରଷ୍ଟ ହୋଇଛି। ମାଓ ଶିବିରରେ ଅପରାଧୀ ପ୍ରବେଶ କରିବାରୁ ସେମାନେ ଜନଜାତିଙ୍କ ଉପରେ ଲାଲ ଆଖି ଦେଖାଇଛନ୍ତି। ଜମିଦାର, ବୁର୍ଜୁଆ, ଠକ, ଟାଉଟର, କଣ୍ଟ୍ରାକ୍ଟରମାନଙ୍କ ବିରୋଧରେ ଲଢ଼ିବା ପରିବର୍ତ୍ତେ ସେମାନେ ଆଦିବାସୀମାନଙ୍କୁ ପୋଲିସର ସୂଚନାଦାତା କହି ମ୍‌ତ୍ୟୁଦଣ୍ଡ ଦେଇଛନ୍ତି। ସ୍କୁଲ, ଟେଲିଫୋନ ଟାୱାର ଭାଙ୍ଗି ବିକାଶର ଗତିରୋଧ କରିଛନ୍ତି। ୧୯୮୨ରୁ ୧୯୯୧ ମଧ୍ୟରେ ଅଧିକ ଉଗ୍ର ହୋଇ ପଡ଼ିଥିବା ମାଓବାଦୀ କାର୍ଯ୍ୟକଳାପ ୨୦୦୧ରୁ ୨୦୦୪ ଯାଏ ଅଧିକ ତେଜିଆନ ହୋଇଛି। ଆନ୍ଧ୍ର ପ୍ରଦେଶରେ ମନ୍ଦିରକୁ ଭାଙ୍ଗିଦେବା, କୋରାପୁଟ ବନ୍ଧୁଗାଁ ବ୍ଲକ ଲୀଳାବାଡ଼ି ଠାରେ ଥିବା ଅଗ୍ନିଗୋମେଙ୍ଗା ମନ୍ଦିର ହୁଣ୍ଡିକୁ ଲୁଟିନେବା, ଟ୍ରଷ୍ଟ ବଳରାମ ସାହୁକାରଙ୍କ ତଣ୍ଟିକାଟି ଦେବା, ୨୦୦୮ରେ ସନ୍ଥ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ବର୍ବରୋଚିତ ଭାବେ ଗୁଳିକରି ହତ୍ୟା କରିବା ଘଟଣା ଓଡ଼ିଶା ଭଳି ଶାନ୍ତ୍ରିପ୍ରିୟ ରାଜ୍ୟକୁ ଥରାଇ ରଖିଥିଲା। ୨୦୦୪ରେ ସମସ୍ତ ମାଓବାଦୀ କୋରାପୁଟ ଅସ୍ତ୍ରାଗାରକୁ ଲୁଟିନେବା, ନୟାଗଡ଼ ଅସ୍ତ୍ରାଗାର ଲୁଟିନେଇ ଖସିଯିବା, ୨୦୦୨ରେ ରାୟଗଡ଼ା ଗୋଲପଦର ଥାନା ଜାଳିଦେବା, ୨୦୦୧ରେ କାଲିମେଳା ଥାନା ଆକ୍ରମଣ କରିବା, ନାରାୟଣପାଟଣା ଥାନା ଆକ୍ରମଣ, ମାଲକାନଗିରି ଜିଲାପାଳ ଭିନିଲ କ୍ରିଷ୍ଣାଙ୍କୁ ଅପହରଣ, ଇଟାଲୀୟ ନାଗରିକଙ୍କୁ କନ୍ଧମାଳରେ ଅପହରଣ ଭଳି ଅନେକ ହିଂସା ଦେଖିଛି ଓଡ଼ିଶା।

କମୁଛି ଜନତାଙ୍କ ସମର୍ଥନ
ମାଓବାଦୀ ଆଦିବାସୀ ସ୍ବାର୍ଥର ବିରୋଧୀ ବୋଲି ମେଳି ବାନ୍ଧିଥିଲା କୁଇ ଶାନ୍ତି ସଂଘ। ଚନ୍ଦ୍ରଗିରିର କନ୍ଧମାନେ ଅନେକ ମାଓବାଦୀଙ୍କୁ ପୋଲିସ ହାତରେ ଧରାଇ ଦେଇଥିଲେ। ନକ୍ସଲମାନେ ବିକାଶ ବିରୋଧୀ ବୋଲି ଏବେ ଅନୁଭୂତ ହେଉଛି। ସ୍ବାଭିମାନ ଅଞ୍ଚଳରେ ନକ୍ସଲଙ୍କ ପ୍ରତି ପ୍ରଜାଙ୍କ ମେଳି ଆଉ ପୂର୍ବଭଳି ନାହିଁ। ଏଥର ମାଓ ଗଡ଼ ଭୁଶୁଡ଼ିବ ନିଶ୍ଚୟ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ