ସ୍ମାର୍ଟରୁ ଓଭରସ୍ମାର୍ଟ: ଭୁବନେଶ୍ବର ସ୍ମାର୍ଟସିଟି ଯୋଜନା ଦିଗହରା


ଆଉ ମାତ୍ର କିଛି ମାସ ପରେ ଭୁବନେଶ୍ବର ସ୍ମାର୍ଟସିଟି ଘୋଷଣାକୁ ପୂରିବ ୫ ବର୍ଷ। ଏତିକି ସମୟ ଗୋଟିଏ ସହରର ବିକାଶ ପାଇଁ କମ ସମୟ ନୁହେଁ। କିନ୍ତୁ ଏହି ରାଜଧାନୀ ସହର ପାଦେ ଆଗକୁ ଗଲାବେଳେ ଦୁଇପାଦ ପଛାଉଛି। ବହୁ ପ୍ରକଳ୍ପ ଆରମ୍ଭ ହୋଇନି। ଅନେକ ପ୍ରକଳ୍ପ ଅଧପନ୍ତରିଆ। କୁସୁମ, କୁଟୁମ୍ବ ଓ ସ୍ବାଭିମାନ ଭଳି ଯୋଜନାର ବାସ୍ତବ ସୁଫଳ ଦେଖିବାକୁ ମିଳୁନି। ସବୁ ରୁଟରେ ମୋ ବସ ଗଡ଼ୁନି। ସହରବାସୀଙ୍କୁ ସାଇକେଲରେ ଅଭ୍ୟସ୍ତ କରାଇବା ପାଇଁ ଆରମ୍ଭ ହୋଇଥିବା ‘ମୋ ସାଇକେଲ’ ଖତଖାଉଛି। ନିର୍ମାଣ ଶ୍ରମିକଙ୍କ ପାଇଁ ସୁଳଭ ଭଡ଼ାଘର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇନି। ରାତ୍ରି ଆଶ୍ରୟସ୍ଥଳରେ ସହରର ସମସ୍ତ ନିରାଶ୍ରୟଙ୍କୁ ଜାଗା ଅଣ୍ଟୁନି। ଠିକାଦାରି ସଂସ୍ଥାଙ୍କ ପକେଟ ଭରିବା ପାଇଁ ଚାଲିଛି ଭଙ୍ଗାଗଢ଼ାର ନିର୍ମାଣ ଖେଳ। କେଉଁଠି ଭଲ ଡ୍ରେନକୁ ଭାଙ୍ଗି ପୁଣିଥରେ ତିଆରି କରାଯାଉଛି ତ କେଉଁଠି ବନ୍ୟାଜଳ ନିଷ୍କାସନ ନାଳର ମରାମତି ବା ନିର୍ମାଣ ଅବଧି ଘୁଞ୍ଚି ଘୁଞ୍ଚି ଚାଲିଛି। ଫନି ବାତ୍ୟାରେ ଧ୍ବସ୍ତ ହୋଇଯାଇଥିବା ବସଷ୍ଟପର ପ୍ରତୀକ୍ଷାଳୟ ଗୁଡ଼ିକର ସମ୍ପୂର୍ଣ୍ଣ ମରାମତି ଆଜି ସୁଦ୍ଧା ସମ୍ଭବ ହୋଇନି। ସବୁଠୁ ବିଡ଼ମ୍ବନାର କଥା ଯେ ସ୍ମାର୍ଟସିଟିର ପ୍ରଥମ ଯୋଜନା ‘ଭୁବନେଶ୍ବର ୱାନ’ ୱେବସାଇଟ ଆରମ୍ଭ ହେବାର ୫ ବର୍ଷ ପରେ ବି ବୈଷୟିକ ତ୍ରୁଟି କାରଣରୁ ବ୍ୟବହାରକାରୀଙ୍କ ଦ୍ବାରା ଆଦ୍‌ତ ହେବା ପରିବର୍ତ୍ତେ ଅଲୋଡ଼ା ହୋଇ ରହିଛି।

କହୁଥିଲେ ନମ୍ବର ୱାନ, ଏବେ ପୂରା ଶୂନ
ସ୍ମାର୍ଟସିଟି ପ୍ରକଳ୍ପ ପାଇଁ ଅଣ୍ଟା ଭିଡ଼ିଥିଲେ କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନଗରାଞ୍ଚଳ ଗୁଡ଼ିକ ମଧ୍ୟରୁ ପ୍ରମୁଖ ନଗରୀ ଗୁଡ଼ିକୁ ବାସିନ୍ଦାମାନଙ୍କ ପାଇଁ ସୁଖ ସୁବିଧା, ସେବା, ସୁରକ୍ଷା ପ୍ରଦାନ ପାଇଁ ନିଶ୍ଚିତତା ଦିଗରେ ଏଭଳି ପ୍ରକଳ୍ପର ପରିକଳ୍ପନା କରିଥିଲେ। ରାଜ୍ୟ ସରକାର ଭୁବନେଶ୍ବର ସମେତ ଅନ୍ୟ କେତେକ ସହରର ପ୍ରସ୍ତାବ ଦେଇଥିଲେ। ୨୫ ଜୁନ ୨୦୧୬ରେ ପ୍ରଧାନମନ୍ତ୍ରୀ ଦେଶର ୮୮ଟି ସ୍ମାର୍ଟସିଟି ଯୋଜନା ଲୋକର୍ପିତ କରିଥିଲେ। ଏହି ଯୋଜନାରେ ଭୁବନେଶ୍ବର ୱାନ ନାମକ ଏକ ୱେବ ପୋର୍ଟାଲ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହେବାର ଥିଲା। କିନ୍ତୁ କାଳେ ପ୍ରଧାନମନ୍ତ୍ରୀ ନାଁ ନେଇଯିବେ ସେଥିପାଇଁ ଏହାକୁ ସେ ସମୟରେ ଆରମ୍ଭ କରାଗଲା ନାହିଁ। ଏହି ଆପକୁ ୩୦ ଜୁଲାଇ ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କଲେ। ସିଙ୍ଗାପୁର ୱାନ ମ୍ୟାପ ନକଲରେ ଆରମ୍ଭ ହୋଇଥିବା ଏହି ଆପର ସଫଳତାକୁ ନେଇ ବ୍ୟାପକ ପ୍ରଚାର କରାଗଲା। କୁହାଗଲା ଯେ ଭୁବନେଶ୍ବରର ରାସ୍ତାଘାଟ, ଦୋକାନ ବଜାର, ସ୍କୁଲ କଲେଜ, ଡାକ୍ତରଖାନା, ଟ୍ରେନ ଓ ବିମାନର ଆଗମନ ଓ ପ୍ରସ୍ଥାନ ତଥା ବିଳମ୍ବ ସୂଚନା ସହିତ ଉପଲବ୍ଧ ସମସ୍ତ ସରକାରୀ, ବେସରକାରୀ ଅଫିସ ଓ ମିଳୁଥିବା ସେବା ସବିସ୍ତ୍‌ତ ଏହି ଆପ ଜରିଆରେ ପରିଦର୍ଶକମାନଙ୍କୁ ଉପଲବ୍ଧ କରାଯିବ। ଲୋକେ ଏହାକୁ ଖୋଲିଲେ। କାହାର ଅଧା ଖୋଲି ଆଉ ଖୋଲିଲାନି ତ କାହାର ଆଦୌ ଖୋଲିଲାନି। ପ୍ରଥମରୁ ୩୯ ହଜାର ପାଖାପାଖି ଦର୍ଶକ ଏହାକୁ ଖୋଲି ସେବା ନେବାକୁ ଚାହିଁ ନିରାଶ ହେବା ପରେ ଏବେ ଏହି ଆପ ଅଲୋଡ଼ା ହୋଇ ପଡ଼ିରହିଛି। ୨୦୧୬ରୁ ୨୦୨୦ ଏତେ ଲମ୍ବା ସମୟ ମଧ୍ୟରେ ସ୍ମାର୍ଟସିଟି ମିଶନ କର୍ତ୍ତୃପକ୍ଷ କହିଥିବା ପ୍ରକାରେ ଗୋଟିଏ ୱେବ ପୋର୍ଟାଲର ବୈଷୟିକ ତ୍ରୁଟି ସଜାଡ଼ି ପାରିଲେ ନାହିଁ।

କୁସୁମ/କୁଟୁମ୍ବ/ସ୍ବାଭିମାନ ବି ଅଧା ରାସ୍ତାରେ
ସ୍ମାର୍ଟ ସିଟି ଅଞ୍ଚଳରେ ପ୍ରାକ ଶୈଶବ ଶିକ୍ଷାକୁ ନିୟମିତ, ଶ୍‌ଙ୍ଖଳିତ, ସୁସଂଯୋଜିତ ଓ ମୂଲ୍ୟଯୋଗ କରାଇବାର ଆଭିମୁଖ୍ୟ ନେଇ ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ଦ୍ବାରା ହାତକୁ ନିଆଯାଇଥିଲା କୁସୁମ ଯୋଜନା। ହେଲେ ରାଜଧାନୀର ବସ୍ତିଗୁଡ଼ିକରେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଘର ନାହିଁ। ପିଲା ସଂଖ୍ୟା ଅନୁଯାୟୀ ଦିଦିଙ୍କ ନିଯୁକ୍ତି ନାହିଁ। କୁସୁମ ଯୋଜନା ସୀମିତ ଅଞ୍ଚଳରେ ଚାଲିଥିବା ବେଳେ ସହର ସାରାର ପ୍ରାକ ଶୈଶବ ଶିକ୍ଷାରେ ଏବେ ବି ବଡ଼ ଧରଣର ଅସଂଗତି ରହିଛି। ସେହିପରି ରାତ୍ରିରେ ଆଶ୍ରୟ ନ ପାଇ ବସଷ୍ଟାଣ୍ଡ, ରେଳଷ୍ଟେସନ ଓ ସଡ଼କ ପାର୍ଶ୍ବରେ ଖୋଲା ଆକାଶ ତଳେ ଜୀବନ ଜିଉଥିବା ଅସହାୟଙ୍କ ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଆରମ୍ଭ କରିଥିବା କୁଟୁମ୍ବ ଯୋଜନାରେ ଅଧାଙ୍କୁ ସୁଫଳ ମିଳୁଥିବା ବେଳେ ଖୋଲା ଆକାଶ ତଳେ ଏବେ ବି ଅନେକ ଜିଉଥିବା ଦେଖାଯାଉଛି। ଷ୍ଟ୍ରୀଟ ହକର ଏବଂ ବସ୍ତିବାସିନ୍ଦାଙ୍କ ଜୀବିକାରେ ନିଶ୍ଚିତତା ପାଇଁ ଆରମ୍ଭ ହୋଇଥିବା ସ୍ବାଭିମାନ ଯୋଜନାରେ ସମସ୍ତ ଟାର୍ଗେଟ ବର୍ଗଙ୍କୁ ସଂଶ୍ଲିଷ୍ଟ କରାଯାଇ ନାହିଁ। ଇଣ୍ଟିଗ୍ରେଟେଡ ପବ୍ଲିକ ସର୍ଭିସ ସେଣ୍ଟର ନିର୍ମାଣ କାମ ସରି ନ ଥିବା ବେଳେ ସୋସାଲ ସିଟି ରୁଫଟପ କାମ ବି କାଁଭାଁ ହୋଇଛି। ସହରରେ ୪୨ ପ୍ରତିଶତ ଜନତା ଭଡ଼ାଘରେ ରହୁଥିବା ବେଳେ ସହରରେ ପ୍ରଦୂଷଣ ହ୍ରାସ, ବର୍ଜ୍ୟ ପରିଚାଳନା, ଆବଶ୍ୟକୀୟ ପଦଚଲା ଓ ସାଇକେଲ ଟାକର ନିର୍ମାଣ ଓ ସୁରକ୍ଷା ଅଧାରାସ୍ତାରେ ଅଛି। ଆଖିଦ୍‌ଶିଆ ଭାବେ କେତୋଟି ପାର୍କକୁ ବିକଶିତ କରାଯାଇଛି ସତ ହେଲେ ସହରର ୬୭ଟି ୱାର୍ଡରେ ପିଲାଙ୍କ ଖେଳିବା ପାଇଁ ବ୍ୟବସ୍ଥା ନାହିଁ କି ପଡ଼ିଆ ନାହିଁ। ମାତ୍ର ୧୬ ପ୍ରତିଶତଙ୍କ ନିକଟରେ ଇଣ୍ଟରନେଟ ସଂଯୋଗ ଥାଇ କମ୍ପ୍ୟୁଟର ଓ ଲାପଟପ ରହିଛି। ୪୦ ପ୍ରତିଶତଙ୍କ ପାଖରେ ଟ୍ୟାପରୁ ପିଇବା ପାଣି ପହଞ୍ଚିନି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ