ପ୍ରେସିଡେନସିଆଲ ଡିବେଟ: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପାଇଁ ଅଗ୍ନି ପରୀକ୍ଷା

ତିନୋଟି ଡିବେଟ ନିର୍ଣ୍ଣୟ କରେ କିଏ ହେବ ରାଷ୍ଟ୍ରପତି

ଖୁବଶୀଘ୍ର ଆମେରିକା ନିଜର ଆଗାମୀ ରାଷ୍ଟ୍ରପତିଙ୍କୁ ବାଛିବ। ପୂରା ନିର୍ବାଚନ ପ୍ରକ୍ରିୟାରେ ଆମେରିକୀୟଙ୍କ ନଜର ରହିଥାଏ ପ୍ରେସିଡେନସିଆଲ ଡିବେଟ ଉପରେ। ଏହି ନିର୍ବାଚନରେ ଗୋଟିଏ ବିତର୍କ ସରିଥିବା ବେଳେ ଆଉ ଦୁଇଟି ଆଗାମୀ ଅକ୍ଟୋବର ୧୫ ଏବଂ ଅକ୍ଟୋବର ୨୨ରେ ଯଥାକ୍ରମେ ନେଶବିଲ ଏବଂ ଟେନେସି ଠାରେ ଆୟୋଜିତ ହେବ। ଏହି ବହୁଚର୍ଚ୍ଚିତ ଡିବେଟ ଯଦିଓ ସାମ୍ବିଧାନିକ ବାଧ୍ୟବାଧକତା ଠାରୁ ମୁକ୍ତ ତଥାପି ଏହା ଉଭୟ ଡେମୋକ୍ରାଟିକ ଓ ରିପବ୍ଲିକାନଙ୍କ ପାଇଁ ପରମ୍ପରା ପାଲଟିଛି। ନିର୍ଦ୍ଦିଷ୍ଟ ଦଳ ଉପରେ ଦ୍‌ଢ଼ ବିଶ୍ବାସ ରଖୁ ନ ଥିବା ଅନେକଙ୍କ ପାଇଁ ଏହି ଡିବେଟ ମତଦାନ ବେଳେ ପ୍ରାର୍ଥୀ ବାଛିବାର ମାପକ ହୋଇଥାଏ। ଦଳଗୁଡ଼ିକର ପ୍ରାର୍ଥମାନେ ପ୍ରାର୍ଥିପତ୍ର ଦାଖଲ କରିସାରିବା ପରେ ନାଗରିକଙ୍କ ସାମ୍ନାରେ ଏକ ବିରାଟ ପ୍ରକୋଷ୍ଠରେ ଦର୍ଶକମାନଙ୍କ ସାମ୍ନାରେ ନିଜର ତର୍କ ରଖନ୍ତି। ଏହାକୁ ଆମେରିକା ପ୍ରେସିଡେନସିଆଲ ଡିବେଟ କୁହାଯାଏ।

୧୯୫୬ ମସିହାରୁ ଏହି ଡିବେଟର ଅୟମାରମ୍ଭ ହୋଇଛି। ୧୯୬୦ ନିର୍ବାଚନରେ ପ୍ରଥମ ବିତର୍କ ସେ ସମୟର ୧୭୯ ମିଲିଅନ ନାଗରିକଙ୍କ ମଧ୍ୟରୁ ୬୬ ମିଲିଅନ ଲୋକଙ୍କ ନିକଟରେ ବିଭିନ୍ନ ମାଧ୍ୟମରେ ପହଞ୍ଚିଥିଲା। ଆମେରିକାର ଟେଲିଭିଜନ ଇତିହାସରେ ସର୍ବାଧିକ ଦର୍ଶକ ଦେଖି ପାରିଥିବା କାର୍ଯ୍ୟକ୍ରମ ଭାବେ ପରିଚିତ ହୋଇଥିଲା। ୧୯୮୦ ନିର୍ବାଚନ ସମୟରେ ଡିବେଟ ୨୨୬ ମିଲିଅନ ନାଗରିକଙ୍କ ମଧ୍ୟରୁ ୮୦ ମିଲିଅନ ଦର୍ଶକ ଦୂରଦର୍ଶନରୁ ଦେଖି ପାରିଥିଲେ। ଏବେ ବହୁତ କମ ସଂଖ୍ୟକ ଦେଶବାସୀ ଟେଲିଭିଜନରୁ ବିତର୍କ ଦେଖୁଥିବା ବେଳେ ସୋସାଲ ମିଡିଆରେ ଏହାର ବ୍ୟାପକ ପ୍ରଚାର ଦେଖାଯାଉଛି। ଡୋନାଲଡ ଟ୍ରମ୍ପ ଏବଂ ହିଲାରୀ କ୍ଲିଣ୍ଟନଙ୍କ ମଧ୍ୟରେ ହୋଇଥିବା ନିର୍ବାଚନ ଲଢ଼େଇ ଓ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଡିବେଟ ସର୍ବାଧିକ ୮୪ ମିଲିଅନ ଲୋକ ଦୂରଦର୍ଶନରୁ ଦେଖିଥିଲେ। ଅନଲାଇନ ଦର୍ଶକଙ୍କ ସଂଖ୍ୟା ଏହାଠାରୁ ଢେର ଅଧିକ। ଏଥିରୁ ଅନୁମାନ କରାଯାଇପାରେ ଯେ ଆମେରିକାରେ ନିର୍ବାଚନ ସମୟର ଡିବେଟ କାହିଁକି ଏତେ ମୂଲ୍ୟବାନ ଓ ଗୁରୁତ୍ବପୂର୍ଣ୍ଣ ହୋଇପଡ଼େ। ୧୯୬୦ରେ ନିକସନ ଏବଂ କେନେଡିଙ୍କ ମଧ୍ୟରେ ହୋଇଥିବା ନିର୍ବାଚନରେ ନିକସନ ହାରି ଯାଇଥିଲେ ଏବଂ ତାଙ୍କୁ ମନେ ହୋଇଥିଲା ଯେ କେନେଡିଙ୍କ ସହ ଗୋଟିଏ ମଞ୍ଚରେ ଛିଡ଼ାହୋଇ ଡିବେଟ କରିଥିବାରୁ ସେ ପରାଜିତ ହେଲେ। ଏଣୁ ସେ ୧୯୬୮ ଓ ୧୯୭୨ ଡିବେଟକୁ ପ୍ରତ୍ୟାଖ୍ୟାନ କରିଦେଲେ। ପ୍ରକ୍‌ତରେ କହିବାକୁ ଗଲେ ୧୯୭୬ ମସିହାରୁ ହିଁ ଡିବେଟର ପରମ୍ପରା ଆରମ୍ଭ ହୋଇଛି। ଏହିକ୍ରମରେ ଦେଖିବାକୁ ଗଲେ ୧୯୭୬ ମସିହାରୁ ହିଁ ପ୍ରକ୍‌ତରେ ଏଭଳି ଡିବେଟର ନିୟମିତ ପରମ୍ପରା ଆରମ୍ଭ ହୋଇଛି।

ଆମେ ସମସ୍ତେ ୨୯ ସେପ୍ଟେମ୍ବର ୨୦୨୦ରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଜୋ ବିଡେନଙ୍କ ମଧ୍ୟରେ ହୋଇଥିବା ପ୍ରଥମ ବିତର୍କ ଦେଖିଛେ। ଏହା ପୂର୍ବରୁ ଆମେରିକାର କେତେକ ରାଜ୍ୟରେ ହିଂସାକାଣ୍ଡ ହୋଇଛି। ବିଡେନ ଓ ତାଙ୍କ ସମର୍ଥକମାନେ ଏହା ପଛରେ ଟ୍ରମ୍ପଙ୍କ ବିବାଦୀୟ ବୟାନକୁ ଦାୟୀ କରି ନିଆଁରେ ଘିଅ ଢାଳିଛନ୍ତି। ପ୍ରଥମ ବିତର୍କ ପରେ ଟ୍ରମ୍ପ କୋରୋନା ପଜିଟିଭ ଚିହ୍ନଟ ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସେ ଖୁବ ଶୀଘ୍ର ଆରୋଗ୍ୟ ହୋଇଥିଲେ ହେଁ ଧାର୍ଯ୍ୟ ଦ୍ବିତୀୟ ଡିବେଟରେ ଭାଗ ନେଇ ପାରି ନ ଥିଲେ। ପ୍ରଥମ ଡିବେଟ ପରେ ଦର୍ଶକମାନଙ୍କ ମଧ୍ୟରେ ମତଦାନକୁ ନେଇ ଥିବା ସ୍ପଷ୍ଟତା ଅଧିକ ସୁଦ୍‌ଢ଼ ହୋଇଛି। ନବାଗତ ଯୁବ ଆମେରିକୀୟମାନେ ଟ୍ରମ୍ପଙ୍କୁ ପୁଣିଥରେ ବିଜୟୀ କରାଇବାକୁ ଚାହୁଁଥିବା ଜଣାଯାଇଛି। ଉଭୟ ପ୍ରାର୍ଥୀ ପରସ୍ପରକୁ ବ୍ୟକ୍ତିଗତ ଭାବେ ପ୍ରଚଣ୍ଡ ଭାବେ ପ୍ରହାର କରିଛନ୍ତି। ଗତ ନିର୍ବାଚନରେ ହିଲାରୀ କ୍ଲିଣ୍ଟନ ଓ ଟ୍ରମ୍ପଙ୍କ ବିତର୍କ ବ୍ୟକ୍ତିଗତ ଆକ୍ଷେପରେ ଯେଭଳି ଭରିଥିଲା, ଏବେ ସେଭଳି ଦେଖିବାକୁ ମିଳିଛି।

ଟ୍ରମ୍ପ ବିଡେନଙ୍କ ପୁଅ ହଣ୍ଟରଙ୍କୁ ଜଣେ ନିଶାସକ୍ତ ଆଖ୍ୟାଦେଇ କଟୁ ସମାଲୋଚନା କରିଛନ୍ତି। ବିଡେନ ଏତେ କମ ଶୋଭାଯାତ୍ରା କରିଥିବା ନେଇ ଆକ୍ଷେପ କରିଛନ୍ତି। ଡେଲାୱେର ବିଶ୍ବବିଦ୍ୟାଳୟରେ ମୋଟ ୬୮୮ ଛାତ୍ରଙ୍କ ମଧ୍ୟରେ ବିଡେନ ୫୦୬ତମ ସ୍ଥାନରେ ଥିବା ନେଇ ଭର୍ତ୍ସନା କରିଛନ୍ତି। ଆମେରିକାର ସୋସାଲ ମିଡିଆରେ ଏବେ ଏହି ଦୁଇ ଲୋକଙ୍କ ଚରିତ୍ର, ଗୁଣବତ୍ତା, ଦକ୍ଷତା ଓ ତ୍ରୁଟି ଖୋଜା ଚାଲିଛି। ଏଥି ସହିତ କେଉଁ ନେତା ଅଧିକ କାମ କରିବାର ପ୍ରତିଶ୍ରୁତି ଦେଇଛନ୍ତି ବା କିଏ ଦେଶ ପାଇଁ କ’ଣ କରିଛନ୍ତି, ଲୋକଙ୍କ ସମସ୍ୟା କ’ଣ ଓ ସମାଧାନ ଗୁଡ଼ିକ କେବେ କିଭଳି ଭାବେ ହେବ, ତାକୁ ନେଇ ମଧ୍ୟ ପ୍ରଶ୍ନ ପଚରା ଯାଉଛି। ଏହି ଡିବେଟ ଆମେରିକା ନିର୍ବାଚନର ମତଦାନକୁ ବର୍ଷ ବର୍ଷ ଧରି ପ୍ରଭାବିତ କରି ଆସିଥିଲେ ହେଁ ଏବେ ମଧ୍ୟ ତା’ର ପ୍ରାସଙ୍ଗିକତା ହରାଇ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ