୧୯ରୁ ୨୧ ପ୍ରବଳ ବର୍ଷିବ: ସତର୍କ ରହିବାକୁ ଏସଆରସିଙ୍କ ନିର୍ଦେଶ


ଭୁବନେଶ୍ୱର: ଗୋଟିଏ ଲଘୁଚାପ ବର୍ଷା ନ ଯାଉଣୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଏକ ଲଘୁଚାପ। ଆସନ୍ତା ୧୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହେବ। ଏହାର ପ୍ରଭାବରେ ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ସେପଟେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା।

ଲଘୁଚାପ ପ୍ରଭାବରେ ବିଶେଷକରି ଦକ୍ଷିଣ ଓ ଉତ୍ତର ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ। ଏଥିପାଇଁ ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ଏହି ସମୟରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ମଧ୍ୟ ପବନ ବହିପାରେ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ୨୦ରୁ ୨୧ପର୍ଯ୍ୟନ୍ତ ଗଞ୍ଜାମ ଓ ଗଜପତି ରେ ଅତିପ୍ରବଳ ବର୍ଷା ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଏବଂ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ପୁରୀକୁ ୟେଲୋୱାର୍ଣ୍ଣିଂ ଜାରି କରଯାଇଛି। ଏହା ସହ ଅକ୍ଟୋବର ୨୧ରୁ ୨୨ ପର୍ଯ୍ୟନ୍ତ ମାଲକାନଗିରି,କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଏହି ସମୟରେ ସମୁଦ୍ରକୂଳିଆ ଅଞ୍ଚଳରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବାର ଆଶଙ୍କା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ଏହି ଦିନମାନଙ୍କରେ ସମୁଦ୍ର ଭିତରକୁ ଯିବାକୁ ମତ୍ସଜୀବୀମାନଙ୍କୁ ବାରଣ କରାଯାଇଛି। ସମ୍ଭାବ୍ୟ ଲଘୁଚାପ ଓ ବର୍ଷାକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲାର ଜିଲ୍ଲପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର। ପ୍ରବଳ ବର୍ଷା ପାଇଁ କ୍ଷୟକ୍ଷତିର ସମ୍ଭାବନା ରହିଛି। ଜଳସମ୍ପଦ ଓ ମତ୍ସ୍ୟସମ୍ପଦ ବିଭାଗ ସହିତ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ପଠାଯାଇଛି ଏବଂ ବର୍ଷା ଓ ବନ୍ୟା ପରିସ୍ଥିତି ଦେଖାଦେଲେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଏଥିସହ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ସମସ୍ତ ବିଭାଗକୁ ପୂର୍ବ ପ୍ରସ୍ତୁତି କରି ରହିବାକୁ କୁହାଯାଇଛି।

ଅନ୍ୟପକ୍ଷରେ ଅକ୍ଟୋବର ଓ ନଭେମ୍ବର ମାସରେ ରାଜ୍ୟବାସୀଙ୍କୁ ବାତ୍ୟାର ଭୟ ଘାରିଛି। ଗୋଟିଏ ପରେ ଗୋଟିଏ ଲଘୁଚାପ ବର୍ଷା ଏହି ଭୟକୁ ଦ୍ବିଗୁଣିତ କରୁଛି। ତେବେ ଏନେଇ କୌଣସି ଭୟଭିତ ନ ହେବା ପାଇଁ ପରାମର୍ଶ ଦିଆଯାଇଛି। ଜଳବାୟୁ ପରିବର୍ତ୍ତନ ସହିତ ପାଣିପାଗରେ ଏବେ ଅସ୍ବାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଜୁନ୍‌ ପହିଲାରୁ ଏ ପର୍ଯ୍ୟନ୍ତ  ପ୍ରାୟ ୫ ମାସ ଭିତରେ ୧୨ଟି ଲଘୁଚାପ ସୃଷ୍ଟି ହେଲାଣି। ଏଥିମଧ୍ୟରୁ କେବଳ ମୌସୁମି ଋତୁ ଜୁନ୍‌ ପହିଲାରୁ ସେପ୍ଟେମ୍ବର ଭିତରେ ୯ଟି ଲଘୁଚାପ ହୋଇଥିବାବେଳେ ଅକ୍ଟୋବର ତିନି ସପ୍ତାହ ଭିତରେ ତିନିଟି ଲଘୁଚାପ ସୃଷ୍ଟି ହେଲାଣି। ଫଳରେ ଅକ୍ଟୋବର ତୃତୀୟ ସପ୍ତାହ ଭିତରେ ୩ଟି ଲଘୁଚାପ ସହିତ ବଙ୍ଗୋପସାଗରରେ ଗତ ୧୦ ବର୍ଷରେ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ