ଡିସେମ୍ବର ସୁଦ୍ଧା ଭାରତରେ ଉପଲବ୍ଧ ହେବ ୨ରୁ ୩ ଶହ ନିୟୁତ କୋଭିଡ୍ ଟିକା: ଏସଆଇଆଇ


ନୂଆଦିଲ୍ଲୀ: ଘାତକ ଭୂତାଣୁ କୋଭିଡ୍-୧୯ କବଳରୁ ଲୋକମାନଙ୍କୁ ବଞ୍ଚାଇବା ସକାଶେ ଟିକା ହିଁ ଏକମାତ୍ର ବିକଳ୍ପ ହୋଇଥିବାରୁ ଏହି ଟିକା ପ୍ରସ୍ତୁତି ପାଇଁ ବିଭିନ୍ନ ଦେଶର ବୈଜ୍ଞାନିକମାନେ ସେମାନଙ୍କ ଗବେଷଣା ଜାରି ରହିଛି। ଏଥିରେ ଭାରତ ମଧ୍ୟ ସାମିଲ୍ ରହିଛି। ଏହି ଟିକା ଉତ୍ପାଦନ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ଅଧିକାର ପାଇଥିବା ବେଳେ ଆସନ୍ତା ଡିସେମ୍ବର ସୁଦ୍ଧା ଦେଶରେ ୨ ଶହରୁ ୩ ଶହ ନିୟୁତ ଟିକା ପ୍ରସ୍ତୁତ ହୋଇଯିବ ବୋଲି କୁହାଯାଇଛି। ଏନେଇ ଏସଆଇଇର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡ. ସୁରେଶ ଯାଦବ ଶନିବାର କହିଛନ୍ତି ଯେ ଭାରତର ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଟିକା ଉତ୍ପାଦନ ପାଇଁ ଅନୁମତି ଦେବା ପରେ ଏହି ପରିମାଣର ଟିକା ପ୍ରସ୍ତୁତ ହୋଇଯିବ। ଏଥିସହ କୋରୋନା ଭୂତାଣୁକୁ ନିପାତ କରିବା ସକାଶେ ଏସଆଇଆଇ ପକ୍ଷରୁ ସମୁଦାୟ ୫ଟି ଭିନ୍ନ ଭିନ୍ନ ପ୍ରକାରର ଉତ୍ପାଦ ପ୍ରସ୍ତୁତି ଦିଗରେ କାର୍ଯ୍ୟ ଜାରି ରହିଛି ବୋଲି ଯାଦବ କହିଛନ୍ତି। ହିଲ୍ ଫାଉଣ୍ଡେସନ୍‌ ପକ୍ଷରୁ ଫାର୍ମ ଏକ୍ସିଲେନ୍ସ ଇ-ସମ୍ମିଟ୍ ୨୦୨୦ର ଆୟୋଜନ ଅବସରରେ ଏହାର ପ୍ରତିଷ୍ଠାତା ଡ. ସ୍ବଦୀପ ଶ୍ରୀବାସ୍ତବଙ୍କ ଏକ ପ୍ରଶ୍ନର ଉତ୍ତରରେ ଡ. ଯାଦବ ଉପରୋକ୍ତ ମତ ଦେଇଛନ୍ତି। ସେ କହିଛନ୍ତି ଯେ ଯଦିଓ ଏହି ଟିକାର କ୍ଲିନିକାଲ୍ ଟ୍ରାଏଲ୍ ଏକାଧିକ ବାର ବ୍ୟାହତ ହୋଇଛି, ତଥାପି ଡିସେମ୍ବର ଶେଷ ସୁଦ୍ଧା ଆମେ ଡିଜିସିଆଇ ନିକଟରେ କ୍ଲିନିକାଲ୍ ଟ୍ରାଏଲର ସମସ୍ତ ପର୍ଯ୍ୟାୟର ଫଳାଫଳ ଦାଖଲ କରିଦେବୁ। ଯଦିଓ ଏଥିରେ ଡିଜିସିଆଇ ସନ୍ତୁଷ୍ଟ ହେଲେ, ତା’ହେଲେ ସେମାନେ ମାସକ ଭିତରେ ଇୟୁଲ୍ ଅର୍ଥାତ୍ ଏମର୍ଜେନ୍ସି ୟୁଜ୍ ଲାଇସେନ୍ସ ପ୍ରଦାନ କରିବେ। ତା’ଛଡ଼ା ବଜାରରେ ଏହି ଟିକା ବିକ୍ରି କରିବାର ଅଧିକାର ମଧ୍ୟ ଡିଜିସିଆଇ ପ୍ରଦାନ କରିବାର ଅଧିକାର ରଖନ୍ତି ବୋଲି ଯାଦବ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଡିଜିସିଆଇ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ଏସଆଇଆଇ ପ୍ରିକ୍ବାଲିଫିକେସନ୍ ସକାଶେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ନିକଟରେ ଆବେଦନ କରିବ। ଏହି ସଂଗଠନ ପକ୍ଷରୁ ପ୍ରିକ୍ବାଲିଫିକେସନକୁ ଅନୁମତି ମିଳିଗଲେ, ଗାଭି ପରି ଅନ୍ତର୍ଜାତୀୟ ସଂଗଠନମାନେ ଏହି ଟିକା ଖରିଦ୍ କରିପାରିବେ। ଏସଆଇଆଇ ପକ୍ଷରୁ ଉଭୟ ଡିଜିସିଆଇ ଓ ହୁ’ ସହ ଏକକାଳୀନ ପ୍ରକ୍ରିୟା ଆଗକୁ ନେବା ଦିଗରେ ଉଦ୍ୟମ କରାଯିବ। ଏହା ଆସନ୍ତା ବର୍ଷର ପ୍ରଥମ କ୍ବାର୍ଟରରେ ଜାରି ରହିବ ଓ ତୁରନ୍ତ ଏସଆଇଆଇ ସାଧାରଣ ଲୋକଙ୍କ ନିକଟରେ କୋଭିଡ୍-୧୯ ଟିକା ପହଞ୍ଚାଇପାରିବ ବୋଲି ଯାଦବ କହିଛନ୍ତି। ସେହିପରି ସମସ୍ତ ପ୍ରକାର ଅନୁମତି ପାଇବା ପରେ ଏସଆଇଆଇ ମାସକୁ ପାଖାପାଖି ୭୦ ନିୟୁତ ଡୋଜ୍ ଟିକା ପ୍ରସ୍ତୁତ କରିପାରିବ। ଏସଆଇଆଇ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ଟିକାର ୩ୟ ତଥା ଅନ୍ତିମ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲରେ ସ୍ବେଚ୍ଛାସେବୀମାନଙ୍କ ଶରୀରରେ କେତେ ସମୟ ରୋଗ ପ୍ରତିରୋଧକ ଶକ୍ତି କାଏମ ରହୁଛି, ତାହା ଉପରେ ସବୁକିଛି ନିର୍ଭର କରିବ। ଏହି ଟିକା ଦିଆଯାଇଥିବା ସ୍ବେଚ୍ଛାସେବୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କ’ଣ ପରିବର୍ତ୍ତନ ଘଟୁଛି, ତାହା ଉପରେ ଦୁଇରୁ ୩ ବର୍ଷ ପର୍ଯ୍ୟନ୍ତ ନଜର ରଖିବାକୁ ପଡ଼ିବ ବୋଲି ଡ. ଯାଦବ କହିଛନ୍ତି। ଏହି ଅବସରରେ ଡ. ଯାଦବ ଏସଆଇଆଇ ବାର୍ଷିକ ପାଖାପାଖି ୮ ଶହ ନିୟୁତ ଟିକା ପ୍ରସ୍ତୁତ କରିପାରିବ ବୋଲି ସିଇଓ ଅଦର ପୂନାୱାଲା ଦେଇଥିବା ମନ୍ତବ୍ୟକୁ ସମର୍ଥନ କରିବା ସହ ଏହାଠାରୁ ଅଧିକ ମଧ୍ୟ ଉତ୍ପାଦନ କରିପାରିବ ବୋଲି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ