ରିପବ୍ଲିକ୍ ଟିଭିକୁ ଧୂଳିସାତ୍ ପାଇଁ ୫୦ ନିୟୁତ ଡଲାର୍ ଦେଇଛି ଦାଉଦ୍!


ମୁମ୍ବାଇ: ବରିଷ୍ଠ ସାମ୍ବାଦିକ ତଥା ରିପବ୍ଲିକ୍ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ବାମୀ ବଲିଉଡରେ ମାଫିଆରାଜ ଓ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଅନେକଗୁଡ଼ିଏ ଖୁଲାସା କରିବା ସହ ଏଥିରେ ଅଣ୍ଡରଓ୍ୱାଲର୍ଡ ଡନ୍ ଦାଉଦ୍ ଇବ୍ରାହିମ୍‌ର ମଧ୍ୟ ହାତ ଥିବା ସନ୍ଦେହ କରିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ଅପମୃତ୍ୟୁ କହି ମୁମ୍ବାଇ ପୋଲିସ୍‌ରୁ ଆରମ୍ଭ କରି ମହାରାଷ୍ଟ୍ରର ପ୍ରମୁଖ ରାଜନୈତିକ ନେତାମାନେ ତୁରନ୍ତ ତଦନ୍ତକୁ ଶେଷ କରିବା ସକାଶେ ଉଦ୍ୟମ କରିଥିଲେ ହେଁ ଶେଷରେ ଏହାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର ହୋଇଥିଲା। ଏହାପରେ ଏହି ଘଟଣାରେ ବଲିଉଡର ଅନେକ କଳାକାରନାମା ସାମ୍ନାକୁ ଆସିଛି। ତେବେ ରିପବ୍ଲିକ୍ ଟିଭି ମହାରାଷ୍ଟ୍ର ସରକାରଙ୍କୁ ବିଭିନ୍ନ ମାମଲାରେ କାଠଗଡ଼ାରେ ଛିଡ଼ା କରିଥିବାରୁ ଉଦ୍ଦେଶ୍ୟମୂଳକ ଭାବେ ଏହି ଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଟିଆରପି ସ୍କାମ୍‌ରେ ଏହି ଟିମ୍‌କୁ ଜୋରଜବରଦସ୍ତ ପକ୍ଷଭୁକ୍ତ କରାଯାଇଥିବା ପ୍ରତିଶୋଧମୂଳକ ରାଜନୀତିର ଅଂଶବିଶେଷ ବୋଲି ଜଳ ଜଳ ଦିଶୁଛି। ଏହି କ୍ରମରେ ଶନିବାର ରିପବ୍ଲିକ୍ ଟିଭିର କନସଲଟିଂ ଏଡିଟର୍ ପ୍ରଦୀପ ଭଣ୍ଡାରିଙ୍କୁ ଖାର୍ ପୋଲିସ ଆଗୁଆ ଜାମିନ୍ ସତ୍ତ୍ବେ ଅଟକ ରଖିବା ଆଉ ଏକ ହୀନ ଉଦ୍ୟମ ଭାବେ ସାମ୍ନାକୁ ଆସିଛି। ଏହି ଘଟଣାରେ ଅର୍ଣ୍ଣବ ଏକ ଡିବେଟ୍‌ରେ ମହାରାଷ୍ଟ୍ର ପୋଲିସ୍ ଉପରେ ଅଙ୍ଗୁଳି ନିର୍ଦେଶ କରିବା ସହ ପ୍ୟାନେଲ୍‌ରେ ଭାଗ ନେଇଥିବା ଜଣେ ସାମ୍ବାଦିକ ଏକ ଜବରଦସ୍ତ ଖୁଲାସା କରିଛନ୍ତି ।ସାଭିଓ ରଡରିଗ୍ସ ନାମକ ଏହି ସାମ୍ବାଦିକ ଜଣକ ରିପବ୍ଲିକ୍ ଟିଭିକୁ ଧୂଳିସାତ୍ କରିବା ସକାଶେ ଦାଉଦ୍ ପାଖାପାଖି ୫୦ ନିୟୁତ ଡଲାର୍ ଅର୍ଥ ଯୋଗାଇ ଦେଇଛି ବୋଲି ଇେଣ୍ଟେଲିଜେନ୍ସ ସୂତ୍ରରୁ ସୂଚନା ମିଳିଥିବା କହିଛନ୍ତି।

ଡିବେଟ୍‌ରେ ଭାଗ ନେଇଥିବା ସାମ୍ବାଦିକ ରଡରିଗ୍ସ କହିଥିଲେ ଯେ ରିପବ୍ଲିକ୍ ଟିଭି ବିରୋଧରେ ଚାଲିଥିବା ଉଦ୍ଦେଶ୍ୟମୂଳକ ପଦକ୍ଷେପ ଆରମ୍ଭ ମାତ୍ର। ଆଗାମୀ ଦିନରେ ଆହୁରି ଅଧିକ ପ୍ରତିଶୋଧପରାୟଣ ରାଜନୀତି ରିପବ୍ଲିକ୍ ଟିଭି ଦେଖିବ ବୋଲି ରଡରିଗ୍ସ କହିଥିଲେ। ଅନ୍ୟପକ୍ଷରେ ‘ଜନ୍ କୀ ବାତ୍’ ସର୍ଭେ କମ୍ପାନୀର ପ୍ରତିଷ୍ଠାତା ଭଣ୍ଡାରିଙ୍କୁ ଶନିବାର ପୋଲିସ୍ ଜେରା ପାଇଁ ଡାକିଥିଲା। ଥାନାରେ ପହଞ୍ଚିବା ପରେ ଭଣ୍ଡାରିଙ୍କୁ ପାଖାପାଖି ୧୦ ଘଣ୍ଟା ଜେରା କରାଯାଇଥିଲା। କିନ୍ତୁ ଏହାପରେ ତାଙ୍କୁ ଥାନା ବାହାରକୁ ଯିବାକୁ ମନା କରାଯାଇଥିଲା। ଏପରିକି ପୋଲିସ୍ ତାଙ୍କର ମୋବାଇଲ୍ ଫୋନ୍ ଜବତ କରିବା ସହ ତାଙ୍କୁ ଭୋକ ଲାଗିଥିଲେ ଖାଇବାକୁ ବି ଦେଇ ନ ଥିବା ଓ ପିତାମାତାଙ୍କ ସହ କଥାବର୍ତ୍ତା ହେବାକୁ ମଧ୍ୟ ଦେଇ ନ ଥିବା ଭଣ୍ଡାରି ଟ୍ବିଟ୍ କରି କହିଛନ୍ତି। ଏହି ମାମଲାରେ ରିପବ୍ଲିକ୍ ଟିଭି ପକ୍ଷରୁ ସିଧା ପ୍ରସାରଣ ମାଧ୍ୟମରେ ପୋଲିସ୍ କିପରି ଭାବେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାନସିକ ନିର୍ଯାତନା ଦେବାକୁ ପଛାଉନାହିଁ, ତାହା ଦର୍ଶାଇବାକୁ ଉଦ୍ୟମ କରିଥିଲା। ଏପରିକି ଥାନା ବାହାରକୁ ଗଲେ ଭଣ୍ଡାରିଙ୍କୁ ଗିରଫ କରିବା ସକାଶେ ମଧ୍ୟ ପୋଲିସ୍ ଧମକ ଦେଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ସୁଶାନ୍ତ ମୃତ୍ୟୁ ମାମଲାକୁ ସବୁଠାରୁ ଅଧିକ ଚର୍ଚ୍ଚିତ କରିଥିବା ରିପବ୍ଲିକ୍ ଟିଭି ବ୍ୟତୀତ ବିଜେପିର ବରିଷ୍ଠ ସାଂସଦସୁବ୍ରମଣ୍ୟମ୍ ସ୍ବାମୀ ଏହି ମାମଲାକୁ ତୁରନ୍ତ ଶେଷ କରିବା ସକାଶେ ଅନେକ ଲୋକ କାହିଁକି ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏହି ମାମଲା ସହ ଦାଉଦ୍‌ର ସମ୍ପର୍କ ଥିବାରୁ ଆଗାମୀ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସେ ଏହାର ଏନଆଇଏ ସ୍ତରୀୟ ତଦନ୍ତ ପାଇଁ ପ୍ରସ୍ତାବ ଦେବେ ବୋଲି ସ୍ବାମୀ ଶନିବାର ପୂର୍ବାହ୍ନରେ ଟ୍ବିଟ୍ କରି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ